ବିଜେଡିରେ ‘ତୁଣ୍ଡ’ ମରୁଡ଼ି: ଅଭିଜ୍ଞ ନିରବ, ଅନଭିଜ୍ଞ କରୁଛନ୍ତି ଟିଭିରେ ଓକିଲାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡିରେ ‘ତୁଣ୍ଡ’ ମରୁଡ଼ି । ବିଶ୍ୱାସ ନହେଲେ ବି ସତ। ଦଳ ପାଖରେ ମାଳମାଳ ଅଭିଜ୍ଞ ମୁଖପାତ୍ର ଓ ପ୍ୟାନେଲିଷ୍ଟ ଥାଇ ମଧ୍ୟ ବିଜେଡିକୁ ଏବେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା, ଅର୍ଚ୍ଚନା ନାଗ ଓ ଧାମନଗର ଉପନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ଓ ଜ୍ୱଳନ୍ତ ପ୍ରସଙ୍ଗରେ ମିଡିଆ ସମ୍ମୁଖରେ ଦଳ ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢ଼ିବାକୁ କେହି ଆଗଭର ହେଉନଥିବା ଦେଖିବାକୁ ମିଳିଛି। ଆଉ ଦଳୀୟ ସମ୍ବିଧାନ […]

Naveen

Naveen

Ordigital Desk
  • Published: Thursday, 27 October 2022
  • Updated: 27 October 2022, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡିରେ ‘ତୁଣ୍ଡ’ ମରୁଡ଼ି । ବିଶ୍ୱାସ ନହେଲେ ବି ସତ। ଦଳ ପାଖରେ ମାଳମାଳ ଅଭିଜ୍ଞ ମୁଖପାତ୍ର ଓ ପ୍ୟାନେଲିଷ୍ଟ ଥାଇ ମଧ୍ୟ ବିଜେଡିକୁ ଏବେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା, ଅର୍ଚ୍ଚନା ନାଗ ଓ ଧାମନଗର ଉପନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ଓ ଜ୍ୱଳନ୍ତ ପ୍ରସଙ୍ଗରେ ମିଡିଆ ସମ୍ମୁଖରେ ଦଳ ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢ଼ିବାକୁ କେହି ଆଗଭର ହେଉନଥିବା ଦେଖିବାକୁ ମିଳିଛି।

ଆଉ ଦଳୀୟ ସମ୍ବିଧାନ ତଥା ବିଜେଡିର ନୀତି ଓ ଆଦର୍ଶ ଏବଂ ସରକାରୀ ନୀତି ସମ୍ପର୍କରେ ଅନଭିଜ୍ଞ ଓ ଅପରିପକ୍ୱ ହାତଗଣତି ୪-୫ଜଣଙ୍କୁ ଧରି ବିଜେଡି ଏବେ ଗଣମାଧ୍ୟମରେ ନିଜ ପକ୍ଷ ରଖୁଛି। କୋଟିଏ ସଦସ୍ୟଙ୍କ ଦଳ ଓ ସର୍ବାଧିକ ଲୋକପ୍ରିୟ ଆଂଚଳିକ ଦଳ ବୋଲାଉଥିବା ବିଜେଡିର ତୁଣ୍ଡମାନଙ୍କର ବିଭିନ୍ନ ଟେଲିଭିଜନରେ ଅଭାବନୀୟ ଓ ବିକଟାଳ ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ନିଜର ମିଡିଆ ସେଲକୁ ଅଧିକ ସୁଦୃଢ଼ କରି ଲୋକଙ୍କ ନିକଟତର ହେବା ଓ ଦଳ ତଥା ସରକାର ସପକ୍ଷରେ ବଳିଷ୍ଠ ଯୁକ୍ତି ଗଣମାଧ୍ୟମ ସମ୍ମୁଖରେ ରଖିବା ନିମନ୍ତେ ୨୦୧୯ ସେପ୍ଟେମ୍ବର ମାସରେ ଦଳୀୟ ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ଏକ ବିଶାଳ କମିଟି ଗଠନ କରିଥିଲା । ପରେ ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ସାମିଲ କରି ୨୦୨୦ ଡିସେମ୍ବର ମାସରେ ଏହି କମିଟିର ପୁନର୍ଗଠନ କରିଥିଲା । ଯେଉଁଥିରେ ୬ଜଣ ଜାତୀୟ ମୁଖପାତ୍ର, ୧୬ଜଣ ରାଜ୍ୟ ମୁଖପାତ୍ର ଓ ୧୬ଜଣ(ପରେ ୨ଜଣଙ୍କୁ ସାମିଲ) ପ୍ୟାନେଲିଷ୍ଟ ଭାବେ ସାମିଲ କରିଥିଲା।

କିନ୍ତୁ ଏହି ନେତାମାନଙ୍କ ମଧ୍ୟରୁ ପ୍ରାୟତଃ ଅଧିକାଂଶ ଏବେ ଦଳ ସପକ୍ଷରେ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମ ସମ୍ମୁଖକୁ ଆସି ଯୁକ୍ତି ବାଢ଼ିବାକୁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳୁଛି । ଆଉ ଏବେ ରାଜ୍ୟରେ ଥିବା ଅଧିକାଂଶ ଟିଭି ଚ୍ୟାନେଲରେ ହାତଗଣତି ୪-୫ଜଣ ଅନଭିଜ୍ଞ ଓ ଅପରିପକ୍ୱ ନେତାଙ୍କ ଅଜବ ଯୁକ୍ତି ରାଜ୍ୟବାସୀଙ୍କୁ ଦେଖିବାକୁ ମିଳୁଛି । ଯଦିଓ ବିଜେଡିର ମିଡିଆ ମ୍ୟାନେଜମେଣ୍ଟ ବେଶ୍ ସୁଦୃଢ଼ ତଥାପି ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲଗୁଡ଼ିକର ବିତର୍କ କାର୍ଯ୍ୟକ୍ରମଗୁଡ଼ିକରେ ଯେଉଁମାନେ ଦଳର ‘ତୁଣ୍ଡ’ ପାଲଟି ଯୁକ୍ତି ବାଢ଼ୁଛନ୍ତି ସେମାନଙ୍କର ଅପରିପକ୍ୱତା ସାଧାରଣ ଲୋକଙ୍କ ସମ୍ମୁଖରେ ବିଜେଡିର ଭାବମୂର୍ତ୍ତି ଓ ମିଡିଆ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଜେଡିର ଏଭଳି ଦୟନୀୟ ସ୍ଥିତି ସମ୍ପର୍କରେ ଦଳର ଜଣେ ବରିଷ୍ଠ ନେତା(ମୁଖପାତ୍ର ଅଛନ୍ତି) ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ବିଜେଡିରେ ଏବେ ଅନେକ ଅନଭିଜ୍ଞ ଓ ଅପରିପକ୍ୱ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ମିଳୁଛି । ଏକଦା ଦଳର ‘ତୁଣ୍ଡ’ ଭାବେ ଦାମୋଦର ରାଉତ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ କେଶରୀ ଦେବ ଆଦି ନେତାମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦଳ ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢ଼ି ଉଭୟ ସରକାର ଓ ଦଳ ପାଇଁ ମିଡିଆ ସମ୍ମୁଖରେ ପାଚେରୀ ଭଳି ଛିଡ଼ା ହେଉଥିଲେ । କିନ୍ତୁ ଏବେ ସେସବୁ ନାହିଁ । କେଉଁ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ’ଣ ରହିବ ଓ ତାହା କିଏ ସ୍ଥିର କରିବ, କେହି ଜାଣିପାରୁନାହାନ୍ତି।

ବରିଷ୍ଠ ଓ ଅଭିଜ୍ଞ ମୁଖପାତ୍ରମାନେ ‘ଆଲୋ ସଖି ଆପଣା ମହତ ଆପେ ରଖି’ ନ୍ୟାୟରେ ଏସବୁରୁ ଦୂରେଇ ରହୁଛନ୍ତି । ତେଣୁ ଟିଭି ଚ୍ୟାନେଲଗୁଡ଼ିକର ବିଭିନ୍ନ କାର୍ଯ୍ୟକ୍ରମରେ ଦଳର ପ୍ରତିନିଧିତ୍ୱ କରୁଥିବା ଅପରିପକ୍ୱ ବ୍ୟକ୍ତିମାନଙ୍କୁ ଦେଖିବା ସ୍ୱାଭାବିକ କଥା । ଟିଭି ଚ୍ୟାନେଲଗୁଡ଼ିକରେ ଦଳର ‘ତୁଣ୍ଡ’ ହୋଇ କିଛି ମହିଳା ନେତ୍ରୀ ଏଭଳି ଯୁକ୍ତି ବାଢ଼ୁଛନ୍ତି ଯାହା ସାଧାରଣରେ ଦଳକୁ ସମାଲୋଚିତ କରୁଥିବା ଦେଖିବାକୁ ମିଳୁଛି । ସେ କାହାରି ନାଁ ନନେଇ କହିଥିଲେ ଯେ, ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ବିଜେଡି ନେତା ଓ ମନ୍ତ୍ରୀମାନଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଥିବାବେଳେ ବିଜେଡିର ଜଣେ ନେତ୍ରୀ ଏକ ଟିଭି ଚ୍ୟାନେଲର ବିତର୍କରେ ‘ସହମତିରେ ସହବାସ ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟ’କୁ ଉଲ୍ଲେଖ କରିବାକୁ ପଛାଇ ନଥିଲେ । ପରୋକ୍ଷରେ ସେ ବିଜେଡି ନେତା-ମନ୍ତ୍ରୀମାନଙ୍କର ଅର୍ଚ୍ଚନା ନାଗଙ୍କ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତିକୁ ସ୍ୱୀକାର କରି ଆସିଥିଲେ । ସେହିପରି ଅନ୍ୟ ଜଣେ ନେତ୍ରୀ ନିକଟରେ ବିଜେଡିରେ ସାମିଲ ହୋଇଛନ୍ତି ଓ ଦଳ ସପକ୍ଷରେ ଟିଭି ଚ୍ୟାନେଲଗୁଡ଼ିକର ବିତର୍କରେ ଏଭଳି ନିମ୍ନସ୍ତରର ଓ ରୁଚିହୀନ ଯୁକ୍ତି ବାଢ଼ୁଛନ୍ତି, ଯାହା ଦଳ ପାଇଁ ସୁନାମ ବଦଳରେ ସମାଲୋଚନାର ଖୋରାକ ଯୋଗାଉଛି । ସେହିପରି ଅନ୍ୟ ଦୁଇଜଣ ନବାଗତ ଯୁବ ନେତ୍ରୀ ଦଳର ‘ତୁଣ୍ଡ’ ହୋଇ ବିତର୍କରେ ସାମିଲ ହେଉଛନ୍ତି । ଆଉ ସେମାନଙ୍କର ବିତର୍କ ଦେଖିଲେ ବିଜେଡି କେଉଁ ସ୍ଥିତିକୁ ଖସିଗଲାଣି ତାହା ଯେକେହି ଅନୁଭବ କରିପାରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ଏକ ବର୍ଷ ହେବ ଦଳର ମୁଖପାତ୍ର ଭାବେ ସୁଲତା ଦେଓ ଓ ଇପସିତା ସାହୁଙ୍କ ଭଳି ନେତ୍ରୀଙ୍କ ସମେତ ସସ୍ମିତ ପାତ୍ର, ପ୍ରତାପ ଦେବ ଓ ଲେନିନ୍ ମହାନ୍ତି ପ୍ରମୁଖଙ୍କୁ ଦେଖିବାକୁ ମିଳୁଥିଲା । ମାତ୍ର ଏବେ ଏମାନଙ୍କ ମଧ୍ୟରୁ କେବଳ ଶ୍ରୀ ମହାନ୍ତିଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କୁ କାଁ ଭାଁ ଟିଭି ଚ୍ୟାନେଲଗୁଡ଼ିକର ବିତର୍କରେ ଦେଖିବାକୁ ମିଳୁଛି।

ବିଜେଡି ଭଳି ଏକ ବୃହତ୍ ଆଂଚଳିକ ଦଳରେ ‘ତୁଣ୍ଡ’ର ମରୁଡ଼ି ଓ ଅପରିପକ୍ୱ ତଥା ଅନଭିଜ୍ଞ ବ୍ୟକ୍ତିମାନଙ୍କୁ ନେଇ କାମଚଳା ପ୍ରକ୍ରିୟା ପରୋକ୍ଷରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ଦଳ ଓ ସରକାରର ଭାବମୂର୍ତ୍ତିକୁ ସଙ୍କଟରେ ପକାଉଛି, ଯାହାର ଦୂରଗାମୀ ପ୍ରଭାବ ଆଗାମୀ ଦିନରେ ଦଳ ଓ ସରକାର ଉପରେ ପଡ଼ିବାର ଆଶଙ୍କା ରହିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos