ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନିଜ ସରକାରର ପ୍ରଥମବର୍ଷ ପୂର୍ତ୍ତି ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ସହରୀବିକାଶ ଯୋଜନା’ ସମେତ ମୋଟ ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା କିନ୍ତୁ ସେଥିରୁ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ସହରୀବିକାଶ ଯୋଜନା
ରାଜ୍ୟରେ ସହରାଂଚଳ ଭିତ୍ତିଭୂମିର ବିକାଶ ନିମନ୍ତେ ଏକ ସମନ୍ୱିତ ଆଭିମୁଖ୍ୟ ନେଇ ମୋହନ ମାଝୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରାଜ୍ୟ କ୍ୟାବିନେଟ୍ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ’ ନାମକ ନୂଆ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ବିକଶିତ ଓଡ଼ିଶା-୨୦୩୬ ଲକ୍ଷ୍ୟକୁ ହାସଲ ନିମନ୍ତେ ଏହି ଯୋଜନାରେ ସହରୀ ଭିତ୍ତିଭୂମି, ଶ୍ରମ ସମୃଦ୍ଧି, ଜଳ ସମୃଦ୍ଧି, ପ୍ରାଣୀ ସମୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଓ ଏଥିରେ ମୋଟ ୬ହଜାର କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଯୋଜନା ନିମନ୍ତେ ୧୧୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୫ବର୍ଷରେ ୫ହଜାରରୁ ଅଧିକ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ସମେତ ପରିବେଶ ସୁରକ୍ଷା, ୫ହଜାରରୁ ଅଧିକ ବନୀକରଣ ପ୍ରକଳ୍ପ, ୫ଲକ୍ଷରୁ ଅଧିକ କୁଶଳୀ ଓ ଅଣକୁଶଳୀଙ୍କୁ ମଜୁରୀ ପ୍ରଦାନ ନିମନ୍ତେ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି ।
ସହରାଂଚଳରେ ସାଧାରଣ ଓ ରାଜସ୍ୱ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ ଯଥା କଲ୍ୟାଣମଣ୍ଡପ,ବହମୁଖୀ ସଭାଗୃହ, ଟାଉନହଲ, ଶଶ୍ମାନ, ଗୋଷ୍ଠୀକେନ୍ଦ୍ର, ମାର୍କେଟ କମ୍ପେ୍ଲକ୍ସ, ରାସ୍ତା, ଡ୍ରେନ, ପାର୍କ, ବାଣିଜ୍ୟିକ କମ୍ପେ୍ଲକ୍ସ, ଭେଣ୍ଡିଂ ଜୋନ, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ନିର୍ମାଣ ଆଦି ପାଇଁ ନିଷ୍ପତ୍ତି ହୋଇଛି । ଛୋଟପାର୍କ, ମୁକ୍ତାକାଶ ଜିମ୍ , ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗମଣ୍ଡପ, ଭାଗବତ ଟୁଙ୍ଗୀ ଓ ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ଓ ବର୍ଷାଜଳ ଅମଳ ସଂରଚନା ପ୍ରକଳ୍ପ ମଧ୍ୟ ଏଥିରେ ସାମିଲ କରାଯାଇଛି ।
ଜୈବପ୍ରଯୁକ୍ତି ବିଜ୍ଞାନର ବିକାଶ’ ଯୋଜନାକୁ ମଞ୍ଜୁରୀ
ରାଜ୍ୟରେ ଜୈବପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଶିକ୍ଷା, ଶିଳ୍ପ ଓ ଗବେଷଣା ଆଦିରେ ସହଯୋଗ ଓ ପ୍ରୋତ୍ସାହନ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଆଜି ‘ଜୈବପ୍ରଯୁକ୍ତି ବିଜ୍ଞାନର ବିକାଶ’ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ଶିଳ୍ପ, କୃଷି, ଚିକିତ୍ସା, ପରିବେଶ ସହିତ ଜୈବପ୍ରଯୁକ୍ତି ବିଜ୍ଞାନର ପ୍ରୟୋଗ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବାରେ ସହାୟକ ହେବ । ଏହି ଯୋଜନାରେ ୧୭ଟି ଉପଯୋଜନା,କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଛି । ୨୦୨୫-୨୬ରୁ ୨୦୨୯-୩୦ ମସିହା ପର୍ଯ୍ୟନ୍ତ ପ୍ରାୟ ୧୧୧୩.୫୦କୋଟି ଟଙ୍କା ବ୍ୟୟରେ ଜୈବପ୍ରଯୁକ୍ତି ବିଜ୍ଞାନର ବିକାଶର ପାଂଚବର୍ଷିଆ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟର ସାମାଜିକ ଓ ଅର୍ଥନୀତିକ ବିକାଶ, ଜୈବିକ ଶିଳ୍ପର ଆବଶ୍ୟକତାକୁ ପୂରଣ ନିମନ୍ତେ ଉତ୍କର୍ଷ ଶୈକ୍ଷିକ, ଦକ୍ଷତା ବିକାଶକୁ ବାସ୍ତବରୂପ ଦିଆଯାଇପାରିବ । ‘ଫାଇଭ-ଆଇ’ ବା ପାଂଚଟି ଆଇ ଯଥା ଇନୋଭସେନ, ଇନକ୍ୟୁବେସନ, ଇନଭେଷ୍ଟମେଂଟ, ଇନକମ ଆଣ୍ଡ ଇମ୍ପାକ୍ଟର ଏକ ଜୀବନ୍ତ ଇକୋସିଷ୍ଟମ ବିକଶିତ ଓ ସୁଦୃଢ଼ କରିବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି ।
ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ୍ ଡ୍ୟାମ ନିର୍ମାଣ ଟେଣ୍ଡରକୁ ମଞ୍ଜୁରୀ
ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକରେ ବଂଶଧାରା ନଦୀର ଶାଖା ବଡ଼ଜୋର ନଦୀ ଉପରେ ଛେଳିଗଡ଼ ଗାଁ ନିକଟରେ ନିର୍ମାଣଧୀନ ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ୍ ଡ୍ୟାମ ଓ ସ୍ପିଲୱେ ନିର୍ମାଣ ପାଇଁ ଆର୍ଥିକ ବିଡ୍ ଆଜି କ୍ୟାବିନେଟର ଅନୁମୋଦନ ଲାଭ କରିଛି । ୨୬୬ ମିଟର ଲମ୍ବ କଂକ୍ରିଟ ବନ୍ଧ ସହ ୭୨ବର୍ଗମିଟର ଆକାରର ୭ଟି ରେଡିଆଲ ଗେଟ ନିର୍ମାଣ କରାଯିବ । ଏହି କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବ । ଏଥିପାଇଁ ୧୫୧.୭୮ କୋଟି(ଜିଏସଟି ବ୍ୟତୀତ)ର ପ୍ରକଳ୍ପ ନିର୍ମାଣ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ଗଜପତି ଜିଲ୍ଲାର ୫୦୦ହେକ୍ଟର ଓ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ ।
ନାର୍କୋଟିକ୍ସ କେଂଟ୍ରାଲବ୍ୟୁରୋ ପାଇଁ ଜମି ପ୍ରିମିୟମ ଛାଡ
ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ସପକ୍ଷରେ ଆବଂଟିତ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ସାଧାରଣ ପ୍ରଶାସନ ବିଭାଗର ୦.୬୪୪ଏକର ଜମିର ପ୍ରମିୟମ ବାବଦ ମୋଟ ୨କୋଟି ୬୦ଲକ୍ଷ ୮୨ହଜାର ଟଙ୍କାକୁ ଛାଡ଼ କରିବା ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।