ନିଜସ୍ୱ ପ୍ରଚାର ପାଇଁ ବାଣ୍ଟିଛନ୍ତି ୨୪୩ କୋଟିର ବିଜ୍ଞାପନ, ପାତରଅନ୍ତର କରୁନୁ କହି ଫାଙ୍କିଦେଲେ ସରକାର

ବିଭିନ୍ନ ଯୋଜନାର ପ୍ରଚାରପ୍ରସାର ବାବଦରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ବିଗତ ୧୦ବର୍ଷ ମଧ୍ୟରେ ମୋଟ ୨୪୨କୋଟି ୬୭ଲକ୍ଷ ୬୪ହଜାର ୩୭୩ଟଙ୍କା ଖର୍ଚ୍ଚ ହୋଇଛି ।

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ୍ (ଫାଇଲ ଫଟୋ)

  • Published: Tuesday, 26 September 2023
  • , Updated: 26 September 2023, 07:13 PM IST

ରାଜ୍ୟର କ୍ଷମତାସୀନ ବିଜେଡି ସରକାର ବିଗତ ୧୦ବର୍ଷ ମଧ୍ୟରେ ଜନହିତରେ ସୂଚନା ଓ  ବିଭିନ୍ନ ପ୍ରଚାର ଓ ପ୍ରସାର ଆଳରେ ନିଜସ୍ୱ ବାହାବା ପାଇଁ ଗଣମାଧ୍ୟମକୁ ୨୪୨.୬୭କୋଟି ଟଙ୍କାର ବିଜ୍ଞାପନ ଦେଇଛନ୍ତି । କେବଳ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ପରିମାଣର ବିଜ୍ଞାପନ ଦେଇଥିବାବେଳେ ଅନ୍ୟାନ୍ୟ ବିଭାଗ ଉକ୍ତ ଅବଧି ମଧ୍ୟରେ ସମାନ୍ତରାଳ ଭାବେ ଦେଇଥିବା ବିଜ୍ଞାପନକୁ ମିଶାଇଲେ ଏହି ଅର୍ଥ ବ୍ୟୟ ପରିମାଣ ଢ଼େର ଅଧିକ ହେବ । ତେବେ ବିଜ୍ଞାପନ ଦେବାବେଳେ ଦଳୀୟ ଭିତ୍ତିରେ ପାତରଅନ୍ତର ନୀତି ଅନୁସରଣ କରାଯାଉଥିବା ଅଭିଯୋଗକୁ ସରକାର ଖଣ୍ଡନ କରିଛନ୍ତି । ଯଦିଓ ଏବେବି ସରକାର ରାଜ୍ୟର ଦୁଇଟି ସର୍ବାଧିକ ଲୋକାଦୃତ ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ କୌଣସି କାରଣ ନଦର୍ଶାଇ ଦୀର୍ଘଦିନ ଧରି ବିଜ୍ଞାପନ ବନ୍ଦ କରିଥିବା ଜଣାପଡ଼ିଛି ।

ଆଜି ବିଧାନସଭାରେ ବିଧାୟକ ଶଙ୍କର ଓରାମ ଓ ନବଚରଣ ମାଝୀଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ୍ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଜନହିତରେ ସୂଚନା, ବିଭିନ୍ନ ଯୋଜନାର ପ୍ରଚାରପ୍ରସାର ବାବଦରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ବିଗତ ୧୦ବର୍ଷ ମଧ୍ୟରେ ମୋଟ ୨୪୨କୋଟି ୬୭ଲକ୍ଷ ୬୪ହଜାର ୩୭୩ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ସର୍ବାଧିକ ୧୬୫.୦୪କୋଟି ଟଙ୍କା ବିଜ୍ଞାପନ ଆକାରରେ ରାଜ୍ୟ ସରକାରଙ୍କ ଯୋଜନା ଓ ସୂଚନାର ପ୍ରଚାର ପ୍ରସାରବାବଦରେ ବିଭିନ୍ନ ଖବରକାଗଜ ସଂସ୍ଥାକୁ ଦିଆଯାଇଛି ।  ସେହିପରି ବୈଦ୍ୟୁତିକ ଗଣମାଧ୍ୟମକୁ ୪୦.୬୪କୋଟି ଟଙ୍କାର ବିଜ୍ଞାପନ ବଂଟନ କରାଯାଇଛି । ସରକାରଙ୍କ ନିଜସ୍ୱ ପ୍ରଚାର ପୁସ୍ତିକ ‘ଆଇନା’ ଛାପିବା ଓ ବଂଟନ ପାଇଁ ୨୬.୬୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସରକାରଙ୍କ ସଫଳତାର ସନ୍ଦେଶ ଥିବା ହୋର୍ଡିଂ ଲଗାଇବାରେ ୩.୨୫କୋଟି ଟଙ୍କା ଏବଂ ଲୋକକଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାରପ୍ରସାରରେ ୭.୦୯କୋଟି ଟଙ୍କା ଖର୍ଚ୍ଚ କେବଳ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ହୋଇଛି ।

ଏହି ଖର୍ଚ୍ଚକୁ ବାଦ୍ ଦେଲେ ଅନ୍ୟ ବିଭାଗଗୁଡ଼ିକ ନିଜସ୍ୱ ଯୋଜନାର ସଫଳତା ସଂକ୍ରାନ୍ତ ବିଜ୍ଞାପନ ସିଧାସଳଖ ଗଣମାଧ୍ୟମ ସଂସ୍ଥାକୁ ଦେଇଛନ୍ତି । ଯଦିଓ ୨୦୧୯ ମସିହା ପରେ ନବୀନ ପଟ୍ଟନାୟକ ସରକାର ପଂଚମଥର କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ସମସ୍ତ ବିଜ୍ଞାପନକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ବଂଟନ କରିଥିଲେ, କିନ୍ତୁ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ବିଭାଗଗୁଡ଼ିକ ନିଜସ୍ୱସ୍ତରରେ ବିଜ୍ଞାପନ ଓ ପ୍ରଚାରପ୍ରସାର ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରିଥିବା ଜଣାପଡ଼ିଛି । ସେସବୁର ତଥ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଅମାତ୍ ଦେଇନାହାନ୍ତି କିମ୍ବା ସେ ସମ୍ପର୍କରେ କିଛି କହିନାହାନ୍ତି ।

ତେବେ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବିଜ୍ଞାପନ ଦେବାରେ ଦଳୀୟ ଭିତ୍ତିରେ ପାତରଅନ୍ତର ନୀତି ଅନୁସରଣ କରାଯାଉଥିବା ଅଭିଯୋଗ ସତ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି । ଆଉ ଏବେ ରାଜ୍ୟର ଯେଉଁ ଦୁଇଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ସରକାର ଦୀର୍ଘଦିନ ଧରି ବିଜ୍ଞାପନ ବନ୍ଦ କରିଛନ୍ତି ସେସମ୍ପର୍କରେ ନିରବ ରହିଛନ୍ତି । ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି ଯେ, ସମ୍ବାଦପତ୍ରଗୁଡ଼ିକରେ ବିଜ୍ଞାପନର ଗୁରୁତ୍ୱ, ଆବଶ୍ୟକତା ଓ ଖବରକାଗଜର ପ୍ରସାରଣକୁ ଦୃଷ୍ଟିରେ ରଖି ବିଜ୍ଞାପନ ଦିଆଯାଇଥାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି-୧୯୯୮ ପ୍ରଣୟନ କରାଯାଇଛି । ବିଜ୍ଞାପନ ଦେବା ପାଇଁ ନୂଆ ନୀତି ପ୍ରଣୟନ କରିବାର କୌଣସି ଯୋଜନା ସରକାରଙ୍କ ନାହିଁ ବୋଲି କହିବା ସହ ୨୦୧୯ରୁ ଏପର୍ଯ୍ୟନ୍ତ ସର୍ବାଧିକ ବିଜ୍ଞାପନ ‘ସମାଜ’ ଓ ‘ଦୂରଦର୍ଶନ’ ଏବଂ ‘କଟକ ଆକାଶବାଣୀ’କୁ ଦିଆଯାଇଥିବା କହିଛନ୍ତି ।

ତେବେ ଦୀର୍ଘଦିନ ଧରି ରାଜ୍ୟର ୨ଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ରାଜ୍ୟ ସରକାର କେଉଁ ନୀତି ଅବଲମ୍ବନ କରି ବିଜ୍ଞାପନ ବନ୍ଦ କରିଛନ୍ତି ତାହା ଜଣାପଡ଼ିନି ।

Related story