ଜାତୀୟ ସ୍ତରରେ ଅନେକ ଘଟଣା ଓ ଦୁର୍ଘଟଣା ଘଟିଯାଇଛି ଆଶା ଓ ଆଶଙ୍କାର ବର୍ଷ ୨୦୨୧ରେ। ଆମର ପ୍ରଥମ ଭାଗର ପ୍ରସ୍ତୁତିରେ ସେ ସଂପର୍କରେ ଉଲ୍ଲେଖ କଲା ବେଳେ ରାଜନୀତିକ କ୍ଷେତ୍ରରେ ଘଟିଯାଇଥିବା ଘଟଣାବଳୀଗୁଡ଼ିକୁ ବାଦ୍ ଦେଇଥିଲୁ। ତେଣୁ ଦ୍ୱିତୀୟ ତଥା ଅନ୍ତିମ ଭାଗର ଏହି ଆଲେଖ୍ୟରେ ଆମେ କେବଳ ରାଜନୀତିକ ଘଟଣାକ୍ରମ ଗୁଡ଼ିକର ଅବତାରଣ କରିଛୁ। ପଢ଼ନ୍ତୁ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା:
୫ ରାଜ୍ୟରେ ବିଧାନସଭା ନିର୍ବାଚନ
- ପଶ୍ଚିମବଙ୍ଗ ଭୋଟିଂ: ଜିତିଲା ତୃଣମୂଳ, ହାରିଲେ ମମତା
ମାର୍ଚ୍ଚ ଓ ଏପ୍ରିଲ ମାସରେ ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବେଙ୍ଗଲରେ ମମତା ବାନାର୍ଜୀଙ୍କୁ ଗାଦିଚ୍ୟୁତ କରିବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ୩ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲା। ଦିଦିଙ୍କ ଦଳର ଅନେକ ହେଭିୱେଟ୍ ନେତା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ। ହେଲେ ଦିଦିଙ୍କ ଦଳ ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଥିଲେ। କିନ୍ତୁ ରୋଚକ କଥା ଦିଦି ନିଜେ ନିର୍ବାଚନ ହାରିଯାଇଥିଲେ। ଦିଦି ଏହି ନିର୍ବାଚନରେ ନିଜର ପାରମ୍ପରିକ ଆସନ ଭବାନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଟିଏମସରୁ ଯାଇ ବିଜେପିରେ ମିଶିଥିବା ଶୁଭେନ୍ଦୁ ଅଧିକାରୀ ସେଠାରେ ତାଙ୍କୁ ହରାଇ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଦିଦି ଭବାନୀପୁର ଉପ ନିର୍ବାଚନରେ ଜିତି ବିଧାନସଭାକୁ ଯାଇଥିଲେ। ୨୯୪ ଆସନ ବିଶିଷ୍ଟ ବେଙ୍ଗଲ ବିଧାନସଭାରେ ଦିଦିଙ୍କ ଟିଏମସି ୨୧୫ଟି ଆସନ ଜିତିଥିବା ବେଳେ ବିଜେପି ଖାତାକୁ ୭୭ଟି ଆସନ ଯାଇଥିଲା। କଂଗ୍ରେସ କିମ୍ବା ବାମଦଳ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। - ଆସାମରେ ବିଜେପିର ପୁଣି ବାଜିମାତ, କିନ୍ତୁ ବଦଳିଲେ ମୁଖ୍ୟମନ୍ତ୍ରୀ
ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ଏଠାରେ ପୁଣିଥରେ କ୍ଷମତା ଦଖଲ କରି ବିଜୟ ବାନା ଉଡ଼ାଇଥିଲା। କିନ୍ତୁ ବିଜେପି ଜିତିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବଦଳି ଥିଲେ। ନିର୍ବାଚନ ପୂର୍ବରୁ ସର୍ବାନନ୍ଦ ସୋନୱାଲ ଆସାମ ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ନିର୍ବାଚନ ପରେ ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସୋନୱାଲଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। ବିଜେପି ଆସାମ ଗଣ ପରିଷଦ ଓ ୟୁପିପିଏଲ ସହ ମିଶି ନିର୍ବାଚନ ଲଢ଼ିଥିଲା। ୧୨୬ ବିଧାନସଭା ଆସନରୁ ବିଜେପି ୬୦ଟିରେ ଜିତିଥିବା ବେଳେ ଆସାମ ଗଣ ପରିଷଦ ୯ଟି, ୟୁପିପିଏଲ ୬ଟି, କଂଗ୍ରେସ ୨୯ଟି, ଏଆଇୟୁଡିଏଫ ୪ଟି, ସିପିଆଇଏମ ୧ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଥିଲେ। - କେରଳରେ ବିଜୟନଙ୍କ ରେକର୍ଡ
କେରଳରେ ବିଧାନସଭା ନିର୍ବାଚନରେ ଏଥର ବାମଦଳ ଇତିହାସ ରଚିଥିଲା। କାରଣ ୪୦ ବର୍ଷ ଧରି ରାଜ୍ୟରେ ଜାରି ରହିଥିବା ପରମ୍ପରା ଏଥର ଭାଙ୍ଗିଥିଲା। ଗତ ୪ ଦଶନ୍ଧି ଧରି କ୍ଷମତାସୀନ ପାର୍ଟି କେବେ ବି ଦ୍ୱିତୀୟଥର ନିର୍ବାଚନ ଜିତି ପାରି ନଥିଲା । କିନ୍ତୁ ଏଥର ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲଡିଏଫ୍) ସରକାର କ୍ଷମତା ବଜାୟ ରଖିବାରେ ସକ୍ଷମ ହୋଇଥିଲା। କେରଳରେ ୧୯୮୦ ମସିହାରୁ ହୋଇଥିବା ବିଧାନସଭା ନିର୍ବାଚନରେ କ୍ଷମତାସୀନ ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡ଼ୁଥିଲା। ହେଲେ ଏଥର ଏଲଡିଏଫ୍ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ୟୁଡିଏଫ୍)କୁ ପଛରେ ପକାଇ ପୁଣିଥରେ କ୍ଷମତା ହାସଲ କରିଥିଲା। ୨୦୧୬ରେ ମାତ୍ର ଗୋଟିଏ ଆସନ ଜିତିଥିବା ବିଜେପି ଏଥର ଖାତା ଖୋଲିପାରିନାହିଁ। ବାମଦଳ ବାଜିମାତ କରିଥିବାରୁ ପନରାୟୀ ବିଜୟନ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।
- ପଶ୍ଚିମବଙ୍ଗ ଭୋଟିଂ: ଜିତିଲା ତୃଣମୂଳ, ହାରିଲେ ମମତା
[caption id="attachment_641474" align="aligncenter" width="650"]
- ତାମିଲନାଡୁରେ ଫେରିଲା ଡିଏମକେ ଶାସନ, ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେଲେ ଷ୍ଟାଲିନ୍
ଦୀର୍ଘ ୧୦ ବର୍ଷ ହେଲା ତାମିଲନାଡୁକୁ ଶାସନ କରୁଥିବା ଏଆଇଏମଡିଏମକେକୁ ହରାଇ ଏମକେ ଷ୍ଟାଲିନଙ୍କ ଡିଏମ୍କେ ପୁଣି ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା। ବିପୁଳ ଜନମତ ସହ ଏହି ନିର୍ବାଚନରେ ଡିଏମକେ ଓ କଂଗ୍ରେସ ମେଣ୍ଟ ଜିତିଥିଲେ। ଷ୍ଟାଲିନ ପ୍ରଥମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଦୀର୍ଘ ୧୦ ବର୍ଷ ଧରି ବିରୋଧୀ ଦଳ ଭାବେ କାର୍ଯ୍ୟ କରିଥିଲେ। ୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମକେ ଓ କଂଗ୍ରେସ ମେଣ୍ଟ ୧୫୯ଟି ଆସନରେ ଜିତିଥିବା ବେଳେ ଆଇଏଡିଏମକେ ମେଣ୍ଟ ମାତ୍ର ୭୫ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ ସାଉଥ ଷ୍ଟାର କମଲ ହାସନଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଁ ଗୋଟିଏ ବି ସ୍ଥାନରେ ଜିତି ପାରି ନଥିଲା। ନିଜେ କମଲ ହାସନ ଦକ୍ଷିଣ କୋଏମ୍ବାଟୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। - ପୁଡୁଚେରୀରେ ଏନଆର କଂଗ୍ରେସ ଓ ବିଜେପି ସରକାର
ନିର୍ବାଚନ ପୂର୍ବରୁ ପୁଡୁଚେରୀରେ କଂଗ୍ରେସ କ୍ଷମତାରେ ରହିଥିଲା। ତେବେ ନିର୍ବାଚନ ପୂର୍ବରୁ ଦଳରେ କନ୍ଦଳ ଦେଖାଯିବା ସହ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଥିଲା। ଏହାର ପ୍ରଭାବ ମଧ୍ୟ ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା। କଂଗ୍ରେସ କ୍ଷମତାରୁ ହଟିଥିବା ବେଳେ ଏନଆର କଂଗ୍ରେସ ଓ ବିଜେପି ମେଣ୍ଟ ଶାସନ ଡୋରି ଧରିଥିଲେ। ଏଥିସହ ଏନ ରଙ୍ଗାସ୍ୱାମୀ ପୁଡୁଚେରୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ
କରୋନା ମୁକାବିଲା ଓ ଅର୍ଥନୀତି ପରିଚାଳନା ନେଇ ସୃଷ୍ଟି ହୋଇଥିବା ଅନେକ ବିବାଦ ଓ ବିଫଳତା, ଲକ୍ ଡାଉନ୍, ଶଟ୍ ଡାଉନ୍, ଔଷଧ ଅଭାବ, ଟିକା ସଂକଟ, ଅଭିବୃଦ୍ଧି ହ୍ରାସ, ଟିକସହାନୀ, ଦରବୃଦ୍ଧି, ନିଯୁକ୍ତିହ୍ରାସ ଆଦି ପ୍ରସଙ୍ଗକୁ ନେଇ ସମାଲୋଚିତ ହେବା ପରେ ନିଜ ସରକାରର ଭାବମୂର୍ତ୍ତି ସୁଧାରିବାକୁ ଶେଷରେ ଜୁଲାଇ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିପରିଷଦ ପୁନର୍ଗଠନ କରିଥିଲେ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅନେକ ନୂଆ ମୁହଁଙ୍କୁ ସାମିଲ କରାଯାଇଥିଲା। ମନ୍ତ୍ରିମଣ୍ଡଳ ଅଦଳବଦଳରେ ଉତ୍ତର ପ୍ରଦେଶ ବିଧାନସଭାକୁ ଦୃଷ୍ଟିରେ ରଖାଯାଇଥିଲା। ଏଥିପାଇଁ ଉତ୍ତର ପ୍ରଦେଶର ସର୍ବାଧିକ ସାଂସଦ ମୋଦିଙ୍କ ଟିମ୍ରେ ସାମିଲ ହୋଇଥିଲେ।
ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣ ଓକିଲ, ୬ ଜଣ ଡାକ୍ତର, ୫ ଜଣ ଇଂଜିନିଅର, ୭ ଜଣ ପ୍ରଶାସକ, ୭ ଜଣ ପିଏଚଡି ଡିଗ୍ରୀ ପ୍ରାପ୍ତ ଗବେଷକ ଓ ୩ ଜଣ ଏମବିଏ ଡିଗ୍ରୀଧାରୀ ଉଚ୍ଚଶିକ୍ଷିତ ତାଲିମପ୍ରାପ୍ତ ପେସାଦାର ଅଛନ୍ତି। ଏହାବାଦ ନୂଆ ମନ୍ତ୍ରିମଣ୍ଡଳରେ ଅନ୍ୟାନ୍ୟ ପଛୁଆ ବର୍ଗରୁ ୨୭ ଜଣଙ୍କୁ ପ୍ରତିନିଧିତ୍ୱ ମିଳିଥିବାବେଳେ ତଫସିଲଭୁକ୍ତ ଜାତି ଓ ଉପଜାତିରୁ ୨୦ ଜଣଙ୍କୁ ସାମିଲ କରାଯାଇଥିଲା। ସେହିପରି ମୋଦିଙ୍କ ଟିମ୍ରେ ୧୧ ଜଣ ମହିଳା, ୫୦ ବର୍ଷ ବୟସରୁ କମ୍ ୧୪ ଜଣ ଯୁବକ ଓ ୫ ଜଣ ସଂଖ୍ୟାଲଘୁଙ୍କୁ ମଧ୍ୟ ରହିଛନ୍ତି।
ଆଞ୍ଚଳିକ ଦୃଷ୍ଟିକୋଣରୁ ଅନୁଶୀଳନ କଲେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମନ୍ତ୍ରିପରିଷଦ ପୁନର୍ଗଠନରେ ପ୍ରତିନିଧିତ୍ୱ ଦିଆଯାଇ ଏହାକୁ ଏକ ସର୍ବଭାରତୀୟ ଚେହେରା ପ୍ରଦାନ କରାଯାଇଛି। ମୋଦିଙ୍କ ନୂଆ ମନ୍ତ୍ରୀଙ୍କ ସଂଖ୍ୟା ହେଉଛି ୪୩। ଓଡ଼ିଶାର ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ।
[caption id="attachment_637478" align="aligncenter" width="650"]
ମୋଦିଙ୍କ ଟିମ୍ରୁ ବହୁ ହେଭିୱେଟ ବିଦା
ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଅନେକ ହେଭିୱେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟିମ୍ରୁ ବାଦ ଦେଇଥିଲେ। ଏହାକୁ ନେଇ ଚଳିତ ବର୍ଷ ବେଶ ବାଦବିବାଦ ଦେଖାଯାଇଥିଲା। ମନ୍ତ୍ରୀ ପଦ ହରାଇଥିବା ହେଭିୱେଟଙ୍କ ମଧ୍ୟରେ ଡା ହର୍ଷବର୍ଦ୍ଧନ(ସ୍ୱାସ୍ଥ୍ୟମନ୍ତ୍ରୀ), ବାବୁଲ ସୁପ୍ରିଓ(ପରିବେଶ ରାଷ୍ଟ୍ରମନ୍ତ୍ରୀ), ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ( ଏମଏସ୍ଏମଇ ରାଷ୍ଟ୍ରମନ୍ତ୍ରୀ), ରମେଶ ପୋଖରିୟାଲ ନିଶଙ୍କ(ଶିକ୍ଷା ମନ୍ତ୍ରୀ), ସନ୍ତୋଷ ଗଙ୍ଗୱାର(ଶ୍ରମ ରାଷ୍ଟ୍ରମନ୍ତ୍ରୀ), ଥାୱରଚାନ୍ଦ ଗେହଲଟ(ସାମାଜିକ ନ୍ୟାୟ ମନ୍ତ୍ରୀ), ସଦାନନ୍ଦ ଗୌଡ଼ା(ସାର ଓ ରସାୟନ ମନ୍ତ୍ରୀ), ରାଓ ସାହେବ ଧାନଭେ ପାଟିଲ( ଖାଉଟି ବ୍ୟାପର ରାଷ୍ଟ୍ରମନ୍ତ୍ରୀ), ଦେବଶ୍ରୀ ଚୌଧୁରୀ(ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ), ରତନ ଲାଲ କଟାରିଆ(ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ), ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରହିଥିଲେ।
ଉପ ନିର୍ବାଚନରେ ବିଜେପି ମୂଳପୋଛ
ହିମାଚଳ ପ୍ରଦେଶରେ କ୍ଷମତାସୀନ ବିଜେପିକୁ ଉପ ନିର୍ବାଚନରେ ଜୋରଦାର ଝଟକା ଲାଗିଥିଲା। ନଭେମ୍ବର ୨ରେ ପ୍ରକାଶ ପାଇଥିବା ୩ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଉପ ନିର୍ବାଚନ ରେଜଲ୍ଟ କଂଗ୍ରେସ ସପକ୍ଷରେ ଯାଇଥିଲା। ବିଜେପି ଏଠାରେ କ୍ଷମତାରେ ଥିବାରୁ ଉପ ନିର୍ବାଚନ ଫଳଫଳ ଦଳ ସପକ୍ଷରେ ଯିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ କଂଗ୍ରେସ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ସହ ସମସ୍ତ ୩ ବିଧାନସଭା ଆସନ ଫତେପୁର, ଅରକି ଓ ଜୁବ୍ବାଲ କୋଟଖାଇରେ ବିଜୟ ବାନା ଉଡ଼ାଇଥିଲା। ବିଜେପି କୌଣସି ଆସନରେ ବି ଜିତିବାକୁ ସକ୍ଷମ ହୋଇନଥିଲା।
ମଥୁରା, ଅଯୋଧ୍ୟା ଓ ବାରାଣସୀରେ ଗଡ଼ ବଞ୍ଚାଇ ପାରିଲାନି ବିଜେପି
ଉତ୍ତର ପ୍ରଦେଶର ପଞ୍ଚାୟନ ନିର୍ବାଚନରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବଡ଼ ଝଟକା ଲାଗିଥିଲା। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ବଡ଼ ବିଜୟ ହାସଲ କରିଥିଲା। ବିଜେପି ଗଡ଼ କୁହାଯାଉଥିବା ବାରାଣସୀ, ଅଯୋଧ୍ୟା ଓ ମଥୁରାରେ ସମାଜବାଦୀକୁ ବିପୁଳ ସଫଳତା ମିଳିଥିଲା। ବାରାଣସୀରେ ଥିବା ୪୦ଟି ଜିଲ୍ଲା ପଞ୍ଚାୟତ ଆସନରୁ ବିଜେପି ଖାତାକୁ ମାତ୍ର ୮ଟି ସିଟ୍ ଯାଇଥିଲା। ସେହିପରି ସପାକୁ ୧୪ ଓ ବିଏସପିକୁ ୫ ସିଟ୍ ମିଳିଥିଲା। ଏଠାରେ ଅପନା ଦଳ ୩ ସିଟ୍, ଆମ୍ ଆଦମୀ ପାର୍ଟି ଓ ସୁଭାଏସପି ଗୋଟିଏ ଲେଖାଏ ଆସନ ଜିତିଥିଲେ। ମଥୁରାରେ ମାୟାବତୀଙ୍କ ବିଏସପି ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ରାଷ୍ଟ୍ରୀୟ ଲୋକଦଳ ୯ଟି ସିଟରେ ବିଜୟୀ ହୋଇଛି। ବିଜେପି ଖାତାକୁ ୮ଟି ସିଟ୍ ଯାଇଥିଲା। ଅଯୋଧ୍ୟାର ୪୦ଟି ପଞ୍ଚାୟତ ସିଟ୍ ମଧ୍ୟରୁ ସମାଜବାଦୀ ପାର୍ଟି ୨୪ଟି ଆସନରେ ବାଜିମାତ୍ କରିଥିବା ବେଳେ ବିଜେପି ମାତ୍ର ୬ଟି ଏବଂ ବିଏସପି ୫ଟିରେ ବିଜୟୀ ହୋଇଥିଲା।
[caption id="attachment_676767" align="aligncenter" width="650"]
ଦଳ ଡିଆଁ ରାଜନୀତି
ଚଳିତ ବର୍ଷ ଅନେକ ରାଜନେତା ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଥିବା ଦେଖିବାକୁ ମିଳିଛି। ବିଶେଷ କରି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଏହି ଦଳ ଡିଆଁ ରାଜନୀତି ଜୋରଦାର ହୋଇଥିଲା। ଟିଏମସିର ଅନେକ ହେଭିୱେଟ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ। ଏମାନଙ୍କ ମଧ୍ୟରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ସବୁଠାରୁ ଆଗରେ ରହିଥିଲା। ଏହାବାଦ କହ୍ନୈୟା କୁମାର ବାମଦଳ ଛାଡ଼ି କଂଗ୍ରେସରେ, ବାବୁଲ ସୁପ୍ରିୟୋ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଛନ୍ତି।
ବିଜେପି ବିଧାୟକ ମୁକୁଲ ରୟଙ୍କ ଘର ବାହୁଡ଼ା ୨୦୨୧ରେ ଦେଖିବାକୁ ମିଳିଥିଲା। ସେ ଟିଏମସି ଛାଡ଼ି ୨ ବର୍ଷ ତଳେ ବିଜେପିରେ ମିଶିଥିଲେ। କିନ୍ତୁ ୨୦୨୧ରେ ସେ ପୁଣି ଟିଏମସିକୁ ଫେରିଛନ୍ତି। ମହିଳା କଂଗ୍ରେସର ଅଧ୍ୟକ୍ଷ ସୁସ୍ମିତା ଦେବ ଅଗଷ୍ଟ ମାସରେ ଦଳ ଛାଡ଼ିବା ପରେ ଟିଏମସିରେ ମିଶିଛନ୍ତି। ତାଙ୍କୁ ଦଳ ରାଜ୍ୟସଭାକୁ ମଧ୍ୟ ପଠାଇଛି।
ମହାରାଷ୍ଟ୍ରରେ ଦେଶମୁଖ-ପରମବୀର କଳି
ଚଳିତ ବର୍ଷ ମହାରାଷ୍ଟ୍ରରେ ମନ୍ତ୍ରୀ ଓ ଆଇପିଏସ କଳି ବେଶ ଚର୍ଚ୍ଚାର ବିଷୟ ରହିଥିଲା। ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ବଟି ଆଦାୟ ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିରୋଧୀ ବିଜେପି ମନ୍ତ୍ରୀ ଦେଶମୁଖଙ୍କୁ ଟାର୍ଗେଟ କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଦେଶମୁଖଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା।
[caption id="" align="aligncenter" width="1000"]
ସେହିପରି ପରମବୀରଙ୍କ ନାଁରେ ଏକାଧିକ ଠକେଇ ଓ ବଟି ଆଦାୟକ ମାମଲା ମଧ୍ୟ ରୁଜୁ ହୋଇଥିଲା। ସେ ଦୀର୍ଘଦିନ ଫେରାର ରହିବା ପରେ ଏବେ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହାବାଦ ମହାରାଷ୍ଟ୍ରର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ନବାବ ମଲିକ ଓ ଏନସିବିର ଜୋନାଲ ନିର୍ଦ୍ଦେଶକ ସୀମର ୱାଙ୍ଖଡେଙ୍କ କଳି ମଧ୍ୟ ଚଳିତ ବର୍ଷ ଦେଖିବାକୁ ମିଳିଥିଲା। ସରକାରଙ୍କୁ ବଦନାମ କରିବା ପାଇଁ ସମୀର ବିଜେପି କଥାରେ କାମ କରୁଥିବା ମଲିକ କହିବା ପରେ ରାଜନୀତିକ ବୟାନବାଜୀ ତୀବ୍ର ହୋଇଥିଲା।
୩ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଲା ବିଜେପି
ବିଜେପି ଶାସିତ ଗୁଜରାଟ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀମାନେ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଥିଲା। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବିଜୟ ରୁପାଣୀ ହଠାତ୍ ସେପ୍ଟେମ୍ବର ମଧ୍ୟ ଭାଗରେ ଇସ୍ତଫା ଦେଇଥିଲେ। ଏହାପରେ ଭୂପେନ୍ଦ୍ର ପଟେଲ ସେପ୍ଟେମ୍ବର ୧୩ରେ ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦ୍ୟୁରପ୍ପା ଜୁଲାଇ ୨୬ରେ ଇସ୍ତଫା ଦେଇଥିଲେ। ଏହାପରେ ଜୁଲାଇ ୨୭ରେ ବାସବରାଜ ବୋମାଇଙ୍କୁ ବିଜେପି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ଦେଇଥିଲା। ଜୁଲାଇ ୪ ତାରିଖରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂହ ଧାମି ଶପଥ ନେଇଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ତୀରଥ ସିଂହ ରାୱତ ରାଜ୍ୟପାଳଙ୍କୁ ଭେଟି ଜୁଲାଇ ୨ରେ ଇସ୍ତଫା ଦେଇଥିଲେ। ସେ ୪ ମାସ ଏହି ପଦରେ କାମ କରିଥିଲେ।
[caption id="attachment_648062" align="aligncenter" width="650"]
କଣ୍ଟା ସାଜିଲେ ସିଦ୍ଧୁ, ବଳି ପଡ଼ିଲେ କ୍ୟାପ୍ଟେନ
ଚଳିତ ବର୍ଷ ଶେଷ ଭାଗରେ ପଞ୍ଜାବରେ କ୍ଷମତାସୀନ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ହୋଇଥିଲା। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ କଳି ବିସ୍ଫୋରକ ରୂପ ନେଇଥିଲା। ଏହାପରେ ସିଦ୍ଧୁଙ୍କ କଥାରେ ପରିଚାଳିତ ହୋଇ କଂଗ୍ରେସ ହାଇକମାଣ୍ଡ କ୍ୟାପ୍ଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ। ଏହାପରେ ସେ ପଦ ଛାଡ଼ିଥିଲେ। କ୍ୟାପ୍ଟେନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାରୁ ଚରଣଜିତ ସିଂହ ଚନ୍ନିଙ୍କୁ କଂଗ୍ରେସ ପଞ୍ଜାବର ମୁଖ୍ୟମନ୍ତ୍ରୀ କରିଥିଲା। ତେବେ ସିଦ୍ଧୁଙ୍କ ଦଳ ବିରୋଧୀ ବୟାନବାଜୀ ଏବେ ବି ଜାରି ରହିଛି। ସେହିପରି ଆସନ୍ତାବର୍ଷର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାପ୍ଟେନ ନୂଆ ଦଳ ମଧ୍ୟ ଗଠନ କରିଛନ୍ତି। କ୍ୟାପ୍ଟେନଙ୍କ ଦଳ ଗଠନ କରିବା ସହ ବିଜେପି ସହ ମିଶି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।
ରାଜ୍ୟସଭାରୁ ଡେରେକ ଓ ଅନ୍ୟ ୧୨ ସାଂସଦ ନିଲମ୍ବିତ
ମୌସୁମୀ ଅଧିବେଶନରେ ହଟ୍ଟଗୋଳ ପାଇଁ ଶୀତ ଅଧିବେଶନରେ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ନଭେମ୍ବର ୩୦ରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ବିଶୃଙ୍ଖଳିତ ଆଚରଣ ପାଇଁ ବିରୋଧୀ ଦଳର ୧୨ ଜଣ ସଦସ୍ୟଙ୍କୁ ଗୃହର ନିଲମ୍ବିତ କରିଥିଲେ। ଏହାକୁ ନେଇ ସାଂସଦମାନେ ସଂସଦର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ, ଦୁଇ ଜଣ ଟିଏମସି, ୨ ଜଣ ଶିବସେନା ଓ ସିପିଏମ ଓ ସିପିଆଇରୁ ଜଣେ ଲେଖାଏ ଅଛନ୍ତି।
ସେହିପରି ନିର୍ବାଚନ ସଂଶୋଧନ ବିଲ୍କୁ ରାଜ୍ୟସଭାରେ ବିରୋଧ କରିବାରୁ ଟିଏମସି ସାଂସଦ ଡେରେକ ଓବ୍ରାଏନଙ୍କୁ ଡିସେମ୍ବର ୨୧ରେ ରାଜ୍ୟସଭା ଉପାଧ୍ୟକ୍ଷ ପୂରା ଅଧିବେଶନରୁ ନିଲମ୍ବିତ କରିଛନ୍ତି। ଏହି ଘଟଣାରକୁ ବିରୋଧୀ ନାସପନ୍ଦ କରିବା ସହ ସରକାରଙ୍କୁ ଘେରିଥିଲେ। ଡେରେକ ରାଜ୍ୟସଭାର ରୁଲ ବୁକ୍କୁ ଉପାଧ୍ୟକ୍ଷଙ୍କ ଉପରକୁ ଫୋପାଡ଼ି ଥିବା ଅଭିଯୋଗ ହୋଇଛି। ରୁଲ ବୁକ୍ ଫିଙ୍ଗିବା ପରେ ସେ ଗୃହର ବାହାରକୁ ଚାଲି ଯାଇଥିଲେ। କିନ୍ତୁ ଏଭଳି ଆଚରଣ ପାଇଁ ଗୃହର ଉପାଧ୍ୟକ୍ଷ ତାଙ୍କୁ ଶୀତ ଅଧିବେଶନରୁ ସଂପୂର୍ଣ୍ଣ ଭାବେ ନିଲମ୍ବିତ କରିଛନ୍ତି।