/odisha-reporter/media/post_attachments/uploads/2022/12/999.jpg)
Pramila Malik
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କ ଚାପରେ ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ‘ପଦ୍ମପୁର’ ଉପଖଣ୍ଡକୁ ରାଜ୍ୟର ୩୧ତମ ଜିଲ୍ଲା ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବାର ୧୫ଦିନ ନପୂରୁଣୁ ତାହା ପ୍ରତାରଣାରେ ବଦଳି ଯାଇଛି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ଦିଗରେ କୌଣସି ଯୋଜନା ସରକାରୀସ୍ତରରେ ହୋଇନଥିବା ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାର ବୋଲି ଆଜି ପ୍ରମାଣିତ ହୋଇଛି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ ମିଛକୁ ପଦାକୁ ଆଣିଛନ୍ତି ।
ସୂଚନା ଅନୁସାରେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବାବେଳେ ଆଜି ବିଜେଡିର ବରିଷ୍ଠ ଉପସଭାନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶାସକ ଦଳର ସଭ୍ୟ ରାଜକିଶୋର ଦାସଙ୍କ ତାରକା ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଯେ, “ରାଜ୍ୟରେ ନୂତନ ଜିଲ୍ଲା ଘୋଷଣା କରିବା ପାଇଁ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖରେ ବିଚାରାଧୀନ ନାହିଁ ।” ଅର୍ଥାତ୍ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାର କୌଣସି ପ୍ରସ୍ତାବ ମଧ୍ୟ ସରକାରଙ୍କ ବିଚାରାଧୀନ ନଥିବା ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ସ୍ପଷ୍ଟ କରିଛନ୍ତି । ଯଦିଓ ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାର ୧୫ଦିନ ବିିତିଗଲାଣି । ସରକାରୀସ୍ତରରେ ଏଭଳି କୌଣସି ପ୍ରସ୍ତାବ ନଥିବା ରାଜସ୍ୱ ମନ୍ତ୍ରୀ ବିଧାନସଭାରେ କହିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମପୁରବାସୀଙ୍କୁ ଭଣ୍ଡେଇଥିବା ସ୍ପଷ୍ଟ ହୋଇଛି ।
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ କରୁଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଗତ ନଭେମ୍ବର ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ସାକ୍ଷାତ ପରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଉମେଶ ଚନ୍ଦ୍ର ସାହୁ କହିଥିଲେ ଯେ, “ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରକ୍ରିୟା ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ । ଏବେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିବାରେ ସମସ୍ୟା ରହିଛି । କିନ୍ତୁ ଉପନିର୍ବାଚନୀ ଇସ୍ତାହାରରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ଦାବିକୁ ବିଜେଡି ସାମିଲ କରିବ ।”
ଆଜି ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଗୃହରେ ଲିଖିତ ଭାବେ ରାଜ୍ୟରେ ନୂଆ ଜିଲ୍ଲା ଘୋଷଣା କରିବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ ବୋଲି କହି ଖୋଲାଖୋଲି ଭାବେ ପଦ୍ମପୁରବାସୀଙ୍କ ଦୀର୍ଘଦିନର ଦାବି ଉପରେ ମୁଖ୍ୟମନ୍ତ୍ରୀ ଯେଉଁ ଆଶା ସଂଚାର କରିଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏହି କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନଙ୍କୁ ଅନୁରୂପ ପ୍ରତିଶ୍ରୁତି ଦେଇଥିଲେ । ତାହା ପ୍ରତାରଣା ସାବ୍ୟସ୍ତ ହୋଇଥିଲା । ଏବେପୁଣି ଉପନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନଙ୍କୁ ଗତ ୧୫ଦିନ ତଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୁଣିଥରେ ପ୍ରତାରଣା ପାଲଟିଛି ।
ଯଦିଓ ନୂଆ ଜିଲ୍ଲା ଗଠନ ଦାବି ରାଜ୍ୟର ବିଭିନ୍ନ ଭାଗରୁ ହେଉଛି ଓ ରାଜ୍ୟ ସରକାରଙ୍କ ଉପରେ ଏନେଇ ପ୍ରବଳ ଚାପ ରହିଛି । ତଥାପି ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନରେ ତାଳିପକା ସମାଧାନ ପାଇଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ୨୦୨୩ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି କହି ଶାସକ ବିଜେଡି ଯେଉଁ ପ୍ରୟାସ କରିଥିଲା ତାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଫିକା କରିଦେଇଛନ୍ତି ।
ସୂଚନାଯୋଗ୍ୟ, ଆଜି ଝାରବନ୍ଧରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଏକ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ମୁଖ୍ୟମନ୍ତ୍ରୀ ଯଦି ବାସ୍ତବରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଚାହୁଁଛନ୍ତି କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇ ଆସନ୍ତାକାଲି ବିଜ୍ଞପ୍ତି ଧରି ପଦ୍ମପୁର ଆସନ୍ତୁ ବୋଲି ଆହ୍ୱାନ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
