ବିଜେଡି ଷ୍ଟାର ପ୍ରଚାରକ ତାଲିକା: ବିବାଦୀୟଙ୍କୁ ଗୁୁରତ୍ୱ, ବରିଷ୍ଠ ଓ ମହିଳାଙ୍କୁ ଅଣଦେଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ବିଜେଡି ତା’ର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ତେବେ ତାଲିକାରେ ବିବାଦୀୟ ନେତାଙ୍କୁ ମାତ୍ରାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ଅଣଦେଖା କରାଯାଇଛି।ଏପରିକି ମହିଳାଙ୍କ ହିତୈଷୀ ବୋଲାଉଥିବା ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକାରେ ସେମାନଙ୍କୁ ବି ଅନୁରୂପ ଗୁରୁତ୍ୱ ଦେଇନି। ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକାରେ ୬ ଜଣ ମହିଳା ଓ କଂଗ୍ରେସ ୪ ଜଣ ମହିଳାଙ୍କୁ ସାମିଲ କରିଥିବାବେଳେ […]

Naveen-Patnaik

Ordigital Desk
  • Published: Friday, 02 April 2021
  • , Updated: 02 April 2021, 06:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ବିଜେଡି ତା’ର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ତେବେ ତାଲିକାରେ ବିବାଦୀୟ ନେତାଙ୍କୁ ମାତ୍ରାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ଅଣଦେଖା କରାଯାଇଛି।ଏପରିକି ମହିଳାଙ୍କ ହିତୈଷୀ ବୋଲାଉଥିବା ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକାରେ ସେମାନଙ୍କୁ ବି ଅନୁରୂପ ଗୁରୁତ୍ୱ ଦେଇନି। ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକାରେ ୬ ଜଣ ମହିଳା ଓ କଂଗ୍ରେସ ୪ ଜଣ ମହିଳାଙ୍କୁ ସାମିଲ କରିଥିବାବେଳେ ବିଜେଡି ମାତ୍ର ୩ଜଣ ମହିଳାଙ୍କୁ ସାମିଲ କରିଛି। ଦଳର ଛାତ୍ର, ଯୁବ ଓ ମହିଳା ସଭାନେତ୍ରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୭ଜଣ ମନ୍ତ୍ରୀ, ୨ଜଣ ସାଂସଦ, ୧୫ଜଣ ବିଧାୟକ, ୪ଜଣ ପୂର୍ବତନ ବିଧାୟକଙ୍କୁ ସାମିଲ କରାଯାଇଛି। ତେବେ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଥିବାବେଳେ ପଶ୍ଚିମ ଓଡ଼ିଶାର ମନ୍ତ୍ରୀ ସୁଶାନ୍ତ ସିଂ, ଟୁକୁନି ସାହୁ, ନବକିଶୋର ଦାସ, ନିରଞ୍ଜନ ପୂଜାରୀଙ୍କ ସମେତ ଅଶୋକ ପଣ୍ଡା, ସମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି।

ସେହିପରି ମାତ୍ର ୨ଜଣ ସାଂସଦ ଯଥା- ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ତାଲିକାରେ ଥିବାବେଳେ ବିଧାୟକ ପ୍ରଣବ ପ୍ରକାଶ ଦାସ (ସଂଗଠନ ସମ୍ପାଦକ), ଦେବୀପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଚନ୍ଦ୍ରସାରଥୀ ବେହେରା, ପ୍ରୀତିରଞ୍ଜନ ଘଡ଼େଇ,ସୁଧୀର କୁମାର ସାମଲ, ଉମାକାନ୍ତ ସାମନ୍ତରାୟ, ରାଜେନ୍ଦ୍ର କୁମାର ସାହୁ, ଦେବୀରଞ୍ଜନ ତ୍ରିପାଠୀଙ୍କ ସମେତ ୨ମହିଳା ବିଧାୟିକା ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସାମିଲ କରାଯାଇଛି।

ନିକଟ ଅତୀତରେ ପୁଲିସ ଅଫିସରଙ୍କୁ ଧମକାଇବା ଘଟଣାରେ ବିବାଦୀୟ ହୋଇଥିବା ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଏବଂ ସୂଚନାକର୍ମୀଙ୍କୁ ବୋମାମାଡ଼ ଘଟଣାରେ ବିବାଦୀୟ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ଗୁରୁତ୍ୱ ମିଳିଛି। ପରୀ ହତ୍ୟା, ମାହାଙ୍ଗା ଡବଲ୍ ମର୍ଡର ଓ ଧାନ କିଣାରେ ଅନିୟମିତତା ପରି ବିବାଦୀୟ ପ୍ରସଙ୍ଗ ଯୋଗୁ ଯଥାକ୍ରମେ ଅରୁଣ, ପ୍ରତାପ ଓ ରଣେନ୍ଦ୍ରଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି।

ସେହିପରି ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି, ବିଭୂତି ବଳବନ୍ତରାୟ, ଆକାଶ ଦାସନାୟକଙ୍କ ସମେତ ଅରିନ୍ଦମ ରାୟ ଦଳର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ୧କୋଟି ସଦସ୍ୟଙ୍କ ଦଳ ଓ ମହିଳାଙ୍କ ହିତାକାଂକ୍ଷୀ ବୋଲି ଦାବି କରୁଥିବା ବିଜେଡି ନିଜର ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ କେମିତି ମାତ୍ର ୩ଜଣଙ୍କୁ ସାମିଲ କରିଛି। ଯଦିଓ ବିଜେପିର ୩୦ଜଣିଆ ତାଲିକାରେ ୬ଜଣ ନେତ୍ରୀ ରହିଛନ୍ତି । ଏହା ବିଜେଡିର ଲୋକଦେଖାଣିଆ ମହିଳା ପ୍ରୀତିକୁ ପଦାରେ ପକାଇଛି।

ସେହିପରି ବିଜେପିର ଷ୍ଟାର ତାଲିକାରେ ବହୁ ବରିଷ୍ଠ ନେତାଙ୍କୁ ସାମିଲ କରି ଦଳ ନିଜର ଗଣତାନ୍ତ୍ରିକ ଚରିତ୍ରର ସନ୍ଦେଶ ଦେଇଥିବାବେଳେ ବିଜେଡି ନିଜର ବହୁ ଅଭିଜ୍ଞ ଓ ବରିଷ୍ଠ ନେତା ତଥା ପଦାଧିକାରୀ ଥିବା ସତ୍ତ୍ୱେ ସେମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି। ଓଲଟା ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟଙ୍କ ପରି ବିବାଦୀୟ ନେତାଙ୍କୁ ପିପିଲିରେ ରଖି ଖୋଲାଖୋଲି ଭାବେ ଦଳର ସୁପ୍ରିମୋଙ୍କ ନିର୍ମଳ ଭାବମୂର୍ତ୍ତିସମ୍ପନ୍ନ ଆଭିମୁଖ୍ୟ ଉପରେ ବିଜେଡି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story