Mohan-majhi
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ପୁଲିସ ଗିରଫ କରିବାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ଆଜି ପୁଲିସ ଡିଜିଙ୍କୁ ଭେଟି ପକ୍ଷପାତପୂର୍ଣ୍ଣ କାର୍ଯ୍ୟରୁ ପୁଲିସ ନିବୃତ୍ତ ରହୁ ବୋଲି ଦାବି କରିଛନ୍ତି । ଏହାସହିତ ବିଧାୟକଙ୍କୁ ଦୁର୍ବ୍ୟବହାର କରିଥିବା ବିଡିଓଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଜେପି ବିଧାୟକମାନେ ଲିଖିତ ଭାବେ ଦାବି ଜଣାଇଛନ୍ତି ।
ବିଜେପି ବିଧାୟକମାନେ ଆଜି ପୁଲିସ ମୁଖ୍ୟାଳୟରେ ପୁଲିସ ଡିଜି ସୁନୀଲ ବନସଲଙ୍କୁ ଭେଟି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫକୁ ତୀବ୍ର ନିନ୍ଦା କରିଛନ୍ତି । ବିଧାୟକଙ୍କୁ ରାଜନୀତିକ ଆକ୍ରୋଶ ରଖି ଯୋଜନାବଦ୍ଧ ଭାବେ ଗିରଫ କରାଯାଇଛି । ଶ୍ରୀ ପାଣିଗ୍ରାହୀ ଜଣେ ଶୃଙ୍ଖଳିତ ବିଧାନସଭା ସଦସ୍ୟ ଭାବେ ସୁପରିଚିତ।
ନିଜ ନିର୍ବାଚନମଣ୍ଡଳୀର ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଶ୍ରୀ ପାଣିଗ୍ରାହୀ ସର୍ବଦା କାର୍ଯ୍ୟରତ । ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଡିଓଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିଲେ ଏବଂ ବିଡିଓ ନିଜେ ମଧ୍ୟ ସମ୍ମତି ଜଣାଇଥିଲେ । ବିଧାୟକ ଶ୍ରୀ ପାଣିଗ୍ରାହୀ ବିଡିଓଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ସେଠାରେ ଅନୁପସ୍ଥିତ ଥିବା ବିଡିଓ ମହାଶୟ ଅନ୍ୟ ସ୍ଥାନକୁ ଆସିବା ପାଇଁ ବିଧାୟକଙ୍କୁ କହିଥିଲେ । ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ବିଧାୟକଙ୍କୁ ବିଡିଓ ସାକ୍ଷାତ କରିନଥିଲେ । ଏପରି କାହିଁକି କରୁଛନ୍ତିି ବୋଲି ପ୍ରଶ୍ନ କରିବାରୁ ବିଡିଓ ଉତକ୍ଷିପ୍ତ ହୋଇ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଅଶ୍ରାବ୍ୟ ଗାଳିଗୁଲଜ କରିବା ସହିତ ତାଙ୍କ ସାର୍ଟ କଲରକୁ ଧରି ମାରିଦେବାର ଧମକ ଦେଇଥିଲେ ।
ଏନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଥାନାରେ ଏତଲା ଦେଇଥିଲେ, କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ମାତ୍ର ବିଧାୟକଙ୍କ ଏତଲାର ୨ ଘଂଟା ବିଳମ୍ବରେ ବିଡିଓଙ୍କ ଏତଲା ଆଧାରରେ ଶାସକ ବିଜେଡିର ନିର୍ଦ୍ଦେଶରେ ଯୋଜନାବଦ୍ଧ ଭାବେ ଚକ୍ରାନ୍ତ ରଚାଯାଇ ଜିଲ୍ଲା ପୁଲିସ ଗତକାଲି ବିଧାୟକଙ୍କୁ ଭୁବନେଶ୍ୱରରୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ । ପୁଲିସ ନିଜେ ଆଇନ ଭାଂଗୁଛି । ବିଧାୟକଙ୍କ ଅଗଣତାନ୍ତ୍ରିକ ଭାବେ ଗିରଫ ଏବଂ ପୋଲିସର ପକ୍ଷପାତିତା ଭୁମିକାକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କଟକସ୍ଥିତ ପୁଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିଛି।
ତେଣୁ ବିଜେପି ଜାଣିବାକୁ ଚାହୁଁଛି ଯେ, ପ୍ରଥମେ ରୁଜୁ ହୋଇଥିବା ବିଧାୟକଙ୍କ ଏତଲାକୁ ନେଇ ପୁଲିସ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ? ବିଧାୟକଙ୍କ ଏତଲା ଆଧାରରେ ବିଡିଓଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? କେଉଁ ପରିସ୍ଥିତିରେ ବିଧାୟକଙ୍କୁ ଗିରଫ କରାଗଲା? ବିଧାୟକ କଣ ଭୁଲ କରିଛନ୍ତି? ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ କଥା ନଶୁଣି ବିଡିଓଙ୍କ ଏତଲାକ୍ରମେ ପୁଲିସ କାହିଁକି ଓ କେଉଁ ଆଇନ ବଳରେ ବିଧାୟକଙ୍କୁ ଗିରଫ କରାଗଲା ? ବିଧାୟକଙ୍କୁ ଏଫଆଇଆର କପି କାହିଁକି ବିଳମ୍ବରେ ଦିଆଗଲା ? ପୁଲିସର ଏଭଳି ପକ୍ଷପାତିତା କାର୍ଯ୍ୟ ବିରୋଧରେ ପୁଲିସ ଡିଜି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବି ଜଣାଇଛି।
ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପ୍ରକାଶ ସୋରେନ, ସୁକାନ୍ତ ନାୟକ, ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ବୁଧନ ମୁର୍ମୁ, କୁସୁମ ଟେଟେ, ସନାତନ ବିଜୁଳି, ଗଣେଷ ରାମ ଖୁଂଟିଆ ଓ ନବଚରଣ ମାଝୀଙ୍କ ସମେତ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ବିନୋଦ ଦାଶ, ଦିଲୀପ ମଲ୍ଲିକ ଓ ସୁଜିତ୍ କୁମାର ଦାସ,ଲଲାଟେନ୍ଦୁ ବଡୁ ପ୍ରମୁଖ ସାମିଲ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/Mohan-majhi.jpg)