ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୋଟ ୯ଟି ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟଙ୍କ ଅନୁମୋଦନ ମିଳିଛି । ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ପଂଚାୟତିରାଜ , ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି,ଅର୍ଥ, କୃଷି , ସ୍ୱାସ୍ଥ୍ୟ ଓ ଆଇନ ବିଭାଗର ମୋଟ ୧୦ଟି ପ୍ରସ୍ତାବ ସାମିଲ ଅଛି । ତେବେ ଏଥିରେ ଥିବା ଦୁଇଟି ଯୋଜନା ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ସ୍କୁଲ’ ଓ ବିକଶିତ ଗାଁ ଓ ବିକଶିତ ଓଡ଼ିଶା’କୁ ଆଜି କ୍ୟାବିନେଟ ଅନୁମୋଦନ କରିଥିଲେ ମଧ୍ୟ ଏହି ଦୁଇ ଯୋଜନା ଗତ ପ୍ରାୟ ୭ମାସ ତଳେ ଅର୍ଥାତ୍ ୨୦୨୪ ଜୁଲାଇ ୨୫ତାରିଖରେ ରାଜ୍ୟ ବଜେଟରେ ଘୋଷଣା ହୋଇସାରିଥିଲା । ତେବେ ପୂର୍ବ ନବୀନ ପଟ୍ଟନାୟକ ସରକାର ‘ଗ୍ରାମସଭା’କୁ ସମ୍ପୂର୍ଣ୍ଣ ଅକାମୀ କରି ଦେଇଥିବାବେଳେ ଏବେ ପୁଣିଥରେ ‘ଗ୍ରାମସଭା’ ମାଧ୍ୟମରେ ଯୋଜନା ପ୍ରସ୍ତୁତ ପାଇଁ ଆଜି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।
ଆଜି କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ସହ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ପ୍ରସ୍ତାବକୁ ମୋହର ବାଜିଛି । ପ୍ରଥମ ପ୍ରସ୍ତାବ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରଥମ ପ୍ରସ୍ତାବ ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଗତ ସରକାର ସମୟରେ ‘ଫାଇଭ-ଟି’ ସ୍କୁଲ ନାଁରେ ସ୍ମାର୍ଟ ସ୍କୁଲ କରାଯାଇଥିଲା । ବିନା ଯୋଜନାରେ ବିନା ଡିପିଆର ଓ ଏଷ୍ଟିମେଟରେ ଓଡ଼ିଶା ଲୋକଙ୍କୁ ସ୍ମାର୍ଟ ସ୍କୁଲ ନାଁରେ ଧୋକା ଦିଆଯାଇଛି । କେବଳ ପୁରୁଣା କାନ୍ଥକୁ ରଙ୍ଗ ଦିଆଯାଇଥିଲା । ସ୍ମାର୍ଟ ସ୍କୁଲର ଗୋଟେ ଫିଡ଼ର ସ୍କୁଲ ରହିବା କଥା । ସେଇଟା ନଥିଲା । କୌଣସି ଭିତ୍ତିଭୂମି ନାହିଁ କେବଳ ଭଙ୍ଗାକାନ୍ଥରେ ଚୂନ ବୋଳିଥିଲେ ପୂର୍ବ ସରକାର । ପିଲା ହରଣଗୁଣନ ଜାଣିନଥିଲେ । ଓଡ଼ିଶାର ପିଲାଙ୍କ ପାଇଁ ଫାଇଭ-ଟି ସ୍କୁଲ ନାଁରେ ସ୍ମାର୍ଟ ସ୍କୁଲ ବଡ଼ ଧୋକା ଥିଲା । ଆମ ସରକାର ଉଚ୍ଚବିଦ୍ୟାଳୟକୁ ସ୍ମାର୍ଟ କରିବା ପାଇଁ ପ୍ରତି ପଂଚାୟତରେ ଗୋଟିଏ ସ୍କୁଲକୁ ମଡ଼େଲ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସ୍କୁଲରେ ଏହା କରାଯିବ । ରାଜ୍ୟର ୬୭୯୪ଟି ପଂଚାୟତରେ ଗୋଟିଏ ଲେଖାଁଏ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରାଜ୍ୟ ସରକାର ରୂପାନ୍ତର କରିବେ । ଗୋଟିଏ ସ୍କୁଲପିଛା ୪ରୁ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ । ୪ବର୍ଷ ମଧ୍ୟରେ ଏହା ଶେଷ ହେବ । ଚଳିତ ଆର୍ଥିକ ବର୍ଷରୁ ୧୧୪ଟି ପ୍ରାଥମିକ ସ୍କୁଲରୁ ଏହି ଯୋଜନାର ଶୁଭାରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର ୧୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓ ଏହି କାର୍ଯ୍ୟ ୨୦୨୮ ମସିହା ସୁଦ୍ଧା ଶେଷ ହେବ ।
ତେବେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଯୋଜନାରେ ପ୍ରତି ପଚାୟତରେ ଗୋଟିଏ ଲେଖାଏଁ ମଡେଲ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରାଯିବ । ୬୭୯୪ଟି ମଡେଲ ପ୍ରାଥମିକ ସ୍କୁଲ ନିର୍ମାଣ ପାଇଁ ସରକାରଙ୍କ ଉପରେ ୫ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୪-୨୫ରୁ ୨୦୨୮-୨୯ ମସିହା ମଧ୍ୟରେ ମୋଟ ୧୧,୯୩୯.୪୧କୋଟି ଟଙ୍କାର ବୋଝ ପଡ଼ିବ । ସ୍କୁଲରେ ନାମଲେଖା ସଂଖ୍ୟା ଉପରେ ନିର୍ଭର କରି ପ୍ରତି ସ୍କୁଲ ପିଛା ମୋଟାମୋଟି ଖର୍ଚ୍ଚ ଆକଳନ ୧ରୁ ୪କୋଟି ଟଙ୍କା ପର୍ଯ୍ୟନ୍ତ କରାଯିବ । ତେବେ ପ୍ରକୃତ ଖର୍ଚ୍ଚ ପ୍ରତ୍ୟେକ ସ୍କୁଲର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଆଧାରରେ ହେବ । ଏହି ମଡେଲ ସକ୍ୁଲ କାର୍ଯ୍ୟକ୍ଷମ ହେଲେ ଶିକ୍ଷାଗତ ସୁବିଧା ବୃଦ୍ଧି ପାଇବା ସହ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ହେବ । ଏଥିରେ ଶିକ୍ଷା ଅଧିକାର ଆଇନ-୨୦୦୯ ଓ ଜାତୀୟ ଶିକ୍ଷା ନୀତି-୨୦୨୦ର ମୂଳଲକ୍ଷ୍ୟ ସହ ସମନ୍ୱୟ କରାଯାଇଛି ।
ସେହିପରି ଆଜିର କ୍ୟାବିନେଟ୍ ବୈଠକରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାକୁ ଅନୁମୋଦନ ମିଳିଛି । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ଏହି ଯୋଜନା ପାଇଁ ୧ହଜାର କୋଟି ଟଙ୍କା ବରାଦ ରହିଛି ଓ ୫ବର୍ଷ ପର୍ଯ୍ୟନ୍ତ ଏବାବଦରେ ମୋଟ ୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଏହି ଯୋଜନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, “ପୂର୍ବରୁ ସବୁ ଯୋଜନାଗୁଡ଼ିକ ଲକ୍ଷ୍ୟ ଅନୁଯାୟୀ ଫଳପ୍ରଦ ହୋଇନାହିଁ । ଗତ ସରକାର କେବଳ ନିର୍ବାଚନ ପାଇଁ ଯୋଜନା ଆରମ୍ଭ କରିବା ପରେ ବନ୍ଦ କରିଦିଅନ୍ତି । ନିର୍ବାଚନବେଳେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଆରମ୍ଭ ହୋଇଥିଲା, ତା’ର ସଂଜ୍ଞା କ’ଣ ବୁଝାପଡ଼ୁନି । ସଫଳତା ଜମା ହୋଇନି କହିଲେ ଚଳେ । କେବଳ ଠିକାଦାରୀରେ ସୀମିତ ଥିଲା । ଗ୍ରାମାଂଚଳର ତ୍ୱରିତ୍ ବିକାଶ ପାଇଁ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’କୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ଆଜି କ୍ୟାବିନେଟ୍ ମୋହର ମାରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଏକ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରତିବର୍ଷ ଏଥିରେ ହଜାରେ କୋଟି ଟଙ୍କା ଲେଖାଏଁ ବ୍ୟୟବରାଦ ହେବ । ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଳିବ । ସବୁ କାମ ନିଷ୍ପତ୍ତି ଗ୍ରାମସଭା ଦ୍ୱାରା ହେବ । ପରେ ଜିଲ୍ଲପ।।ଳ ତାକୁ ଅନୁମୋଦନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟର ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଏହି ଯୋଜନାରେ ଉଭୟ ଗ୍ରାମ ମଧ୍ୟସ୍ଥ ସଡ଼କ ଓ ଗ୍ରାମଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରାଯିବ । ଏହି ଯୋଜନାରେ ଆବଶ୍ୟକତା ଅନୁସାରେ ବିଭିନ୍ନ ଉନ୍ନୟନ ମୂଳକ ଗୋଷ୍ଠୀଭିତ୍ତିକ ସମ୍ପଦ ସୃଷ୍ଟି ପାଇଁ ପ୍ରକଳ୍ପମାନ ନିର୍ମାଣ କରାଯିବ। ଏହି କାର୍ଯ୍ୟର ଗୁଣବତ୍ତା, ସୃଷ୍ଟି ହୋଇଥିବା ସମ୍ପଦର ରକ୍ଷଣାବେକ୍ଷଣ ତଥା ତଦାରଖର ଉତ୍ତରଦାୟିତ୍ୱ ଗୋଷ୍ଠୀ ସମୁଦାୟ ଉପରେ ନ୍ୟସ୍ତ ରହିବ । ଆବଶ୍ୟକତା ଭିତ୍ତିରେ ୫ବର୍ଷର ସମ୍ଭାବ୍ୟ ପ୍ରକଳ୍ପ ତାଲିକା ଓ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ଗ୍ରାମସଭା ଦ୍ୱାରା ପ୍ରସ୍ତୁତ ହେବ । ଯାହାକୁ ବ୍ଲକକୁ ସୁପାରିଶ ନିମନ୍ତେ ପଠାଯିବ । ବ୍ଲକସ୍ତରରେ ଆର୍ଥିକ ସୀମା ଆଧାରରେ ବୈଷୟିକ କମିଟି ଦ୍ୱାରା ପ୍ରକଳ୍ପ ତାଲିକା ଯାଂଚ କରାଯିବ ଓ ପ୍ରକଳ୍ପର ତାଲିକା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ ହେବ ।
ରାଜ୍ୟ ସରକାର ଆସନ୍ତାମାସ ୧୭ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ଥିବାବେଳେ ଚଳିତବର୍ଷର ବଜେଟରେ ୭ମାସ ତଳେ ହୋଇଥିବା ‘ଯୋଜନା’ର ଘୋଷଣାକୁ ଆଜି କ୍ୟାବିନେଟ୍ ଅନୁମୋଦନ ମିଳିବାକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା । ବଜେଟରେ ଘୋଷଣା ପରେ ବି ଏହାକୁ କାର୍ଯ୍ୟକାରୀ କରିବାକୁ କାହିଁକି ୭ମାସ ସମୟ ଲାଗିଗଲା ଓ ସରକାର କିଭଳି ଏହି ଅର୍ଥକୁ ଆଉ ମାତ୍ର ଦୁଇମାସ ମଧ୍ୟରେ ଖର୍ଚ୍ଚ କରିବେ ତାହା ବି ଚର୍ଚ୍ଚାର ବିଷୟ ପାଲଟିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।