ବିଜେଡିରେ ମିଶିବେ କି ମୋକିମ୍ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ନିଜ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ଦଳୀୟ ନେତାମାନଙ୍କ ସମାଲୋଚନା ଓ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ଭୟ ନକରି ମାଟିର ଝିଅଙ୍କୁ ଭୋଟ୍ ଦେବାକୁ ଏଭଳି ବ୍ୟକ୍ତିଗତ ନିଷ୍ପତ୍ତି ନେଇଛି ବୋଲି କହି ମୋକିମ୍ ଖୋଲାଖୋଲି ଭାବେ କଂଗ୍ରେସ ହାଇକମାଣ୍ଡଙ୍କ ସହ ମୁହାଁମୁହିଁ ହେବାକୁ ଆଗଭର ହୋଇଛନ୍ତି । ଏପରିକି କଂଗ୍ରେସ ଯଦି […]

Mokim

Mokim

Ordigital Desk
  • Published: Monday, 18 July 2022
  • Updated: 19 July 2022, 01:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ନିଜ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ଦଳୀୟ ନେତାମାନଙ୍କ ସମାଲୋଚନା ଓ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ଭୟ ନକରି ମାଟିର ଝିଅଙ୍କୁ ଭୋଟ୍ ଦେବାକୁ ଏଭଳି ବ୍ୟକ୍ତିଗତ ନିଷ୍ପତ୍ତି ନେଇଛି ବୋଲି କହି ମୋକିମ୍ ଖୋଲାଖୋଲି ଭାବେ କଂଗ୍ରେସ ହାଇକମାଣ୍ଡଙ୍କ ସହ ମୁହାଁମୁହିଁ ହେବାକୁ ଆଗଭର ହୋଇଛନ୍ତି । ଏପରିକି କଂଗ୍ରେସ ଯଦି କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଏ ସେଥିପାଇଁ ସେ ପ୍ରସ୍ତୁତ ଥିବା କହିବାକୁ ପଛାଇନାହାନ୍ତି । ଅବଶ୍ୟ ମୋକିମଙ୍କର ଏଭଳି ନିଷ୍ପତ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଖୁସି ଓ ଗର୍ବର କଥା । ମାତ୍ର ଦଳୀୟ ଶୃଙ୍ଖଳା ଭିତରେ ରହି ମୋକିମ୍ କାହିଁକି ଶେଷ ମୁହୂର୍ତ୍ତରେ ଏଭଳି ନିଷ୍ପତ୍ତି ନେଲେ ଓ ଦଳର ନେତାଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ପୂର୍ବରୁ ଆଭାସ ଦେଲେନି ତାକୁ ନେଇ ନାନାଦି ଆଲୋଚନା ଆରମ୍ଭ ହୋଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୋକିମ୍ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ଓ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ଦୀର୍ଘଦିନ ଧରି ପିସିସି ସଭାପତି ପଦବୀ ପାଇଁ ଆଶାବାଦୀ ଥିବା ମୋକିମ୍ ଗତ କିଛିଦିନ ଧରି ଦଳୀୟ ହାଇକମାଣ୍ଡ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଶରତ ପଟ୍ଟନାୟକଙ୍କୁ ପିସିସି ମୁଖିଆ କରାଯିବା ପରଠୁ ପ୍ରାୟତଃ ମୋକିମ୍ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି । ଶରତଙ୍କୁ କଂଗ୍ରେସ ଭବନରେ ସମ୍ବର୍ଦ୍ଧନା ଦେବା ଉତ୍ସବ ହେଉ କି ବିଧାୟକ ଦଳ ସମ୍ପାଦକ ପଦବୀରୁ ଇସ୍ତଫା ଦେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । ନିଜ ସାମର୍ଥ୍ୟ ବଳରେ ବିଜେଡିର ଗଡ଼ ଉପକୂଳ ଓଡ଼ିଶାରୁ ସେ କଂଗ୍ରେସ ଟିକେଟରେ ବିଧାୟକ ଭାବେ ଜିତିଥିଲେ ମଧ୍ୟ ଦଳ ତାଙ୍କୁ ଆବଶ୍ୟକ ଗୁରୁତ୍ୱ ଦେଉନଥିବାରୁ ସେ ଅସନ୍ତୁଷ୍ଟ ହୋଇ ରହିଛନ୍ତି । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଥିବାବେଳେ ମଧ୍ୟ ମୋକିମ୍ ସିଧାସଳଖ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶରତ ପିସିସି ମୁଖିଆ ହେବାପରଠୁ ମୋକିମ୍ ନିଜର ରାଜନୀତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡିର ନିକଟତର ହେଉଥିବା ଚର୍ଚ୍ଚା ହେଉଛି । ଯାହାର ପରିଣାମସ୍ୱରୂପ ସେ ଆଜି ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ନିଜର ଭୋଟ୍ ଦେଇଛନ୍ତି । ବିଜେଡି ହିଁ ଓଡ଼ିଶାରେ ଶ୍ରୀମତୀ ମୁର୍ମୁଙ୍କ ପାଇଁ କ୍ୟାମ୍ପେନ୍ କରୁଥିଲା ଓ କଂଗ୍ରେସର ବିଧାୟକମାନଙ୍କ ପାଖକୁ ଯାଇ ସେମାନଙ୍କୁ ଭୋଟ୍ ହାସଲ ପାଇଁ ପ୍ରବର୍ତ୍ତାଉଥିଲା ।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ମୋକିମଙ୍କ ଏଭଳି ପଦକ୍ଷେପ ଅପ୍ରତ୍ୟାଶିତ ନୁହେଁ । ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ଜଣେ ଓଡ଼ିଆ ହିସାବରେ ମୋକିମ୍ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ରାଜ୍ୟର ସାଧାରଣ ଲୋକେ ନିଶ୍ଚିତ ସ୍ୱାଗତ କରିବେ । ମାତ୍ର ଗତ କିଛିଦିନର କଂଗ୍ରେସ ରାଜନୀତିକୁ ଦେଖିଲେ ମୋକିମଙ୍କ ଏହି ନିଷ୍ପତ୍ତି ସ୍ୱାଭାବିକ ଥିଲା । ରାଜ୍ୟରେ କଂଗ୍ରେସର ଏକ ପ୍ରମୁଖ ଚେହେରା ହେଉଛନ୍ତି ମୋକିମ୍ । କିଛି ପରିମାଣର ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କ ତାଙ୍କ ପାଖରେ ରହିବା ସ୍ୱାଭାବିକ ଅଛି । ତା’ ସତ୍ତ୍ୱେ କଂଗ୍ରେସ ତାଙ୍କୁ ସାଂଗଠନିକ କାର୍ଯ୍ୟରେ ଗୁରୁତ୍ୱ ଦେଇନି । ଏପରିକି ସବୁ ବିଧାୟକ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କୁ ପିସିସି ସଭାପତି ପଦରୁ ବଂଚିତ ହେବାକୁ ପଡ଼ିଥିଲା । ଏସବୁ ବ୍ୟତୀତ ମୋକିମଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ରହିଛି । ସେଥିପାଇଁ ସରକାରୀ ସହଯୋଗର ଆବଶ୍ୟକତା ବି ବେଶୀ । ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେଇ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । କଂଗ୍ରେସ ହାଇକମାଣ୍ଡଙ୍କ ମୁହଁରେ ଶକ୍ତ ଚାପୁଡ଼ା ଦେଇ ବିଜେଡି ଓ ବିଜେପିର ନିକଟତର ହୋଇଛନ୍ତି ।
ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଯେଉଁ କିଛି ଚେହେରାଙ୍କୁ ନିଜ ଦଳକୁ ଆଣିବାକୁ ବିଜେଡି ଚାହୁଁଛି ସେଥିରେ ମୋକିମ୍ ସାମିଲ ଅଛନ୍ତି । କଟକ-ବାରବାଟୀ ଆସନରୁ ବିଧାୟକ ଥିବା ମୋକିମ ମଧ୍ୟ ବିଜେଡିକୁ ଡେଇଁବା ସୁଯୋଗରେ ଅଛନ୍ତି । ବିଜେଡି ସେଠାରେ ସାଂସଦ ପ୍ରାର୍ଥୀ ଭାବେ ତାଙ୍କୁ ଆଗକୁ ଆଣିପାରେ । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପୁଣିଥରେ ଟିକେଟ୍ ଦେବା ସପକ୍ଷରେ ବିଜେଡି ନେତୃତ୍ୱ ନାହାନ୍ତି । ଶ୍ରୀ ମହତାବ ମଧ୍ୟ ନିଜର ବିକଳ୍ପ ସନ୍ଧାନରେ ଥିବାବେଳେ ମୋକିମଙ୍କ ଭଳି ମୁସଲିମ୍ ଚେହେରାଙ୍କୁ ବିଜେଡି ଆଣି ନିଜର ଭୋଟବ୍ୟାଙ୍କ ବଢ଼ାଇବାକୁ ଚାହୁଁଛି । ବିଜେଡିରେ ମୁସଲିମ୍ ଚେହେରା ଭାବେ ପଶ୍ଚିମ ଓଡ଼ିଶାରେ ମୁନ୍ନା ଖାନ ଓ ଆୟୁବ ଖାନ୍ ଥିବାବେଳେ ଉପକୂଳ ଓଡ଼ିଶାରେ କେହି ନାହାନ୍ତି । ତେଣୁ ମୋକିମ ଏବେ କଂଗ୍ରେସ ବିରୁଦ୍ଧରେ ଯାଇ ବିଜେଡିର ନିକଟତର ହେବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos