Advertisment

ବିଜେଡି ଟିକେଟ୍ ଆଶାୟୀ ଜଗଦୀଶଙ୍କୁ ମିଳିଥିଲା ସରକାରୀ ପୃଷ୍ଠପୋଷକତା, କେଉଁଠୁ ଆସିଲା ନଗଦ ୩୦କୋଟି

ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଆଜି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିବା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି ।

Jagadish Naik

Jagadish Naik

Advertisment

ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଆଜି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିବା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଏତେ ପରିମାଣର ନଗଦ ଟଙ୍କା କିଭଳି ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଲା ଓ ଏହି ନଗଦ ଟଙ୍କା କାହାର, ତାହା କଳାଟଙ୍କା ନୁହେଁ ତ ଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବାବେଳେ ଜଗଦୀଶଙ୍କ ରାଜନୀତିକ ମହତ୍ୱାକାଂକ୍ଷା ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ତାଙ୍କର ସିଧାସଳଖ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨୦୦୯ ମସିହାରୁ ବିଜେଡି ଟିକେଟ୍ ପାଇଁ ଲବି କରୁଥିବା ଜଗଦୀଶ ତାଙ୍କ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ବାନ୍ଧବୀଙ୍କ ମାଧ୍ୟମରେ ୨୦୨୦ ମସିହାରୁ ତୃତୀୟ ମହଲା ଓ କ୍ଷମତାକେନ୍ଦ୍ରଙ୍କ ସହ ଘନିଷ୍ଠ ହେବାରେ ସକ୍ଷମ ହୋଇଥିଲେ ବୋଲି ଖୋଳତାଡ଼ରୁ ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ୨୦୦୯ ମସିହାରେ ରାଜନଗର ବିଧାନସଭା ଆସନରୁ ବିଜେଡି ଟିକେଟ୍ ପାଇଁ ଲବି କରି ଶେଷ ମୁହୂର୍ତ୍ତରେ ନିରାଶ ହୋଇଥିବା ଜଗଦୀଶ ନାଏକଙ୍କ ରାଜନୀତିକ ମହତ୍ୱାକାଂକ୍ଷାରେ ତତକାଳୀନ ବିଜେଡି କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ରାଜନୀତିକ ପତନ ସହ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ବିଜେଡିର ଲୋକସଭା ଟିକେଟ୍ ପାଇଁ ଲବି କରି ବିଫଳ ହୋଇଥିଲେ । ଆଉ ୨୦୨୦ ମସିହା ପରଠୁ ନିଜର ଜଣେ ବାନ୍ଧବୀଙ୍କ ମାଧ୍ୟମରେ ତୃତୀୟ ମହଲା ସହ ଘନିଷ୍ଠ ସମ୍ପର୍କ ବଢ଼ାଇବାରେ ସକ୍ଷମ ହୋଇଥିଲେ । ଆଉ ତୃତୀୟ ମହଲାର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ନିଜର ବ୍ୟବସାୟିକ ସାମ୍ପ୍ରାଜ୍ୟକୁ ବୃଦ୍ଧି କରାଇବାରେ ସଫଳ ହୋଇଥିଲେ । ଏପରିକି ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ତାଙ୍କୁ ପଟ୍ଟାମୁଣ୍ଡାଇ ପୌରାଂଚଳ ଓ କେତେକ ପଂଚାୟତର ଦାୟିତ୍ୱ ମଧ୍ୟ ଦେଇଥିଲା । ସେହିପରି ଶ୍ରୀ ନାଏକଙ୍କ ଦ୍ୱାରା ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଏକ ସ୍କୁଲର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୨୨ ଏପ୍ରିଲ ମାସରେ ନିଜେ ଯାଇଥିଲେ ।

ଶ୍ରୀ ନାଏକଙ୍କ ସହ ତୃତୀୟ ମହଲାର ସମ୍ପର୍କ କେତେ ଘନିଷ୍ଠ ଥିଲା ତାହା ଏହି କାର୍ଯ୍ୟକ୍ରମ ସମୟରେ ସମଗ୍ର ରାଜ୍ୟବାସୀ ଜାଣିବାର ସୁଯୋଗ ପାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁବାଇ ଓ ଜାପାନ ଗସ୍ତ ସମୟରେ ବି ଶ୍ରୀ ନାଏକଙ୍କୁ ତାଙ୍କ ସହ ଦେଖିବାକୁ ମିଳିଥିଲା । ତାଙ୍କର ତୃତୀୟ ମହଲା ସହ ଘନିଷ୍ଠ ସମ୍ପର୍କ ଯୋଗୁଁ ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ସିଟରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିବ ବୋଲି ଜିଲ୍ଲାର ଅଧିକାଂଶ ବିଜେଡି ନେତା ଧରିନେଇଛନ୍ତି । ଏପରିକି ଶ୍ରୀ ନାଏକ ମଧ୍ୟ କେନ୍ଦ୍ରାପଡ଼ାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ପରବର୍ତ୍ତୀ ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାକୁ ପଛାଉ ନାହାନ୍ତି ।

Advertisment

ଏପଟେ ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀ ନାଏକଙ୍କ ସହ ବିଜେଡିର ଘନିଷ୍ଠତା ପଛରେ ଆର୍ଥିକ ଦେଣନେଣ କାରବାର ରହିଛି । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତା’ହେଲେ ଶ୍ରୀ ନାଏକଙ୍କ କମ୍ପାନୀରେ କିଛି ଅଫିସର ଓ ନେତାମାନେ ପୁଞ୍ଜିନିବେଶ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ ପ୍ରାୟ ଏକ ଦଶନ୍ଧି ମଧ୍ୟରେ ଶ୍ରୀ ନାଏକଙ୍କ ସମ୍ପତ୍ତିରେ ଓ ବ୍ୟବସାୟିକ ସାମ୍ରାଜ୍ୟରେ ଆଖିଦୃଶିଆ ବୃଦ୍ଧି ହୋଇଥିବାବେଳେ ଏବେ ତାଙ୍କର ଜଣେ କର୍ମଚାରୀଙ୍କ ପାଖରୁ ନଗଦ ୩୦କୋଟି ଟଙ୍କା କିଭଳି ଆସିଲା ସେ ନେଇ ଆଇଟି ବିଭାଗ ଖୋଳତାଡ଼ କରୁଛି । ଆଇଟି ସ୍କାନରକୁ ଶ୍ରୀ ନାଏକ ଆସିବା ପରେ ଏହି ଆର୍ଥିକ ସ୍ରୋତ ଜାଣିବା ପାଇଁ ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଡିଏନ ଗ୍ରୁପ୍ ସହ ଜଡ଼ିତ ନିର୍ଦ୍ଦେଶକ ଓ ପଦାଧିକାରୀଙ୍କୁ ଜେରା କରାଯିବାର ସମ୍ଭାବନା ରହିଥିବା ଜଣାପଡ଼ିଛି ।

ଶ୍ରୀ ନାଏକ ବିଜେଡି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବାକୁ ସଜବାଜ  ହେଉଥିବାବେଳେ ଆୟକର ଚଢ଼ଉ ତାଙ୍କର ଦୀର୍ଘଦିନର ସ୍ୱପ୍ନକୁ ଧୂଳିସାତ୍ କରିଛି । ୩୦କୋଟି ଟଙ୍କା ନଗଦ ତା’ପୁଣି ୫୦୦ଟଙ୍କିଆ ନୋଟ୍ ବିଡ଼ା କେଉଁ ସୂତ୍ରରୁ ଆସିଲା, ଏତେ ଟଙ୍କା ବ୍ୟାଙ୍କରେ ନରଖି କାହିଁକି ଘରେ ରଖିଥିଲେ, ତା’ର ବୈଧ ଉତ୍ସ କ’ଣ ଏସବୁ ଏବେ ଅମୀମାଂସିତ ପ୍ରଶ୍ନ ହୋଇଥିବାବେଳେ ନାଏକଙ୍କ ସପକ୍ଷରେ ବିଜେପି ସମର୍ଥିତ କିଛି ବ୍ୟବସାୟୀଙ୍କ ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ଜିଏସଟି ଭଳି ଚଢ଼ଉ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ଯଦି ସେଭଳି ହୁଏ ତା’ହେଲେ ଶ୍ରୀ ନାଏକଙ୍କ ସହ ବିଜେଡି ଓ ତୃତୀୟ ମହଲାର ସମ୍ପର୍କର ଘନିଷ୍ଠତା ରହିଥିବା ଏବଂ ଏତେ ପରିମାଣର ନଗଦ ଟଙ୍କାରେ ବିଜେଡିର ଭାଗିଦାରୀ ଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ବିଜେପି ଏନେଇ ତୃତୀୟ ମହଲାକୁ ଟାର୍ଗେଟ୍ କରିଛି । ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ, ତାଙ୍କ ବ୍ୟବସାୟିକ ଉତଥାନ ପଛରେ କାହାର ଆଶୀର୍ବାଦ ରହିଛି ତାହା ଖୁଲାସା । ଯେଉଁ ଲୋକ କଳାଟଙ୍କା ରଖୁଛି, ଟିକସ ଫାଙ୍କୁଛି, ଆଇଟି ରେଡ୍ ହେଉଛି ଏଭଳି ସନ୍ଦିଗ୍ଧ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏତେ ନିକଟତର ହେଉଛନ୍ତି କେମିତି ବୋଲି ବିଜେପି ପ୍ରଶ୍ନ କରିଛି ।

IT Raid Dn Homes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe