Advertisment

ଅସହାୟ ବିଜେଡି : ମେଣ୍ଟରେ ମିଶିବାକୁ ଉଚ୍ଛନ୍ନ, ରାଜ୍ୟବାସୀଙ୍କୁ ଦେଇପାରୁନି ଯଥାର୍ଥ କାରଣ

ବିଜେଡି ଦ୍ୱାରା ଇଂରାଜୀ ଭାଷାରେ ଜାରି ପ୍ରେସ୍ ରିଲିଜରେ ଉଲ୍ଲେଖ ରହିଛି ଯେ, “୨୦୩୬ ମସିହା ସୁଦ୍ଧା ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂରଣ ହେବ । ବିଜେଡି ଓ ମୁଖ୍ୟମନ୍ତ୍ରୀ ଏହି ସମୟସୁଦ୍ଧା ପ୍ରମୁଖ ମାଇଲଖୁଂଟ ହାସଲ କରିବେ ।

ଅଦ୍ୟତନ ହୋଇଛି
Sankha

Sankha

Advertisment

 ଦୀର୍ଘ ୧୫ବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିବ ବିଜେଡି । କିନ୍ତୁ ପୁଣିଥରେ ବିଜେପିର ସହଯୋଗୀ ହୋଇ କିଭଳି ନିର୍ବାଚନ ମଇଦାନକୁ ଯିବ ଓ କେଉଁ କାରଣ ପାଇଁ ବିଜେପି ସହ ଆସନ ବୁଝାମଣା କରିବାକୁ ବିଜେଡି ବାଧ୍ୟ ହେଲା ତା’ର ବଳିଷ୍ଠ କାରଣ ଦେବାରେ ବିଜେଡି ବିଫଳ ହୋଇଛି । ଏପରିକି ରାଜ୍ୟର ଲକ୍ଷ ଲକ୍ଷ ଦଳୀୟ ସମର୍ଥକମାନଙ୍କୁ କ’ଣ କହିକି ବିଜେପି ସହ ମେଂଟର ଘୋଷଣା କରିବ ତାକୁ ନେଇ ବିଜେଡି ରଣନୀତିକାରମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଜେଡି ପକ୍ଷରୁ ଯେଉଁ ପ୍ରେସ୍ ରିଲିଜ୍ ଜାରି ହୋଇଛି ତାହା ହିଁ ବିଜେଡିର ଅସହାୟତାକୁ ପଦାରେ ପକାଇ ଦେଇଛି । ଆଉ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ନିଜର ପକ୍ଷ ରଖିବାକୁ କିଭଳି ଶସ୍ତା, ଅପରିପକ୍ୱ ଓ ଲୋକଙ୍କୁ ଭୁଆଁ ବୁଲାଇବା ଭଳି କାରଣ ଦେଉଛି ତା’ର ସନ୍ଦେଶ ମଧ୍ୟ ମିଳିଛି ।

Advertisment

ଦୀର୍ଘ ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ଧରି ବିଜେପି ଓ ବିଜେଡି ମଧ୍ୟରେ ମେଂଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଉଭୟ ଦଳର ବରିଷ୍ଠ ନେତାମାନେ ଭିନ୍ନ ଭିନ୍ନ ଭାବେ ପ୍ରଥମ ଥର ଏନେଇ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। ଦିଲ୍ଲୀରେ ବିଜେପି କୋର୍ ଟିମ୍ ସହ ରାଜ୍ୟର ବିଜେପି ନେତାମାନେ ବିଚାରବିମର୍ଶ କରିଛନ୍ତି। ଆଉ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାମାନଙ୍କ ସହ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଖାସ୍ ଅନୁଗତ ଭିକେ ପାଣ୍ଡିଆନ ଆଲୋଚନା କରିଛନ୍ତି । ଦୁଇ ଦଳର ନେତାମାନଙ୍କ ସହ ସେମାନଙ୍କର ଦଳର ଶୀର୍ଷ ନେତୃତ୍ୱ ଆଲୋଚନା ପରେ ଗଣମାଧ୍ୟମକୁ ଯେଉଁ ବିବୃତ୍ତି ଦିଆଯାଇଛି ତାହା ବି ଶାସକ ବିଜେଡିର ଅସହାୟତାକୁ ପଦାରେ ପକାଇ ଦେଇଛି ।

ବିଜେଡିର ଦୁଇଜଣ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ଅରୁଣ ସାହୁ ଗଣମାଧ୍ୟମକୁ ଦେଇଥିବା ବୟାନକୁ ଏକ ପ୍ରେସ୍ ରିଲିଜ୍ ଆକାରରେ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଜାରି କରିଛନ୍ତି । ଆଉ ନବୀନ ନିବାସରେ ଆଜିର ବୈଠକ ସମ୍ପର୍କରେ ଦଳ ଯେଉଁ ତଥ୍ୟ ରଖିଛି ତାହା ଅତ୍ୟନ୍ତ ଅପରିପକ୍ୱ ଓ ଧର୍ମକୁ ଆଖିଠାର ମାରିବା ସଦୃଶ ହୋଇଛି । ପରୋକ୍ଷରେ ଦୀର୍ଘବର୍ଷ ଧରି ବିଜେଡିକୁ ଭରସା କରୁଥିବା ରାଜ୍ୟବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମିଛ କହିବାକୁ ପ୍ରୟାସ ହୋଇଥିବା ଜଣାପଡ଼ିଛି ।

Advertisment

ବିଜେଡି ଦ୍ୱାରା ଇଂରାଜୀ ଭାଷାରେ ଜାରି ପ୍ରେସ୍ ରିଲିଜରେ ଉଲ୍ଲେଖ ରହିଛି ଯେ, “୨୦୩୬ ମସିହା ସୁଦ୍ଧା ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂରଣ ହେବ । ବିଜେଡି ଓ ମୁଖ୍ୟମନ୍ତ୍ରୀ ଏହି ସମୟସୁଦ୍ଧା ପ୍ରମୁଖ ମାଇଲଖୁଂଟ ହାସଲ କରିବେ । ତେଣୁ ବିଜୁ ଜନତା ଦଳ ରାଜ୍ୟବାସୀ ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସବୁକିଛି କରିବ ।” ଏଭଳି ବୟାନ ଦେଇ ବିଜେଡି ସିଧାସଳଖ ମେଂଟ କଥାକୁ ଏଡ଼ାଇଯାଇଛି । ମାତ୍ର ବୈଠକରେ ହିଁ ସମ୍ଭାବ୍ୟ ମେଂଟ ସମ୍ପର୍କରେ ଦଳର ନେତାମାନଙ୍କୁ ବିଜେଡି ସୁପ୍ରିମୋ ଅବଗତ କରିଥିଲେ ବୋଲି ସୂଚନା ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ଯଦି ମେଂଟ ସମ୍ପର୍କରେ ବୈଠକ ହୋଇଥିଲା ସେ ସମ୍ପର୍କରେ ମତାମତ ରଖିବାରେ ଅସୁବିଧା ଥିଲା କେଉଁଠି? ତା’ ନକରି ଯେଉଁ ଦୁଇଟି କାରଣ ବିଜେଡି ଦେଇଛି ସେଥିରେ ରାଜ୍ୟ ଓ ରାଜ୍ୟବାସୀଙ୍କର କ’ଣ ସ୍ୱାର୍ଥ ତାହା ବୁଝାପଡ଼ୁନି । ୨୦୨୩ ସୁଦ୍ଧା ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି କୌଣସି ପ୍ରମୁଖ ମାଇଲଖୁଣ୍ଟ ହାସଲ କରନ୍ତି ସେଥିରେ ରାଜ୍ୟବାସୀଙ୍କର କ’ଣ ସ୍ୱାର୍ଥ ଅଛି । ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ପୂରଣ କଥାକୁ ଆଳ ଦେଖାଇଥିବା ବିଜେଡି ବିଗତ ୨୪ବର୍ଷ ଧରି କ୍ଷମତାରେ ଥାଇ ମଧ୍ୟ ଆଜିସୁଦ୍ଧା ଏଦିଗରେ ସାମାନ୍ୟ ପ୍ରକ୍ରିୟା ଆରମ୍ଭ କରିପାରିନି । ମାତ୍ର ବିଜେପି ସହ ମେଂଟ କରିବା ପାଇଁ ଏହାକୁ ବଳିଷ୍ଠ କାରଣ ଭାବେ ଦର୍ଶାଇବାକୁ ପଛାଇନାହିଁ । ନିଜର ଅପାରଗତାକୁ ଲୁଚାଇବା ପାଇଁ ଏନଡିଏରେ ସାମିଲ ହେବାକୁ ଆତୁର ବିଜେଡି ଆଗାମୀ ଦିନରେ ମେଂଟରେ ସାମିଲ ହେବାର କେଉଁ ବଳିଷ୍ଠ କାରଣ ରାଜ୍ୟବାସୀଙ୍କ ପାଖରେ ରଖିବ ତାହା ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି ।

ଅନ୍ୟପଟେ ଦିଲ୍ଲୀରେ ବିଜେପି କୋର ଟିମ୍ ବୈଠକ ପରେ ଦଳର ବରିଷ୍ଠ ନେତା ତଥା ସାଂସଦ ଜୁଏଲ ଓରାମ ସିଧାସଳଖ ଓ ସ୍ପଷ୍ଟ ଭାବେ ଓଡ଼ିଶାରେ ବିଜେଡି ସହ ମେଂଟକୁ ନେଇ ଆଲୋଚନା ହୋଇଥିବାକୁ ସ୍ୱୀକାର କରିଥିଲେ । ସେ କହିଥିଲେ ଯେ, ଆଜିର ବୈଠକରେ ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ଆମର ସ୍ଥିତି କ’ଣ ରହିଛି ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଜେଡି ସହ ଆସନ ବୁଝାମଣା ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି । ରାଜ୍ୟ ବିଜେପି ନିଜର ମତ ରଖିଥିଲା । ଦଳ ଏକାକୀ ଲଢ଼ିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ରୀୟ ନେତୃତ୍ୱଙ୍କୁ କହିଛି। ଯେହେତୁ ବିଜେପି ଏକ ଜାତୀୟ ଦଳ ତେଣୁ ମେଂଟ ନିଷ୍ପତ୍ତି କେନ୍ଦ୍ରୀୟ କମିଟି ନେବେ ବୋଲି ଶ୍ରୀ ଓରାମ କହିଛନ୍ତି।

ଗୋଟିଏପଟେ ଆଜିର ବୈଠକ ପରେ ବିଜେପି ନେତା ଜୁଏଲ ଓରାମ  ଖୋଲାଖୋଲି ଭାବେ ରାଜ୍ୟରେ ସମ୍ଭାବ୍ୟ ମେଂଟ ନେଇ ଆଲୋଚନା ହୋଇଥିବା ଓ ମେଂଟ ସପକ୍ଷରେ ରାଜ୍ୟ ବିଜେପି ନଥିବା କହିଥିଲାବେଳେ ରାଜ୍ୟ ବିଜେଡି ନେତାମାନଙ୍କ ସହ ନବୀନ ନିବାସରେ ମେଂଟ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ଦଳ କାହିଁକି ସେକଥା ଲୁଚାଇବାକୁ ଚାହୁଁଛି । ୨୦୦୯ ମାର୍ଚ୍ଚ ୮ତାରିଖରେ୧୧ବର୍ଷର ମେଂଟ ସମ୍ପର୍କକୁ ଛିନ୍ନ କରିବାବେଳେ ବିଜେଡି ଯେଉଁ କାରଣ ଦର୍ଶାଇଥିଲା ଓ ରାଜ୍ୟବାସୀ ତାକୁ ଗ୍ରହଣ କରିଥିଲେ ଏବେ ଅନୁରୂପ ବଳିଷ୍ଠ କାରଣ ଦେବାକୁ ବିଜେଡି ନେତୃତ୍ୱ ପଛଘୁଂଚା ଦେଉଛନ୍ତି । ଯାହାକି ବିଜେଡିର ଅସହାୟତାକୁ ପଦାରେ ପକାଇ ଦେଇଛି। ରାଜ୍ୟରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ସହ ଅନ୍ୟାନ୍ୟ କାରଣ ପାଇଁ ବିଜେଡି ଏବେ କେନ୍ଦ୍ରୀୟ ବିଜେପିର ଶରଣରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

BjD State Bjp Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe