ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନଜାତି ମାନ୍ୟତା ପ୍ରସଙ୍ଗରେ ରାଜ୍ୟ ସରକାର ସହଯୋଗ କରୁ ନାହାନ୍ତି। ଏଥିଯୋଗୁ ରାଜ୍ୟର ୧୭୦ଟି ଆଦିବାସୀ ସଂପ୍ରଦାୟ ଜନଜାତି ମାନ୍ୟତା ପାଇନାହାନ୍ତି। ଆଜି ଏପରି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତ, ଜନଜାତି ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ର ସରକାର ତଥ୍ୟ ମାଗୁଥିଲେ ମଧ୍ୟ ରାଜ୍ୟ ସରକାର ଦେଉନାହାନ୍ତି। ଚୁକ୍ତିଆ ଭୁଞ୍ଜିଆ, ପାଉଡି ଭୂୟାଁ ଭଳି ଆଦିମ ଅଧିବାସୀ ଜନଜାତି ମାନ୍ୟତାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ସହଯୋଗ କରନ୍ତୁ। ଗତ ୯ରୁ୧୨ ତାରିଖ ପର୍ଯ୍ୟନ୍ତ କୋରାପୁଟ ଅଞ୍ଚଳର ବିଜେପି କାର୍ଯ୍ୟକର୍ତ୍ତା ମାନେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଭେଟିଥିଲେ।
ଓଡ଼ିଶାର ୧୭୦ଟି ଆଦିବାସୀ ସମ୍ପ୍ରଦାୟ ଜନଜାତି ମାନ୍ୟତା ପାଇନାହାନ୍ତି କି ସରକାରୀ ଭାବେ ତାଲିକା ଭୁକ୍ତ ହୋଇନାହାନ୍ତି। କେନ୍ଦ୍ର ସରକାର ତଥ୍ୟ ମାଗୁଥିବା ବେଳେ ରାଜ୍ୟ ସରକାର ତଥ୍ୟ ଦେଉନାହାନ୍ତି କି ସହଯୋଗ କରୁନାହାନ୍ତି। ଯେଉଁଥି ପାଇଁ ୧୭୦ ପ୍ରକାର ଜନଜାତି ତାଲିକା ଭୁକ୍ତ ହେବାରୁ ବଞ୍ଚିତ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଅଞ୍ଚଳରେ ଧୁରୁଆ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ସେମାନେ ବିଗତ ଦିନରେ ଜନଜାତି ପ୍ରମାଣ ପତ୍ର ସହ ଆଦିବାସୀଙ୍କ ପାଇଁ ଥିବା ସରକାରୀ ସୁବିଧା ପାଉଥିଲେ। କିନ୍ତୁ ୨୦୧୩ ଠାରୁ କୋରାପୁଟ ଜିଲ୍ଲାରେ ରହୁଥିବା ଧୁରୁଆ ମାନଙ୍କୁ ଆଦିବାସୀ ପ୍ରମାଣ ପତ୍ର ମିଳୁନି। ରାଜସ୍ୱ ନିରୀକ୍ଷକଙ୍କ କିଛି ବନାନଗତ ତ୍ରୁଟି ଯୋଗୁ ସେମାନେ ନିଜ ଅଧିକାରରୁ ବଞ୍ଚିତ। ଏପରି କି ଭାରତ ସ୍ଵାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଚୁକ୍ତିଆ ଭୁଞ୍ଜିଆ, ପାଉଡି ଭୂୟାଁ ଭଳି ଆଦିମ ଜନଜାତି ମଧ୍ୟ ତାଲିକା ଭୁକ୍ତ ହୋଇନାହାନ୍ତି। ତେବେ ଜାତୀୟ ଆଦିବାସୀ କମିଶନ ସଦସ୍ୟ ଅନନ୍ତ ନାଏକଙ୍କ ହସ୍ତକ୍ଷେପ ପରେ କ୍ଲିଅରାନ୍ସ ମିଳିଛି। ତେଣୁ ଆଗାମୀ ମୌସୁମୀ ଅଧିବେଶନ ବେଳେ ସମସ୍ତଙ୍କୁ ମାନ୍ୟତା ମିଳିବ ବୋଲି ଆଶା। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କୁ ସମସ୍ତ ତଥ୍ୟ ଯୋଗାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ଏହାବାଦ ଅଭିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋରନା ପରେ ଟ୍ରେନ ଷ୍ଟପେଜ ବନ୍ଦ ଅଛି। ତେଣୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ସେହି ଅଞ୍ଚଳ ଗୁଡ଼ିକରେ ଷ୍ଟପେଜ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଛନ୍ତି ବିଜେପି ପ୍ରତିନିଧି ଦଳ। ସେହିପରି ସକାଳ ସମୟରେ କୋରାପୁଟ କିମ୍ବା ଜୟପୁରରୁ ଭୁବନେଶ୍ୱରକୁ ଗୋଟିଏ ଟ୍ରେନ ଚଳାଇବାକୁ ଦାବି କରିଛି ବିଜେପି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।