/odisha-reporter/media/post_attachments/uploadimage/library/16_9/16_9_0/IMAGE_1752997238.jpg)
DGP YB Khurania
ରାଜ୍ୟରେ ବିଗତ କିଛିମାସ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ମାତ୍ରାଧିକ ହିଂସା ଓ ଅପରାଧ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପୁଲିସ ବ୍ୟବସ୍ଥାର ଅପାରଗତାରୁ ଅପରାଧୀମାନେ ଖୁଲମଖୁଲା ଅପରାଧ କରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ କରୁଛନ୍ତି । ଏସବୁ ଘଟଣା ଜାତୀୟସ୍ତରରେ ଓଡ଼ିଶାକୁ ନିନ୍ଦିତ କରିବା ସହ ରାଜ୍ୟର ବିଜେପି ସରକାରକୁ ମଧ୍ୟ ବଦନାମ ଓ ସମାଲୋଚନା କରାଇଛି । ମାତ୍ର ଏସବୁ ସତ୍ତ୍ୱେ ‘ପୁଲିସ ବ୍ୟବସ୍ଥା’ ଓ ‘ଆଇନଶୃଙ୍ଖଳା ପରିସ୍ଥିତି’ରେ ସୁଧାର ନିମନ୍ତେ ରାଜ୍ୟ ସରକାର ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି । ଏପରିକି ପୁଲିସର ଅପାରଗତାରୁ ରାଜ୍ୟରେ ଅପରାଧ ବଢ଼ୁଥିଲେ ମଧ୍ୟ ଏସବୁର ଉଚ୍ଚସ୍ତରୀୟ ସମୀକ୍ଷା କି ଆକ୍ସନ ହେଉନାହିଁ କିମ୍ବା ଅପରାଧୀଙ୍କ ମନରେ ଭୟର ସଂଚାର ସୃଷ୍ଟି କରିବା ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉ ନାହିଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।
ପୁଲିସ ପ୍ରତି ‘ଅପରାଧୀଙ୍କ’ ଭୟ ନାହିଁ
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ମାତ୍ର ୨ମାସ ମଧ୍ୟରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୱାଇବି ଖୁରାନିଆଙ୍କୁ ଆଣି ନୂଆ ପୁଲିସ ଡିଜି ଭାବେ ନିଯୁକ୍ତି ଦେଲେ । ଶ୍ରୀ ଖୁରାନିଆଙ୍କ ନେତୃତ୍ୱରେ ରାଜ୍ୟ ପୁଲିସ ଅଧିକ କ୍ରିୟାଶୀଳ ହୋଇ ଦକ୍ଷତାର ସହ କାର୍ଯ୍ୟ କରିବ ବୋଲି ବିଜେପି ନେତୃତ୍ୱ ଆଶା ମଧ୍ୟ କରିଥିଲେ । ମାତ୍ର ଶ୍ରୀ ଖୁରାନିଆଙ୍କ ଦାୟିତ୍ୱ ନେବାର ଦେଢ଼ ମାସ ନପୁରୁଣୁ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଜାତୀୟସ୍ତରରେ ଖବର ପାଲଟିଲା । ଓଡ଼ିଶା ଓ ରାଜ୍ୟ ସରକାରଙ୍କୁ ସୁନାମ ପରିବର୍ତ୍ତେ ବଦନାମ ମୁଣ୍ଡାଇବାକୁ ପଡ଼ିଲା । ଖୁରାନିଆଙ୍କ ନେତୃତ୍ୱରେ ପରିଚାଳିତ ପୁଲିସ ଫୋର୍ସର ଅପାରଗତାରୁ ଏବେ ଗୋଟିଏ ପରେ ଗୋଟିଏ ଅପରାଧ ହେବାରେ ଲାଗିଛି । ବିଶେଷକରି ମହିଳାମାନଙ୍କ ବିରୁଦ୍ଧରେ ହିଂସା ଓ ଅପରାଧ ଯୋଗୁ ଓଡ଼ିଶା ଜାତୀୟସ୍ତରରେ ବଦନାମ ହେଉଛି । ପୁଲିସ ନେତୃତ୍ୱଙ୍କ ନିୟନ୍ତ୍ରଣ ଓ ତାଗିଦ୍ ନଥିବାରୁ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପୁଲିସ କର୍ମଚାରୀମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଆକ୍ସନର ଭୟ ମଧ୍ୟ ରହୁନି । ଯେଉଁଥିପାଇଁ ଅପରାଧୀ ବି ଖୁଲମଖୁଲା ଅପରାଧ କରି ପୁଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି ।
୨୦୨୫ ଜାନୁୟାରୀରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମବେଳେ ରସୁଲଗଡ଼ ଛକରେ ସଫେଇ କର୍ମଚାରୀ ସହଦେବ ନାୟକଙ୍କୁ ହତ୍ୟା, ଗତ ଜୁନ ମାସରେ ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଗଞ୍ଜାମରେ ଦୁଇ ଦଳିତ ବ୍ୟକ୍ତିଙ୍କୁ ଅକଥନୀୟ ଅତ୍ୟାଚାର, କାର୍ଯ୍ୟରତ ଓଏଏସ୍ ଅଫିସରଙ୍କୁ ଅଫିସରୁ ଘୋଷାଡ଼ି ନେଇ ମାଡ଼ ମରାଯିବା,ବଳଙ୍ଗାରେ ନାବାଳିକାକୁ ବିଚ ରାସ୍ତାରେ ଦୁବୃର୍ତ୍ତମାନେ ନିଆଁ ଲଗାଇ ପୋଡ଼ି ମାରିବାକୁ ଉଦ୍ୟମ କରିବା ଭଳି ଘଟଣା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ ନିଜର କାର୍ଯ୍ୟ ମାଧ୍ୟମରେ ହିଁ ଅପରାଧୀଙ୍କୁ ସାବାଡ୍ କରିଲେ ସେମାନଙ୍କ ମନରେ ଭୟ ସଂଚାର ହୋଇପାରନ୍ତା ।
ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ନାହିଁ କି ଉତ୍ତରଦାୟିତ୍ୱ ମଧ୍ୟ ନାହିଁ
କ୍ରମାଗତ ଭାବେ ରାଜ୍ୟରେ ଅପରାଧ ବଢ଼ିଚାଲିଛି । କିନ୍ତୁ ଏହି ଅପରାଧ ପାଇଁ କାହାରିକୁ ଉତ୍ତରଦାୟିତ୍ୱ ମଧ୍ୟ କରାଯାଉନାହିଁ । ଗୋପାଳପୁର ସମୁଦ୍ର ବେଳାଭୂମିରେ ସନ୍ଧ୍ୟାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜଣେବି ପୁଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲାନି । ଏତେବଡ଼ ବିଭତ୍ସ ଘଟଣାରେ କେହି ଉତ୍ତରଦାୟୀ ମଧ୍ୟ ହେଲେନି । ବେଳାଭୂମିରେ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବା କାର୍ଯ୍ୟ ପୁଲିସର । କିନ୍ତୁ ପୁଲିସ ଏହି ଘଟଣାରେ ଅପରାଧୀଙ୍କୁ ଗିରଫ କରିଥିବା କହି ନିଜ ଦାୟିତ୍ୱ ଖସାଇଦେଲା । ମାତ୍ର ଗୋପାଳପୁର ବେଳାଭୂମିରେ ଯଦି ପୁଲିସର ପାଟ୍ରୋଲିଂ ଓ ନିରାପତ୍ତା ବ୍ୟବସ୍ଥା ଠିକ୍ ଥାନ୍ତା ହୁଏତ ଛାତ୍ରୀଙ୍କ ସହ ଏଭଳି ଅଘଟଣକୁ ଏଡ଼ାଇ ଯାଇ ହୋଇଥାନ୍ତା । ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଥିବା ଭୁବନେଶ୍ୱରରେ ଜଣେ ସଫେଇ କର୍ମଚାରୀଙ୍କୁ ହତ୍ୟା କରାଗଲା । ମାତ୍ର ଏହି ସୁରକ୍ଷାରେ ବିଫଳତା ପାଇଁ ପୁଲିସ ବ୍ୟବସ୍ଥାରେ କେହି ଦାୟୀ ହେଲେନି । କେବଳ ଭରତପୁର ଥାନା ମାମଲାରେ ସେନା ଓ କୋର୍ଟଙ୍କ ହସ୍ତକ୍ଷେପ ଯୋଗୁ କିଛି ପୁଲିସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ତା’ପରଠୁ କୌଣସି ଅପରାଧ ଘଟଣାରେ ପୁଲିସ ବିରୁଦ୍ଧରେ ଦାୟିତ୍ୱରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଥିବାର ନଜିର ନାହିଁ । ଥାନାସ୍ତରରେ କାର୍ଯ୍ୟରତ ପୁଲିସ କର୍ମଚାରୀମାନଙ୍କ ଉପରେ ନିୟନ୍ତ୍ରଣ ଓ ସେମାନଙ୍କୁ ଉତ୍ତରଦାୟୀ କରାଯାଉନଥିବାରୁ ଅପରାଧ ପରିମାଣରେ ଅଙ୍କୁଶ ଲାଗିବା ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି । ପୁଲିସ ଫୋର୍ସର ଏଭଳି ଅପାରଗତାକୁ ଦେଖି ଅପରାଧୀମାନେ ମଧ୍ୟ ଅପରାଧ ଘଟାଇବାରେ ଲାଗିଥିବା ବିରୋଧୀ ଦଳଗୁଡ଼ିକ ଖୁଲମଖୁଲା ଅଭିଯୋଗ କରିଛନ୍ତି ।
ଚର୍ଚ୍ଚିତ ଅପରାଧ, ଜାତୀୟସ୍ତରରେ ନିନ୍ଦିତ ଓଡ଼ିଶା
ରାଜ୍ୟରେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର, ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମଦାହ ଓ ବଳଙ୍ଗାରେ ନାବାଳିକାକୁ ନିଆଁ ଲଗାଇ ପୋଡ଼ି ମାରିବା ଭଳି ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ରହିଛି । ଏହି ସବୁ ଚର୍ଚ୍ଚିତ ଅପରାଧ ପାଇଁ ଓଡ଼ିଶାକୁ ମଧ୍ୟ ଜାତୀୟସ୍ତରରେ ନିନ୍ଦା ଓ ଅପବାଦ ମୁଣ୍ଡାଇବାକୁ ପଡ଼ିଛି । ଏହାସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ରଥଯାତ୍ରା ସମୟରେ ଭିଡ଼ ଓ ଟ୍ରାଫିକ ମ୍ୟାନେଜମେଂଟରେ ବିଫଳତା ଯୋଗୁ ୩ଜଣଙ୍କ ଲୋକଙ୍କ ଜୀବନ ଯିବା ସହ ଅନେକ ଆହତ ହେଲେ । ଜାତୀୟସ୍ତରରେ ମଧ୍ୟ ରଥଯାତ୍ରା ପରିଚାଳନାର ବିଫଳତାକୁ ନେଇ ଚର୍ଚ୍ଚା ହେଲା । କିନ୍ତୁ ଏହି ରଥଯାତ୍ରା ବିଭ୍ରାଟ ପାଇଁ ସିଧାସଳଖ ଦାୟୀ ଶୀର୍ଷ ଅଫିସରମାନଙ୍କ(ଦାୟିତ୍ୱରେ ଥିବା ଏଡିଜି ପାହ୍ୟାର ଅଫିସର) ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲାନି । ଅଧିକାଂଶ ଅପରାଧ ପ୍ରସଙ୍ଗକୁ ଜାତୀୟସ୍ତରକୁ ନେବାରେ ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ହିଁ ପ୍ରମୁଖ ଭୂମିକା ତୁଲାଉଛି । ଜାତୀୟ ଗଣମାଧ୍ୟମରେ ସରକାର ଓ ପ୍ରଶାସନକୁଏସବୁ ପାଇଁ ସମାଲୋଚନାର ଖୋରାକ୍ ବିରୋଧୀ ଦଳଗୁଡ଼ିକ ଯୋଗାଉ ଥିବାରୁ ଓଡ଼ିଶା ନିନ୍ଦିତ ହେବାରେ ଲାଗିଛି ।
ଦକ୍ଷ ଅଫିସରଙ୍କୁ କୋଣଠେସା, ଅପାରଗଙ୍କୁ ଦାୟିତ୍ୱ
ପୁଲିସ ଡିଜି ଭାବେ ୱାଇବି ଖୁରାନିଆ ଦାୟିତ୍ୱ ନେବା ପରେ ଅନେକ ଯୋଗ୍ୟ ଓ ଦକ୍ଷ ଅଫିସରଙ୍କୁ କୋଣଠେସା କରି ରଖାଯାଇଛି । ବିଜେଡିମାର୍କା ଅଫିସରର ଟ୍ୟାଗ୍ ଲଗାଯାଇଥିବା ଆଇପିଏସମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ଦିଆଗଲା । ଆଉ ଯେଉଁ ଅଫିସରମାନେ ରହିଲେ ସେମାନଙ୍କର ଦକ୍ଷତା ଓ ନିଷ୍ଠା ଆଧାରରେ ସେମାନଙ୍କୁ ଦାୟିତ୍ୱ ଦେବା ପରିବର୍ତ୍ତେ କୋଣଠେସା କରି ରଖାଯାଇଥିବା ଅଭିଯୋଗ ହେଉଛି । ରାଜ୍ୟରେ ଅନେକ ଦକ୍ଷ ଅଫିସର ଥାଇ ମଧ୍ୟ ସେମାନଙ୍କୁ ଆଇନଶୃଙ୍ଖଳା ନିୟନ୍ତ୍ରଣ ଓ ପୁଲିସ ବ୍ୟାପାର ଭଳି ଦାୟିତ୍ୱରୁ ଦୂରେଇ ରଖି କିଛି ଅପାରଗ ଓ ଚାଟୁକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥଇଥାନ କରାଯାଇଛି । ଯେଉଁଥିପାଇଁ ପୁଲିସ ଅଧିକ କ୍ରିୟାଶୀଳ କିମ୍ବା ପ୍ରଭାବୀ ହୋଇପାରୁନଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି । ରାଜ୍ୟ ସରକାର ଯଦି ଏସବୁ ଦିଗକୁ ବିଚାରକୁ ନେଇ ଶୀର୍ଷ ପାହ୍ୟାର ଅଫିସରମାନଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତାକୁ ଚିହ୍ନଟ କରି ସେମାନଙ୍କୁ ପୁନଃନିଯୁକ୍ତି ନଦେବେ ତା’ହେଲେ ଆଗାମୀ ଦିନରେ ଅପରାଧ ନିୟନ୍ତ୍ରଣ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିବ ।
ପୁଲିସର ଅପାରଗତାରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗତ ୧୦ ମାସରେ ଅବନତି ହେବାରେ ଲାଗିଛି ଓ ପୁଲିସ ବିଭାଗ ଉପରେ ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଇବାରେ ଲାଗିଛି ବୋଲି ଉଭୟ କଂଗ୍ରେସ ଓ ବିଜେଡି ଅଭିଯୋଗ କରୁଛନ୍ତି । ଯଦିଓ ସରକାରଙ୍କୁ ‘ତୁଳନାତ୍ମକ ତଥ୍ୟ ଓ ସଫେଇ’ ଦେଇ ପୁଲିସ ବିଭାଗ ନିଜ ଦାୟିତ୍ୱରୁ ଖସିଯିବାକୁ ପ୍ରୟାସ କରୁଛି କିନ୍ତୁ ସେହି ପୁଲିସର ବିଫଳତା ପାଇଁ ହିଁ ରାଜ୍ୟରେ ବିଜେପି ସରକାରଙ୍କୁ ହିଁ ନିନ୍ଦା-ଅପଯଶ ମୁଣ୍ଡାଇବାକୁ ପଡ଼ୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେଣୁ ରାଜ୍ୟ ସରକାର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ତୁରନ୍ତ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନନେଲେ ଓଡ଼ିଶା ‘ଅପରାଧୀଙ୍କ ସ୍ୱର୍ଗ’ ପାଲଟିଯିବ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
