/odisha-reporter/media/post_attachments/uploads/2022/01/cong.jpg)
cong
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୫୪ପ୍ରତିଶତ ପଛୁଆ ବର୍ଗର ଲୋକ ଓ ୨୨ ପ୍ରତିଶତ ଅନୁସୂଚିତ ଜନଜାତି ବର୍ଗର ଲୋକେ ନିଜର ସାମ୍ବିଧାନିକ ଅଧିକାର ପାଇଁ ଲଢ଼େଇ କରୁଥିବାବେଳେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ରାଜ୍ୟ ସରକାରଙ୍କ ହାତବାରିସି ସାଜି ରାଜ୍ୟ ନିର୍ବାଚନ କମିଶନର ଆଜି ପଂଚାୟତ ନିର୍ବାଚନ ଘୋଷଣା କରିବା ଓଡ଼ିଶା ଇତିହାସରେ ଏକ ନୂଆ କଳଙ୍କିତ ଅଧ୍ୟାୟକୁ ସୃଷ୍ଟି କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ, ମନୋଜ ମହାପାତ୍ର ଓ ଚିନ୍ମୟ ଦାସ କହିଛନ୍ତି ଯେ, ପଂଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ଏବଂ ତତସଂଲଗ୍ନ ମାର୍ଗଦର୍ଶିକା ଓଡ଼ିଆ ପଂଚାୟତିରାଜ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା । ଖଳନାୟକ ଭାବରେ ରାଜ୍ୟର ବିଜେଡି ସରକାର ଓ ତାଙ୍କର ସଖି କଣ୍ଢେଇ ପାଲଟିଥିବା ରାଜ୍ୟ ନିର୍ବାଚନ କମିଶନ୍ ଏହି କଳଙ୍କିତ ଅଧ୍ୟାୟର ସୂତ୍ରଧର । ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରତିନିଧିତ୍ୱ ଦେଇନାହାନ୍ତି ଓ ଜନଜାତି ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ପ୍ରତି ହେୟଜ୍ଞାନ କରାଯାଇଛି । ଏହି ଦୁଇ ବର୍ଗର ଜନ ସମୁଦାୟକୁ ଚଳିତ ପଂଚାୟତ ନିର୍ବାଚନରେ ପ୍ରତାରିତ କରାଯାଇଛି ।
ଆଦିବାସୀମାନଙ୍କୁ ୨୩ଟି ଜିଲ୍ଲା ଓ ୧୯୫ଟି ବ୍ଲକ୍ରେ ସରପଂଚ ପଦବୀ ଓ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ଦିଆଯାଇ ନାହିଁ । ଆସନ୍ତା ୧୭ତାରିଖରେ ସୁପ୍ରିମକୋର୍ଟରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ରାୟ ଆସିବାର ଥିବାବେଳେ ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ମାମଲାରେ ତରବର ହୋଇ ନିର୍ବାଚନ ଘୋଷଣା କରିବା ସରକାରଙ୍କ ଆନ୍ତରିକତାକୁ ପଦାରେ ପକାଇଛି। ମଧ୍ୟପ୍ରଦେଶ ସରକାର ଯଦି ପଛୁଆ ବର୍ଗଙ୍କୁ ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିପାରୁଛନ୍ତି, ଓଡ଼ିଶା ସରକାର କାହିଁକି ସେଭଳି କଲେନି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଯଦି ସୁପ୍ରିମକୋର୍ଟଙ୍କ ରାୟ ପଛୁଆ ବର୍ଗଙ୍କ ସପକ୍ଷରେ ଆସେ, ତା’ହେଲେ ଆଜି ଘୋଷଣା ହୋଇଥିବା ପଂଚାୟତ ନିର୍ବାଚନକୁ ରାଜ୍ୟ ନିର୍ବାଚନ କମିଶନର କ’ଣ ଅସିଦ୍ଧ ଘୋଷଣା କରିବେ କି? ଚଳିତ ପଂଚାୟତ ନିର୍ବାଚନରେ ଆଉ ପଛୁଆ ବର୍ଗଙ୍କୁ ପ୍ରତିନିଧିତ୍ୱ ଦେଇପାରିବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି।
କମିଶନ ଚାହିଁଥିଲେ ସୁପ୍ରିମକୋର୍ଟଙ୍କ ରାୟ ଜାନୁୟାରୀ ୧୭ତାରିଖରେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ପାରିଥାନ୍ତେ । କିନ୍ତୁ ତାହା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟରେ କରୋନା ସଂକ୍ରମଣ ଆସନ୍ତା ମାସରେ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଥିବାବେଳେ ସମସ୍ତ ବିରୋଧୀ ଦଳ ଏକସ୍ୱରରେ ପଂଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ । କିନ୍ତୁ ସରକାରଙ୍କ ଚାପରେ ସଖି କଣ୍ଢେଇ ହୋଇ ରାଜ୍ୟ ନିର୍ବାଚନ କମିଶନର ଏହି ନିର୍ବାଚନ ଘୋଷଣା କଲେ । ପଂଚାୟତ ନିର୍ବାଚନାରେ ତୃଣମୂଳ ସ୍ତରରେ ଗଣତନ୍ତ୍ର କ୍ରିୟାଶୀଳ ହୋଇଥାଏ । ପଂଚାୟତର ଲୋକମାନେ ସେମାନଙ୍କର ପ୍ରସଙ୍ଗ ସମସ୍ୟା ସବୁକୁ ନେଇ ନିର୍ବାଚନ ସମୟରେ ମତାମତକୁ ପ୍ରକାଶ କରିଥାଆନ୍ତି । ମାତ୍ର କୋଭିଡ ଆଳରେ ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ଅତ୍ୟନ୍ତ ସଙ୍କୁଚିତ କରାଯାଇଛି । ନିର୍ବାଚନ ପ୍ରଚାର କାର୍ଯ୍ୟକୁ ସଙ୍କୁଚିତ କରାଯାଇଛି, ଯାହାକି ତୃଣମୂଳ ସ୍ତରରେ ଲୋକଙ୍କ ଗଣତାନ୍ତ୍ରିକ ଭାଗିଦାରିତା ପ୍ରତି ଉପହାସ ବୋଲି କଂଗ୍ରେସ କହିଛି।
ତେଣୁ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କର ସଖୀ କଣ୍ଢେଇ ହୁଅନ୍ତୁ ନାହିଁ । ନିରପେକ୍ଷ ରୁହନ୍ତୁ କଂଗ୍ରେସ କହିବା ସହ ଏଭଳି ଚକ୍ରାନ୍ତ ଓ ୭୬ ପ୍ରତିଶତ ଲୋକଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରିବା ବିଜେଡି ସରକାରକୁ ବେଶ୍ ମହଙ୍ଗା ପଡ଼ିବ ବୋଲି ସତର୍କ କରାଇ ଦେଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
