Advertisment

ରାଜନୀତିରେ ଡିଗ୍ରୀଧାରୀ କରୁଛନ୍ତି ଭାଗ୍ୟ ପରୀକ୍ଷା

ଆଖିରେ ଅନେକ ସ୍ୱପ୍ନ। ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା। ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର କରିବା ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚ ଶିକ୍ଷିତା ସୋଫିଆ ଫିର୍ଦ୍ଦୋସ।

author-image
Hemant Lenka
ଅଦ୍ୟତନ ହୋଇଛି
Congress

Congress

ପେଶାରେ ଭିନ୍ନତା ଥାଇପାରେ, କିନ୍ତୁ ନିଶା ରାଜନୀତି। ଏମିତି କିଛି ଉଚ୍ଚ ଶିକ୍ଷିତ ବର୍ଗ ଏଥରର ପ୍ରତ୍ୟକ୍ଷ ପଲିଟିକସରେ ସାମିଲ ହୋଇଛନ୍ତି। ଯାହାଙ୍କ ମଧ୍ୟରେ କିଏ ଡାକ୍ତର ତ ଆଉ କିଏ ଇଞ୍ଜିନିୟର। କାହା ପାଖରେ ଏମବିଏ ତ ଆଉ କାହା ପାଖରେ ରହିଛି ବି-ଟେକ୍ ଡିଗ୍ରୀ। ହେଲେ ସମସ୍ତଙ୍କ ସ୍ୱପ୍ନ ରହିଛି, ଜନତାଙ୍କୁ ବିକାଶ ଧାରାରେ ନେଇ ଶୀର୍ଷରେ ପହଞ୍ଚାଇବା।

Advertisment

ଆଖିରେ ଅନେକ ସ୍ୱପ୍ନ। ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା। ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର କରିବା ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚ ଶିକ୍ଷିତା ସୋଫିଆ ଫିର୍ଦ୍ଦୋସ। ବାପା ତଥା କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ସ୍ୱତନ୍ତ୍ର ପରିଚୟ ରହିଛି ସତ, କିନ୍ତୁ ସୋଫିଆ ବି କିଛି କମ୍ ନୁହନ୍ତି।

ପେଶାରେ ସେ ଜଣେ ଇଞ୍ଜିନିୟର। ମେଟ୍ରୋ ଗ୍ରୁପର ଚେୟାରପର୍ସନ। ଦୀର୍ଘବର୍ଷ ଧରି ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ସହ ଜଡ଼ିତ ସୋଫିଆ। କ୍ରେଡାଇ ଭୁବନେଶ୍ୱରର ପ୍ରଥମ ଓଡ଼ିଆ ମହିଳା ଭାବେ ସଭାପତି ସହ କ୍ରେଡାଇ ଇଷ୍ଟଜୋନ କୋର୍ଡିନେଟର ଅଛନ୍ତି। ଏବେ ବାପା ମୋକିମଙ୍କ ବଳକା ସ୍ୱପ୍ନକୁ ସାକାର ପାଇଁ କଂଗ୍ରେସ ଟିକେଟରୁ ବାରବାଟୀ-କଟକରୁ ଏଥର ନିର୍ବାଚନ ଲଢ଼ୁଛନ୍ତି ସୋଫିଆ।

Advertisment

ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ରାଜ୍ୟରେ ପୂର୍ଣ୍ଣଚନ୍ଦ୍ରଙ୍କର ବେଶ ନାଁ। କେବଳ ରାଜ୍ୟ କାହିଁକି, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଭାବେ ଦେଶରେ ବି ରହିଛି ତାଙ୍କ ସ୍ୱତନ୍ତ୍ର ପରିଚୟ।

ଦୀର୍ଘ ୩୦ ବର୍ଷ ହେଲା ଚିକିତ୍ସା ସେବା ଜାରି ରଖିଥିବା ଡାକ୍ତର ପୂର୍ଣ୍ଣଚନ୍ଦ୍ର SCBରେ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ। ଆଉ ଅବସର ପରେ ନିଜସ୍ୱ ହସପିଟାଲରେ ରୋଗୀ ସେବା ଜାରି ରଖିଛନ୍ତି। ଏସବୁ ଭିତରେ ଇଲେକ୍ସନ ମୈଦାନକୁ ଓହ୍ଲାଇଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର। ବିଜେପି ଟିକଟରେ ବାରବାଟୀ-କଟକ ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି।

ଏ ତ ଗଲା ବାରବାଟୀ-କଟକରେ ୨ ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କ କଥା। ଏବେ ଧାମନଗର ଉପରେ ନଜର ପକାନ୍ତୁ। ଏଠାରେ ପ୍ରାର୍ଥୀ ହୋଇଛନ୍ତି ୩ ଯୁବକ। ବିଜେପିର ସୂର୍ଯ୍ୟବଂଶୀ ସୂରଜ, ବିଜେଡିର ଡାକ୍ତର ସଞ୍ଜୟ ଦାସ ଓ କଂଗ୍ରେସର ରଞ୍ଜନ କୁମାର ବେହେରା। ଶିକ୍ଷାରେ ଏକକୁ ଆରେକ ବଳି। ସୂର୍ଯ୍ୟବଂଶୀ ସୂରଜ ବି-ଟେକ୍ ପାସ୍ କରି ୨୦୧୯ରୁ ରାଜନୀତିରେ ସକ୍ରିୟ ରହି ୨୦୨୨ରୁ ବନିଛନ୍ତି ଧାମନଗର ବିଧାୟକ।

ସେହିପରି ବିଜେଡି ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ। MBBS ପାସ୍ ପରେ ରୋଗୀ ସେବାକୁ ଆପଣାଇଥିଲେ। ପରେ କିନ୍ତୁ ଚାକିରି ଛାଡି ରାଜନୀତିରେ ପାଦ ଥାପିଛନ୍ତି ଓ ବିଜେଡି ଭରସାରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଏହି ୨ ଉଚ୍ଚଶିକ୍ଷିତଙ୍କ ବିପକ୍ଷରେ ଭାଗ୍ୟ ପରୀକ୍ଷା କରୁଥିବା କଂଗ୍ରେସର ପ୍ରାର୍ଥୀ ହେଲେ ରଞ୍ଜନ ବେହେରା। ସେ ବି ଜଣେ MBA ଛାତ୍ର। ପଞ୍ଚାୟତ ନିର୍ବାଚନରୁ ଲଢ଼େଇ କରି ଆସୁଥିବା ରଞ୍ଜନ ଏବେ ପ୍ରଥମ ଥର ପାଇଁ ଧାମନଗର ସିଟରୁ ବନିଛନ୍ତି ବିଧାୟକ ପ୍ରାର୍ଥୀ।

ଏମାନେ ରାଜନୀତି ମୈଦାନରେ କେତେ ସଫଳ ହେଉଛନ୍ତି, ସେକଥା ଜୁନ ୪ରେ ଜଣାପଡ଼ିବ। କିନ୍ତୁ ରାଜନୀତିକୁ ଡିଗ୍ରୀଧାରୀଙ୍କ ପ୍ରବେଶ ବେଶ ସକାରାମତ୍କ କଥା ବୋଲି ଅନେକ ମତ ରଖିଛନ୍ତି।

Odisha Election Political News