Advertisment

ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ: ଉପରାଷ୍ଟ୍ରପତି ନିର୍ବାଚନ ନିଷ୍ପତ୍ତି ନେବ ବିଜେଡି ‘ରାଜନୀତିକ ବ୍ୟାପାର କମିଟି’

ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ’ଣ ରହିବ ତା’ର ନିଷ୍ପତ୍ତି ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ନିର୍ଦ୍ଧାରଣ କରୁ ବୋଲି ନବୀନ ନିର୍ଦ୍ଦେଶ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

author-image
Ordigital Desk
Naveen

Naveen

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ୪୮ଘଣ୍ଟା ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ହରିବାବୁ କମ୍ଭାମପଟିଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।  ଯଦିଓ ଏହି ସାକ୍ଷାତକୁ ସୌଜନ୍ୟମୂଳକ ବୋଲି ସରକାରୀ ଭାବେ କୁହାଯାଉଛି ତଥା ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ନବୀନ ନିବାସ ଯାଇଥିବାର ସନ୍ଦେଶ ଦିଆଯାଉଛି ତେବେ ବିଜେଡି ଶିବିରରେ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

Advertisment

ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ’ଣ ରହିବ ତା’ର ନିଷ୍ପତ୍ତି ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ନିର୍ଦ୍ଧାରଣ କରୁ ବୋଲି ନବୀନ ନିର୍ଦ୍ଦେଶ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଯାହାକି ବିଜେଡିର ପିଏସି ସଦସ୍ୟମାନଙ୍କ ଅଡ଼ୁଆ ବଢ଼ାଇଛି ବୋଲି ଚର୍ଚ୍ଚା ।

୪୮ଘଣ୍ଟା ମଧ୍ୟରେ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ୨୩ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ୨୫ତାରିଖ ପୂର୍ବାହ୍ନରେ ରାଜ୍ୟପାଳ ଶ୍ରୀ କମ୍ଭାମପଟି ସାକ୍ଷାତ କରିଛନ୍ତି । ଏହି ଭେଟଘାଟକୁ ସରକାରୀ ଭାବେ ସୌଜନ୍ୟମୂଳକ ବୋଲି ଦର୍ଶାଯାଉଛି ।  ନବୀନ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ଭେଟିବା ପାଇଁ ବିଜେପି ସରକାର ଦୁଇ କ୍ୟାବିନେଟ୍ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ପୃଥ୍ୱୀରାଜ ହରିଚନ୍ଦନ ହସ୍ପିଟାଲ ଯିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଫୋନ୍ କରି ସ୍ୱାସ୍ଥ୍ୟବସ୍ଥାର ତଦାରଖ କରିବା ଓ ଏବେ ୪୮ଘଣ୍ଟା ନପୁରୁଣୁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ତାଙ୍କୁ ଭେଟିବା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଯଦିଓ ନବୀନଙ୍କର ଜୁନ୍ ୨୨ତାରିଖରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଏକ ବଡ଼ଧରଣର ଅସ୍ତ୍ରୋପଚାର ହୋଇଥିଲା ଓ ସେ ଜୁଲାଇ ୧୨ତାରିଖରେ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ବିଜେଡି ପକ୍ଷରୁ ବିଶାଳ ଶୋଭାଯାତ୍ରାରେ ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ସେବେଠୁ ସେ ନବୀନ ନିବାସରେ ଥିଲେ ମଧ୍ୟ ତାଙ୍କୁ ଭେଟିବା କିମ୍ବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ କେହି ନବୀନ ନିବାସ ଯାଇନଥିଲେ କି ଫୋନ୍ ମାଧ୍ୟମରେ ବି ତାଙ୍କ ସହ କଥା ହୋଇନଥିଲେ ବୋଲି ସୂଚନା ମିଳିଛି । ଏବେ ଅଚାନକ ଏଭଳି ତତ୍ପରତା ପଛରେ କ’ଣ କାରଣ ରହିଛି ତାକୁ ନେଇ ରାଜନୀତିକ ମହଲରେ ନାନାଦି ଚର୍ଚ୍ଚା ଓ ଆକଳନ ଜାରି ରହିଛି ।

ପିଏସିକୁ ଦେଲେ ଦାୟିତ୍ୱ, ନିଷ୍ପତ୍ତି ଜଣାଅ

‘ସମଦୂରତ୍ୱ’ ଆଭିମୁଖ୍ୟର ଡିଣ୍ଡିମ ପିଟୁଥିବା ବିଜେଡି ବିଗତ ଏକ ଦଶନ୍ଧି ଧରି କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଉପରେ ପଡ଼ି ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ପ୍ରସଙ୍ଗରେ ନିଜର ସମର୍ଥନ ଦେଇଆସିଛି । ଏପରିକି ରାଜ୍ୟରେ କ୍ଷମତାଚ୍ୟୁତ ହେବାପରେ ମଧ୍ୟ ୱକଫ୍ ବିଲରେ ବିଜେଡି ନିଜର ସମର୍ଥନ ଦେବା ସହ ଅପରେସନ୍ ସିନ୍ଦୂର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁହାଇବା ଭଳି ନିଜର ପକ୍ଷ ରଖିଥିଲା । ମାତ୍ର ଦଳ ଭିତରେ ରହିଥିବା ଅସନ୍ତୋଷକୁ ଦେଖି ବିଜେଡିର ଏହି ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି(ପିଏସି)କୁ ଦଳର ଆଭିମୁଖ୍ୟ ସ୍ଥିର କରି ଲିଖିତ ଭାବେ ଜଣାଇବାକୁ କୁହାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ନବୀନ ଓ ତାଙ୍କ ଖାସ୍ ତଥା ବିଜେଡି ସର୍ବେସର୍ବାଙ୍କର ଏଭଳି ଆଭିମୁଖ୍ୟ ଦଳର ପିଏସି ସଦସ୍ୟମାନଙ୍କ ଅକଲଗୁଡ଼ୁମ୍ କରିଦେଇଛି । ଯଦିଓ କେନ୍ଦ୍ରରେ ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ନବୀନ-ପାଣ୍ଡିଆନଙ୍କ ସମ୍ପର୍କ କାହାକୁ ଅଛପା ନାହିଁ ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାର ଚାପ ମଧ୍ୟ ବିଜେଡି ଉପରେ ରହିଛି । କିନ୍ତୁ ଏସବୁ ସତ୍ତ୍ୱେ ଦଳର କର୍ମୀ ଓ ନେତାମାନଙ୍କ ମୁଡକୁ ପରଖି ‘ପିଏସି’ ନିଜର ନିଷ୍ପତ୍ତି ଜଣାଇବା  ଏକରକମ ପିଏସି ସଦସ୍ୟମାନଙ୍କ ପାଇଁ ‘ଏପଟେ ବାଘ,ସେପଟେ କୁମ୍ଭୀର’ ସଦୃଶ ହୋଇଛି ।

ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ନବୀନ-ପାଣ୍ଡିଆନଙ୍କ ସମ୍ପର୍କକୁ ଅଣଦେଖା କରି ଯଦି ଦଳର ‘ରାଜନୀତିକ ବ୍ୟାପାର କମିଟି’ ପ୍ରତ୍ୟକ୍ଷ ବା ପରୋକ୍ଷରେ ବିରୋଧ କରିବାର ନିଷ୍ପତ୍ତି ନେବ ତାହା ଉଭୟ ନବୀନ-ପାଣ୍ଡିଆନଙ୍କୁ କ୍ଷୁବ୍ଧ କରିବାର ଆଶଙ୍କା ରହିଛି । ଆଉ ଏପଟେ ରାଜ୍ୟର ସାମ୍ପ୍ରତିକ ରାଜନୀତିକ ପରିସ୍ଥିତି ଯାହା ତାକୁ ଦୃଷ୍ଟିରେ ରଖି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବାର ନିଷ୍ପତ୍ତି ଯଦି ‘ରାଜନୀତିକ ବ୍ୟାପାର କମିଟି’ ନିଏ ତା’ହେଲେ ଏହି କମିଟିର ସଦସ୍ୟମାନଙ୍କୁ ମଧ୍ୟ ଦଳୀୟ କର୍ମୀ-ନେତାଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିବାର ଆଶଙ୍କା ରହିଛି ।

ଅବଶ୍ୟ ଏହା ସତ୍ୟ ଯେ, ଦଳର ୭ଜଣ ରାଜ୍ୟସଭା ସାଂସଦ ଥିବାବେଳେ ସେମାନଙ୍କ ଉପରେ ସାମାନ୍ୟତମ କର୍ତ୍ତୃତ୍ୱ ‘ପିଏସି’ର ନାହିଁ । ଆଉ ପିଏସିର ସଦସ୍ୟ ଥିବା ପ୍ରଣବପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସନ୍ତୃପ୍ତ ମିଶ୍ର ଆଦି ସମସ୍ତେ ହେଉଛନ୍ତି ପାଣ୍ଡିଆନପନ୍ଥୀ । ମାତ୍ର ବର୍ତ୍ତମାନର ରାଜନୀତିକ ପରିସ୍ଥିତିରେ ନବୀନଙ୍କ ଭାବମୂର୍ତ୍ତି ଓ ଦଳୀୟ କର୍ମୀ-ନେତାଙ୍କ ଆକ୍ରୋଶରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପାଣ୍ଡିଆନ ବେଶ୍ ସନ୍ତର୍ପଣରେ ରାଜନୀତିକ ଗୋଟିଚାଳନା କରି ‘ପିଏସି’କୁ ଆଗକୁ ଆଣିଥିବା କୁହାଯାଉଛି । ଏହି ପିଏସି ସଦସ୍ୟମାନେ ଯାହା ନିଷ୍ପତ୍ତି ନେବେ ତାହା ମଧ୍ୟ ବିଜେଡିରେ ସେମାନଙ୍କର ରାଜନୀତିକ ଭବିଷ୍ୟତକୁ ନିର୍ଦ୍ଧାରଣ କରିବ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ,  ଜୁଲାଇ ୨୬ତାରିଖରେ ଶଙ୍ଖଭବନରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ କୋରଟିମ୍ ସଦସ୍ୟମାନଙ୍କ ଏକ ବୈଠକ ବସି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିକୁ ମଧ୍ୟ ନବୀନ ନିବାସକୁ ଆଗୁଆ ଅବଗତ କରାଇବାକୁ ଦେବୀଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ମାତ୍ର ବିଜେଡିର ଅଘୋଷିତ ସର୍ବେସର୍ବା ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଓରଫ ବବିଙ୍କ ଚାପରେ ଦଳ ‘ବିରୋଧ’ ନୁହେଁ ‘ଅନୁପସ୍ଥିତ’ ରହିବ ବୋଲି ନବୀନ ନିବାସକୁ ଦେବୀ ଅବଗତ କରାଇଥିବା ସୂଚନା ମିଳିଛି । ଏହି ଘଟଣା ଗଣମାଧ୍ୟମକୁ ଆସିବା ପରେ ଏବେ ପିଏସିକୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କୁହାଯାଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

Odisha Naveen Patnaik Dr Hari Babu Kambhampati