Advertisment

ଆସାମ ମୁଖ୍ୟମନ୍ତ୍ରୀଙ୍କ ସିଧା ହମଲା; ବିଜେଡି ନେତାଙ୍କ ଆତ୍ମସମ୍ମାନ ନାହିଁ, ନଚେତ ପାଣ୍ଡିଆନଙ୍କ ପଛରେ ଗୋଡ଼ାଇ ନଥା’ନ୍ତେ

‘ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ରଖିଛନ୍ତି। କେଉଁଠି ରଖିଛନ୍ତି ଶୀଘ୍ର କାଢ଼ନ୍ତୁ। ଜୁନ୍ ୧୦ ତାରିଖ ସୁଦ୍ଧା ପାଣ୍ଡିଆନ୍ ବାବୁ ରତ୍ନ ଭଣ୍ଡାର ଚାବି କାଢ଼ନ୍ତୁ।’

author-image
Tapaswini Nayak
ଅଦ୍ୟତନ ହୋଇଛି
Himanta biswa sarma

Himanta biswa sarma

‘ବିଜେଡିରେ ଆତ୍ମସମ୍ମାନ ଥିବା ଭଳିଆ କେହି ଲୋକ ନାହାନ୍ତି। ଏଥିପାଇଁ ବିଜେଡି ନେତାମାନେ ପାଣ୍ଡିଆନଙ୍କ ପଛରେ ବୁଲୁଛନ୍ତି। ଯଦି ବିଜେଡିରେ ଆତ୍ମସମ୍ମାନ ଥିବା ଭଳିଆ ଲୋକ ଥା’ନ୍ତେ, ତାହାହେଲେ ପାଣ୍ଡିଆନଙ୍କୁ ଫ୍ରି ଟିକେଟ ଦେଇ ତାମିଲନାଡୁ ପଠାଇ ଦେଇଥା’ନ୍ତେ। ଜୁନ ୧୧ ତାରିଖରେ ଓଡ଼ିଶାର ଯୁବବର୍ଗ ପାଣ୍ଡିଆନଙ୍କୁ ବିମାନ ଟିକେଟ ଦେଇ ବିଦା କରିଦବେ।’ ଶୁକ୍ରବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କଲା ବେଳେ ଏହି କଥା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କୁ ସିଧା ଆକ୍ରମଣ କରିଛନ୍ତି। 

Advertisment

ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗଣା ଚାଉଳ ଦେଉଛନ୍ତି। ହେଲେ ପାଣ୍ଡିଆନ ଓଡ଼ିଶାବାସୀଙ୍କୁ ୨ଟି ବ୍ୟାଗ ଦେଇଛନ୍ତି। ଯଦି ମୋଦି ଚାଉଳ ଦେଉଛନ୍ତି, ତମେ ଡାଲି ନଚେତ୍ ଲୁଣ ଦେଇଥା’ନ୍ତ। ଏହା ନ ଦେଇ ପାଣ୍ଡିଆନ ୨ଟି ବ୍ୟାଗ ଓଡ଼ିଶାବାସୀଙ୍କୁ ଧରାଇ ଦେଲେ। ଏହାକୁ ନବୀନ ପଟ୍ଟନାୟକ ଦାନ କରିଛନ୍ତି ବୋଲି କହିଲେ। ଏପରି କରି ପାଣ୍ଡିଆନ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି। ଆଉ ସେହି ଝୁଲା (ବ୍ୟାଗ) ମଧ୍ୟ ଓଡ଼ିଶାରେ ତିଆରି ନୁହେଁ, ତାମିଲନାଡୁରୁ ଆସିଛି।

ବିଜେପି ମହିଳାଙ୍କୁ ଖାଲି ବ୍ୟାଗ୍‌ ଦେବ ନାହିଁ। ଏଥିପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ନିର୍ଣ୍ଣୟ ନେଇଛି। ଆମ ସରକାର ଆସିଲେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଚେକ୍ ମିଳିବ। ମହିଳାମାନେ ଯେବେ ଚାହିଁବେ ବ୍ୟାଙ୍କରେ ଏହି ଚେକ ଡିପୋଜିଟ କରି ଟଙ୍କା ଉଠାଇ ପାରିବେ ବୋଲି ସେ କହିଛନ୍ତି। 

Advertisment

ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଯୁବବର୍ଗଙ୍କୁ ଚାକିରି ମିଳୁ ନାହିଁ। ଫଳରେ ଯୁବକଯୁବତୀମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ହେଲେ ବିଧାନସଭାରେ ଓଡ଼ିଶାରେ ୧ ଲକ୍ଷ ପୋଷ୍ଟ ଖାଲି ଅଛି ବୋଲି କୁହାଯାଇଛି। ଯଦି ୧ ଲକ୍ଷ ପୋଷ୍ଟରେ ନିଯୁକ୍ତି ଦିଆଯାଇଥା’ନ୍ତା, ତାହାହେଲେ ୧ ଲକ୍ଷ ପରିବାର ଉପକୃତ ହୋଇଥାନ୍ତେ। ମୋ ଜାଣିବାରେ ଓଡ଼ିଶାରେ ଆଉ ଏକ ପୋଷ୍ଟ ଖାଲିଥିଲା। ସଭାରେ ନବୀନ ବାବୁ କହିବା ବେଳେ ତାଙ୍କ ମାଇକ ଧରି ଠିଆ ହେବା ପାଇଁ ଏକ ପୋଷ୍ଟ ଖାଲି ପଡ଼ିଥିଲା। ନବୀନ ବାବୁ ଯେଉଁଠି ଯାଆନ୍ତି ତାଙ୍କୁ ମାଇକ ଧରିବାକୁ ଜଣେ ଲୋକ ଦରକାର ଥିଲା। ଏହି ପୋଷ୍ଟ ବି ନବୀନ ବାବୁ ଓଡ଼ିଶାର କୌଣସି ଲୋକଙ୍କୁ ନିଯୁକ୍ତି ଦେଲେ ନାହିଁ। ଏହି ପୋଷ୍ଟକୁ ବି ପାଣ୍ଡିଆକୁ ଦେଇଦେଲେ। ଓଡ଼ିଶାରେ ଯୁବକମାନଙ୍କର ଯଦି ଚାକିରି କରିବା ପାଇଁ ଯୋଗ୍ୟତା ନାହିଁ, ତାହାହେଲେ ସେମାନଙ୍କର ମାଇକ ଧରିବାର ଯୋଗ୍ୟତ ନିଶ୍ଚୟ ଥିବ। ହେଲେ ଓଡ଼ିଶାର ଲୋକ ଏହା କରିପାରିବେନି ବୋଲି ନବୀନ ବାବୁ ଭାବିଲେ। ଏଥିପାଇଁ ତାମିଲନାଡୁରୁ ଲୋକ ନେଇ ଆସିଲେ।  ଓଡ଼ିଶାର କେହି ଯୋଗ୍ୟ ବ୍ୟକ୍ତି ନାହାନ୍ତି ବୋଲି ନବୀନ ବାବୁ ଭାବୁଛନ୍ତି, ସେଥିପାଇଁ ସବୁ କିଛି ପାଣ୍ଡିଆକୁ ଦେଇଦେଉଛନ୍ତି। ଏପରି କରି ନବୀନ ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳିଛନ୍ତି।

ସେହିଭଳି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ସେ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ରଖିଛନ୍ତି। କେଉଁଠି ରଖିଛନ୍ତି ଶୀଘ୍ର କାଢ଼ନ୍ତୁ। ଜୁନ୍ ୧୦ ତାରିଖ ସୁଦ୍ଧା ପାଣ୍ଡିଆନ୍ ବାବୁ ରତ୍ନ ଭଣ୍ଡାର ଚାବି କାଢ଼ନ୍ତୁ। ଜୁନ୍ ୧୦ ପରେ ବିଜେପି ସରକାର ଆସିବ। ଆମେ ଚାବି କାଢ଼ିବୁ। ପୁରୀରେ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୪ ଦ୍ୱାର ଖୋଲିବୁ। ରତ୍ନଭଣ୍ଡାର ସମ୍ପର୍କରେ ନ୍ୟାୟିକ ତଦନ୍ତ ହେଲା। କିନ୍ତୁ ଏପର୍ଯ୍ୟନ୍ତ ରିପୋର୍ଟ ସାର୍ବଜନୀନ ହେଉନାହିଁ। ଲୋକଙ୍କ ଇମୋସନ୍ ସହ ନଖେଳି, ତୁରନ୍ତ ରତ୍ନଭଣ୍ଡାର ଚାବି ଦିଅ। ନଚେତ୍ ଜଗନ୍ନାଥଙ୍କ ଅଭିଶାପରୁ ଦଣ୍ଡିତ ହେବ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

ପିଓକେକୁ ଭାରତ ସହ ମିଶାଇବାକୁ ମୋଦିଙ୍କ ୪ଶହ ପାର୍ ନାରା ଦେଇଛନ୍ତି। ୩ଶହ ପାର୍‌ରେ ଶ୍ରୀରାମ ମନ୍ଦିର ନିର୍ମାଣ ହେଲା ଓ ସିଏଏ ଲାଗୁ ହେଲା। ୪ ଶହ ପାର୍ ହେଲେ ପିଓକେ ଭାରତ ସହ ମିଶିବ। କୃଷ୍ଣ ମନ୍ଦିର, ଜ୍ଞାନବ୍ୟାପୀ ନିର୍ମାଣ ହେବ ଓ ଅନେକ କାର୍ଯ୍ୟ କରାଯିବ। ପିଓକେ ଅଶାନ୍ତ ସତ୍ତ୍ୱେ ଶ୍ରୀନଗରରେ ଲୋକ ସୁରକ୍ଷିତ ଓ ଶାନ୍ତିରେ ଅଛନ୍ତି। ୪ ଶହ ଆସନ ମଧ୍ୟରେ ଆସ୍କା ନିର୍ବାଚନ ଲୋକସଭା ମଣ୍ଡଳୀ ମଧ୍ୟ ଆସୁଛି। ତେଣୁ ଏଠି ବି ବିଜେପି ଜିତିବା ଦରକାର ବୋଲି କହିଛନ୍ତି ଶ୍ରୀ ବିଶ୍ୱଶର୍ମା।

Vk Pandian Hemanta Biswa Sarma Lok Sabha Election 2024 Odisha Assembly Election 2024