/odisha-reporter/media/post_attachments/uploadimage/library/16_9/16_9_0/IMAGE_1691768863.jpg)
Naveen Patnaik
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଯୁବ ଭୋଟରଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରତି ବଢ଼ୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ‘ନୂଆ ଓଡ଼ିଶା’ ବା ‘ନୂତନ ଉନ୍ନତ ଅଭିଳାଷା ଓଡ଼ିଶା’ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ଏହି ଯୋଜନା ପାଇଁ ୧୦୦କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ବଜେଟ୍ ଗୃହୀତ ହେବାର ପ୍ରାୟ ୪ମାସ ପରେ ସରକାରଙ୍କ ନିଦ ଭାଙ୍ଗିଛି ଓ ଏହି ୩ ବର୍ଷିଆ ଯୋଜନାରେ ମୋଟ ୩୮୫କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ବ୍ୟୟ ଅଟକଳ କରି ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଉଚ୍ଚ ପ୍ରଶିକ୍ଷିତ ଓ ଦକ୍ଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ସିଏମଇଜିପି) ମାଧ୍ୟମରେ ‘ସ୍କିଲଡ୍ ଓଡ଼ିଶା’ ବ୍ରାଣ୍ଡରେ ଆଗାମୀ ୫ବର୍ଷ ମଧ୍ୟରେ ମୋଟ ୧୫ଲକ୍ଷ( ବାର୍ଷିକ ୩ଲକ୍ଷ) ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ୨୦୧୯ ମସିହାରେ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ରାଜ୍ୟ ସରକାର ଗତ ୨୦୨୦-୨୧ରୁ ୨୦୨୨-୨୩ ଅର୍ଥାତ୍ ୩ବର୍ଷ ମଧ୍ୟରେ ମାତ୍ର ୨ ଲକ୍ଷ ୭୮ହଜାର ୮୦୦ଜଣ ଯୁବକଯୁବତୀଙ୍କୁ ଏହି ଯୋଜନାରେ ପ୍ରଶିକ୍ଷଣ ଦେଇଥିବା ଜଣାପଡ଼ିଛି । ଏପରିକି ବିଶ୍ୱ ଦକ୍ଷତା କେନ୍ଦ୍ର ମାଧ୍ୟମରେ ୨ ଲକ୍ଷ ଯୁବକଯୁବତୀଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଶାସକ ବିଜେଡି ଏପର୍ଯ୍ୟନ୍ତ ୧୦ହଜାରରୁ ବି କମ୍ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ନୂଆ ଓଡ଼ିଶା’ ଯୋଜନାକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଉନ୍ନତମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଓ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଦକ୍ଷ ମାନବ ସମ୍ବଳର ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ଏଥିରେ ଯୁବବର୍ଗଙ୍କ ପାଇଁ ନୂଆ ଦକ୍ଷତା, ଆଡ୍ ଅନ୍ ସ୍କିଲ୍ ପାଠ୍ୟକ୍ରମ, ଡିଜିଟାଲ ଓ ଇ-ପାଠ୍ୟକ୍ରମ, କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ସାଇନ୍ସ, ଥ୍ରୀଡି ପେଣ୍ଟି ଆଦି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।
ତେବେ ଗତ ଫେବୃୟାରୀ ମାସରେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଏହି ନୂଆ ଯୋଜନା ଘୋଷଣା କରି ଏଥିପାଇଁ ୧୦୦କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଥିଲେ । ଏହି ଯୋଜନା ଘୋଷଣା କରି ଭୁଲିଯାଇଥିବା ରାଜ୍ୟ ସରକାର ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବବର୍ଗଙ୍କୁ ତୁଷ୍ଟୀକରଣ ନିମନ୍ତେ ପୁଣିଥରେ ସୁନେଲି ସ୍ୱପ୍ନ ଦେଖାଇଛନ୍ତି । ଯଦିଓ ଯୁବବର୍ଗଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେଇ ବିଶ୍ୱସ୍ତରୀୟ ମାନବସମ୍ବଳର ଅଭାବକୁ ଦୂର କରିବାରେ ‘ସ୍କିଲଡ୍ ଓଡ଼ିଶା’ କାର୍ଯ୍ୟ କରିବ ଓ ‘ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ’କୁ ଏ ଦିଗରେ କୋଟି କୋଟି ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଥିଲେ । ମାତ୍ର ଏହା କେବଳ କାଗଜପତ୍ରରେ ସୀମିତ ରହିଯାଇଛି । ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କିଲଡ୍ ଓଡ଼ିଶାରେ ୨୦୧୪-୧୫ରୁ ୨୦୧୮-୧୯ ମସିହା ମଧ୍ୟରେ ରାଜ୍ୟର ମୋଟ ୧୦.୩୮ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ସରକାର ଦାବି କରିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହି ପ୍ରଶିକ୍ଷଣ ନେଇଥିବା ଯୁବକଯୁବତୀମାନଙ୍କ ସ୍ଥିତି ଏବେ କ’ଣ ରହିଛି ତାହା ଅସ୍ପଷ୍ଟ । ସେହିପରି ୨୦୧୯ରୁ ୨୦୨୪ ମସିହା ମଧ୍ୟରେ ମୋଟ ୧୫ଲକ୍ଷ ଅର୍ଥାତ୍ ବାର୍ଷିକ ୩ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବାକୁ ଟାର୍ଗେଟ୍ ରଖିଥିବା ରାଜ୍ୟ ସରକାର ୨୦୧୯-୨୦ରେ ୩ଲକ୍ଷ ଯୁବକଯୁବତୀଙ୍କୁ ମିଶାଇଲେ ମୋଟ ୫.୭୮ଲକ୍ଷଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦେଇଥିବା ଜଣାପଡ଼ିଛି । ତେବେ ବିଭିନ୍ନ ପ୍ରୋଜେକ୍ଟ କାର୍ଯ୍ୟକାରିତା ଏଜେନ୍ସୀ(ପିଆଇଏ) ମାଧ୍ୟମରେ ୨୦୧୧-୧୨ରୁ ମୋଟ ୧.୧୨ଲକ୍ଷ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଥିବା ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ ମାତ୍ର ୩୦ହଜାରଙ୍କୁ ଏପର୍ଯ୍ୟନ୍ତ ପ୍ଲେସମେଂଟ ଦେଇପାରିଛନ୍ତି ।
ସେହିପରି ବିଶ୍ୱସ୍ତରୀୟ ମାନବସମ୍ବଳ ସୃଷ୍ଟି ପାଇଁ ରାଜ୍ୟ ସରକାର ୨୦୨୧ ମାର୍ଚ୍ଚରୁ କାର୍ଯ୍ୟକ୍ଷମ ‘ୱାଲର୍ଡ ସ୍କିଲ ସେଂଟର’ରେ ୧୫ରୁ ୩୪ବର୍ଷ ବୟସର ପ୍ରାୟ ୨ଲକ୍ଷ ଯୁବକଯୁବତୀଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଉପାର୍ଜନକ୍ଷମ କରାଇବାକୁ ଘୋଷଣା କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ମାତ୍ର ୭୫୦୦ଜଣ ଯୁବକଯୁବତୀ ଏଠାରେ ଆଡମିଶନ କରିବାରେ ସକ୍ଷମ ହୋଇଛନ୍ତି । ସେହିପରି ରାଜ୍ୟ ସରକାର ୨୦୨୨-୨୩ ମସିହାରେ ମୋଟ ୪୫ଟି ନିଯୁକ୍ତି ମେଳାର ଆୟୋଜନ କରିଥିଲେ ଓ ଯେଉଁଥିରେ ମାତ୍ର ୧୮୮୫୨ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିଥିଲା । ଯଦିଓ ରାଜ୍ୟରେ ପ୍ରାୟ ୧୮ରୁ ୨୦ଲକ୍ଷ ବେକାର ଯୁବକଯୁବତୀ ଏବେବି କର୍ମନିଯୁକ୍ତି ଅନ୍ୱେଷଣରେ ରହିଛନ୍ତି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ପ୍ରତି ଯୁବ ଭୋଟରଙ୍କ ମଧ୍ୟରେ ବଢ଼ୁଥିବା କ୍ରେଜ୍ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟର ବିଜେଡି ସରକାର ଏବେ ନୂଆ ବୋତଲରେ ପୁରୁଣା ରଖି ଯୁବବର୍ଗଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ, ସ୍କିଲଡ୍ ଓଡ଼ିଶା, ବିଶ୍ୱ ଦକ୍ଷତା କେନ୍ଦ୍ର ଆଦି ଫେଲ୍ ମାରିବା ପରେ ଏବେ ‘ନୂଆ ଓଡ଼ିଶା’ର ଭେଳିକି ଦେଖାଇଥିବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
