Advertisment

ମିଛ ସତ୍ୟପାଠ ଦେଇନାହାନ୍ତି ତ ବିଜେଡି ବିଧାୟକ ତୁଷାରକାନ୍ତି: ଆଇଆଇଟିରୁ ଏମଟେକ୍ ଡିଗ୍ରୀ ଥାଇବି ଠକି ନେଲେ ସାଇବର ଠକ

୨୦୨୪ ନିର୍ବାଚନୀ ସତ୍ୟପାଠରେ ନିଜ ସ୍ଥାବର-ଅସ୍ଥାବର ସମ୍ପତ୍ତି ଓ ପତ୍ନୀଙ୍କ ସମ୍ପତ୍ତି ମିଶି ମୋଟ୍ ୯୭ଲକ୍ଷ ଟଙ୍କା ଦର୍ଶାଇଥିବା ତୁଷାରକାନ୍ତି କେଉଁଠୁ ଏତେ ପରିମାଣର ଅର୍ଥ ଆଣିଲେ ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

author-image
Ordigital Desk
Tusharkanti Behera

Tusharkanti Behera

ରାଜ୍ୟର ପୂର୍ବତନ ଆଇଟି ମନ୍ତ୍ରୀ ତଥା କାକଟପୁରର ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ୧.୪୦କୋଟି ଟଙ୍କା ସାଇବର ଠକେଇ ଶିକାର ହେବାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଖଡ଼ଗପୁର ଆଇଆଇଟିରୁ ଏମଟେକ୍ ଡିଗ୍ରୀ ହାସଲ କରିଥିବା ତୁଷାରକାନ୍ତିଙ୍କଠୁ ସାଇବର ଅପରାଧୀମାନେ ୧କୋଟି ୪୦ଲକ୍ଷ ଟଙ୍କା ଠକି ନେବା ଓ ସେ ଏନେଇ କ୍ରାଇମବ୍ରାଂଚରେ ମାମଲା ରୁଜୁ କରିବା ଏବଂ ୭ଜଣ ଠକ ଗିରଫ ହେବାପରେ ତାଙ୍କର ସମ୍ପତ୍ତି, ଆୟ ଓ ଠକେଇ ପରିମାଣକୁ ନେଇ ପ୍ରଶ୍ନ ଉଠିଛି । ୨୦୨୪ ନିର୍ବାଚନୀ ସତ୍ୟପାଠରେ ନିଜ ସ୍ଥାବର-ଅସ୍ଥାବର ସମ୍ପତ୍ତି ଓ ପତ୍ନୀଙ୍କ ସମ୍ପତ୍ତି ମିଶି ମୋଟ୍ ୯୭ଲକ୍ଷ ଟଙ୍କା ଦର୍ଶାଇଥିବା ତୁଷାରକାନ୍ତି କେଉଁଠୁ ଏତେ ପରିମାଣର ଅର୍ଥ ଆଣିଲେ ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ବିଜେଡିଠୁ ଆଣିଥିବା ଅଗ୍ରୀମ ନିର୍ବାଚନୀ ଖର୍ଚ୍ଚ ୩୦ଲକ୍ଷ ଟଙ୍କାର ଋଣକୁ ବାଦ୍ ଦିଆଯାଏ ତା’ହେଲେ ତାଙ୍କର ନିଜସ୍ୱ ମୋଟ ସମ୍ପତ୍ତିର ପରିମାଣ ମାତ୍ର ୬୭ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିବ । ତେବେ ଖଡ଼ଗପୁର ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଏମଟେକ୍ ଡିଗ୍ରୀଧାରୀ ତୁଷାରକାନ୍ତିଙ୍କଠୁ କିଭଳି ସାଇବର ଠକମାନେ ତାଙ୍କର ସମସ୍ତ ସମ୍ପତ୍ତିର ପ୍ର ଦୁଇଗୁଣ ଅର୍ଥକୁ ଲୁଟି ନେଲେ ଓ ସେ ଏସବୁ ଅର୍ଥ କେଉଁ ସୂତ୍ରରୁ ଉପାର୍ଜନ କରିଥିଲେ ତାକୁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହେବା ସହ ତାଙ୍କ ପାଇଁ ଅଡ଼ୁଆ ମଧ୍ୟ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ଠକେଇର ପରିମାଣ ଓ ପୁଲିସ ତଦନ୍ତ

କ୍ରାଇମବ୍ରାଂଚ ଆଇଜି ସାର୍ଥକ ଷଡ଼ଙ୍ଗୀ ଏହି ୧.୪୦କୋଟି ଟଙ୍କାର ସାଇବର ଠକେଇ ଓ  ୭ଜଣଙ୍କୁ ଗିରଫ କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କାମ୍ବୋଡ଼ିଆରେ ଅବସ୍ଥାପିତ ପାର୍ଥ ଗୋପାନି ନାମକ ସାଇବର ଅପରାଧୀ ଗ୍ୟାଙ୍ଗ ଏହି ଠକେଇରେ ଜଡ଼ିତ ଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅନଲାଇନ୍ ଟ୍ରେଡିଙ୍ଗ ଆପ୍ ମାଧ୍ୟମରେ ଅଧିକ ଉପାର୍ଜନର ଲୋଭ ଦେଖାଇ ଏହି ଗ୍ୟାଙ୍ଗ ୧.୪୦କୋଟି ଟଙ୍କା ଲୁଟି ନେଇଥିଲା । ଏହି ସମସ୍ତ ଟଙ୍କା ୭ଟି ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିଲା । କ୍ରାଇମବ୍ରାଂଚ ଯେଉଁ ୭ଜଣଙ୍କୁ ଗିରଫ କରିଛି ସେମାନଙ୍କର ଘର କର୍ଣ୍ଣାଟକ ଓ ତାମିଲନାଡୁର ହୋଇଥିବାବେଳେ କେରଳ ଓ ପଶ୍ଚିମବଙ୍ଗରେ ମଧ୍ୟ ଏହି ଗ୍ୟାଙ୍ଗର ସଦସ୍ୟ ଥିବା ସନ୍ଦେହ କରି ଏବେବି ତଦନ୍ତ ଜାରି ରଖିଛି । ସାଇବର ଠକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ଏହି ଠକେଇ କରିଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ତେବେ କିଏ ଅଭିଯୋଗ କରିଥିଲେ ଓ କାହାର ଟଙ୍କା ସାଇବର ଠକମାନେ ଲୁଟ୍ କରିଛନ୍ତି ସେନେଇ ଶ୍ରୀ ଷଡ଼ଙ୍ଗୀ କିଛି କହିବାକୁ ମନା କରିଦେଇଥିଲେ । ୨୦୨୪ ନଭେମ୍ବର ୧୩ରୁ ୨୦୨୫ ଜାନୁୟାରୀ ୧ ଭିତରେ ଏହି ଅର୍ଥ ନିବେଶ ହୋଇଥିବା ତୁଷାରକାନ୍ତି ତାଙ୍କ ଅଭିଯୋଗରେ ଦର୍ଶାଇଥିବା ଜଣାପଡ଼ିଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୁଷାରକାନ୍ତି କହିଛନ୍ତି ଯେ, ଏହା ତାଙ୍କର ଗୋଟିଏ ଟ୍ରେଡିଂ ଆକାଉଣ୍ଟ । ତାଙ୍କର ଜଣେ ବନ୍ଧୁ ଏହାକୁ ପରିଚାଳନା କରୁଥିଲେ । ଏଭଳି ଠକେଇର ଶିକାର ହୋଇଛନ୍ତି ଓ ଏନେଇ ସେ ସାଇବର ସେଲରେ ଅଭିଯୋଗ କରିଥିବା କହିଛନ୍ତି । ତେବେ ତୁଷାରଙ୍କ ପ୍ରାୟ ୧୯ଟି ବ୍ୟାଙ୍କ ଆକାଉଣ୍ଟରୁ ଏହି ୧.୪୦କୋଟି ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି ।

Advertisment

ଅଘୋଷିତ ଆୟ ବା ସମ୍ପତ୍ତି

ତୁଷାରକାନ୍ତି ୨୦୨୪ ସାଧାରଣ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ଆୟର ଅନ୍ୟ କୌଣସି ଉତ୍ସ ବା ସମ୍ପତ୍ତି ନଥିବା ସ୍ପଷ୍ଟ କରିଛନ୍ତି । ତାଙ୍କ ପତ୍ନୀଙ୍କର ୨୯.୪୬ଲକ୍ଷ ଟଙ୍କା ଓ ତାଙ୍କର ୫୧.୬୫ଲକ୍ଷ ଟଙ୍କାକୁ ମିଶାଇ ମୋଟ ୮୧.୧୧ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଥିଲା । ତାଙ୍କର ସ୍ଥାବର ସମ୍ପତ୍ତି ଭିତରେ ୩୦ଲକ୍ଷ ଟଙ୍କା ସେ ବିଜେଡିଠୁ ଋଣ ଆକାରରେ ନେଇଥିବା ମଧ୍ୟ ଦର୍ଶାଇଥିଲେ । ସେହିପରି ତାଙ୍କର ଅସ୍ଥାବର ସମ୍ପତ୍ତି ୧୬ଲକ୍ଷ ଟଙ୍କା ସେ ନିଜ ସତ୍ୟପାଠରେ ଦର୍ଶାଇଥିଲେ । ଯଦି ତାଙ୍କର ଏହି ସମ୍ପତ୍ତିକୁ ଦେଖାଯାଏ ତା’ହେଲେ ତାଙ୍କର ଯେତିକି ଟଙ୍କା ସାଇବର ଠକମାନେ ଲୁଟି ନେଇଛନ୍ତି ତାହା ସେ ଦର୍ଶାଇଥିବା ସମ୍ପତ୍ତିର ପ୍ରାୟ ଦୁଇଗୁଣ । ତେଣୁ ସ୍ୱାଭାବିକ ଭାବେ ଏତେ ବଡ଼ ଅଙ୍କର ଟଙ୍କା ତୁଷାରକାନ୍ତିଙ୍କ ପାଖରେ ଆସିଲା କେଉଁଠୁ ବୋଲି ପ୍ରଶ୍ନ ଉଠିଛି ଓ ତାଙ୍କର ସନ୍ଦେହଜନକ ଭୂମିକାକୁ ମଧ୍ୟ ଉଜାଗର କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ତୁଷାରଙ୍କ ବାର୍ଷିକ ଆୟ ୧୧.୭୪ଲକ୍ଷ ଟଙ୍କା, ୨୦୨୧-୨୨ରେ ୧୧.୫୩ଲକ୍ଷ ଟଙ୍କା ଥିବା ସେ ନିଜେ ଦର୍ଶାଇଛନ୍ତି ।  ତାଙ୍କର କୌଣସି ବଡ଼ ବ୍ୟବସାୟ ବା ଆୟର ଉତ୍ସ ଥିବା ସେ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି । ତା’ହେଲେ ଏତେ ବଡ଼ ଅଙ୍କର ଟଙ୍କା କେଉଁଠୁ ଆସିଲା ତାହା ଏକ ରହସ୍ୟ ପାଲଟିଛି । ଯଦି ତୁଷାରକାନ୍ତି ନିଜର ସମ୍ପତ୍ତି ଥାଇ ମଧ୍ୟ ତାକୁ ସତ୍ୟପାଠରେ ଦର୍ଶାଇନଥିବେ ତା’ହେଲେ ଜନପ୍ରତିନିଧି ଆଇନର ଉଲ୍ଲଘଂନ କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିପାରେ ।

ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଏମଟେକ୍ ଛାତ୍ର, ଲୁଟ୍ ହେଲେ କେମିତି

ତୁଷାରକାନ୍ତି ନିଜେ ରାଜ୍ୟର ଆଇଟି ମନ୍ତ୍ରୀ ସହ ଗୃହମନ୍ତ୍ରୀ ମଧ୍ୟ ଥିଲେ । ଖଡ଼ଗପୁର ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ସେ ଏମଟେକ୍ ଡିଗ୍ରୀ ହାସଲ ମଧ୍ୟ କରିଛନ୍ତି ।  ରାଜ୍ୟର ଆଇଟି ବିଭାଗ ଓ ଗୃହ ବିଭାଗର ମନ୍ତ୍ରୀ ଥିବାବେଳେ ସାଇବର ଠକେଇ ସହ ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ତାଙ୍କର ଧାରଣା ମଧ୍ୟ ରହିଛି । ଏସବୁ ପରେ ବି ସେ କିଭଳି ସାଇବର ଲୁଟେରାଙ୍କ ଠକାମୀର ଶିକାର ହେଲେ ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଯଦିଓ ସେ ନିଜର ଅପାରଗତାର ସଫେଇ ଦେବାକୁ ଯାଇ ତାଙ୍କର ଜଣେ ବନ୍ଧୁ ଏହି ଟ୍ରେଡିଂ ଆକାଉଣ୍ଟ ପରିଚାଳନା କରୁଥିଲେ ବୋଲି କହୁଛନ୍ତି, ମାତ୍ର ଏତେ ପରିମାଣର ଟଙ୍କା ସେ କିଭଳି ଟ୍ରେଡିଂରେ ବିନିଯୋଗ କରିଥିଲେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ବିନିଯୋଗ କରିଥିବା ଟଙ୍କା କୌଣସି ଅବୈଧ ସୂତ୍ରରୁ ଆସିନାହିଁ ତ?  ବର୍ଷକୁ ମାତ୍ର ୧୧-୧୨ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ତୁଷାରକାନ୍ତି ଅଚାନକ କିଭଳି ଏତେ ଟଙ୍କା ପାଇଲେ ସେ ନେଇ କ୍ରାଇମବ୍ରାଂଚ ତଦନ୍ତ କରୁଛି କି ନାହିଁ ତାହା ଜଣାପଡ଼ିନି । କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା ତାଙ୍କର ଆର୍ଥିକ ଉପାର୍ଜନ ଦିଗକୁ ଖୋଳତାଡ଼ କରି କିଭଳି ଏତେ ଟଙ୍କା ସେ ପାଇଲେ ତାହା ସର୍ବସାଧାରଣକୁ ଅବଗତ କରିବାର ଆବଶ୍ୟକତା ରହିଛି ।

ତଦନ୍ତର ଦିଗ ଓ ରାଜନୀତିକ ପ୍ରଭାବ

ତୁଷାରକାନ୍ତି ନିଜେ ଠକେଇର ଶିକାର ହୋଇଥିବା ସ୍ୱୀକାର କରିବା ପରେ ମଧ୍ୟ କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ତୁଷାରଙ୍କ ନାଁକୁ ସାର୍ବଜନୀନ କରୁନାହିଁ । କ୍ରାଇମବ୍ରାଂଚର ତଦନ୍ତ ଜାରି ରହିଛି । ଏହି ମାମଲା କେବଳ ସାଇବର ଅପରାଧର ଗମ୍ଭୀରତାକୁ ଦର୍ଶାଉନାହିଁ ବରଂ ରାଜନେତାଙ୍କ ଆର୍ଥିକ ସ୍ଥିତି ଓ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । କେଉଁ ପରିସ୍ଥିତିରେ ତୁଷାର ଠକେଇରେ ଏତେ ଟଙ୍କା ହରାଇଲେ ତାହା ମଧ୍ୟ ତଦନ୍ତ ହେବା ଆବଶ୍ୟକ । ବିଜେଡି ଏହାକୁ ତୁଷାରଙ୍କ ବ୍ୟକ୍ତିଗତ ମାମଲା କହି ଦଳକୁ ଦୂରେଇ ରଖିବାକୁ ଚାହୁଁଥିବାବେଳେ ବିରୋଧୀ ସଦସ୍ୟମାନେ ଏହି ପ୍ରସଙ୍ଗରେ ବିଜେଡିକୁ ଘେରିବାକୁ ପ୍ରୟାସ ଆରମ୍ଭ କରଇଛନ୍ତି । ତୁଷାରଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

Cyber Crime Tusharkanti Behera