Advertisment

ପୁରୀ ନେତାଙ୍କୁ ଲଗାମ: ପ୍ରଚାର କର, ସଂଗଠନରେ ମୁଣ୍ଡ ପୁରାଅ ନାହିଁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନକୁ ଆଖିରେ ରଖି ଶାସକ ବିଜେଡି ୬୯କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସହ ସଂଗଠନକୁ ସଜାଡ଼ିବା ପାଇଁ ପ୍ରାୟ ଦେଢ଼ମାସରୁ ଅଧିକ ଦିନ ଆଗଧାଡ଼ିର ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛି। ଗତ ୧୫ଦିନ ପୂର୍ବରୁ ଆଉ ପ୍ରାୟ ୨୦୦ନେତାଙ୍କୁ ପଂଚାୟତ ଓ ଏଏନଏସି ୱାର୍ଡ ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ବିଜେଡି ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାର କୌଣସି ଆଗଧାଡ଼ିର ନେତାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିନି। ଏପରିକି ପୁରୀ ଜିଲ୍ଲାରୁ ଦୁଇ […]

ଅଦ୍ୟତନ ହୋଇଛି
ପୁରୀ ନେତାଙ୍କୁ ଲଗାମ: ପ୍ରଚାର କର, ସଂଗଠନରେ ମୁଣ୍ଡ ପୁରାଅ ନାହିଁ !

sanjay-das-barma-and-Pinaki-Mishra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନକୁ ଆଖିରେ ରଖି ଶାସକ ବିଜେଡି ୬୯କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସହ ସଂଗଠନକୁ ସଜାଡ଼ିବା ପାଇଁ ପ୍ରାୟ ଦେଢ଼ମାସରୁ ଅଧିକ ଦିନ ଆଗଧାଡ଼ିର ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛି। ଗତ ୧୫ଦିନ ପୂର୍ବରୁ ଆଉ ପ୍ରାୟ ୨୦୦ନେତାଙ୍କୁ ପଂଚାୟତ ଓ ଏଏନଏସି ୱାର୍ଡ ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ବିଜେଡି ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାର କୌଣସି ଆଗଧାଡ଼ିର ନେତାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିନି। ଏପରିକି ପୁରୀ ଜିଲ୍ଲାରୁ ଦୁଇ ଦୁଇଜଣ ମନ୍ତ୍ରୀ, ହେଭିୱେଟ୍ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ସାଂସଦ ପିନାକୀ ମିଶ୍ରଙ୍କ ସମେତ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ରହିଥିଲେ ମଧ୍ୟ ସେମାନଙ୍କୁ ବିଜେଡି, ପିପିଲିରେ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କରିନି। କେବଳ ସେମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଥିବା ଜଣାପଡ଼ିଛି।

Advertisment

ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନରେ ଜିଲ୍ଲାର ନେତାମାନେ ନିର୍ବାଚନ ପରିଚାଳନାର ମଙ୍ଗ ଧରିଥିବାବେଳେ ପିପିଲି ପାଇଁ ବିଜେଡିର ଭିନ୍ନ ରଣନୀତି ଆପଣାଇ ଜିଲ୍ଲାର ଆଗାଧାଡ଼ିର ନେତାମାନଙ୍କୁ କୋଣଠେସା କରିଛି। ସ୍ଥାନୀୟ ରାଜନୀତିକ ଓ ସାମାଜିକ ସମୀକରଣକୁ ଜିଲ୍ଲାର ଏହି ଆଗଧାଡ଼ିର ନେତାମାନେ ଭଲଭାବେ ବୁଝୁଥିଲେ ମଧ୍ୟ ସେମାନଙ୍କୁ କେବଳ ପିପିଲି ଆସନରେ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିଥିବାରୁ ଏବେ ପିପିଲି ନିର୍ବାଚନମଣ୍ଡଳୀରେ ଚାପା ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ପାଇଁ ବିଜେଡି ଗତ ଫେବୃୟାରୀ ମାସରୁ ନିଜର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନକୁ ସଜାଡ଼ିବା କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ ପିପିଲି ଏନଏସି ପାଇଁ ବିଧାୟକ ସୁଧୀର ସାମଲ, ପିପିଲି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ପ୍ରଶାନ୍ତ ମୁଦୁଲି, ଡେଲାଙ୍ଗ ବ୍ଲକ ପାଇଁ ଉମାକାନ୍ତ ସାମନ୍ତରାୟ ଓ ବିଭୂତି ବଳବନ୍ତରାୟଙ୍କୁ ସଂଗଠନକୁ ସଜାଡ଼ିବା ପାଇଁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା।

Advertisment

ତେବେ ନୂଆଶାସନ ପଂଚାୟତ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଜିତିବାପରେ ସେଠାରେ ପ୍ରଚାରର ମଙ୍ଗ ଧରିଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପିପିଲି ବ୍ଲକର ନିର୍ବାଚନୀ କାର୍ଯ୍ୟରେ ଦୂରେଇ ରହିଛନ୍ତି। ଯଦିଓ ସମଗ୍ର ପିପିଲି ବ୍ଲକ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଅତନୁ ସବ୍ୟସାଚୀ ନାୟକଙ୍କ ସହ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଦାୟିତ୍ୱ ମିଳିଛି । କିନ୍ତୁ ଅତନୁଙ୍କ ଭଳି ଶ୍ରୀ ଦାଶ କୌଣସି ଗୋଟିଏ ବି ପଂଚାୟତ ଦାୟିତ୍ୱରେ ରହିନାହାନ୍ତି।

ପୁରୀ ଜିଲ୍ଲାରୁ କେବଳ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବାଦ୍ ଦେଲେ ଜିଲ୍ଲାର ଅନ୍ୟ କୌଣସି ବିଧାୟକ ଓ ସାଂସଦଙ୍କୁ ଦଳ ପିପିଲି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିନାହିଁ। ଏପରିକି ଗତ ମାର୍ଚ୍ଚ ୧୫ତାରିଖରେ ବିଜେଡି ପକ୍ଷରୁ ପିପିଲି ବ୍ଲକର ୨୫ ପଂଚାୟତ,ଡେଲାଙ୍ଗ ବ୍ଲକର ୨୧ ପଂଚାୟତ ଓ ପିପିଲି ଏନଏସିର ୧୬ଟି ୱାର୍ଡ ପାଇଁ ପ୍ରାୟ ୨୦୦ଜଣ ନେତାଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ ଏଥିରେ ପୁରୀ ଜିଲ୍ଲାର କୌଣସି ବିଧାୟକ କିମ୍ବା ଆଗଧାଡ଼ିର ବରିଷ୍ଠ ନେତାଙ୍କୁ ସାମିଲ କରାଯାଇନାହିଁ।

ସେହିପରି ଆଶ୍ଚର୍ଯ୍ୟଜନକ ଭାବେ ବିଜେଡି, ପିପିଲିରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଦୃଢ଼ ସଂଗଠକ ସଞ୍ଜୟ ଦାସବର୍ମାଙ୍କୁ ସାମିଲ କରିନି। ଦଳର ୨ଜଣ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସମୀର ରଞ୍ଜନ ଦାଶ(ଯଥାକ୍ରମେ କାକଟପୁର ଓ ନିମାପଡ଼ା ନିର୍ବାଚନମଣ୍ଡଳୀ)ଙ୍କୁ ମଧ୍ୟ ପଂଚାୟତ ଓ ବ୍ଲକ ଦାୟିତ୍ୱରୁ ଦୂରେଇ ରଖିଛି। ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ମଧ୍ୟ ଏପର୍ଯ୍ୟନ୍ତ ପ୍ରଚାର ମଇଦାନ କିମ୍ବା ସାଂଗଠନିକ କାର୍ଯ୍ୟକୁ ଓହ୍ଲାଇ ନାହାନ୍ତି। ସବୁଠୁ ବଡ଼କଥା ଦଳର ସାଂସଦ ପିନାକୀ ମିଶ୍ର ପୁରୀ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିପିଲି ନିର୍ବାଚନମଣ୍ଡଳୀରେ ପ୍ରବେଶ କରିପାରିନାହାନ୍ତି।

ପୁରୀଜିଲ୍ଲାର ଏହି ହେଭିୱେଟ୍ ନେତାମାନଙ୍କୁ ବିଜେଡି ସୁପ୍ରିମୋ ଓ ତାଙ୍କ ଟିମ୍ ଏପର୍ଯ୍ୟନ୍ତ ପିପିଲି ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରୁନଥିବାରୁ ପିପିଲିରେ ଦଳୀୟ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ସ୍ଥାନୀୟ ରାଜନୀତିକ ଓ ସାମାଜିକ ସମୀକରଣକୁ ବୁଝୁଥିବା ପୁରୀ ଜିଲ୍ଲାର ଏହି ନେତାମାନଙ୍କୁ ବିଜେଡି ଦୂରେଇ ରଖି ବାହାରର ଦଳୀୟ ନେତାମାନଙ୍କୁ ସେଠାରେ ପଂଚାୟତରେ ଭୋଟ୍ ବଢ଼ାଇବା ଦାୟିତ୍ୱ ଦେଇଥିବାରୁ ତାହା ବିଶେଷ ପ୍ରଭାବୀ ହୋଇପାରୁନଥିବା ଚର୍ଚ୍ଚା ହେଉଛି।

ଏପରିକି ପଂଚାୟତ ଦାୟିତ୍ୱରେ ଥିବା ବିଜେଡି ନେତାମାନେ( ଜିଲ୍ଲା ବାହାରର ୪ରୁ ୬ଜଣ) ସ୍ଥାନୀୟ ଦଳୀୟ କର୍ମୀଙ୍କୁ ଧରି ପ୍ରଚାର କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ରହିଥିବା ଛକାପଞ୍ଝାକୁ ଦୂର କରିବାରେ ସକ୍ଷମ ହେଉନାହାନ୍ତି। କେତେକ ସ୍ଥାନରେ ଏହି ନେତାମାନଙ୍କ ଉପସ୍ଥିତିରେ ହିଁ ବିଜେଡିର ଉଗ୍ର ଗୋଷ୍ଠୀକନ୍ଦଳ ବି ପ୍ରତିଫଳିତ ହେଉଥିବା ଜଣାପଡ଼ିଛି। ପୁରୀ ଜିଲ୍ଲାର ନେତାମାନଙ୍କୁ ଲଗାମ ଦେବାକୁ ଯାଇ ବିଜେଡି ନେତୃତ୍ୱ ନେଇଥିବା ନିଷ୍ପତ୍ତି ଦଳୀୟ ପ୍ରାର୍ଥୀଙ୍କୁ ମହଙ୍ଗା ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe