Advertisment

ସୂର୍ଯ୍ୟଙ୍କ ଅଭେଦ୍ୟ ଗଡ଼ରେ ପଦ୍ମ ଫୁଟାଇ ପାରିବେ କି ସିଦ୍ଧାନ୍ତ?

୨୦୨୧ ମସିହା ପରଠାରୁ ଅସୁସ୍ଥ ହୋଇପଡ଼ିଥିଲେ ସୂର୍ଯ୍ୟନାରାୟଣ ପାତ୍ର। ଠିକ୍‌ ଭାବେ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇପାରିଲେ ନାହିଁ। ବାପାଙ୍କ ସ୍ଥାନରେ ପୁଅ ବିପ୍ଲବ ପାତ୍ର ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନେଲେ। କର୍ମୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ।

ଅଦ୍ୟତନ ହୋଇଛି
Election

Election

Advertisment

ରାଜ୍ୟ ରାଜନୀତିରେ ଆନ୍ନା ଭାବେ ପରିଚିତ ଥିଲେ ସୂର୍ଯ୍ୟନାରାୟଣ ପାତ୍ର। ତାଙ୍କ ଦେହାନ୍ତ ପରେ ତାଙ୍କର ଅଭେଦ୍ୟ ଗଡ଼ରେ ଭାଗ୍ୟ ପରୀକ୍ଷା ଦେଉଛନ୍ତି ପୁଅ ବିପ୍ଲବ ପାତ୍ର। ଆଉ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ଚଳଚ୍ଚିତ୍ର ଦୁନିଆରୁ ରାଜନୀତିକୁ ଏଣ୍ଟ୍ରି ମାରିଥିବା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଏଥିରୁ ଜଣାପଡ଼ୁଛି ଏଥର ସୂର୍ଯ୍ୟଙ୍କ ଅଭେଦ୍ୟ ଗଡ଼ରେ ଶଙ୍ଖ ଫୁଙ୍କିବା ବିପ୍ଲବଙ୍କ ପାଇଁ ଏତେ ସହଜ ହେବନାହିଁ।

Advertisment

ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଛି ଦିଗପହଣ୍ଡି। ୨୦୦୯ ମସିହାରେ ପୁନର୍ଗଠନ ହୋଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ଦିଗପହଣ୍ଡି ବ୍ଲକ୍‌, ଦିଗପହଣ୍ଡି ପୌର ପରିଷଦ ଓ କୁକୁଡାଖଣ୍ଡି ବ୍ଲକ୍‌ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ଏହି ନିର୍ବାଚନ ମଣ୍ଡଳୀକୁ ବିଜେଡି ନିଜ କବ୍‌ଜାରେ ରଖିଛି। ଗଞ୍ଜାମ ରାଜନୀତିରେ ଆନ୍ନା ଭାବେ ପରିଚିତ ଭେଟରାନ୍‌ ସୂର୍ଯ୍ୟନାରାୟଣ ପାତ୍ର ଏଠାରୁ ଲଗାତାର ୩ ଥର ନିର୍ବାଚିତ ହୋଇଛନ୍ତି।

୨୦୦୯ ମସିହାରେ ସୂର୍ଯ୍ୟ ନାରାୟଣ ପାତ୍ର କଂଗ୍ରେସର ଭି.ରବି ନାରାୟଣ ରାଜୁଙ୍କୁ ପରାସ୍ତ କରିଥିଲେ। ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ସେ କଂଗ୍ରେସର ସାକା ସୁଜିତ କୁମାରଙ୍କୁ ୪୫ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିବା ବେଳେ ୨୦୧୯ ମସିହାରେ ବିଜେପିର ପିଙ୍କି ପ୍ରଧାନଙ୍କୁ ୪୦ ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ପରାସ୍ତ କରି ବିଧାନସଭାକୁ ଯାଇଥିଲେ। ଆଉ ରାଜ୍ୟ ମନ୍ତ୍ରିମଣ୍ଡଳରେ ସଦସ୍ୟ ହେବା ସହିତ ବାଚସ୍ପତି ମଧ୍ୟ ହୋଇଥିଲେ। କହିବାକୁ ଗଲେ ବିଜେଡି ପାଇଁ ଏହି ନିର୍ବାଚନ ମଣ୍ଡଳୀ ସବୁଠାରୁ ସୁରକ୍ଷିତ ସ୍ଥାନ ରହିଥିଲା।

Advertisment

୨୦୨୧ ମସିହା ପରଠାରୁ ଅସୁସ୍ଥ ହୋଇପଡ଼ିଥିଲେ ସୂର୍ଯ୍ୟନାରାୟଣ ପାତ୍ର। ଠିକ୍‌ ଭାବେ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇପାରିଲେ ନାହିଁ। ବାପାଙ୍କ ସ୍ଥାନରେ ପୁଅ ବିପ୍ଲବ ପାତ୍ର ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନେଲେ। କର୍ମୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ। ତେବେ ୨୦୨୩ ମସିହାରେ ଆନ୍ନାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦିଗପହଣ୍ଡରେ ଆରମ୍ଭ ହୋଇଥିଲା ରାଜନୀତିର ମହାଭାରତ। ବିଜେଡି ଦୁଇ ଭାଗରେ ବିଭକ୍ତ ହୋଇଗଲା। ଗୋଟିଏ ଗୋଷ୍ଠୀରେ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ରହିଥିବା ବେଳେ ଅନ୍ୟ ଗୋଷ୍ଠୀରେ ସୂର୍ଯ୍ୟ ପାତ୍ରଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ବିପିନ ପ୍ରଧାନ ରହିଲେ।

ତେବେ ଦିଗପହଣ୍ଡି ପୌରପାଳିକା ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ସମୟରେ ଏହି ଦୁଇ ଗୋଷ୍ଠୀଙ୍କ ମତଭେଦ ଜଳଜଳ ହୋଇ ଦେଖିବାକୁ ମିଳିଥିଲା। ପ୍ରାର୍ଥୀ ଚୟନକୁ ନେଇ ପ୍ରତି ପଞ୍ଚାୟତରେ ଏକାଧିକ ଆଶାୟୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୋଷ୍ଠୀ କନ୍ଦଳ। ବିପିନ ପ୍ରଧାନ ଓ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ମଧ୍ୟରେ ହୋଇଥିଲା ବୟାନବାଜି। ଯାହା ଫଳରେ ଦିଗପହଣ୍ଡି NAC ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଓ ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷ ପଦ ବିପିନ ପ୍ରଧାନଙ୍କ ଗୋଷ୍ଠୀଙ୍କ ହାତ ଚାଲି ଯାଇଥିଲା। ବିପ୍ଳବଙ୍କ ପାଖରେ କେବଳ କିଛି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ କିଛି ପୁରୁଖା ନେତା ରହିଥିଲେ।

ଦିଗପହଣ୍ଡି ରାଜନୀତି ଗୋଳିଆ ହେଉଥିବା ଦେଖି ବିପିନ ପ୍ରଧାନଙ୍କୁ ବହିଷ୍କାର କରିଥିଲେ ବିଜେଡି ସୁପ୍ରିମୋ। ୨୦୨୪ ନିର୍ବାଚନ ପୂର୍ବାଚନ ପାଇଁ ବିଗୁଲ୍‌ ବାଜିବା ପରେ ବିପିନ ଓ ତାଙ୍କ ସମର୍ଥକ ବିଜେପିରେ ମିଶିଛନ୍ତି। ସେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ଏହାଛଡ଼ା ଆଉ କିଛି ବିଜେପିର ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଆଶାୟୀ ଥିଲେ। ହେଲେ ରାଜ୍ୟ ବିଜେପି ସମସ୍ତଙ୍କୁ ଚକିତ କରି ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା।

ଚଳିତ ନିର୍ବାଚନରେ ବିଜେଡି ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ପାର୍ଥୀ କରିଥିବା ବେଳେ କଂଗ୍ରେସ ଶ୍ରୀଧର ଦେବଙ୍କୁ ପାର୍ଥୀ କରିଛି। ତେବେ ଏଠି ବିପ୍ଳବ ଓ ସିଦ୍ଧାନ୍ତଙ୍କ ଭିତରେ କଡ଼ା ଫାଇଟ୍‌ ହେବ ବୋଲି ଆଲୋଚନା ହେଉଛି। ସିଏ ଯାହା ହେଉନା କାହିଁକି, ପ୍ରାର୍ଥୀ ଘୋଷଣା ପରେ ନିଜ ସପକ୍ଷରେ ମତଦାନ ନେବା ପାଇଁ ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟ ପାଢ଼ୀ

BjD Bjp Congress Ganjam Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe