କ୍ଷୁଦ୍ର ଚାଷୀଙ୍କୁ ‘ଫସଲ ବୀମା ପ୍ରିମିୟମ’ ଥୋପ, ସରକାର ଭରିବେ ପ୍ରିମିୟମ ଟଙ୍କା

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦୁଇ ହେକ୍ଟର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କୁ ଫସଲ ବୀମା ନିମନ୍ତେ ଆଉ ପ୍ରିମିୟମ ଅର୍ଥ ଦେବାକୁ ପଡ଼ିବ ନାହିଁ ।

Representative image

  • Published: Thursday, 13 July 2023
  • , Updated: 13 July 2023, 10:20 PM IST

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ‘ଫସଲ ବୀମା’ର ପ୍ରିମିୟମ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୨ହେକ୍ଟର ବା ୫ଏକର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କୁ ଶସ୍ୟ ବୀମା ପ୍ରିମିୟମ ଦେବାକୁ ପଡ଼ିବ ନାର୍ହି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟ ସରକାର ବିଭିନ୍ନ ବୀମା କମ୍ପାନୀ ମାଧ୍ୟମରେ ଚାଷୀଙ୍କୁ ଫସଲ ବୀମା ସୁବିଧା ଯୋଗାଇ ଦେଉଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ୨୦୧୬ ଖରିଫ ଋତୁରୁ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ରେ ବିଭିନ୍ନ କାରଣରୁ ଚାଷୀର ଫସଲ କ୍ଷତି ହେଲେ ସେ ବୀମା ଟଙ୍କା ପାଇବାକୁ ହକଦାର ହୋଇଥାଏ । ଚାଷୀକୁ ଖରିଫ ଋତୁରେ ମୋଟ୍ ବୀମାରାଶିର ୨ପ୍ରତିଶତ ପ୍ରିମିୟମ ଓ ରବି ଋତୁରେ ୧.୫% ପ୍ରିମିୟମ ଦେବାକୁ ପଡ଼ିଥାଏ । ବାକି ପ୍ରିମିୟମ ଟଙ୍କାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବହନ କରିଥାନ୍ତି । ତେବେ ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷୁଦ୍ର ଚାଷୀଙ୍କ ପ୍ରିମିୟମ ଅର୍ଥ ନିଜେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ପାଇଁ ୪ଟି ବୀମା କମ୍ପାନୀ ଚୟନିତ ହୋଇଛନ୍ତି । ଏହି ବୀମା କମ୍ପାନୀଗୁଡ଼ିକ ସେମାନଙ୍କୁ ଆବଂଟିତ ଜିଲ୍ଲାଗୁଡ଼ିକରେ ଫସଲବୀମା ପାଇଁ ଚାଷୀଙ୍କ ପଞ୍ଜିକରଣ କରିବେ । ଏହି ବୀମା କମ୍ପାନୀଗୁଡ଼ିକ ୨୦୨୫-୨୬ ରବି ଋତୁ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ସୁବିଧା ଯୋଗାଇ ଦେବାକୁ ପଞ୍ଜିକୃତ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦୁଇ ହେକ୍ଟର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କୁ ଫସଲ ବୀମା ନିମନ୍ତେ ଆଉ ପ୍ରିମିୟମ ଅର୍ଥ ଦେବାକୁ ପଡ଼ିବ ନାହିଁ । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର କୌଣସି ଚାଷୀ ଆଉ ଫସଲବୀମାରୁ ବଂଚିତ ହେବେ ନାହିଁ । ସମବାୟ ବିଭାଗ ପକ୍ଷରୁ ଏଭଳି ଚାଷୀଙ୍କ ପ୍ରିମିୟମ ରାଶି ସିଧାସଳଖ ବୀମା କମ୍ପାନୀକୁ ଦିଆଯିବ ।

ତେବେ ୨ହେକ୍ଟରରୁ ଅଧିକ ଜମି ଥିବା ଚାଷୀ ପୂର୍ବଭଳି ୨ ପ୍ରତିଶତ ପ୍ରିମିୟମ ରାଶି ଦେଇ ପ୍ରଧାନମନ୍ତ୍ରୀ ଫସଲ ବୀମାର ସୁବିଧା ନେଇପାରିବେ ।

ସୂଚନାଯୋଗ୍ୟ, ରାଜ୍ୟରେ ଫସଲ ବୀମା ଯୋଜନାରେ ପ୍ରାୟ ୧୦ରୁ ୧୨ଲକ୍ଷ ଚାଷୀଙ୍କ ୧୦ଲକ୍ଷ ହେକ୍ଟର ଜମି ପଞ୍ଜିକୃତ ହୋଇଥାଏ ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭୋଟରଙ୍କୁ ନିଜଆଡ଼କୁ ଆକୃଷ୍ଟ କରିବାକୁ ବିଜେଡି ସରକାର ନିର୍ବାଚନୀ ବର୍ଷରେ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ।

Related story