/odisha-reporter/media/post_attachments/uploads/2021/11/Aparajita.jpg)
Aparajita
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ମାମଲାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଆନ୍ଦୋଳନ ଜାରି ରଖିଛନ୍ତି। ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ସଣ୍ଡୁଆସି ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ।
ଏହି ପରିପ୍ରେକ୍ଷୀରେ ଦୁଇ ଦିନ ପୂର୍ବେ ପ୍ରେସ୍ ମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜେପି ଏମପି ଅପରାଜିତା ଷଡ଼ଙ୍ଗୀ। ଆଉ ଅପରାଜିତାଙ୍କୁ ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ମମିତା ଘଟଣାର ଦୀର୍ଘ ୨୧ ଦିନ ପରେ ମୁହଁ ଖୋଲିଥିବା ଶ୍ରୀମୟୀ ଅପରାଜିତାଙ୍କୁ ଜବାବ ଦେଇ କହିଛନ୍ତି ଯେ, ଆପଣ ନିଜ ଦଳରେ ପରିଚୟ ସଙ୍କଟରେ ସମ୍ମୁଖୀନ ହୋଇଛନ୍ତି। ରାଜନୀତିରେ ଚର୍ଚ୍ଚାରେ ରହିବା ପାଇଁ ଆପଣ ପ୍ରେସ୍ରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଏକଥା ସାରା ଓଡ଼ିଶାବାସୀଙ୍କୁ ଜଣା ବୋଲି ଶ୍ରୀମୟୀ ଅପରାଜିତାଙ୍କୁ ଟ୍ୱିଟ୍ କରି ଲେଖିଛନ୍ତି। ପୀଡ଼ିତା ନ୍ୟାୟ ପାଉ ଏଥିରେ ଆପଣଙ୍କ ଆନ୍ତରିକତା ନାହିଁ ବୋଲି ଶ୍ରୀମୟୀ ଲେଖିଛନ୍ତି। ଏଭଳି ଏକ ଜଘନ୍ୟ ଅପରାଧକୁ ରାଜନୀତିକରଣ କରିବା ପୂର୍ବରୁ ଆପଣ ଟିକେ ଆତ୍ମ ସମ୍ମାନକୁ ଧ୍ୟାନ ଦିଅନ୍ତୁ ବୋଲି ଶ୍ରମୀୟୀ ଲେଖିଛନ୍ତି। ତେବେ କେତେକ ୟୁଜର ଶ୍ରୀମୟୀଙ୍କୁ ସମର୍ଥନ କରିଥିବା ବେଳେ ଆଉ କେତେ ଜଣ ଆପଣ ଏତେ ଦିନ ଯାଏଁ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି।
https://twitter.com/ShreemayeeM/status/1454086923757109249?s=20
ସୂଚନା ଅନୁଯାୟୀ, ମମିତା ହତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ମମିତା ହତ୍ୟାକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ଘରୁ ପଦାକୁ ବାହାରନ୍ତୁ, ସିବିଆଇ ତଦନ୍ତ ନେଇ ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ ଅପରାଜିତା । ଏକ ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଆହୁରି କହିଛନ୍ତି ଯଦି ଭୁଲ୍ ନାହିଁ ତେବେ ସରକାର ସିବିଆଇକୁ ମାମଲା ହସ୍ତାନ୍ତର ପାଇଁ ଡରୁଛନ୍ତି କାହିଁକି ? NCRB ତଥ୍ୟ କହୁଛି ଓଡ଼ିଶା ରାଜ୍ୟ ମହିଳାଙ୍କ ପାଇଁ ଅସୁରକ୍ଷିତ । ରାଜ୍ୟରେ ମହିଳାଙ୍କ ଏଭଳି ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ । ପରିବାରରେ ବିଶୃଙ୍ଖଳା ହେଲେ ମୁଖିଆ ଦାୟୀ ହୁଅନ୍ତି । ଠିକ୍ ସେମିତି ଏହି ସବୁ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ରହିବେ ବୋଲି କହିଥିଲେ ଅପରାଜିତା ।
ମୁଖ୍ୟମନ୍ତ୍ରୀ ସାମ୍ନାରୁ ନେତୃତ୍ୱ ନିଅନ୍ତୁ, ଆମେ ଛାୟା ସରକାର ଚାହୁଁନା । ଯଦି ମୁଖ୍ୟମନ୍ତ୍ରୀ ସବୁ ଜାଣି ଚୁପ୍ ଅଛନ୍ତି, ତେବେ ତାଙ୍କ ପାଖରେ ଉତ୍ତର ନାହିଁ । ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସନ୍ତୁ, ଘରୁ ବାହାରନ୍ତୁ, ସମସ୍ତଙ୍କୁ ସାମ୍ନା କରନ୍ତୁ । ମୁଁ ମହିଳା ମୁଁ ଅସୁରକ୍ଷିତ ନାରା ରାଜ୍ୟବ୍ୟାପୀ ପହଞ୍ଚାଇବୁ ବୋଲି କହିଥିଲେ ଅପରାଜିତା । ତଦନ୍ତ ଯଦି କରିବାର ଅଛି, ସିବିଆଇକୁ ଦାୟିତ୍ୱ ଦିଅନ୍ତୁ କହିଥିଲେ ଅପରାଜିତା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
