From Kamakhyanagar to Nuapada: Two Patnaiks, Two Defeats—Is the Curtain Falling on the Patnaik Legacy?
ଓଡ଼ିଶା ରାଜନୀତିରେ ୨୮ବର୍ଷର ବ୍ୟବଧାନରେ ଦୁଇଟି ଉପନିର୍ବାଚନ । ଏହା କେବଳ ଜନାଦେଶ ନୁହେଁ ବରଂ ଗୋଟିଏ ରାଜନୀତିକ ଯୁଗର ନାଟକୀୟ ଅନ୍ତ ଓ ନିର୍ଣ୍ଣାୟକ ପରିବର୍ତ୍ତନର ଅୟଂଆରମ୍ଭର ସଙ୍କେତ । ଗୋଟିଏ ବଂଶର ଦୁଇ ପିଢ଼ି, ସମାନ ପଟ୍ଟକଥା ଲେଖି ନିଜର ରାଜନୀତିକ ଅନ୍ତର ଆଭାସ ଦେଇଛନ୍ତି । ଏହା ଆକସ୍ମିକ ନା ସୁଚିନ୍ତିତ ଜଣାନାହିଁ ମାତ୍ର ଜନାଦେଶ ଉଭୟ ପିଢ଼ି ବିପକ୍ଷରେ ଯାଇଛି । ୧୯୯୭ରେ ବିଜୁ ପଟ୍ଟନାୟକ କାମାକ୍ଷାନଗର ଉପନିର୍ବାଚନରେ ଜନତା ଦଳକୁ ଓଡ଼ିଶାରେ ବଂଚାଇବା ପାଇଁ ଶେଷ ଉଦ୍ୟମ କରିଥିଲେ । ଆଉ ତାଙ୍କ ପୁଅ ନବୀନ ପଟ୍ଟନାୟକ ୨୦୨୫ରେ ନୂଆପଡ଼ା ଉପନିର୍ବାଚନରେ ବିଜେଡିକୁ ପୁନଃସଂଗଠିତ କରିବାକୁ ପ୍ରୟାସ କଲେ । ଉଭୟ ବାହାର ପ୍ରାର୍ଥୀଙ୍କୁ ଆଣି ସ୍ଥାନୀୟ ଲୋକଙ୍କ ଉପରେ ଲଦିଦେବାର ଭୁଲ୍ ନିଷ୍ପତ୍ତି ନେଲେ । ବିଜୁଙ୍କ ପାଇଁ ନିର୍ବାଚନୀ ପରିଚାଳନାର ମଙ୍ଗ ଯାଜପୁରର ଅଶୋକ ଦାସ ଧରିଥିଲେ ତ ନବୀନଙ୍କ ନିମନ୍ତେ ନୂଆପଡ଼ାରେ ଅଶୋକଙ୍କ ପୁଅ ପ୍ରଣବପ୍ରକାଶ (ବବି) ଧରିଲେ । ଉଭୟ ବିଜୁ ଓ ନବୀନ ବ୍ୟକ୍ତିଗତ ଭାବେ ପ୍ରଚାର କଲେ । ଆଉ ଜନତା ଉଭୟଙ୍କୁ ପ୍ରତ୍ୟାଖ୍ୟାନ କଲେ । ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଓଡ଼ିଶାର ଅଣକଂଗ୍ରେସ ରାଜନୀତିରେ ‘ପଟ୍ଟନାୟକ ଯୁଗ’ର ସମ୍ଭାବ୍ୟ ନାଟକୀୟ ପରିସମାପ୍ତିର ପୂର୍ବାଭାସର ସଙ୍କେତ ଦେଇଛି ।
ବିଜୁବାବୁଙ୍କ ଶେଷ ନିର୍ବାଚନ ବାଜି ଓ ଜନତା ଦଳର ବିଲୟ
୧୯୯୫ରେ ବିଜୁ ପଟ୍ଟନାୟକ( Biju Patnaik)ଙ୍କ ସରକାର ଭାଙ୍ଗିବାର ମାତ୍ର ୨୦ ମାସ ପରେ କମାକ୍ଷାନଗରରେ ଉପନିର୍ବାଚନ ହେଲା । କଂଗ୍ରେସ ବିଧାୟକ କୈଳାସ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ପ୍ରେମଲତାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କଲା । କ୍ଷମତାରୁ ଯିବାପରେ ବିଜୁବାବୁଙ୍କ ଜନତା ଦଳ ତୀବ୍ର ଗୋଷ୍ଠୀକନ୍ଦଳରେ ଲିପ୍ତ ଥାଏ । ସ୍ଥାନୀୟ ନେତା ପ୍ରସନ୍ନ ପଟ୍ଟନାୟକଙ୍କୁ ଅଣଦେଖା କରି ବିଜୁବାବୁ ନିଜର ବିଶ୍ୱସ୍ତ ନଗେନ୍ଦ୍ର କୁମାର ପ୍ରଧାନଙ୍କୁ ପଡ଼ୋଶୀ ଜିଲ୍ଲାରୁ ଆଣି ପ୍ରାର୍ଥୀ କଲେ। ନିଜେ ତିନି ଦିନ ଧରି ଖୋଲା ଜିପରେ ପ୍ରଚାର କରିବା ସହ ଆବଶ୍ୟକ ଖର୍ଚ୍ଚ ମଧ୍ୟ ଦେଲେ । ଜନତା ଦଳର ରାଜ୍ୟ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ବିଜୟ ମହାପାତ୍ରଙ୍କ ଭଳି ଜନତା ଦଳର ବଡ଼ ନେତାମାନେ ମଧ୍ୟ ଗ୍ରାଉଣ୍ଡରେ ରହି ନିର୍ବାଚନୀ ପରିଚାଳନା କଲେ ।
ମାତ୍ର ଫଳାଫଳ ଅତ୍ୟନ୍ତ ଚକିତ କଲା । ନଗେନ୍ଦ୍ର ପ୍ରଧାନଙ୍କ ଅମାନତ ରହିଲା ନାହିଁ । ମାତ୍ର ୨୬୮୦ ଭୋଟ୍ (୨.୭%) ମିଳିଲା ଓ ସେ ଚତୁର୍ଥ ସ୍ଥାନରେ ରହିଲେ । କଂଗ୍ରେସ ପ୍ରାର୍ଥୀ ପ୍ରେମଲତା ୬୦୬୯୫(୬୧.୨୦%) ଭୋଟ୍ ବ୍ୟବଧାନରେ ବିପୁଳ ବିଜୟ ହାସଲ କଲେ । ଏହି ନିର୍ବାଚନ କେବଳ ବିଜୁବାବୁଙ୍କ ପାଇଁ ବ୍ୟକ୍ତିଗତ ଶକ୍ତ ଝଟକା ନଥିଲା, ବରଂ ଜନତା ଦଳର ପତନର ମୂଳଦୁଆ ପକାଇଥିଲା । ଏହି ନିର୍ବାଚନ ବିଜୁବାବୁଙ୍କ ଜୀବନର ଅନ୍ତିମ ନିର୍ବାଚନୀ ପ୍ରଚାର ଥିଲା ଓ ଏହାର ୩ମାସ ପରେ ୧୯୯୭ ଏପ୍ରିଲ ମାସରେ ତାଙ୍କର ଦେହାନ୍ତ ହୋଇଥିଲା ।
ସେହି ନିର୍ବାଚନରେ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ, ତାଙ୍କ ଆପତ୍ତି ସତ୍ତ୍ୱେ ବିଜୁବାବୁ ତାଙ୍କୁ କାମାକ୍ଷାନଗରରୁ ପ୍ରାର୍ଥୀ କଲେ । ୩ଦିନ ଧରି ବିଜୁବାବୁ କାମାକ୍ଷନଗରରେ ରହି ପ୍ରଚାର ମଧ୍ୟ କଲେ । ନିର୍ବାଚନ ପରିଚାଳନା ଦାୟିତ୍ୱ ସେତେବେଳେ ଦଳର ରାଜ୍ୟ ସଭାପତି ଅଶୋକ ଦାସଙ୍କ ଉପରେ ରହିଲା । ନିର୍ବାଚନୀ ଖର୍ଚ୍ଚ ପାଇଁ ବିଜୁବାବୁ ବୁଥ୍ ପିଛା ୫ହଜାର ଟଙ୍କା ଦେଇଥିଲେ, ତାହା ଠିକ ସ୍ଥାନରେ ପହଂଚିଲା ନାହିଁ । ଅବଶ୍ୟ ପ୍ରଚାରବେଳେ ପରାଜୟ କଥା ବାରି ହୋଇ ପଡ଼ୁଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନବୀନଙ୍କ ରଣନୀତିଗତ ତ୍ରୁଟି ଓ ବିଜେଡିର ବିପର୍ଯ୍ୟୟ
୨୮ ବର୍ଷ ପରେ ଓଡ଼ିଶା ରାଜନୀତିରେ ଇତିହାସ ନିଜକୁ ଦୋହରାଇଲା । ଏଥର ସ୍ଥାନ ଥିଲା ନୂଆପଡ଼ା ବିଧାନସଭା । ବରଗଡ଼ ଜିଲ୍ଲାର ଅତାବିରାରୁ ୩୦ହଜାର ଭୋଟରେ ପରାଜିତ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ନୂଆପଡ଼ାରେ ପ୍ରାର୍ଥୀ କଲେ। ଦଳର କୋରଟିମ୍ ଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଅଣଦେଖା କରି ବିଜେଡିର ଅଘୋଷିତ ସର୍ବେସର୍ବା ଓ ନିଜର ବିଶ୍ୱସ୍ତ ପରାମର୍ଶଦାତା ଭିକେ ପାଣ୍ଡିଆନଙ୍କ ମନ୍ତ୍ରଣାରେ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କଲେ BJD Naveen Patnaik । ଆଉ ନାଟକୀୟ ଢଙ୍ଗରେ ଏହା ଦଳର ନିଷ୍ପତ୍ତି ବୋଲି ମଧ୍ୟ ଦଳୀୟ ନେତା-କର୍ମୀଙ୍କ ଉପରେ ଲଦି ଦିଆଗଲା । ନବୀନ ଦୁଇଥର ନୂଆପଡ଼ା ଯାଇ ସେଠାରେ ପ୍ରଚାର କଲେ । ନବୀନଙ୍କ ଆକର୍ଷଣ ଓ ବ୍ରାଣ୍ଡକୁ ନେଇ ଦଳ ଗର୍ବ କରୁଥିଲା । ମାତ୍ର ପାଣ୍ଡିଆନଙ୍କୁ ସୁରକ୍ଷା ଦେଇ ଦେଇ ନବୀନ ଯେ ନିଜର କରିସ୍ମା ହରାଇ ସାରିଲେଣି ତାହା ଜଳଜଳ ଦିଶୁଥିଲେ ମଧ୍ୟ ବିଜେଡି ସ୍ୱୀକାର କରୁନି । ନୂଆପଡ଼ା ଜନାଦେଶ ବିଜେଡିର ଏଭଳି ବିପର୍ଯ୍ୟସ୍ତ ସ୍ଥିତିର ସଙ୍କେତ ଦେଲା । ସ୍ନେହାଙ୍ଗିନୀ ମାତ୍ର ୧୮% ଭୋଟ୍ ପାଇଲେ। କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଛଡ଼ାଇ ନେଲା ଓ ଶାସକ ବିଜେପି ପ୍ରାର୍ଥୀ ୫୮%ରୁ ଅଧିକ ଭୋଟ୍ ପାଇ ବିଜୟୀ ହେଲେ ।
ଅଶୋକ ଦାସ ପରିବାରର ଦୁଇ ପିଢ଼ି ଓ ଦୁଇଥର ଦଳର ଅବକ୍ଷୟ
୧୯୯୭ରେ କମାକ୍ଷାନଗର ଉପନିର୍ବାଚନରେ ତତକାଳୀନ ଜନତା ଦଳ ରାଜ୍ୟ ସଭାପତି ଅଶୋକ ଦାସଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ନଗେନ୍ଦ୍ରଙ୍କୁ ଅମାନତ ହରାଇବାକୁ ପଡ଼ିଲା ବୋଲି ସେତେବେଳେ ଅଭିଯୋଗ ହେଲା । ୨୦୨୫ ନୂଆପଡ଼ା ଉପନିର୍ବାଚନରେ ତାଙ୍କ ପୁଅ ପ୍ରଣବପ୍ରକାଶ ଓରଫ ବବିଙ୍କ ରଣନୀତି ଓ ନେତୃତ୍ୱ ଉପରେ ବି ସମାନ ପ୍ରଶ୍ନ ଉଠୁଛି ।
୧.୨୦ଲକ୍ଷ ଭୋଟର ବିଶିଷ୍ଟ ବିଜେଡିର ଗଡ଼ କୋମନା ବ୍ଲକ ଦାୟିତ୍ୱରେ ବବି ରହିଥିଲେ ମଧ୍ୟ ସେଠାରେ ସମଗ୍ର ନିର୍ବାଚନ ପରିଚାଳନାର ତଦାରଖ କରୁଥିଲେ । କୋମନା ପାଇଁ ବବି ନିଜେ ନିଜର ଟିମ୍ ବାଛିବା ସହ ପଂଚାୟତସ୍ତରରେ ମାଇକ୍ରୋ ମ୍ୟାନେଜମେଂଟ ମଧ୍ୟ କରୁଥିଲେ । ଏପରିକି ଅପେକ୍ଷାକୃତ ୨୦ ପ୍ରତିଶତ ଅଧିକ ପାଣ୍ଠି ମଧ୍ୟ ସେ କୋମନା ପାଇଁ ନେଇଥିଲେ । କିନ୍ତୁ ନୂଆପଡ଼ା ଭୋଟ୍ ଗଣତିବେଳେ ୧୬ରାଉଣ୍ଡ ପରଠୁ(କୋମନା ବ୍ଲକର ଭୋଟ ଗଣତି) ଶେଷ ୨୯ରାଉଣ୍ଡ ପର୍ଯ୍ୟନ୍ତ ବିଜେଡିର ସ୍ନେହାଙ୍ଗିନୀଙ୍କୁ ପଛରେ ପକାଇ କଂଗ୍ରେସର ଘାସିରାମ ଦ୍ୱିତୀୟ ସ୍ଥାନରେ ରହିଲେ ।
ବିଜେଡି ମହଲରେ ଚର୍ଚ୍ଚା ହେଉଛି ଯେ, ବିଜେଡି ପ୍ରାର୍ଥୀଙ୍କ ପରାଜୟ ପାଇଁ ଡିଲ୍ କରିଥିବା ପାଣ୍ଡିଆନଙ୍କ ଅଲିଖିତ ନିର୍ଦ୍ଦେଶରେ ତାଙ୍କର ଖାସ୍ ଅନୁଗତ ବବି ନୂଆପଡ଼ାରେ ତାଙ୍କ ପିତାଙ୍କ ‘କାମାକ୍ଷନଗର’ର ଅପରେସନକୁ ଦୋହରାଇଥିଲେ । ଉଭୟ ଥର ପଟ୍ଟନାୟକ ପରିବାର(ବିଜୁ ଓ ନବୀନ) ବାହ୍ୟ ପ୍ରାର୍ଥୀଙ୍କୁ ଲଦି ଦେବାର ଭୁଲ୍ କଲେ ଓ ଉଭୟ ଥର ଦାସ ପରିବାର ହାତରେ ନିର୍ବାଚନ ପରିଚାଳନା ଦାୟିତ୍ୱ ରହିଲା । ଏହା ରଣନୀତିକ ଷଡ଼ଯନ୍ତ୍ର ନୁହେଁ ତ ଆଉ କ’ଣ ବୋଲି ପ୍ରଶ୍ନ ଉଠିଛି ।
ନବୀନଙ୍କ ‘ବିଜେଡି’ର ପତନରେ ବାଜିଲା କି ମୋହର?
ନୂଆପଡ଼ରେ ବିଜେଡିର ଶୋଚନୀୟ ପରାଜୟ, କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବା ଏବଂ ସଂଗଠନ ଉପରେ ନବୀନଙ୍କ ଦୁର୍ବଳ ନିୟନ୍ତ୍ରଣ ଓ ପାଣ୍ଡିଆନଙ୍କ ମାତ୍ରାଧିକ ମାମଲାତିକୁ ନେଇ ବଢ଼ୁଥିବା ଅସନ୍ତୋଷ ହିଁ ‘ବିଜେଡି’ର ପତନର ମୂଳଦୁଆ ପଡ଼ିଲାଣି ବୋଲି ଚର୍ଚ୍ଚା ହେଉଛି । ୨୦୨୪ ସାଧାରଣ ନିର୍ବାଚନରେ ପରାଜୟର ଆତ୍ମସମୀକ୍ଷା କରିନଥିବା ବିଜେଡି ଏଥର ବି ଆତ୍ମସମୀକ୍ଷା କରିବାକୁ ପଛାଉଛି । ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ କାହିଁକି ଲଦି ଦିଆଗଲା ଓ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପରିମାଣର ପାଣ୍ଠି ଦଳ କାହିଁକି ଦେଲାନି ତାହା ଏବେବି ଦଳୀୟ ମହଲରେ ବଡ଼ ସନ୍ଦେହର କାରଣ ପାଲଟିଥିବା ଜଣାପଡ଼ିଛି ।
ପାଣ୍ଡିଆନ ଓ ବବି ଉଭୟ ନିଜକୁ ବିଜେଡିର ଭାଗ୍ୟନିୟନ୍ତା ବୋଲି ଦର୍ଶାଉଛନ୍ତି ସେମାନେ କ’ଣ ପ୍ରକୃତରେ ବିଜେଡି ପାଇଁ ‘ଭସ୍ମାସୁର’ ସାଜିଛନ୍ତି କି?
ବିଜୁଙ୍କୁ ଅଶୋକ ଓ ଏବେ ନବୀନଙ୍କୁ ‘ପାଣ୍ଡିଆନ-ବବି’ ଯୋଡ଼ି ଗ୍ରାସ କରି ଜନତା ଦଳ ଭଳି ବିଜେଡିର ପତନର କାହାଣୀର ଲେଖୁଛନ୍ତି କି?
ବିଜୁବାବୁ ଯେଉଁ ଢଙ୍ଗରେ ଜନତା ଦଳକୁ ହରାଇଥିଲେ, ନବୀନ କ’ଣ ସମାନ ଢଙ୍ଗରେ ବିଜେଡିକୁ ସେହି ପଥରେ ପରିଚାଳିତ କରୁଛନ୍ତି କି?
ଅବଶ୍ୟ ନୂଆପଡ଼ାରେ ଦଳର ବିପର୍ଯ୍ୟୟକୁ ନେଇ ପ୍ରଫୁଲ୍ଲ ସାମଲ, ଗଣେଶ୍ୱର ବେହେରା, ଶ୍ରୀମୟୀ ମିଶ୍ର, ଏଲିନା ଦାଶଙ୍କ ଭଳି ନେତା-ନେତ୍ରୀମାନେ ମୁହଁ ଖୋଲି ପରିଚାଳନାଗତ ତ୍ରୁଟିକୁ ଉଜାଗର କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us