‘ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ’ ଫେଲ୍ ମାରିବା ପରେ ‘ନୂଆ ଓଡ଼ିଶା’ ଭେଳିକି: ଚଳିତ ବର୍ଷ ଖର୍ଚ୍ଚ କରିବେ ୧୦୦କୋଟି

ଏହି ୩ ବର୍ଷିଆ ଯୋଜନାରେ ମୋଟ ୩୮୫କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ବ୍ୟୟ ଅଟକଳ କରି ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଉଚ୍ଚ ପ୍ରଶିକ୍ଷିତ ଓ ଦକ୍ଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

  • Published: Friday, 11 August 2023
  • , Updated: 11 August 2023, 09:19 PM IST

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଯୁବ ଭୋଟରଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରତି ବଢ଼ୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ‘ନୂଆ ଓଡ଼ିଶା’ ବା ‘ନୂତନ ଉନ୍ନତ ଅଭିଳାଷା ଓଡ଼ିଶା’ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ଏହି ଯୋଜନା ପାଇଁ ୧୦୦କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ବଜେଟ୍ ଗୃହୀତ ହେବାର ପ୍ରାୟ ୪ମାସ ପରେ ସରକାରଙ୍କ ନିଦ ଭାଙ୍ଗିଛି ଓ ଏହି ୩ ବର୍ଷିଆ ଯୋଜନାରେ ମୋଟ ୩୮୫କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ବ୍ୟୟ ଅଟକଳ କରି ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଉଚ୍ଚ ପ୍ରଶିକ୍ଷିତ ଓ ଦକ୍ଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ସିଏମଇଜିପି) ମାଧ୍ୟମରେ ‘ସ୍କିଲଡ୍ ଓଡ଼ିଶା’ ବ୍ରାଣ୍ଡରେ ଆଗାମୀ ୫ବର୍ଷ ମଧ୍ୟରେ ମୋଟ ୧୫ଲକ୍ଷ( ବାର୍ଷିକ ୩ଲକ୍ଷ) ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ୨୦୧୯ ମସିହାରେ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ରାଜ୍ୟ ସରକାର ଗତ ୨୦୨୦-୨୧ରୁ ୨୦୨୨-୨୩ ଅର୍ଥାତ୍ ୩ବର୍ଷ ମଧ୍ୟରେ ମାତ୍ର ୨ ଲକ୍ଷ ୭୮ହଜାର ୮୦୦ଜଣ ଯୁବକଯୁବତୀଙ୍କୁ ଏହି ଯୋଜନାରେ ପ୍ରଶିକ୍ଷଣ ଦେଇଥିବା ଜଣାପଡ଼ିଛି । ଏପରିକି ବିଶ୍ୱ ଦକ୍ଷତା କେନ୍ଦ୍ର ମାଧ୍ୟମରେ ୨ ଲକ୍ଷ ଯୁବକଯୁବତୀଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଶାସକ ବିଜେଡି ଏପର୍ଯ୍ୟନ୍ତ ୧୦ହଜାରରୁ ବି କମ୍ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ନୂଆ ଓଡ଼ିଶା’ ଯୋଜନାକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ  ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଉନ୍ନତମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଓ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଦକ୍ଷ ମାନବ ସମ୍ବଳର ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ଏଥିରେ ଯୁବବର୍ଗଙ୍କ ପାଇଁ ନୂଆ ଦକ୍ଷତା, ଆଡ୍ ଅନ୍ ସ୍କିଲ୍ ପାଠ୍ୟକ୍ରମ, ଡିଜିଟାଲ ଓ ଇ-ପାଠ୍ୟକ୍ରମ, କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ସାଇନ୍ସ, ଥ୍ରୀଡି ପେଣ୍ଟି ଆଦି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ଗତ ଫେବୃୟାରୀ ମାସରେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଏହି ନୂଆ ଯୋଜନା ଘୋଷଣା କରି ଏଥିପାଇଁ ୧୦୦କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଥିଲେ । ଏହି ଯୋଜନା ଘୋଷଣା କରି ଭୁଲିଯାଇଥିବା ରାଜ୍ୟ ସରକାର ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବବର୍ଗଙ୍କୁ ତୁଷ୍ଟୀକରଣ ନିମନ୍ତେ ପୁଣିଥରେ ସୁନେଲି ସ୍ୱପ୍ନ ଦେଖାଇଛନ୍ତି । ଯଦିଓ ଯୁବବର୍ଗଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେଇ ବିଶ୍ୱସ୍ତରୀୟ ମାନବସମ୍ବଳର ଅଭାବକୁ ଦୂର କରିବାରେ ‘ସ୍କିଲଡ୍ ଓଡ଼ିଶା’ କାର୍ଯ୍ୟ କରିବ ଓ ‘ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ’କୁ ଏ ଦିଗରେ କୋଟି କୋଟି ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଥିଲେ । ମାତ୍ର ଏହା କେବଳ କାଗଜପତ୍ରରେ ସୀମିତ ରହିଯାଇଛି । ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କିଲଡ୍ ଓଡ଼ିଶାରେ ୨୦୧୪-୧୫ରୁ ୨୦୧୮-୧୯ ମସିହା ମଧ୍ୟରେ ରାଜ୍ୟର ମୋଟ ୧୦.୩୮ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ସରକାର ଦାବି କରିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହି ପ୍ରଶିକ୍ଷଣ ନେଇଥିବା ଯୁବକଯୁବତୀମାନଙ୍କ ସ୍ଥିତି ଏବେ କ’ଣ ରହିଛି ତାହା ଅସ୍ପଷ୍ଟ । ସେହିପରି ୨୦୧୯ରୁ ୨୦୨୪ ମସିହା ମଧ୍ୟରେ ମୋଟ ୧୫ଲକ୍ଷ ଅର୍ଥାତ୍ ବାର୍ଷିକ ୩ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବାକୁ ଟାର୍ଗେଟ୍ ରଖିଥିବା ରାଜ୍ୟ ସରକାର ୨୦୧୯-୨୦ରେ ୩ଲକ୍ଷ ଯୁବକଯୁବତୀଙ୍କୁ ମିଶାଇଲେ ମୋଟ ୫.୭୮ଲକ୍ଷଙ୍କୁ  ଦକ୍ଷତା ପ୍ରଶିକ୍ଷଣ ଦେଇଥିବା ଜଣାପଡ଼ିଛି । ତେବେ ବିଭିନ୍ନ ପ୍ରୋଜେକ୍ଟ କାର୍ଯ୍ୟକାରିତା ଏଜେନ୍ସୀ(ପିଆଇଏ) ମାଧ୍ୟମରେ ୨୦୧୧-୧୨ରୁ ମୋଟ ୧.୧୨ଲକ୍ଷ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଥିବା ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ ମାତ୍ର ୩୦ହଜାରଙ୍କୁ ଏପର୍ଯ୍ୟନ୍ତ ପ୍ଲେସମେଂଟ ଦେଇପାରିଛନ୍ତି ।

ସେହିପରି ବିଶ୍ୱସ୍ତରୀୟ ମାନବସମ୍ବଳ ସୃଷ୍ଟି ପାଇଁ ରାଜ୍ୟ ସରକାର ୨୦୨୧ ମାର୍ଚ୍ଚରୁ କାର୍ଯ୍ୟକ୍ଷମ ‘ୱାଲର୍ଡ ସ୍କିଲ ସେଂଟର’ରେ ୧୫ରୁ ୩୪ବର୍ଷ ବୟସର ପ୍ରାୟ ୨ଲକ୍ଷ ଯୁବକଯୁବତୀଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଉପାର୍ଜନକ୍ଷମ କରାଇବାକୁ ଘୋଷଣା କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ମାତ୍ର ୭୫୦୦ଜଣ ଯୁବକଯୁବତୀ ଏଠାରେ ଆଡମିଶନ କରିବାରେ ସକ୍ଷମ ହୋଇଛନ୍ତି । ସେହିପରି ରାଜ୍ୟ ସରକାର ୨୦୨୨-୨୩ ମସିହାରେ ମୋଟ ୪୫ଟି ନିଯୁକ୍ତି ମେଳାର ଆୟୋଜନ କରିଥିଲେ ଓ ଯେଉଁଥିରେ ମାତ୍ର ୧୮୮୫୨ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିଥିଲା । ଯଦିଓ ରାଜ୍ୟରେ ପ୍ରାୟ ୧୮ରୁ ୨୦ଲକ୍ଷ ବେକାର ଯୁବକଯୁବତୀ ଏବେବି କର୍ମନିଯୁକ୍ତି ଅନ୍ୱେଷଣରେ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ପ୍ରତି ଯୁବ ଭୋଟରଙ୍କ ମଧ୍ୟରେ ବଢ଼ୁଥିବା କ୍ରେଜ୍ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟର ବିଜେଡି ସରକାର ଏବେ ନୂଆ ବୋତଲରେ ପୁରୁଣା ରଖି ଯୁବବର୍ଗଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ, ସ୍କିଲଡ୍ ଓଡ଼ିଶା, ବିଶ୍ୱ ଦକ୍ଷତା କେନ୍ଦ୍ର ଆଦି ଫେଲ୍ ମାରିବା ପରେ ଏବେ ‘ନୂଆ ଓଡ଼ିଶା’ର ଭେଳିକି ଦେଖାଇଥିବା ଚର୍ଚ୍ଚା ହେଉଛି ।

Related story