Advertisment

ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ-ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ବିଜେଡି ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରୁଛି କି? ଶନିବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ପରେ ଏମିତି ଆଲୋଚନା ଜୋର ଧରିଛି। ପଦ୍ମପୁରରେ ପରାଜୟ ପରେ ଆଗକୁ ୨୦୨୪ ସାଧାରଣ ନିର୍ବାଚନରେ ଲଢ଼େଇ କିପରି ହେବ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ନିର୍ବାଚନ ପାଇଁ ଦୁଇ ସୂତ୍ରୀ ଫର୍ମୂଲାରେ କାମ କରିବ ବିଜେପି

Dharmendra Pradhan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ-ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ବିଜେଡି ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରୁଛି କି? ଶନିବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ପରେ ଏମିତି ଆଲୋଚନା ଜୋର ଧରିଛି।

Advertisment

ପଦ୍ମପୁରରେ ପରାଜୟ ପରେ ଆଗକୁ ୨୦୨୪ ସାଧାରଣ ନିର୍ବାଚନରେ ଲଢ଼େଇ କିପରି ହେବ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ,ମୁଁ ତ ଶୁଣୁଛି କୁଆଡ଼େ ଏଠି ଟିକେ ଆଗରୁ ନିର୍ବାଚନ ହୋଇଯିବ। ନିର୍ବାଚନ ବହୁତ ଦିନ ଅଛି। ୮ ମାସ ହେଉ କି ୧୫ ମାସ ହେଉ- ବହୁତ କଥା ଘଟିବ, ବହୁତ ପାଣି ପ୍ରବାହିତ ହେବ ମହାନଦୀରେ, ବ୍ରାହ୍ମଣୀରେ, ବୈତରଣୀରେ ଓ ଋଷିକୂଲ୍ୟାରେ। ଆମେ ୨୦୧୯ରେ ବି ଲଢ଼ିଥିଲୁ। ଆଜି ଆମେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ। ଆମେ ଆମ ଏଜେଣ୍ଡା ନେଇ ଲଢ଼ୁଛୁ। ମୋର ବିଶ୍ୱାସ ଅଛି ଓଡ଼ିଶାର ବିକାଶ ପାଇଁ ଓଡ଼ିଆ ଲୋକମାନେ  ନରେନ୍ଦ୍ର ମୋଦିଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି ଓ ଆଗକୁ ବି କରିବେ।

ଶ୍ରୀ ପ୍ରଧାନ କହିଥିଲେ, ପଦ୍ମପୁରକୁ ନେଇ ଆମେ ଯାହା ଭାବିଥିଲୁ, ତାହା ହେଲା ନାହିଁ। ପଦ୍ମପୁରର ଜନାଦେଶକୁ ଆମେ ସ୍ୱୀକାର କରୁଛୁ।

Advertisment

ଗତ ଗୁରୁବାର ପଦ୍ମପୁର ଉପ-ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାରି କରିଥିବା ଭିଡିଓ ବାର୍ତ୍ତାରେ କହିଥିଲେ ଯେ ରାଜ୍ୟ ବିଜେପି ନେତାମାନେ ମହିଳାମାନଙ୍କୁ ଅସମ୍ମାନ କରିଛନ୍ତି। ରାଜନୀତି କରିବା ବାହାନାରେ ଯଦି ମହିଳାଙ୍କୁ ଅସମ୍ମାନ କରାଯିବ, ତାକୁ ଓଡ଼ିଶାବାସୀ କେବେ ସମର୍ଥନ କରିବେ ନାହିଁ। ଏହାର ଜବାବ ମଧ୍ୟ ଆଜି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, ଯିଏ ଜିତେ ସ୍ୱାଭାବିକ ଭାବେ ତାଙ୍କ ମନ ଖୁସି ଥାଏ। ସେ ଟିକେ ବଢ଼େଇ ଚଢ଼େଇ କହିବା ସ୍ୱାଭାବିକ। ଯିଏ ବି ଏଭଳି ମନ୍ତବ୍ୟ ଦେଲେ, ସେ ଭୁଲିବା ଉଚିତ୍ ନୁହେଁ ଯେ ଭାରତୀୟ ଜନତା ପାର୍ଟି ସେଠାରେ ୭୮ ହଜାର ଭୋଟ୍ ପାଇଛି। ତା’ ଭିତରେ କ’ଣ ମହିଳା ଭୋଟର ନାହାନ୍ତି? ଯାହାର ସଂସ୍କାର ଯେମିତି, ସେ ସେମିତି ଦମ୍ଭ ଦେଖାଇବେ।

ଗତ ୩ ବର୍ଷରେ ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାରର ସଂଖ୍ୟା ବଢ଼ିଛି। ଏଥର ବିଧାନସଭାରେ ସରକାରୀ ଦଳ ପକ୍ଷରୁ ଏହି ବିବୃତ୍ତି ଆସିଛି। ଏହା ଓଡ଼ିଶାର ମହିଳାମାନଙ୍କ ସ୍ଥିତି ସଂପର୍କରେ ଅବଗତ କରାଉଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଟଏଲେଟ୍ ବନାଇବାରେ, ଘର ତିଆରି କରିବାରେ, ବିଜୁଳି ସଂଯୋଗ ଦେବାରେ, ଗ୍ୟାସ୍ ସଂଯୋଗ ଦେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେବାକୁ ଓ ଗରିବ ଲୋକଙ୍କୁ ସଶକ୍ତିକରଣ କରିବାକୁ ଭାରତ ସରକାର ଦେଉଥିବା ପଇସାକୁ ସଠିକ୍ ବିନିଯୋଗ କରାଯାଉ ବୋଲି ସେ କହିଛନ୍ତି।

କାହିଁକି ହୋଇପାରେ ଆଗୁଆ ନିର୍ବାଚନ?

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପୂର୍ବରୁ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ମଧ୍ୟ ରାଜ୍ୟରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ଥିବା କହିଥିଲେ। ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ବିଜେପି କାହିଁକି ଆଶଙ୍କା ପ୍ରକାଶ କରୁଛି? ବିଜେପି ପାଖରେ ସେଭଳି କିଛି ଠୋସ୍ ସୂଚନା ଅଛି କି? କୁହାଯାଉଛି, ବିଜେଡିରେ ବଢୁଥିବା ଅସନ୍ତୋଷ, ସରକାର ବିରୋଧୀ ହାଓ୍ୱା ଓ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ରାଜ୍ୟରେ ବଢୁଥିବାରୁ କାଳେ ୨୪ ନିର୍ବାଚନରେ ତାର ଗଭୀର ପ୍ରଭାବ ପଡିବ, ସେଥିପାଇଁ ହୁଏତ ଆଗୁଆ ନିର୍ବାଚନ କଥା ବିଜେଡି ଚିନ୍ତା କରୁଥାଇ ପାରେ। ଅନ୍ୟପକ୍ଷରେ ନବୀନଙ୍କ ଲୋକପ୍ରିୟତା ଓ ବିଜେଡି ସପକ୍ଷରେ ଏବେ ଭଲ ମାହୋଲ୍ ଥିବାରୁ ଆଗୁଆ ନିର୍ବାଚନ ହୁଏତ ଦଳକୁ ଫାଇଦା ଦେଇପାରେ। ତା'ଛଡ଼ା ବିରୋଧୀ ଦଳ ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ହେବା ପୂର୍ବରୁ ନିର୍ବାଚନ କରି ସେମାନଙ୍କୁ ମାତ୍ ଦେବା ଚକ୍କରରେ ବିଜେଡି ରହିଥିବା ଚର୍ଚ୍ଚା ହେଉଛି।

Bjp Padampur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe