Advertisment

Sense of Humanity: ମାନବିକତା ଭୁଲିଗଲାଣି କି ବିଜେଡି: ଚର୍ଚ୍ଚାରେ ନବୀନଙ୍କ ୧.୨୨ ମିନିଟର ଭିଡିଓ

ଯେଉଁ ନବୀନ ପଟ୍ଟନାୟକଙ୍କ ପାଇଁ ବିଜେଡି ଦୀର୍ଘ ୨୪ବର୍ଷ ଧରି ଶାସନରେ ରହିଲା, ଏବେ ସେହି ନେତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦେଖାଇବା ପରିବର୍ତ୍ତେ ତାଙ୍କୁ ବୟସାଧିକ୍ୟଜନିତ ଶାରୀରିକ ସମସ୍ୟା ମଧ୍ୟରେ ବି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ବାଧ୍ୟ କରିଛି ।

author-image
Odisha Reporter
Naveen-Airport-1

Naveen Patnaik at the airport with his two PSOs

ସତରେ କ’ଣ ବିଜୁ ଜନତା ଦଳ(ବିଜେଡି) ଏବେ ସାଧାରଣ ମାନବିକତା ଭୁଲିଗଲାଣି? ଯେଉଁ ନବୀନ ପଟ୍ଟନାୟକଙ୍କ ପାଇଁ ବିଜେଡି ଦୀର୍ଘ ୨୪ବର୍ଷ ଧରି ଶାସନରେ ରହିଲା, ଏବେ ସେହି ନେତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦେଖାଇବା ପରିବର୍ତ୍ତେ ତାଙ୍କୁ ବାର୍ଦ୍ଧକ୍ୟଜନିତ ବୟସାଧିକ୍ୟଜନିତ ଶାରୀରିକ ସମସ୍ୟା ମଧ୍ୟରେ ବି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ବାଧ୍ୟ କରିଛି । ଯଦି ଏଭଳି ବାଧ୍ୟବାଧକତା ଦଳ ୨୦୨୪ ସାଧାରଣ ନିର୍ବାଚନରେ କରିଥାନ୍ତା ହୁଏତ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିନଥାନ୍ତା ବୋଲି ଚର୍ଚ୍ଚା ହେଉଛି । 

Advertisment

ନବୀନ ଆଜି ନୂଆପଡ଼ା ଗସ୍ତରେ ଯିବାବେଳେ ୧.୨୨ମିନିଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନବୀନଙ୍କୁ ବିମାନ ବନ୍ଦରର ୩ ନମ୍ବର ଗେଟ୍ ପାଖରେ ପ୍ରାୟ ୭୦ଫୁଟ୍ ଲମ୍ବ ଲାଉଞ୍ଜ ଅଂଚଳକୁ ଅତିକ୍ରମ କରିବାକୁ ୩ଥର ଅଟକିବାକୁ ପଡ଼ିଛି । ଆଉ ଚାଲିବାବେଳେ ନବୀନଙ୍କ ଦୁଇ ଗୋଡ଼ ଠିକ୍ ଭାବେ ନପଡ଼ିବା ଓ ଅଳ୍ପ ଚାଲିବା ପରେ ସେ ଥକି ପଡ଼ୁଥିବା ଭିଡିଓରୁ ଜଳଜଳ ଦିଶୁଛି ।  ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ବୟସାଧିକ୍ୟଜନିତ ଶାରୀରିକ ସମସ୍ୟା ସତ୍ତ୍ୱେ ତାଙ୍କୁ କିଏ ଓ କାହିଁକି ନୂଆପଡ଼ାକୁ ପଠାଉଛି ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ତଥା ସୋସିଆଲ ମିଡିଆରେ ନବୀନପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପାଉଥିବା ଦେଖିବାକୁ ମିଳିଛି । 


ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ଏବଂ ପୂର୍ବତନ ଯୁବ ମହାସଚିବ ଏଲିନା ଦାଶ ମଧ୍ୟ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆରେ ଶେୟାର କରି ସିଧାସଳଖ ଦଳକୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି ।

Advertisment

ବିମାନବନ୍ଦର ଭିଡିଓରେ ଅସୁସ୍ଥତାର ଚିତ୍ର

ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ଯୋଗ ଦେବାକୁ ଆଜି ପୁଣିଥରେ ସ୍ୱତନ୍ତ୍ର ଚାଟାର୍ଡ ପ୍ଲେନରେ ନବୀନ ନୂଆପଡ଼ା ଯାଇଥିଲେ । ତେବେ ଆଜି ବିମାନ ବନ୍ଦରରେ ନବୀନ ନିଜର ଦୁଇ ପିଏସଓ ଜବାହାର ପଟେଲ ଓ ଚନ୍ଦ୍ରଶେଖର ପାତ୍ରଙ୍କ ସହ ଚାଲି ଚାଲି ଯାଉଥିବାର ୧.୨୨ ମିନିଟର ଏକ ଭିଡିଓ ଜୋରସୋରରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଛି । ଯେଉଁଥିରେ ନବୀନଙ୍କୁ ପ୍ରାୟ ୭୦ଫୁଟ୍ ଚାଲିବାବେଳେ ଥକି ପଡ଼ି ୩ଥର ଅଟକିଛନ୍ତି । ନବୀନଙ୍କୁ ଚାଲିବାରେ ତାଙ୍କର ଦୁଇ ପିଏସଓ(ବ୍ୟକ୍ତିଗତ ସୁରକ୍ଷାକର୍ମୀ) ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ନବୀନଙ୍କ ବୟସାଧିକ୍ୟଜନିତ ଅସୁସ୍ଥତା, ତାଙ୍କ  ଶରୀର ଅତ୍ୟନ୍ତ କ୍ଳାନ୍ତ ଓ ଅସୁସ୍ଥ ଥିବା ଏବଂ ନିଜର ଦୁଇ ପିଏସଓଙ୍କ ସହାୟତାରେ ଧୀରେଧୀରେ ଚାଲୁଥିବା ଦେଖାଯାଇଛି । 

ତେବେ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ନବୀନ(BJD Naveen Patnaik)ଙ୍କ ଏଭଳି ବୟସାଧିକ୍ୟଜନିତ ଶାରୀରିକ ସମସ୍ୟା ସତ୍ୱେ ତାଙ୍କୁ ଉପନିର୍ବାଚନରେ ପ୍ରଚାର ପାଇଁ ନୂଆପଡ଼ା ନିଆଯିବାକୁ ସାଧାରଣରେ ନିନ୍ଦା କରାଯାଇଛି । ନିଜ ପ୍ରିୟ ନେତାଙ୍କ ଶାରୀରିକ ସ୍ଥିତିକୁ ମଧ୍ୟ ବିଜେଡି ନିଜର ରାଜନୀତିକ ଫାଇଦା ପାଇଁ ଭୁଲି ଯାଇଥିବା ଅଭିଯୋଗ ହେଉଛି । ଯଦି ଦଳ ୨୦୨୪ ସାଧାରଣ ନିର୍ବାଚନରେ ନବୀନଙ୍କୁ ଏଭଳି ଭାବେ ନିର୍ବାଚନୀ ପ୍ରଚାରରେ ସାମିଲ କରିଥାନ୍ତା ହୁଏତ ବିଜେଡିକୁ ଏବେ ବିରୋଧୀ ଦଳରେ ବସିବାକୁ ପଡ଼ିନଥାନ୍ତା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

ମାନବିକତା କଥା କହି ସମାଲୋଚନା କଲେ ଶ୍ରୀମୟୀ

ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ପୁଣିଥରେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ମାନବିକତାର କଥା କହି ବିଜେଡି ନେତାମାନଙ୍କୁ ଟାର୍ଗେଟ୍ କରିଛନ୍ତି । ନବୀନଙ୍କ ଏହି ୧.୨୨ ମିନିଟର ଭିଡିଓକୁ ଶେୟାର କରି ଶ୍ରୀମୟୀ ଲେଖିଛନ୍ତି ଯେ “ ଯଦି ନବୀନ ପଟ୍ଟନାୟକଙ୍କର ପୁଅ ଥାଆନ୍ତା, ତେବେ କ\'ଣ ସେ ନିଜ ଅସୁସ୍ଥ ବାପାଙ୍କୁ ଏଭଳି ଦୁର୍ବଳ ଅବସ୍ଥାରେ ନିର୍ବାଚନ ପ୍ରଚାର ପାଇଁ ବାହାରକୁ ପଠାଇଥାନ୍ତେ କି? ଆମ ଭିତରୁ କେହି ବି ପୁଅ-ଝିଅ ଭାବେ ନିଜ ବାପାଙ୍କୁ ଏମିତି ପଠାଇବାକୁ ସାହସ କରିବେ କି? ଏହା ରାଜନୀତି ନୁହେଁ ବରଂ ମାନବିକତାର କଥା । ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପ୍ରତି ଆମର ପ୍ରେମ ଓ ସମ୍ମାନର କଥା । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନର ଫଳାଫଳ କ\'ଣ ରାଜ୍ୟରେ ସରକାର ପରିବର୍ତ୍ତନ କରିଦେବ କି, ଯଦି ନୁହେଁ, ତେବେ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ଏଭଳି ନିର୍ଯାତନା ଦିଆଯାଉଛି କାହିଁକି?

ଦଳର ଆନୁଷ୍ଠାନିକ ବୟାନକୁ ଖଣ୍ଡନ କଲେ ଏଲିନା

ନୂଆପଡ଼ାରେ ନବୀନଙ୍କ ରୋଡ୍ ଶୋ’ରେ ତାଙ୍କ ଉପରକୁ ଟେକା ପଥର ଫିଙ୍ଗାଯିବ ବୋଲି ବିଜେଡି ପକ୍ଷରୁ ଆଶଙ୍କା କରି ଦିଆଯାଇôଥବା ବୟାନକୁ ଦଳର ଯୁବ ଶାଖାର ପୂର୍ବତନ ମହାସଚିବ ଏଲିନା ଦାଶ ନାପସନ୍ଦ କରିଛନ୍ତି । ସେ ସୋସିଆଲ ମିଡିଆରେ ଏଭଳି ବୟାନକୁ ସିଧାସଳଖ ଖଣ୍ଡନ କରି କହିଛନ୍ତି ଯେ ,ନବୀନ ପଟ୍ଟନାୟକ ଖାଲି ଗୋଟେ ନାଁ ନୁହେଁ, ସେ ହେଉଛନ୍ତି ସମଗ୍ର ଓଡ଼ିଶାର ଗୋଟେ ନିଆରା ବ୍ୟକ୍ତିତ୍ୱ । ସତରେ କ’ଣ ନବୀନ ବାବୁଙ୍କ ଉପରେ ଟେକା ପଡ଼ିବ? ଓଡ଼ିଶାରେ ଏମିତି କିଏ ସାହସୀ ପୁରୁଷ ଅଛି ଯିଏକି ଏଭଳି ଏକ ବ୍ୟକ୍ତିତ୍ୱଙ୍କ ଉପରକୁ ଟେକା ମାରି ପାରିବ? ଗୁଜବଟି କେତେ ସତ କେତେ ମିଛ, ବିଚାର ଜନସାଧାରଣଙ୍କର । ଅର୍ଥାତ୍ ଏଲିନା ଏଭଳି କହି ନିଜ ଦଳର ଆନୁଷ୍ଠାନିକ ବୟାନକୁ ସୋସିଆଲ ମିଡିଆରେ ଖାରଜ କରିବାକୁ ପଛାଇ ନାହାନ୍ତି ।

ନବୀନଙ୍କୁ ଏଭଳି ନିର୍ଯାତନା ଦେଉଛି କିଏ?

ରାଜନୀତିକ ବିଶ୍ଲେଷକମାନଙ୍କ ମତରେ, ବୟସାଧିକ୍ୟ ଶାରୀରିକ ସମସ୍ୟା ମଧ୍ୟରେ ନବୀନଙ୍କୁ ନୂଆପଡ଼ା (nuapada byelection) ପ୍ରଚାର ମଇଦାନକୁ ଓହ୍ଲାଇବା ହିଁ ଦଳର ‘ବ୍ରାଣ୍ଡ୍ ନବୀନ' ଉପରେ ନିର୍ଭରଶୀଳତାକୁ ସ୍ପଷ୍ଟ କରୁଛି । ଦଳର ପ୍ରାୟତଃ ସମସ୍ତ ଆଗଧାଡ଼ିର ନେତାମାନେ ନୂଆପଡ଼ାରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ ମଧ୍ୟ ନବୀନଙ୍କ ବିନା ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ନେଇ ଆଶଙ୍କିତ ଅଛନ୍ତି । ଯେଉଁଥିପାଇଁ ନବୀନଙ୍କ ଦୁର୍ବଳ ସ୍ୱାସ୍ଥ୍ୟ ସତ୍ତ୍ୱେ ତାଙ୍କୁ ନୂଆପଡ଼ା ପ୍ରଚାର ମଇଦାନରେ ଦଳ ଓହ୍ଲାଇଛି । ୩ତାରିଖରେ ନବୀନ ନୂଆପଡ଼ା ଗସ୍ତବେଳେ ତାଙ୍କ ଶାରୀରିକ ଅସୁସ୍ଥତାର ଚିତ୍ର(ବିମାନରୁ ଓହ୍ଲାଇବାବେଳେ) ଦଳୀୟ ନେତାମାନେ ଅନୁଭବ କରିଥିବା ସତ୍ତ୍ୱେ ଆଜି ଏଭଳି ପୁଣିଥରେ ତାଙ୍କୁ ଶାରୀରିକ କଷ୍ଟ ଦେବା ପଛରେ କିଏ ଓ କେଉଁ ପ୍ରକାରର ଷଡ଼ଯନ୍ତ୍ର କରୁଛି ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଚାର ଶେଷ ହେବାକୁ ଆଉ ମାତ୍ର ୪୮ଘଣ୍ଟା ବାକି ଥିବାବେଳେ ନବୀନଙ୍କ ଆଜିର ଭିଡିଓ ନିଶ୍ଚିତ ଭାବେ ବିରୋଧୀ ଦଳକୁ ଆଉ ଏକ ଭାବନାତ୍ମକ ଅସ୍ତ୍ର ଟେକି ଦେଇଛି ବୋଲି ଚର୍ଚ୍ଚା ।

nuapada byelection BJD Naveen Patnaik