Congress Bhawan Near Master Canteen, Bhubaneswar
ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜର ପ୍ରଥମ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜଧାନୀ ଭୁବନେଶ୍ୱରରେ ସବୁ ଜିଲ୍ଲା ପାଇଁ ‘ଅତିଥି ଭବନ’ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ଘୋଷଣା ଅନୁରୂପ ରାଜ୍ୟ ସରକାର ସୋମବାର ଏହି ଅତିଥି ଭବନଗୁଡ଼ିକ ନିର୍ମାଣ ନିମନ୍ତେ ସରକାରୀ କ୍ୱାର୍ଟର୍ସ ଥିବା ଜମିଗୁଡ଼ିକ ଆବଂଟନ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ କଂଗ୍ରେସ ଭବନ ପାଖରେ ଜନପଥରେ ଥିବା ସରକାରୀ କ୍ୱାର୍ଟରଗୁଡ଼ିକୁ ସମ୍ପୂର୍ଣ୍ଣ ଧୂଳିସାତ କରି ଏହି ଅତିଥି ଭବନ ନିର୍ମାଣ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଜେପି ସରକାର ନିଜର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ‘ଆଉଟରିଚ୍ କାର୍ଯ୍ୟକ୍ରମ’ ଆଧାରରେ ଏହି ଅତିଥି ଭବନଗୁଡ଼ିକ ନିର୍ମାଣ ନିମନ୍ତେ ଯୋଜନା କରିଥିବା ଜଣାପଡ଼ିଛି।
ଭଙ୍ଗାଯିବ ସରକାରୀ କ୍ୱାର୍ଟର୍ସ, ହେବ ଅତିଥି ଭବନ
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ସମସ୍ତ ୩୦ଟି ଜିଲ୍ଲା ନିମନ୍ତେ ଅତିଥି ଭବନ ନିର୍ମାଣ ପାଇଁ ଜମି ଆଂବଟିତ ହୋଇଛି। ଭୁବନେଶ୍ୱରର ୟୁନିଟ-୨ ସ୍ଥିତ ଅଶୋକ ନଗର ଅଂଚଳରେ ଏହି ଅତିଥିଭବନ ଗୁଡ଼ିକ ନିର୍ମାଣ ହେବ। ସାଧାରଣ ପ୍ରଶାସନର ଖାତା ନମ୍ବର-୨୩୫ରେ ଥିବା ଜମି ମଧ୍ୟରୁ ମୋଟ ୩ ଏକର ଜମି ପରିମିତ ୨୬ଟି ପ୍ଲଟରେ ଏହି ଅତିଥି ଭବନଗୁଡ଼ିକ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। କଂଗ୍ରେସ ଭବନ ପାଶ୍ୱର୍ରେ ଥିବା ପ୍ରାୟ ୧୨ଟି ସରକାରୀ କ୍ୱାର୍ଟର୍ସ(ଜନପଥରୁ ୟୁନିଟ-୨ ସରକାରୀ ବାଳିକା ବିଦ୍ୟାଳୟକୁ ଯିବା ରାସ୍ତା ପର୍ଯ୍ୟନ୍ତ) ସମ୍ପୂର୍ଣ୍ଣ ଧୂଳିସାତ କରି ସେଠାରେ ଏହି ଅତିଥି ଭବନଗୁଡ଼ିକ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ସାଧାରଣ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା ସରକାରୀ କ୍ୱାର୍ଟରଗୁଡ଼ିକରୁ ଉଚ୍ଛେଦ ଓ ଏହାକୁ ଭାଙ୍ଗିବା ନିମନ୍ତେ ପୂର୍ତ୍ତ ବିଭାଗକୁ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ୨୦୨୫ ଏପ୍ରିଲ ୩୦ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଉଟରିଚ୍ କାର୍ଯ୍ୟକ୍ରମର ପ୍ରଥମ ବୈଠକରେ ଏହି ଅତିଥି ଭବନଗୁଡ଼ିକ ନିର୍ମାଣ ନିମନ୍ତେ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ନିମନ୍ତେ ସାଧାରଣ ପ୍ରଶାସନ ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଅତିଥି ଭବନ ଓ ୧୦୦ଟି ରୁମ୍
ଏହି ଅତିଥି ଭବନଗୁଡ଼ିକୁ ଏକ ସମାନ ଡିଜାଇନରେ ନିର୍ମାଣ ହେବ ଓ ଏଥିରେ ସର୍ବାଧିକ ୧୦୦ଟି ରୁମ୍ ବ୍ୟବସ୍ଥା ରହିବ। ୪ ମହଲା ବିଶିଷ୍ଟ ଏହି ଅତିଥିଭବନ ନିର୍ମାଣ ହେବ, ଯେଉଁଥିରେ ପାର୍କିଂ, କନଫରେନ୍ସ ହଲ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମଧ୍ୟ ରହିବ। ପ୍ରତ୍ୟେକ ଜିଲ୍ଲା ନାଁରେ ଗୋଟିଏ ଲେଖାଏଁ ଅତିଥି ଭବନ ନିର୍ମାଣ ହେବ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ଅତିଥି ଭବନଗୁଡ଼ିକରେ ବିଭିନ୍ନ ଜିଲ୍ଲାରୁ ରାଜଧାନୀ ଭୁବନେଶ୍ୱରକୁ ଆସୁଥିବା ଲୋକମାନଙ୍କୁ ସୁଲଭ ଦରରେ ରହିବା ସୁବିଧା ମିଳିପାରିବ। ଭୁବନେଶ୍ୱରକୁ ନିଜର ଚିକିତ୍ସା ସେବା, ସରକାରୀ କାର୍ଯ୍ୟ ଓ ପାଠପଢ଼ା ଆଦି ପାଇଁ ଜିଲ୍ଲାରୁ ଆସୁଥିବା ଲୋକମାନଙ୍କୁ ଏହି ଅତିଥି ଭବନରେ ସୁଲଭ ଦରରେ ରହିବାର ସୁଯୋଗ ମିଳିବ।
ଗତ ସପ୍ତାହରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏନେଇ ସୂଚନା ଦେଇଥିଲେ। ଯଦିଓ ଏହି ଆଉଟରିଚ୍ କାର୍ଯ୍ୟକ୍ରମ ଓ ଯୋଜନା ତାଙ୍କ ବିଭାଗ ସଂକ୍ରାନ୍ତୀୟ ନୁହେଁ ତଥାପି ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟ ସରକାର ଭୁବନେଶ୍ୱରରେ ପ୍ରତ୍ୟେକ ଜିଲ୍ଲା ନାଁରେ ୩୦ଟି ଅତିଥି ଭବନ ନିର୍ମାଣ କରିବେ। ଏସବୁ ଅତିଥି ଭବନରେ ମୋଟ ୩ ହଜାର ରୁମ୍ ରହିବ। ଜିଲ୍ଲାରୁ ଭୁବନେଶ୍ୱରକୁ ବିଭିନ୍ନ କାରଣ ପାଇଁ ଆସୁଥିବା ଲୋକମାନଙ୍କୁ ଏଠାରେ ସୁଲଭ ଦରରେ ରହିବାର ସୁବିଧା ଉପଲବ୍ଧ ହେବ। କେତେ ଟଙ୍କାରେ ସେମାନେ ରହିବେ ତାହା ପରବର୍ତ୍ତୀ ସମୟରେ ସ୍ଥିର ହେବ ବୋଲି ଶ୍ରୀ ପୂଜାରୀ କହିଥିଲେ।
ଜବରଦଖଲ ଉଚ୍ଛେଦ କରିଥିଲେ ସରକାର
ବିଗତ ୩-୪ ବର୍ଷ ଧରି ରାଜ୍ୟ ସରକାର ୟୁନିଟ-୨ରେ ଥିବା ସରକାରୀ କ୍ୱାର୍ଟରଗୁଡ଼ିକରେ ନୂଆ ଆବଂଟନ ଉପରେ କଟକଣା ଜାରି କରିଛନ୍ତି। ୟୁନିଟ-୨ ମାର୍କେଟ୍ ବିଲିଡିଂସ୍ଥିତ ପେଟ୍ରୋଲ ପମ୍ପଠାରୁ ରାଜମହଲ ଦେଇ କଂଗ୍ରେସଭବନ ପର୍ଯ୍ୟନ୍ତ ଥିବା ସରକାରୀ କ୍ୱାର୍ଟର୍ସଗୁଡ଼ିକ(ଆଗପଛ)ରେ କାହାରିକୁ ଆବଂଟନ କରାଯାଉ ନାହିଁ। ଏହାର ସୁଯୋଗରେ କିଛି ଅସାଧୁ ବ୍ୟକ୍ତି ସେସବୁ କ୍ୱାର୍ଟର୍ସକୁ ବିଭିନ୍ନ ଉପାୟରେ ଜବରଦଖଲ କରିଥିଲେ। ଏପରିକି କିଛି ଲୋକ ମଧ୍ୟ ଏହାକୁ ଭଡ଼ା ଲଗାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ସେସବୁକୁ ଜବରଦଖଲମୁକ୍ତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1750143091.jpg)