ଭବ୍ୟ ଆକାରରେ ୨୫ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି, ବର୍ଷତମାମ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ବିଜେଡି ନିଜର ୨୫ତମ ପ୍ରତିଷ୍ଠା ଦିବସକୁ ଭବ୍ୟ ଆକାରରେ ପାଳନ କରିବ । ଏହାସହିତ ନିର୍ବାଚନୀ ବର୍ଷରେ ଲୋକଙ୍କ ସହ ଯୋଡ଼ି ହୋଇ ରହିବା ନିମନ୍ତେ ବର୍ଷତମାମ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବାକୁ ନିଷ୍ପତ୍ତି ନେଇଛି । ଗତକାଲି ସନ୍ଧ୍ୟାରେ ନବୀନ ନିବାସ ଓ ଆଜି ସକାଳେ ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ ନେତାମାନେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି […]

Naveen

Ordigital Desk
  • Published: Friday, 16 December 2022
  • , Updated: 16 December 2022, 08:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ବିଜେଡି ନିଜର ୨୫ତମ ପ୍ରତିଷ୍ଠା ଦିବସକୁ ଭବ୍ୟ ଆକାରରେ ପାଳନ କରିବ । ଏହାସହିତ ନିର୍ବାଚନୀ ବର୍ଷରେ ଲୋକଙ୍କ ସହ ଯୋଡ଼ି ହୋଇ ରହିବା ନିମନ୍ତେ ବର୍ଷତମାମ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବାକୁ ନିଷ୍ପତ୍ତି ନେଇଛି । ଗତକାଲି ସନ୍ଧ୍ୟାରେ ନବୀନ ନିବାସ ଓ ଆଜି ସକାଳେ ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ ନେତାମାନେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୬ତାରିଖରେ ଦଳର ୨୫ତମ ପ୍ରତିଷ୍ଠା ଦିବସକୁ ରାଜ୍ୟସ୍ତରରେ ପାଳନ କରାଯିବ । ଏଥିରେ ବ୍ଲକ ଓ ପୌରାଂଚଳର ଦଳୀୟ କର୍ମୀମାନଙ୍କୁ ଡକାଯିବ । ପ୍ରାୟ ଏକ ଲକ୍ଷ କର୍ମୀଙ୍କ ସମାବେଶ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହିତ ନିଜର ୨୫ତମ ପ୍ରତିଷ୍ଠା ଦିବସକୁ ବର୍ଷତମାମ ବ୍ଲକସ୍ତରରେ ବିଭିନ୍ନ ସମୟରେ ଭବ୍ୟ ଆକାରରେ ପାଳନ କରି ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି ସହ ସାଧାରଣ ଲୋକଙ୍କ ସଙ୍ଗେ ଯୋଡ଼ି ହେବାକୁ ରଣନୀତି ପ୍ରସ୍ତୁତି ହୋଇଛି । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଜେଡି ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର ସବୁ ବର୍ଗର ନେତାମାନଙ୍କୁ ଏକଜୁଟ କରି ରଖିବାକୁ ଉଦ୍ୟମ ଆରମ୍ଭ କରିଛି । ଗତକାଲି ସନ୍ଧ୍ୟାରେ ଏନେଇ ନବୀନ ନିବାସରେ ପ୍ରାରମ୍ଭିକ ବୈଠକ ହେବା ପରେ ଆଜି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ବାସଭବନରେ ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ମହିଳା ୱିଙ୍ଗ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଅନ୍ୟମାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରସ୍ତାବ ଉପରେ ବିଚାରବିମର୍ଶ ହୋଇଥିଲା ଓ ଏନେଇ ବିଧିବଦ୍ଧ ଭାବେ ନବୀନଙ୍କୁ ଅବଗତ କରାଯାଇଛି । ତେବେ ଆସନ୍ତା ୧୮ତାରିଖରେ ପୁଣିଥରେ ଏକ ବୈଠକ ବସି ଚୂଡ଼ାନ୍ତ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଜଣାପଡ଼ିଛି ।

ସେହିପରି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନିଜର ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଏ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି । ବିଜେଡି ସରକାରର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା, ଜୀବନବିନ୍ଦୁ ମାଧ୍ୟମରେ ରକ୍ତଦାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦାବିରେ ଦିଲ୍ଲୀରେ ସମାବେଶ, ମହିଳା ଏସଏଚଜିକୁ ଅଧିକ ସକ୍ରିୟ କରି ଦଳ ସପକ୍ଷରେ ରଖିବା ଆଦି ସମେତ ବିଭିନ୍ନ ଅଂଚଳରେ ହେଉଥିବା ଜିଲ୍ଲା ମାନ୍ୟତା ଦାବି ଗ୍ରହଣ କରି ଶାସକ ବିଜେଡି ଆଗାମୀ ଦିନରେ ନିଜର ରାଜନୀତିକ ଗୋଟିଚାଳନା କରିବ ବୋଲି ଜଣାପଡ଼ିଛି ।

ବିଜେଡି ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି ଯେ, ଦଳର ବରିଷ୍ଠ ନେତାମାନେ ବସି ଯେଉଁ ନିଷ୍ପତ୍ତି ନେଇଛନ୍ତି ସେ ସମ୍ପର୍କରେ ଆଜି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି । ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

Related story