Advertisment

କର୍ମଚାରୀଙ୍କୁ ସରକାରଙ୍କ ତାଗିଦ୍ : ସିଧାସଳଖ ଯାଇପାରିବେନି କୋର୍ଟ କି ବଦଳି-ପଦୋନ୍ନତି ପାଇଁ ପକାଇବେ ନାହିଁ ଚାପ

ସରକାର ଖୁବଶୀଘ୍ର ଜନଶୁଣାଣି ପୋର୍ଟାଲରେ ସରକାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଯୋଗଗୁଡ଼ିକର ପରିଚାଳନା ପାଇଁ ଏକ ନିର୍ଦ୍ଦିଷ୍ଟ ପେଜ୍ ପ୍ରସ୍ତୁତ କରିବେ।

undefined

Loka Seva Bhavan

Advertisment

“ଏଣିକି ରାଜ୍ୟର ଉଭୟ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରମାନେ ନିଜର ଆପତ୍ତି ଅଭିଯୋଗର ସମାଧାନ ପାଇଁ ସିଧାସଳଖ କୋର୍ଟ ଯାଇପାରିବେ ନାହିଁ । ଏପରିକି ନିଜର ନିଯୁକ୍ତି, ପଦୋନ୍ନତି, ଦେୟ ଓ ଅନ୍ୟାନ୍ୟ ସେବା ସର୍ତ୍ତ ପ୍ରସଙ୍ଗରେ କୌଣସି କର୍ତ୍ତୃପକ୍ଷଙ୍କ ଉପରେ କାହା ମାଧ୍ୟମରେ ବି ଚାପ ପକାଇ ପାରିବେ ନାହିଁ । ଯଦି କୌଣସି କର୍ମଚାରୀ ସିଧାସଳଖ କୋର୍ଟକୁ ଯାଆନ୍ତି, ତା’ହେଲେ ତାଙ୍କ ରିଟ୍ ପିଟିସନକୁ ଖାରଜ କରିବା ପାଇଁ ସରକାର ମଧ୍ୟ କୋର୍ଟଙ୍କୁ ଅନୁରୋଧ କରିବାକୁ ପଛାଇବେ ନାହିଁ । କର୍ମଚାରୀ ଯଦି ତାଙ୍କ ସରକାରୀ ସ୍ୱାର୍ଥକୁ ଆଗକୁ ନେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉପରେ ଯେକୌଣସି ମାଧ୍ୟମରେ ଚାପ ପକାଇବେ ତାକୁ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ନିୟମ-୧୯୫୯ର ୨୩ର ଉଲ୍ଲଘଂନ ଭାବେ ବିବେଚନା କରାଯିବ ।” ଆଜି ରାଜ୍ୟ ସରକାର ନିଜର ସମସ୍ତ ସରକାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏଭଳି ୧୬ ଦଫା ଗାଇଡଲାଇନ୍ ଜାରି କରିଛନ୍ତି ।

Advertisment

ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ, ଜନଶୁଣାଣି ପୋର୍ଟାଲର ଉନ୍ନୀତିକରଣ ପାଇଁ ଓ ସରକାରୀ କର୍ମଚାରୀ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଅଭିଯୋଗର ସମାଧାନ ପାଇଁ ଆନୁଷ୍ଠାନିକ ପ୍ଲାଟଫର୍ମ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି ।

ସରକାର ଖୁବଶୀଘ୍ର ଜନଶୁଣାଣି ପୋର୍ଟାଲରେ ସରକାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଯୋଗଗୁଡ଼ିକର ପରିଚାଳନା ପାଇଁ ଏକ ନିର୍ଦ୍ଦିଷ୍ଟ ପେଜ୍ ପ୍ରସ୍ତୁତ କରିବେ । ଯେଉଁଥିରେ ସମସ୍ତ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକ ଉପଖଣ୍ଡସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ/ସ୍ତରଗୁଡ଼ିକୁ ଚିହ୍ନଟ କରିବେ । ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ, ସେବା କରୁଥିବା ଓ ଅବସରପ୍ରାପ୍ତ କର୍ମଚାରୀ ଏହି ଜନଶୁଣାଣି ପୋର୍ଟାଲରେ ନିଜର ଅଭିଯୋଗ ଦାଖଲ କରିବା ଆବଶ୍ୟକ । ଅଭିଯୋଗ ଦାଖଲ କରିବା ପୂର୍ବରୁ ସମସ୍ତ କର୍ମଚାରୀ ଥରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ।

Advertisment

ଅଭିଯୋଗ ଦାଖଲ କରିବା ପରେ ତାହା ନିକଟ ଉପରିସ୍ଥ ରିପୋର୍ଟିଂ ଅଧିକାରୀଙ୍କ ପାଖକୁ ପଠାଯିବ, ଯିଏ ସର୍ବାଧିକ ୩୦ଦିନ ମଧ୍ୟରେ ନିୟମ ଅନୁସାରେ ତା’ର ସମାଧାନ କରିବେ, ଯଦି ତାହା ଉକ୍ତ ଅବଧି ମଧ୍ୟରେ ସମାଧାନ ନହୁଏ ଉକ୍ତ ଅଭିଯୋଗ ସ୍ୱତଃପ୍ରବୃତ୍ତ ଭାବେ ପରବର୍ତ୍ତୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବ । ସେଠାରେ ସମାଧାନ ନହେଲେ ତାହା ପରବର୍ତ୍ତୀ ସମୟରେ ସ୍ୱୟଂଚାଳିତ ଭାବେ ସମ୍ପୃକ୍ତ କର୍ମଚାରୀ କାର୍ଯ୍ୟରତ ଥିବା ନିର୍ଦ୍ଦେଶ।।ଳୟ ଓ ବିଭାଗସ୍ତରକୁ ଯିବ । ପ୍ରତ୍ୟେକ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗର ସମାଧାନ ପାଇଁ ସର୍ବାଧିକ ୩୦ଦିନ ପର୍ଯ୍ୟନ୍ତ ସମୟ ଉପଲବ୍ଧ ରହିବ । ଯଦି ସମସ୍ତ ସ୍ତରରେ ଅଭିଯୋଗ ପରେ ମଧ୍ୟ କର୍ମଚାରୀଙ୍କ ଅଭିଯୋଗର ସମାଧାନ ହୋଇନପାରେ ତା’ହେଲେ ସେ ଚାହିଁଲେ ବିଭାଗୀୟ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିବେ । ସେହି ଭେଟିବା ପାଇଁ ତାଙ୍କୁ ନିର୍ଦ୍ଧାରିତ ଫର୍ମାଟରେ ନିଜର ଉପରିସ୍ଥ ଅଧିକାରୀଙ୍କଠୁ ଅନୁମତି ନେଇ ଛୁଟିରେ ଆସିବାକୁ ପଡ଼ିବ । ପଞ୍ଜିକରଣଠୁ ଅଭିଯୋଗ ବିଭିନ୍ନ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରତ୍ୟେକ ପର୍ଯ୍ୟାୟରେ ଯିବାର ସ୍ଥିତି ସମ୍ପର୍କରେ ଆବେଦନକାରୀଙ୍କୁ ଏସଏମଏସ୍ ମାଧ୍ୟମରେ ଅବଗତର ସୁଯୋଗ ମିଳିବ ।

ସେହିପରି ଧାର୍ଯ୍ୟ ସମୟସୀମା ସମାଧାନ ହୋଇନଥିବା ସମସ୍ତ ଅଭିଯୋଗଗୁଡ଼ିକ ସ୍ୱୟଂଚାଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଚାଲିଯିବ । ତେବେ ଏହାସହିତ ବିଭାଗୀୟ ମୁଖ୍ୟଙ୍କୁ ଅଭିଯୋଗ ସମାଧାନ ନହେବାର ଯଥାର୍ଥ କାରଣ ଦର୍ଶାଇବାକୁ ପଡ଼ିବ ।

ଯଦି କୌଣସି କର୍ମଚାରୀ ସବୁସ୍ତରରେ ଅଭିଯୋଗ ନଜଣାଇ ଓ ଅଭିଯୋଗର ସମାଧାନର ସମସ୍ତ ସ୍ତରରେ ବିଫଳ ହେବା ପୂର୍ବରୁ କୋର୍ଟରେ ମାମଲା ଦାଏର କରନ୍ତି ତା’ହେଲେ ରାଜ୍ୟ ସରକାର ଉକ୍ତ କର୍ମଚାରୀଙ୍କ ଲିଖିତ ଆବେଦନକୁ ଖାରଜ କରିବା ପାଇଁ କୋର୍ଟରେ ପ୍ରାର୍ଥନା କରିବେ ।

କେବଳ ସେତିକି ନୁହେଁ, ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ନିୟମ-୧୯୫୯ର ଧାରା ୨୩କୁ ଉଲ୍ଲଘଂନ କରି କୌଣସି କର୍ମଚାରୀ ତାଙ୍କର ସରକାରୀ ନିଯୁକ୍ତି, ପଦୋନ୍ନତି, ଦେୟ, ଅନ୍ୟାନ୍ୟ ସେବା ସର୍ତ୍ତ ପ୍ରସଙ୍ଗରେ କୌଣସି କର୍ତ୍ତୃପକ୍ଷଙ୍କ ଉପରେ କୌଣସି ପ୍ରଭାବ ପକାଇବାକୁ ଚେଷ୍ଟା କରିବେ ନାହିଁ । ସମସ୍ତ ସେବାରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ସରକାରୀ କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ପ୍ରଶାସନିକସ୍ତରରେ କରିବା ସଂକ୍ରାନ୍ତ ଓଡ଼ିଶା ହାଇକୋର୍ଟରେ ୨୦୨୩ ମସିହାର ଏକ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାର ଶୁଣାଣିବେଳେ ରାଜ୍ୟ ସରକାର ନିଜର ପକ୍ଷ ରଖି ଏହି ପ୍ରକ୍ରିୟାକୁ ଅନୁସରଣ କରିବେ ବୋଲି ଅବଗତ କରାଇଛନ୍ତି । ଯାହା ଆଜି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଅଧିସୂଚନା ଆକାରରେ ଜାରି ହୋଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe