ପୁଣି ହିମନ୍ତଙ୍କ ହାମଲା: ମୁଁ ବି ଜଣେ ମୁଖ୍ୟମନ୍ତ୍ରୀ, ମୋ ମାଇକ୍‌ ଆଉ କେହି ଧରନ୍ତିନି

‘ମୁଁ ଜଣେ ମୁଖ୍ୟମନ୍ତ୍ରୀ। ମୁଁ ତ ଏକୁଟିଆ ସବୁ ସ୍ଥାନକୁ ଯାଉଛି। ଏକୁଟିଆ ଲୋକଙ୍କ ସହ କଥା ହୋଇ ପାରୁଛି। ଲୋକଙ୍କୁ ସାକ୍ଷାତ କରି ପାରୁଛି। କାହାର ସାହସ ନାହିଁ ମାଇକ୍‌ ଧରି ମୋତେ କୁହାଇବାକୁ’ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

  • Published: Thursday, 23 May 2024
  • , Updated: 23 May 2024, 12:38 PM IST

‘ମୁଁ ଜଣେ ମୁଖ୍ୟମନ୍ତ୍ରୀ। ମୁଁ ତ ଏକୁଟିଆ ସବୁ ସ୍ଥାନକୁ ଯାଉଛି। ଏକୁଟିଆ ଲୋକଙ୍କ ସହ କଥା ହୋଇ ପାରୁଛି। ଲୋକଙ୍କୁ ସାକ୍ଷାତ କରି ପାରୁଛି। କାହାର ସାହସ ନାହିଁ ମାଇକ୍‌ ଧରି ମୋତେ କୁହାଇବାକୁ’ । ଆଜି ପୁଣିଥରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଏପରି ଭାବେ ସାଂଘାତିକ ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏଥିସହ ନବୀନ ବାବୁ ପାଣ୍ଡିଆନଙ୍କ ବିନା ଓଡ଼ିଶା ଗଣମାଧ୍ୟମ ସହ ଏକୁଟିଆ ଅଧ ଘଣ୍ଟା କଥା ହେବା ଉଚିତ ବୋଲି ବି ଖୋଲାଖୋଲି ଭାବେ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। 

ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ଆଜି ପୁଣି ଥରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆଜି ତାଙ୍କର ମାରାଥନ ପ୍ରଚାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା। ମନ୍ଦିରରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ନେଇ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କ ଉପରେ କଡ଼ା ହମଲା କରିଛନ୍ତି ହିମନ୍ତ ବିଶ୍ୱଶର୍ମା।

ସେ କହିଛନ୍ତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକୁଟିଆ କାହାକୁ ସାକ୍ଷାତ କରି ପାରୁ ନାହାନ୍ତି କି କାହା ସହ କଥା ହୋଇପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ନିଜେ ପାଣ୍ଡିଆନଙ୍କ ପାଖରେ ରହୁଛନ୍ତି, ନା ପାଣ୍ଡିଆନ କିଛି ଖେଳ ଖେଳିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ କବଳରୁ ମୁକୁଳି ପାରୁ ନାହାନ୍ତି ତାହା ଚିନ୍ତାର ବିଷୟ। ହାଇକୋର୍ଟ ମୁଖ୍ୟ ବିଚାରପତି, ବିଚାରପତି କିମ୍ବା ରାଜ୍ୟପାଳ ଏ ସମ୍ପର୍କରେ ନବୀନ ବାବୁଙ୍କ ସହ ଏକୁଟିଆ କଥା ହେବା ଉଚିତ।

ପ୍ରାୟ ୧୦ ବର୍ଷ ହେବ ନବୀନ ବାବୁ ଯେକୌଣସି ସ୍ଥାନକୁ ଯାଉଛନ୍ତି ତାଙ୍କ ପାଖେପାଖେ ପାଣ୍ଡିଆନ ରହୁଛନ୍ତି। ଏକ ସାମ୍ବିଧାନିକ ପଦରେ ରହି ମଧ୍ୟ ସବୁଠି ନବୀନ ବାବୁ କେବଳ ଓକେ ହିଁ କହୁଛନ୍ତି । ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଏକଲା କଥା ହୁଅନ୍ତି ନାହିଁ। ଏପରି ସ୍ଥିତିରେ ନବୀନ ବାବୁ ଠିକ୍‌ ଥିଲେ ଆମେ ଖୁସି। ମାତ୍ର ସେ ଠିକ୍‌ ଅଛନ୍ତି କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

ନବୀନ ବାବୁଙ୍କୁ ଓଡ଼ିଶା ଗଣମାଧ୍ୟମ ସହ ପାଣ୍ଡିଆନଙ୍କ ବିନା ଏକୁଟିଆ ଅଧ ଘଣ୍ଟା କଥା ହେବା ଉଚିତ। ଏଥିନିମନ୍ତେ ପାଣ୍ଡିଆନଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା।

ଆଜି ସମ୍ବଲପୁର, କେନ୍ଦୁଝର ଓ କଟକ ସଂସଦୀୟ କ୍ଷେତ୍ରରେ ମାରାଥନ୍ ପ୍ରଚାର କରିବେ ହିମନ୍ତ ବିଶ୍ୱଶର୍ମା। ତା’ ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରୋକଠୋକ ଭାବେ କହିଛନ୍ତି, ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ନେଇ ଏଠାରେ ନିର୍ବାଚନ ଲଢ଼ାଯାଉଛି। ଏଠି ଯେଉଁ 5T କଥା କୁହାଯାଉଛି, T ଅର୍ଥ ହେଉଛି ତାମିଲନାଡୁ। ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବଜା କରି ନେଇଛନ୍ତି। ପାଣ୍ଡିଆନ ଯାହା ଲେଖିକି ଦେଉଛନ୍ତି, ତାହାକୁ ପଢ଼ୁଛନ୍ତି ନବୀନ।

ଏ ସରକାର ଓଡ଼ିଶାର ସମ୍ପତ୍ତିକୁ ଆଉଟ ସୋର୍ସ କରିଛନ୍ତି। ମହାପଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଲୁଚାଇ କରି ରଖିଛନ୍ତି। ଓଡ଼ିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି। ପାଣ୍ଡିଆନଙ୍କୁ ହଟାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆମେ ଏହି ନିର୍ବାଚନ ଲଢ଼ୁଛୁ ।

ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିଯିବ ଓ ସମସ୍ତେ ବିଜେପିକୁ ଚାଲି ଆସିବେ। ଯେଉଁମାନଙ୍କର ଆତ୍ମସମ୍ମାନ ଅଛି ସେମାନେ ବିଜେଡିରେ ରହିବେନି । କେବଳ ସେତିକି ନୁହେଁ ୧୧ ତାରିଖରେ ପାଣ୍ଡିଆନ ତାମିଲନାଡୁ ଚାଲିଗଲେ ବହୁତ କିଛି ଜଣାପଡ଼ିବ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା। ଏନେଇ ବିଜେଡିର ପ୍ରତିକ୍ରିୟା ମିଳି ପାରିନି।

Related story