/odisha-reporter/media/post_attachments/uploadimage/library/16_9/16_9_0/JMM_1723980735.jpg)
JMM
ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ପୂର୍ବତନ ଚମ୍ପାଇ ସୋରେନ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ ସେ ଜେଏମଏମର କିଛି ବିଧାୟକଙ୍କୁ ଧରି ଦିଲ୍ଲୀ। ସେ ଦିଲ୍ଲୀରେ ପହଞ୍ଚିବା ପରେ ବିଜେପିରେ ମିଶିବା ନେଇ ଚାଲିଥିବା ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଚଳିତ ବର୍ଷ ଝାରଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଏହାପୂର୍ବରୁ ଚମ୍ପାଇ ସୋରେନ ଦଳ ବଦଳ କରିବେ ବୋଲି କୁହାଯାଉଛି।
ତେବେ ଏହି ଦଳ ବଦଳ ପ୍ରଶ୍ନର ଉତ୍ତର ଚମ୍ପାଇ ସୋରେନ ଦେଇଛନ୍ତି। ଆଜି ସେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ବଦଳ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ ସିଧାସଳଖ ଏହାକୁ ଏଡ଼ାଇ ଯାଇଥିଲେ। କିନ୍ତୁ ସେ କହିଛନ୍ତି ଯେ “ମୁଁ ଏଠାକୁ ମୋର ବ୍ୟକ୍ତିଗତ କାମ ପାଇଁ ଆସିଛି।”
ସୂତ୍ର ଅନୁସାରେ, ଚମ୍ପାଇ ସୋରେନ ଗତକାଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ କୋଲକାତାରେ ଭେଟିଥିଲେ। ଏହାପରେ ଆଜି ସେ ଜେଏମଏମର ଅନ୍ୟ ୪ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଦିଲ୍ଲୀରେ ପହଞ୍ଚିଛନ୍ତି।
ଚମ୍ପାଇ ସୋରେନଙ୍କ ଦଳବଦଳ ଚର୍ଚ୍ଚା ଜୋର ଧରିଥିଲେ ହେଁ ସେ ଏହାକୁ ଶନିବାର ସିଧାସଳଖ ଖାରଜ କରିଥିଲେ। ସେ କହିଥିଲେ ଯେ “କ’ଣ ସବୁ ଚର୍ଚ୍ଚା ଚାଲିଛି, ସେକଥା ମୁଁ ଜାଣନାହିଁ। ମୁଁ ଯେଉଁଠାରେ ଥିଲି, ସେଇଠାରେ ରହିଛି।”
ଚଳିତ ବର୍ଷ ଫେବୃଆରୀ ମାସରେ ହେମନ୍ତ ସୋରେନ ଗିରଫ ହେବାରୁ ଚମ୍ପାଇ ସୋରେନ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଜୁଲାଇ ମାସରେ ହେମନ୍ତ ସୋରେନ ଜେଲରୁ ବାହାରିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହାପରେ ହେମନ୍ତ ସୋରେନ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେବେଠାରୁ ଚମ୍ପାଇ ସୋରେନ ଦଳ ଉପରେ କ୍ଷୁବ୍ଧ ହୋଇଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
