BJD
ସାଧାରଣ ନିର୍ବାଚନ ପୂର୍ବରୁ ଅଣଏନଡିଏ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ପ୍ରୟାସ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ଭେଟଘାଟ ରାଜନୀତିକ ନୁହେଁ ବରଂ ସୌଜନ୍ୟମୂଳକ ଥିଲା ବୋଲି ନୀତିଶ ଓ ନବୀନ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି । ତେବେ ନୀତିଶଙ୍କ ସହ ନବୀନ ନିବାସ ଆସିଥିବା ଜେଡିୟୁ ଜାତୀୟ ସଭାପତି ରାଜୀବ ରଞ୍ଜନ ଓରଫ ଲଲନ ସିଂ ଓ ଜାତୀୟ ସାଧାରଣ ସମ୍ପାଦକ ତଥା ବିହାର ସରକାରରେ ମନ୍ତ୍ରୀ ସଞ୍ଜୟ କୁମାର ଝା’ଙ୍କ ସହ ମଧ୍ୟାହ୍ନ ଭୋଜନ ନକରିବାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି ।
ସମଦୂରତ୍ୱର ଆଳ ଦେଖାଇ ନିୟମିତ ଭାବେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଅଯାଚିତ ସମର୍ଥନ ଦେଇ ଆସୁଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୀତିଶଙ୍କ ପ୍ରୟାସରେ ଚାଲିଥିବା ବିରୋଧୀ ମେଂଟରେ ସାମିଲ ହୋଇ ମୋଦିଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବା ରାଜନୀତିକ ମହଲରେ ଆଲୋଚନା ହେଉଛି । ତେବେ ନିଜର ଆତିଥ୍ୟ ଓ ‘ଅତିଥି ଦେବୋ ଭବ’କୁ ନେଇ ଓଡ଼ିଶା ଗର୍ବ କରୁଥିବାବେଳେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କିଭଳି ନିଜ ଘରକୁ ଆସିଥିବା ଗୋଟିଏ ପ୍ରମୁଖ ରାଜନୀତିକ ଦଳର ମୁଖ୍ୟଙ୍କଠୁ ଦୂରେଇ ରହିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନା ଅନୁସାରେ, ଏନଡିଏ ତଥା ବିଜେପି ବିରୋଧୀ ମେଂଟ ଗଠନ ପାଇଁ ବିଭିନ୍ନ ଅଣଏନଡିଏ ଦଳଗୁଡ଼ିକ ସହ ଯୋଗାଯୋଗ କରୁଥିବା ଜେଡିୟୁ ନେତା ନୀତିଶ କୁମାର ଆଜି ନିଜର ଦୁଇ ସହଯୋଗୀ ଜେଡିୟୁ ସଭାପତି ଲଲନ ସିଂ ଓ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଝା’ଙ୍କ ସହ ଓଡ଼ିଶା ଆସିଥିଲେ । ନବୀନ ନିବାସରେ ଏହି ନେତାମାନେ ୧୨ଟା ୩୫ରୁ ୧ଟା ୫୫ମିନିଟ୍ ପର୍ଯ୍ୟନ୍ତ ରହିଥିଲେ । ନବୀନ ଓ ନୀତିଶଙ୍କ ମଧ୍ୟରେ ଆଲୋଚନାରେ ରାଜନୀତିକ ପ୍ରସଙ୍ଗ ସ୍ଥାନ ପାଇନି ବୋଲି ଦୁଇ ନେତା ଗଣମାଧ୍ୟମକୁ ଆସି ବୟାନ ରଖିଥିବାବେଳେ ଜେଡିୟୁର ଦୁଇ ବରିଷ୍ଠ ନେତା ଲଲନ ସିଂ ଓ ସଞ୍ଜୟ ଝା’ଙ୍କୁ କାହିଁକି ନବୀନ ନିଜର ବଡ଼ପଣ ଦେଖାଇ ମଧ୍ୟାହ୍ନ ଭୋଜନ ଟେବୁଲରେ ବସିବାର ସୁଯୋଗ ଦେଲେନି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ ମଧ୍ୟାହ୍ନ ଭୋଜନ ଟେବୁଲରେ ନୀତିଶଙ୍କ ସହ ନବୀନ ନିଜର ବ୍ୟକ୍ତିଗତ ସଚିବ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଖାଇବାର ସୁଯୋଗ ଦେଇଥିଲେ ।
ରାଜନୀତିକ ବିଶ୍ଲେଷକଙ୍କ ମତରେ , ଜେଡିୟୁର ଦୁଇ ବରିଷ୍ଠ ନେତା ଲଲନ ଓ ସଞ୍ଜୟଙ୍କ ସହ ମଧ୍ୟାହ୍ନ ଭୋଜନ କରି ନୀତିଶଙ୍କ ଆଜିର ସାକ୍ଷାତକୁ ଶ୍ରୀ ପଟ୍ଟନାୟକ ରାଜନୀତିକ ରୂପ ଦେବାକୁ ଚାହୁଁନଥିଲେ । ଯଦିଓ ଘରକୁ ଆସିଥିବା ବ୍ୟକ୍ତିଙ୍କୁ ଆଦର ସତ୍କାର କରିବା ଆମ ଓଡ଼ିଶାର ପରମ୍ପରା କିନ୍ତୁ ରାଜନୀତିକ ବାଧ୍ୟବାଧକତା କାରଣରୁ ଜେଡିୟୁର ଦୁଇ ବରିଷ୍ଠ ନେତାଙ୍କୁ ନବୀନ ହତାଦର କରିଥିବା ଆକଳନ କରାଯାଉଛି । କେବଳ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରକୁ ଅସନ୍ତୁଷ୍ଟ ନକରିବା ପାଇଁ ବିଜେଡି ସୁପ୍ରିମୋ ଏଭଳି କରିଥିବା ଚର୍ଚ୍ଚା ହେଉଛି ।
ନୀତିଶଙ୍କ ସହ ଏହି ଦୁଇ ନେତାମାନଙ୍କୁ ବସାଇ ମଧ୍ୟାହ୍ନ ଭୋଜନ କରିଥିଲେ ତାହା ରାଜନୀତିକ ପ୍ରସଙ୍ଗ ପାଲଟିବାର ଆଶଙ୍କା ରହିଥିବାରୁ ନବୀନ ସେମାନଙ୍କଠୁ ଦୂରେଇ ରହିଥିଲେ । ଏପରିକି ନିଜ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ଦୂରେଇ ରଖି ନୀତିଶଙ୍କ ସହ ସାକ୍ଷାତକୁ ସୌଜନ୍ୟମୂଳକ ତଥା ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଭାବେ ଚିତ୍ରଣ କରିବାକୁ ନବୀନ ପ୍ରୟାସ କରିଛନ୍ତି । ଏପଟେ ପ୍ରୋଟୋକଲକୁ ଏଡ଼ାଇ ନବୀନ ନିଜର ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ମଧ୍ୟାହ୍ନ ଭୋଜନ କରିବାର ସୁଯୋଗ ଦେଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ନବୀନ ନିବାସ ଆସିଥିବା ଗୋଟିଏ ରାଜନୀତିକ ଦଳର ଦୁଇ ବରିଷ୍ଠ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବାର ସାମାନ୍ୟ ସୌଜନ୍ୟକୁ ନବୀନ କାହିଁକି ଭୁଲିଗଲେ? ରାଜନୀତିକ ଚିନ୍ତାଧାରାକୁ ଉପରକୁ ଉଠି ସେମାନଙ୍କୁ ଆଦର କରିବାରେ ଅସୁବିଧା ଥିଲା କେଉଁଠି? ଯଦି ସେଭଳି ସମସ୍ୟା ରହିଥିଲା, ତା’ହେଲେ ନୀତିଶଙ୍କ ସହ ଯେପରି ଅନ୍ୟ କେହି ନେତା ନବୀନ ନିବାସ ଆସିବେ ନାହିଁ ତାହା କାହିଁକି ଆଗୁଆ ସୁନିଶ୍ଚିତ କରାଗଲାନି? ଆଉ ସେଭଳି ନକରି ଓଡ଼ିଶା ଆସିଥିବା ନେତାଙ୍କୁ ଅସମ୍ମାନ କରିବା ଭଳି ଆଚରଣ କେତେ ଗ୍ରହଣୀୟ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ମୋଦି ବିରୋଧୀ ମେଂଟରେ ସାମିଲ ପାଇଁ ନବୀନଙ୍କୁ ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ ଚନ୍ଦ୍ରଶେଖର ରାଓ, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଭେଟି ନିରାଶ ହୋଇଥିବାବେଳେ ଆଜି ନୀତିଶ ଅନୁରୂପ ନିରାଶ ହୋଇଛନ୍ତି । ଆଉ ଏହା ମାଧ୍ୟମରେ ଜାତୀୟସ୍ତରରେ ମୋଦିଙ୍କୁ ଅସନ୍ତୁଷ୍ଟ କରିବାକୁ କୌଣସି ନିଷ୍ପତ୍ତି ବିଜେଡି ନେବନି ବୋଲି ମଧ୍ୟ ସ୍ପଷ୍ଟ ସନ୍ଦେଶ ନବୀନ ଦେଇଥିବା ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJD_1683646324.jpg)