/odisha-reporter/media/post_attachments/uploads/2022/03/mayer.jpg)
election
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟିଏ ସଦସ୍ୟଙ୍କ ଦଳ କହୁଥିବା ବିଜେଡିରେ ଏବେ ଆମଦାନୀ ନେତାଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି। ଦଳ ଗଠନ ଦିନଠୁ ଏପର୍ଯ୍ୟନ୍ତ ପଡ଼ି ରହିଥିବା ନେତାମାନଙ୍କୁ କ୍ରମାଗତ ଭାବେ ସୁଚିନ୍ତିତ ଢଙ୍ଗରେ ଅଣଦେଖା ଓ ଗୁରୁତ୍ୱହୀନ କରାଯାଉଥିବାବେଳେ ଅନ୍ୟ ଦଳରୁ ଡିଆଁ ମାରୁଥିବା ନେତାଙ୍କୁ ବିଜେଡି ଏବେ ଦୁହାଁଳିଆ ପଦପଦବୀ ଦେଇ ତୁଷ୍ଟୀକରଣ କରୁଛି। ନାମାଙ୍କନ ଦାଖଲ ପ୍ରକ୍ରିୟାକୁ ମାତ୍ର ୨ଦିନ ବାକି ଥିବାବେଳେ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ପାଇଁ ବିଜେଡି ଆଜି ଯେଉଁ ୩ଜଣଙ୍କୁ ମେୟର ପ୍ରାର୍ଥୀ କରିଛି ସେମାନେ ସମସ୍ତେ ଅନ୍ୟ ଦଳରୁ ଆମଦାନୀ ହୋଇ ଆସିଛନ୍ତି। ଦଳରେ ଦୀର୍ଘ ଅଢ଼େଇ ଦଶନ୍ଧି ଧରି ରହିଥିବା ନେତାମାନେ କଠିନ ପରିଶ୍ରମ କରି ସଂଗଠନକୁ ସୁଦୃଢ଼ କରୁଥିଲେ ମଧ୍ୟ ସେମାନଙ୍କୁ ବିଜେଡି ସୁପ୍ରିମୋ ଓ ତାଙ୍କ ଟିମ୍ ଏଭଳି ଅଣଦେଖା କରିବା ଆଗାମୀ ଦିନରେ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାରୁ ବିଜେଡି ଆଜି ଯଥାକ୍ରମେ ସୁଲୋଚନା ଦାସ ଓ ସଂଘମିତ୍ରା ଦଳେଇଙ୍କୁ ଏବଂ କଟକ ନିମନ୍ତେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ କରିଛି । ସୁଲୋଚନା ୨୦୧୭ ଜୁନ୍ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ବିଜେଡି ତାଙ୍କୁ ମୁଖପାତ୍ର କରିବା ସହ ମହିଳା ସଂଗଠନରେ ସ୍ଥାନ ଦେଇଥିଲା । ୨୦୧୯ ସାଧାରଣ ନିର୍ବାଚନ ପରେ ତାଙ୍କୁ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଭାବେ ଥଇଥାନ କରିଥିଲା । ୨୦୧୭ରେ ବିଜେଡିରେ ସାମିଲ ହେବା ପୂର୍ବରୁ ସୁଲୋଚନା ବିଭିନ୍ନ ଗଣମାଧ୍ୟମରେ କଂଗ୍ରେସର ଚେହେରା ଭାବେ ବିଜେଡି ସୁପ୍ରିମୋ ଓ ସରକାରର ନୀତିକୁ କଡ଼ା ଭର୍ତ୍ସନା କରୁଥିଲେ ।
ବ୍ରହ୍ମପୁରର ମେୟର ପ୍ରାର୍ଥୀ ଶ୍ରୀମତୀ ଦଳେଇ ୨୦୧୩ ମହାନଗର ନିଗମ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ଶ୍ରୀମତୀ ଦଳେଇଙ୍କୁ ପରବର୍ତ୍ତୀ ସମୟରେ ବିଜେଡି ନିଜର ମହିଳା ସଂଗଠନରେ ସାମିଲ କରିଥିଲା । ଏବେ ସେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡିର ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ତାଙ୍କ ପତି ଭୀମ ଦଳେଇଙ୍କ ନାଁରେ ବହୁ ଅପରାଧିକ ମାମଲାରେ ଜଡ଼ିତ ଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ରହିଛି । ଏପରିକି ବୋମା ପ୍ରସ୍ତୁତ କରିବା ଘଟଣାରେ ଗତ କିଛିବର୍ଷ ପୂର୍ବେ ପୁଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା ବୋଲି ସୂଚନା ମିଳିଛି । ବ୍ରହ୍ମପୁରରେ ଅନେକ ଯୋଗ୍ୟ ନେତ୍ରୀ ଥିବା ଓ ସଂଘମିତ୍ରା ଦଳେଇଙ୍କ ସ୍ୱାମୀଙ୍କର ଅତୀତର ଅପରାଧିକ ରେକର୍ଡ ଥିବା ସତ୍ତ୍ୱେ ବ୍ରହ୍ମପୁରରେ ବିଜେଡି କାହିଁକି ସଂଘମିତ୍ରାଙ୍କୁ ପ୍ରାର୍ଥୀ କଲା ତାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସେହିପରି ୨୦୧୩ ଜୁନ ମାସରେ ସିିପିଆଇଏମ୍ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୁବାସ ସିଂହଙ୍କୁ ବିଜେଡି କଟକ ମହାନଗର ପାଇଁ ମେୟର ପ୍ରାର୍ଥୀ କରିଛି । ଦଳ ଶ୍ରୀ ସିଂଙ୍କୁ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟସଭାକୁ ପଠାଇଥିଲା । କିନ୍ତୁ ୨ବର୍ଷ ନପୁରୁଣୁ ତାଙ୍କୁ କଟକ ମେୟର ପ୍ରାର୍ଥୀ କରାଇଛି । ଯଦିଓ ମେୟର ଟିକେଟ୍ ପାଇଁ ଆଶୟୀ ତାଲିକାରେ କଟକରେ ଅନେକ ନେତା ରହିଛନ୍ତି ତଥାପି ଦଳ ତାଙ୍କୁ ରାଜ୍ୟସଭା ଛାଡ଼ି କଟକରେ ଲଢ଼େଇବାକୁ ସ୍ଥିର କରିଛି ।
ତେଣୁ ଏସବୁ ଦୃଷ୍ଟିରୁ ବିଜେଡିରେ ଆମଦାନୀ ନେତାଙ୍କ ପ୍ରଭାବ ଏବେ କ୍ରମାଗତ ଭାବେ ବଢ଼ି ଚାଲିଥିବା ଜଳଜଳ ହୋଇ ଜଣାପଡ଼ୁଛି ।
ଦଳ ୨୦୧୯ ସାଧାରଣ ନିର୍ବାଚନବେଳେ ଅନେକ ଆମଦାନୀ ନେତାଙ୍କୁ ବିଧାନସଭା ଓ ଲୋକସଭାରେ ଥଇଥାନ କରିଥିଲା ଓ ଅନ୍ୟ କେତେକଙ୍କୁ ବିଭିନ୍ନ ନିଗମ ଓ ବୋର୍ଡରେ ଅବସ୍ଥାପିତ କରାଇଥିଲା । ଏପରିକି ଅନ୍ୟ ଦଳରୁ ଆମଦାନୀ ହୋଇ ଆସିଥିବା ନେତାମାନେ ଏବେ ମୂଳ ବିଜେଡିର କର୍ମୀ ଓ ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ଦାୟିତ୍ୱରେ ରହିଛନ୍ତି । ଆଉ ଦଳ ତଥା ସଂଗଠନ ପାଇଁ ଆରମ୍ଭରୁ କାର୍ଯ୍ୟ କରୁଥିବା ନେତାମାନେ ‘ନିଜ ଘରେ ନିଜେ ଅଲୋଡ଼ା’ହେବା ଆଗାମୀ ଦିନରେ ବିଜେଡିରେ ରହିଥିବା ଚାପା ଅସନ୍ତୋଷକୁ ଅଧିକ ବିସ୍ଫୋରକ ଆଡ଼କୁ ନେବାର ଆଶଙ୍କା ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
