/odisha-reporter/media/post_attachments/uploads/2022/11/888-1.jpg)
BJP
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ବର୍ଜନ କରିବା ପାଇଁ ଆନ୍ଦୋଳନରତ ସ୍ଥାନୀୟ ଚାଷୀ ସଂଗଠନ ପକ୍ଷରୁ ସମସ୍ତ ରାଜନୀତିକ ଦଳକୁ ଅନୁରୋଧ କରାଯିବା ସତ୍ତ୍ୱେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ମୋଟ ୧୩ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Advertisment
ହାଇଭୋଲଟେଜ୍ ଡ୍ରାମା ଓ ଛକାପଞ୍ଝା ଭିତରେ ମୋଟ ୧୩ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପା ପ୍ରାର୍ଥିପତ୍ର ଦାଖଲ କରିବା ପରେ ଅନ୍ୟ ରାଜନୀତିକ ଦଳ- ବିଜେଡି, କଂଗ୍ରେସ ଓ ପରେ ବିଜେପିର ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।
ବିଜେପିର ପ୍ରଦୀପ ପୁରୋହିତ, ବିଜେଡିର ବର୍ଷା ସିଂ ବରିହା, କଂଗ୍ରେସର ସତ୍ୟଭୂଷଣ ସାହୁ, ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପା, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ୍ ବନ୍ଦିୟା, ଦେବଚରଣ ନାଏକ, ଶେଷଦେବ ସାହୁ, ଦେବବ୍ରତ ସୁନାନୀ ଓ ଗଙ୍ଗାଧର ସାହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ନିଜର ସମର୍ଥକ ଓ ବରିଷ୍ଠ ନେତାମାନଙ୍କ ଗହଣରେ ଆସି ୪ ସେଟ୍ ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଥିଲାବେଳେ ଅନ୍ୟ ପ୍ରାର୍ଥୀମାନେ ଗୋଟିଏ ସେଟ୍ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
Advertisment
ନିର୍ବାଚନ ଅଧିକାରୀ ତ୍ରିଲୋଚନ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୋଟ ୧୩ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ୧୧ଟା ସମୟରେ ଏହି ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ୨୧ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି।
ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନ ଅବାଧ ଓ ନିରପେକ୍ଷ ହେବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ ୩୧୯ଟି ବୁଥ୍ ରହିବ । ଏଥିରୁ ୭୪ଟି ଅତି ସମ୍ବେଦନଶୀଳ ଓ ୫୨ଟି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ପଦ୍ମପୁର, ଝାରବନ୍ଧ ଓ ପାଇକମାଳ ବ୍ଲକରେ ମୋଟ ୬ଟି ପିଙ୍କ୍ ବୁଥ ଓ ୧୦ଟି ମଡେଲ୍ ବୁଥ୍ ମଧ୍ୟ ସ୍ଥାପନ କରାଯିବ। ମାଓ ଉପଦ୍ରୁତ ଅଂଚଳ ହୋଇଥିବାରୁ ଏଠାରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯିବ ।
ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନରେ ମୋଟ ୨.୫୫ଲକ୍ଷ ଭୋଟର ନିଜର ମତାଧିକାର ଆସନ୍ତା ଡିସେମ୍ବର ୫ ତାରିଖରେ ସାବ୍ୟସ୍ତ କରିବେ । ଚାଷୀ ସଂଗଠନର ବିରୋଧ ଓ ନାମାଙ୍କନ ଦାଖଲ ନକରିବାକୁ ଆହ୍ୱାନକୁ ଭୟ କରି ସମସ୍ତ ରାଜନୀତିକ ଦଳ ଓ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିନଥିଲେ । ତେବେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଶେଷଦିନରେ ସମସ୍ତେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
