Advertisment

ସରକାରଙ୍କ ଗେହ୍ଲାପୁଅ ସାଜିଛନ୍ତି ରାଜ୍ୟ ବାହାର ଠିକାଦାର: କଂଗ୍ରେସ

ରାଜ୍ୟରେ ମୋଟ୍ ୨୦୫ଟି ପାନୀୟ ଜଳ ପ୍ରକଳ୍ପର ଘୋଷଣା କରାଯାଇ ଟେଣ୍ଡର କରାଯାଇଛି । ଏହି ସମସ୍ତ ପାନୀୟଜଳ ପ୍ରକଳ୍ପର ମୋଟ୍ ଚୁକ୍ତି ମୂଲ୍ୟ ୩୪ହଜାର ୮୦୬ କୋଟି ୬୪ ଲକ୍ଷ ଟଙ୍କା । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ଏସବୁ ପ୍ରକଳ୍ପ ମଧ୍ୟରୁ ୧୬ଟି ପ୍ରକଳ୍ପ ସଂପୂର୍ଣ୍ଣ ସରିଯାଇଛି ବୋଲି ଘୋଷଣା କରିସାରିଥିଲେ ମଧ୍ୟ ବାସ୍ତବରେ ଗୋଟିଏ ବି ପ୍ରକଳ୍ପ ସଂପୂର୍ଣ୍ଣ ହୋଇନାହିଁ, ଗ୍ରାଉଣ୍ଡଜିରୋର ସ୍ଥିତିକୁ ଦେଖିଲେ ସହଜେ ଜଣାପଡ଼ୁଛି ।

author-image
Ordigital Desk
Sarat Patnaik

Sarat Patnaik

ରାଜ୍ୟରେ ଯେତେଗୁଡ଼ିଏ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି ତା’ର ଠିକା କାମ ଓଡ଼ିଶାର ଜଣେ ବି ଠିକାଦାରଙ୍କୁ ମିଳିନି । ରାଜ୍ୟ ବାହାରର ଠିକାଦାରମାନଙ୍କୁ ରାଜ୍ୟ ସରକାର ଏସବୁ ଟେକି ଦେଇଛନ୍ତି । ବାହାର ରାଜ୍ୟର ଠିକାଦାରଙ୍କୁ ଗେହ୍ଲାପୁଅ କରିଥିବା ଓଡ଼ିଶା ସରକାର ନିଜ ରାଜ୍ୟର ଠିକାଦାରମାନଙ୍କୁ ସାବତପୁଅଠୁ ହୀନ ଦୃଷ୍ଟିରେ ଦେଖୁଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ସମସ୍ତ ପାନୀୟଜଳ ପ୍ରକଳ୍ପ ରାଜ୍ୟ ବାହାରର ବଡ଼ ବଡ଼ ଠିକାଦାରଙ୍କ ହାତରେ ଟେକି ଦିଆଯାଇଛି । ଏହା ଏକ ବଡ଼ ଘୋଟାଲା । ରାଜ୍ୟର ଶହଶହ କୋଟି ଟଙ୍କାଙ୍କୁ ରାଜ୍ୟ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ମିଳିତ ଷଡ଼ଯନ୍ତ୍ରରେ ରାଜ୍ୟ ରାଜକୋଷରୁ ଲୁଟ କରାଯାଉଛି । ମାଳମାଳ ପ୍ରତିଶ୍ରୁତି କିନ୍ତୁ କୌଣସି ଗୋଟିଏ ବି ପ୍ରତିଶ୍ରୁତି ପାଳନ ହେଉନାହିଁ । ସମସ୍ତଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାପାଇଁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି କୌଣସି ଗୋଟିଏ ଗାଁରେ ସମସ୍ତଙ୍କୁ ଘରକୁ ପାନୀୟଜଳ ଯୋଗାଇ ଦିଆଯାଇ ନାହିଁ । ଗଣମାଧ୍ୟମରେ ଦିନରାତି ପ୍ରଚାର କରାଯାଉଛି ନବୀନ ପଟ୍ଟନାୟକଙ୍କ ସରକାର ସ୍ୱଚ୍ଛ ସରକାର ବୋଲି କିନ୍ତୁ ବାସ୍ତବତା ହେଉଛି ଏ ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛି ଏବଂ ରାଜ୍ୟର ଜନସାଧାରଣ ଓ ବ୍ୟବସାୟୀଙ୍କୁ କାମ ନଦେବାପାଇଁ ଷଡ଼ଯନ୍ତ୍ର କରୁଛନ୍ତିି ।

ସେହିପରି ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟରେ ମୋଟ୍ ୨୦୫ଟି ପାନୀୟ ଜଳ ପ୍ରକଳ୍ପର ଘୋଷଣା କରାଯାଇ ଟେଣ୍ଡର କରାଯାଇଛି । ଏହି ସମସ୍ତ ପାନୀୟଜଳ ପ୍ରକଳ୍ପର ମୋଟ୍ ଚୁକ୍ତି ମୂଲ୍ୟ ୩୪ହଜାର ୮୦୬ କୋଟି ୬୪ ଲକ୍ଷ ଟଙ୍କା । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ଏସବୁ ପ୍ରକଳ୍ପ ମଧ୍ୟରୁ ୧୬ଟି ପ୍ରକଳ୍ପ ସଂପୂର୍ଣ୍ଣ ସରିଯାଇଛି ବୋଲି ଘୋଷଣା କରିସାରିଥିଲେ ମଧ୍ୟ ବାସ୍ତବରେ ଗୋଟିଏ ବି ପ୍ରକଳ୍ପ ସଂପୂର୍ଣ୍ଣ ହୋଇନାହିଁ, ଗ୍ରାଉଣ୍ଡଜିରୋର ସ୍ଥିତିକୁ ଦେଖିଲେ ସହଜେ ଜଣାପଡ଼ୁଛି । ରାଜ୍ୟର ଠିକାଦାରମାନେ କିଭଳି ଠିକା କାମ ପାଇବେ ନାହିଁ  ସେଥିପାଇଁ ଜାଣିଶୁଣି ଏକ ବଡ଼ ଷଡ଼ଯନ୍ତ୍ର କରି ବହୁ ଗୁଡ଼ିଏ ପ୍ୟାକେଜକୁ ମିଶାଇ ଶହ ଶହ କୋଟି ଟଙ୍କାର ଠିକା ମୂଲ୍ୟ କରି ରାଜ୍ୟ ବାହାରର ବଡ଼ ବଡ଼ ଠିକାଦାରମାନଙ୍କୁ ଦିଆଯାଉଛି । କଂଗ୍ରେସ ଜାଣିବାକୁ ଚାହୁଁଛି ଯେ, ବହୁ ଗୁଡ଼ିଏ ପ୍ୟାକେଜକୁ କାହିଁକି ମିଶାଇ ଦିଆଯାଉଛି ଓ ଗୋଟେ ଗୋଟେ ପ୍ୟାକେଜର କାହିଁକି ଟେଣ୍ଡର କରାଗଲା ନାହିଁ । କେଉଁମାନେ ଏହି ପ୍ୟାକେଜ ସବୁକୁ ମିଶାଇ ଗୋଟିଏ ଟେଣ୍ଡର କରିବାପାଇଁ ନିଷ୍ପତ୍ତି ନେଲେ । ପାନୀୟ ଜଳ ବିଭାଗର ସଚିବ ନା  ବିଭାଗୀୟ ମନ୍ତ୍ରୀ ନା ମୁଖ୍ୟମନ୍ତ୍ରୀ କିଏ ଏଭଳି ନିଷ୍ପତି ନେଇଛନ୍ତିି । ରାଜ୍ୟବାସୀଙ୍କ କର ପଇସାରେ ରାଜ୍ୟ ସରକାର ପାନୀୟଜଳ ପ୍ରକଳ୍ପ ନିଜ ରାଜ୍ୟରେ କରୁଛନ୍ତି କିନ୍ତୁ  ରାଜ୍ୟର ଓଡ଼ିଆ ଠିକାଦାର ଗୋଟିଏବି କାମ ପାଉନାହିଁ । ଏହା ନବୀନ ବାବୁଙ୍କର ଓଡ଼ିଶା ପ୍ରୀତିର ଏକ ଜ୍ୱଳନ୍ତ ଉଦାହରଣ!

Advertisment

ଏହାପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଓଡ଼ିଆ ଠିକାଦାରଙ୍କୁ କାମ ଦେଇ ପିସି ଆଦାୟ କଲେ କାଳେ କଥା ପ୍ରଘଟ ହୋଇଯିବ ସେଇଥିପାଇଁ ବାହାର ଠିକାଦାରଙ୍କୁ ଦେଇ ଅର୍ଥ କାରବାର କରାଯାଉଛି । ଆଉ ରାଜ୍ୟବାସୀ ଏସବୁ ଜାଣିପାରିବେ ନାହିଁ କି ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ କହିପାରିବେ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏହି ସମସ୍ତ ପ୍ରକଳ୍ପର ଟେଣ୍ଡରର ତୁରନ୍ତ ସଏଜି ଅଡିଟ୍ ହେବା ସହ ଉପଯୁକ୍ତ ତଦନ୍ତ ପାଇଁ କଂଗ୍ରେସ ଦାବି କରୁଛି । ଓଡ଼ିଶାର ବ୍ୟବସାୟୀ ଓ ଜନସାଧାରଣ ବି ନବୀନ ପଟ୍ଟନାୟକ ସରକାର ଓଡ଼ିଶା ଜନବିରୋଧୀ ବୋଲି ହୃଦୟଙ୍ଗମ କରିବାର ସମୟ ଆସିଯାଇଛି ବୋଳି କଂଗ୍ରେସ କହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପଂଚାନନ କାନୁନଗୋ ଓ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

BjD Congress Sarat Patnaik