/odisha-reporter/media/post_attachments/uploadimage/library/16_9/16_9_0/KIIT_1740224484.jpg)
KIIT
ଫେବ୍ରୁଆରୀ ୧୬ ତାରିଖରେ କିଟ୍ କ୍ୟାମ୍ପସ ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବିଦେଶରେ ବି ରାଜ୍ୟ ଓ ଦେଶର ଛବି ଖରାପ କରିଥିବାରୁ ସୋସାଇଟି ଆକ୍ଟରେ ପରିଚାଳିତ ହେଉଥିବା କିଟ ଓ କିସକୁ ସରକାର କିଛି ବର୍ଷ ପାଇଁ ପରିଚାଳନା କରିବା ଉଚିତ ହେବ ମତ ପ୍ରକାଶ ପାଉଛି। ଅନ୍ୟପଟରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବା ୟୁଜିସି, ଏଆଇସିଟିଇ ଭଳି ସଂସ୍ଥା କିଟକୁ କାହିଁକି ତାର ଡିମ୍ଡ ବିଶ୍ବବିଦ୍ୟାଳୟ ମାନ୍ୟତା ହଟାଇବା ପାଇଁ ନୋଟିସ୍ ଜାରି କରୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ।
ବିଜୟ ପଟ୍ଟନାୟକ କହିଛନ୍ତି କିଟ୍ ପାଇଁ ଓଡ଼ିଶା ଓ ଦେଶର ଛବି ମଳିନ ହୋଇଛି। କିଟ୍ ଘଟଣା ପରେ ବିଦେଶରୁପିଲା ଓଡ଼ିଶା ବା ଭାରତକୁ ପଢ଼ିବା ପାଇଁ ଆସିବା ଉପରେ ଆଉ ଥରେ ଭାବି ପାରନ୍ତି। ସରକାର ଏହି ଘଟଣାକୁ ଏକ ଆଇନଶୃଙ୍ଖଳା ପରିସ୍ଥିତି ବୋଲି ନଭାବି ଏହାର ଶେଷ ପର୍ଯ୍ୟନ୍ତ ଯାଆନ୍ତୁ ।
ପୂର୍ବତନ ରାଜ୍ୟସଭା ସାଂସଦ ତଥା ଅଡିଟର ଜେନେରାଲ୍ ଅମର ପଟ୍ଟନାୟକ ଟ୍ୱିଟ୍ କରି ସରକାର ଏଭଳି ପରିସ୍ଥିତିରେ କିଟର ପରିଚାଳନା ଭାରକୁ କିଛି ସମୟ ପାଇଁ ହାତକୁ ନିଅନ୍ତୁ ବୋଲି ମତ ଦେଇଛନ୍ତି। ପୂର୍ବରୁ ଅଗ୍ନିକାଣ୍ଡ ବେଳେ ସୋଆର ମାଲିକଙ୍କୁ ବି ଗିରଫ କରାଯାଇଥିଲା। ବର୍ତ୍ତମାନର ସରକାର ଅଚ୍ୟୁତଙ୍କୁ ଗିରଫ କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତା ମାନସ ବସ୍ତିଆ। ପୂର୍ବରୁ କୁପରିଚାଳନା ପାଇଁ ଚୌଦ୍ୱାରର ଓଟିଏମ୍ ଓ ବରପଦାର ଇଂଜିନିୟରିଂ କଲେଜର ପରିଚାଳନା ଭାରକୁ ସରକାର ହାତକୁ ନେଇଥିଲେ। ବର୍ତ୍ତମାନ ବି ସେଭଳି କରାଯାଉ ବୋଲି କହିଛନ୍ତି ବସ୍ତିଆ।
କିଟରେ ଅନେକ ପ୍ରଭାବଶାଳୀ ଆଇଏଏସ୍, ଆଇପିଏସ୍ ଅଫିସର ଓ ନେତାଙ୍କ ପତ୍ନୀ ଚାକିରି କରୁଥିବାରୁ ଓ ଅଚ୍ୟୁତଙ୍କର ସରକାରଙ୍କ ଉପରେ ପ୍ରଚଣ୍ଡ ପ୍ରଭାବ ଥିବାରୁ ଅନେକ ବେନିୟମ କାମକୁ ସରକାର ସୁରକ୍ଷା ଦେଉଥିଲେ ବୋଲି ଅଭିଯୋଗ ହେଉଛି। ଏପରିସ୍ଥଳେ ସରକାର କି ପଦକ୍ଷେପ ନେଇ ନୂଆ ଉଦାହରଣ ସୃଷ୍ଟି କରୁଛନ୍ତି ତା ଉପରେ ନଜର ରହିଛି।
(ରିପୋର୍ଟ: ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
