Advertisment

ବଢ଼ୁଛି ଗୋଷ୍ଠୀ କନ୍ଦଳ, ଶପଥ ପାଠ କରାଉଛି ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ଟିକେଟ୍ ପାଇବାରୁ ବଞ୍ଚିତ ଆଶାୟୀ ଏବେ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି। ନିର୍ବାଚନ ବେଳେ ଦଳ ଡିଆଁ କିଛି ନୂଆ କଥା ନୁହେଁ। ହେଲେ ଯେଉଁମାନେ ଦଳ ପରିବର୍ତ୍ତନ କରୁଛନ୍ତି, ସେମାନଙ୍କୁ ତ ଅନ୍ୟ ଦଳରେ ଟିକେଟ୍ ମିଳିଯାଉଛି। ହେଲେ ଯେଉଁମାନେ ଟିକେଟ୍ ପାଉନାହାନ୍ତି, ସେମାନଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ କରାଯାଉଛି ଶପଥ ପାଠ। ଏହି ଶପଥ ପାଠ କରାଉଛି ଖୋଦ୍ ଶାସକ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବଢ଼ୁଛି ଗୋଷ୍ଠୀ କନ୍ଦଳ, ଶପଥ ପାଠ କରାଉଛି ବିଜେଡି

bjd

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ଟିକେଟ୍ ପାଇବାରୁ ବଞ୍ଚିତ ଆଶାୟୀ ଏବେ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି। ନିର୍ବାଚନ ବେଳେ ଦଳ ଡିଆଁ କିଛି ନୂଆ କଥା ନୁହେଁ। ହେଲେ ଯେଉଁମାନେ ଦଳ ପରିବର୍ତ୍ତନ କରୁଛନ୍ତି, ସେମାନଙ୍କୁ ତ ଅନ୍ୟ ଦଳରେ ଟିକେଟ୍ ମିଳିଯାଉଛି। ହେଲେ ଯେଉଁମାନେ ଟିକେଟ୍ ପାଉନାହାନ୍ତି, ସେମାନଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ କରାଯାଉଛି ଶପଥ ପାଠ। ଏହି ଶପଥ ପାଠ କରାଉଛି ଖୋଦ୍ ଶାସକ ଦଳ ବିଜେଡି।

Advertisment

ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ମନାଇବା ଲାଗି କେଉଁଠି ପ୍ରାର୍ଥୀଙ୍କୁ ମହାପ୍ରସାଦ ଛୁଆଁଇ ତ କେଉଁଠି ଗୀତା ପାଠ କରାଇ ଶପଥ ପାଠ କରାଯାଉଛି। ବିଜେଡି ଦଳରେ ଏବେ ଗୋଷ୍ଠୀ ବିବାଦ ବଢ଼ୁଛି। ଏପରିକି ଦଳର କିଛି କର୍ମୀ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ବିଜେଡି ଏହି ଶପଥ କରାଉଛି।

ଭୁବନେଶ୍ୱର ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚିଲିକା ବ୍ଲକ୍ ଅଧ୍ୟକ୍ଷା ତଥା ବିଜେପିର ନେତ୍ରୀ ଝରଣା ବାରିକ, ଜିଲ୍ଲା ପରିଷଦ ସଭ୍ୟା ଦମୟନ୍ତୀ ବସ୍ତିଙ୍କ ସମେତ ଅନେତ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ, ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ଯୋଗ ଦେଇଛନ୍ତି। ତେବେ ରୋଚକ କଥା ହେଲା, ମିଶ୍ରଣ ପର୍ବ ଶେଷବେଳକୁ ଦମୟନ୍ତୀ ଓ ଝରଣାଙ୍କୁ ଈଶ୍ୱରଙ୍କ ନାଁରେ  ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଶପଥ ପାଠ କରାଇଥିଲେ।

Advertisment

ସେହିପରି ପୁରୀ ସତ୍ୟବାଦୀ ବିଧାୟକ ଉମାବଲ୍ଲଭ ସାମନ୍ତରାୟ। କଣାସ ବ୍ଲକ ଅନ୍ତର୍ଗତ ବିଜିପୁର ନନ୍ଦିଗୋଦା ଛକ ନିକଟରେ ଥିବା ଏକ ଘରେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ବିଜେଡିରେ ସାମିଲ କରିବା ଆଳରେ ମହାପ୍ରସାଦ ଛୁଆଁଇ ସଂଗଠନରେ ରହିବାକୁ ଶପଥ କରାଉଛନ୍ତି।

ତେବେ ବିଜେଡିର ଏଭଳି ଶପଥ ପାଠକୁ ଦଳର କିଛି କର୍ମୀ ବିରୋଧ କରିଛନ୍ତି। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଂପାଦକ ବିଶ୍ୱଜିତ ଦାଶଙ୍କୁ ଗୀତା ଛୁଆଁଇ ଶପଥ ପାଠ କରାଇବା ପରେ ସେ ଏହାକୁ ବିରୋଧ କରି ଦଳ ଛାଡ଼ିଛନ୍ତି। ବିଶ୍ୱଜିତ୍ ଦାସ କହିଛନ୍ତି ଯେ ବିଧାୟକ ଆମକୁ ଗୀତା ଛୁଇଁବାକୁ କହିଲେ। ଆଉ କହିଲେ ଯେ ଦଳ ଯାହାକୁ ପ୍ରାର୍ଥୀ କରିବ, ତାଙ୍କୁ ଆଖି ବୁଜି ସମର୍ଥନ କରିବେ। ଏହି କାରଣରୁ ମୁଁ ପଦରୁ ଇସ୍ତଫା ଦେଇଛି।

ଗୋଟିଏ ପଟେ ବିଜେଡି ଅସନ୍ତୁଷ୍ଟଙ୍କୁ ଦଳରେ ରଖିବା ପାଇଁ ଶପଥ ପାଠ କରାଉଥିବା ବେଳେ ଅନ୍ୟପଟେ ଦଳର ଗୋଷ୍ଠୀ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଗଂଜାମ ଧରାକୋଟ୍ ବ୍ଲକ୍ ମୁଣ୍ଡମରାଇ ଗାଁରେ ପଞ୍ଚାୟତ ନାମାଙ୍କନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ରକ୍ତାକ୍ତ ସଂଘର୍ଷ ଏଥିରେ ଉଭୟ ପକ୍ଷର ୩ ଜଣ ଆହତ ହୋଇଛନ୍ତି।

ଏହା ପୂର୍ବରୁ କେନ୍ଦ୍ରାପଡ଼ା ଆଳି ବ୍ଲକ୍ ବଡ଼ଆମ୍ବିଳାରେ ସରପଞ୍ଚ ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବିଜେଡି ସମର୍ଥିତ ମହାଶ୍ୱେତା ପ୍ରଧାନଙ୍କ ନାଁ ଘୋଷଣା ହେବାପରେ ବିବାଦ ତେଜିଥିଲା। କରଞ୍ଜିଆରେ ବି ବିଜେଡିର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଛି। ଠାକୁରମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ସମର୍ଥକଙ୍କୁ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ସମର୍ଥକ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ସେପଟେ ପ୍ରାର୍ଥୀ ଚୟନରେ କୌଣସି ସମସ୍ୟା ନାହିଁ କି ଦଳରେ ଅସନ୍ତୋଷ ନଥିବା କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଆମ ଦଳରେ ଅସନ୍ତୋଷ ବଢ଼ିବ ନାହିଁ। ଯେଉଁଠି ଆଶା ପୂରଣ ହେବାର ଥାଏ, ସେଠାରେ ଆଶାୟୀ ବଢ଼ନ୍ତି। ଆଶାୟୀ ଜାଣନ୍ତି, ବିଜୁ ଜନତା ଦଳ ସବୁ ଜାଗାରେ ଜିତିବ, ତେଣୁ ଆଶାୟୀ ବଢ଼ିବା ସ୍ୱାଭାବିକ। ତେଣୁ ଆମ ଦଳରେ କିଛି ଦ୍ୱନ୍ଦ୍ୱ କି ଅଶାନ୍ତି ନାହିଁ। ଆମ କର୍ମୀ ଆମ ପାଖରେ ରହିବ। ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି କେହି କୁଆଡ଼େ ଯିବେ ନାହିଁ ବୋଲି ପ୍ରମିଳା କହିଛନ୍ତି।