Advertisment

କଂଗ୍ରେସରେ ଯୋଗ ଦେବେ ହକି ତାରକା ପ୍ରବୋଧ ତିର୍କୀ

ପ୍ରବୋଧ ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ହୋଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Prabodh Tirkey

Prabodh Tirkey

କଂଗ୍ରେସରେ ଯୋଗ ଦେବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। ସେ ନିଜେ ଏହି ସୂଚନା ଦେଇଛନ୍ତି।

Advertisment

ପ୍ରବୋଧ କହିଛନ୍ତି, ରାହୁଲ ଗାନ୍ଧିଙ୍କ ନେତୃତ୍ୱ ମୋତେ ଆକର୍ଷିତ କରିଛି। ସେଥିପାଇଁ ମୁଁ କଂଗ୍ରେସରେ ଯୋଗ ଦେବି ବୋଲି ସ୍ଥିର କରିଛି। ଆଜି ମୁଁ ଭୁବନେଶ୍ୱର ଯିବି। ଆସନ୍ତାକାଲି ପିସିସି ସଭାପତିଙ୍କୁ ଭେଟିବି। ତାଙ୍କ ପରାମର୍ଶକ୍ରମେ ଆଗାମୀ କାର୍ଯ୍ୟକ୍ରମ ସ୍ଥିର ହେବ।

ଆସନ୍ତା ନିର୍ବାଚନରେ ପ୍ରବୋଧ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ହେବା ପାଇଁ ଇଚ୍ଛା ରଖିଛନ୍ତି। ପ୍ରବୋଧ କହିଛନ୍ତି, ତଳସରା ଅଞ୍ଚଳର ସମସ୍ୟା ସଂପର୍କରେ ମୁଁ ଭଲ ଭାବେ ଅବଗତ ଅଛି। ଏହି ଅଞ୍ଚଳର ପିଲାମାନେ ପାଠପଢ଼ା ଛାଡ଼ି କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଏମିତି ଅନେକ ସମସ୍ୟା ରହିଛି। ଏହି ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା କରିବା ପାଇଁ ମୁଁ ଲକ୍ଷ୍ୟ ରଖିଛି। ସେଥିପାଇଁ ଚାକିରି ଛାଡ଼ି ଚାଲିଆସିଛି।

Advertisment

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଲୁଲକିଡ଼ିହି ଗାଁର ପ୍ରବୋଧ ଦେଶ ପାଇଁ ଅନେକ ନାଁ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୬ରେ ସେ ଜନ୍ମ ହୋଇଥିଲେ। ସେ ଭାରତୀୟ ହକି ଦଳର ଅଧିନାୟକ ହୋଇପାରିଥିଲେ। ତା’ ପୂର୍ବରୁ ସେ ଜାତୀୟ ସବ୍‌-ଜୁନିୟର, ଜୁନିୟର ଓ ‘ଏ’ ଟିମ୍‌ର ମଧ୍ୟ ଅଧିନାୟକ ହୋଇଥିଲେ। ୨୦୦୭ରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପ୍‌ରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେତେବେଳେ ପ୍ରବୋଧ ଦଳର ଅଧିନାୟକ ଥିଲେ।

ପ୍ରବୋଧ ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୦୧ରେ ଏକଲବ୍ୟ ପୁରସ୍କାର ପାଇଥିବା ବେଳେ ୨୦୦୯ରେ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପାଇଥିଲେ। ୩୮ ବର୍ଷୀୟ ପ୍ରବୋଧ ଗତ ଜୁଲାଇ ମାସରେ ଚାକିରିରୁ ଇସ୍ତଫା ଦେଇ ଦେଇଥିଲେ। ସେ ୨୦୨୪ ନିର୍ବାଚନରେ ତଳସରାରୁ କଂଗ୍ରେସର ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି।

ତଳସରାକୁ କଂଗ୍ରେସର ଗଡ଼ କୁହାଯାଏ। ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଏହି ଆସନ କଂଗ୍ରେସ ହାତରେ ରହିଥିଲା। ୧୯୭୪, ୧୯୮୦ ଓ ୧୯୮୫ରେ ବି ଏଠାରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ମାଝୀ ହାରି ଯାଇଥିଲେ। ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ଏହି ଆସନରୁ ବିଜୟୀ ହୋଇଥିଲେ।

ସୁନ୍ଦରଗଡ଼ରୁ ଦେବବ୍ରତ ଜେନାଙ୍କ ରିପୋର୍ଟ 

Congress Hockey Prabodh Tirkey