Advertisment

ଦମ୍ଭୋକ୍ତି ଦେଖାଇଲେ ଶାହ: ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ ‍ବିଜେପି

କେନ୍ଦ୍ର ସହ ଓଡ଼ିଶାରେ ବି ବିଜେପି ସରକାର ଗଠନ ହେବ ବୋଲି ଅମିତ ଶାହ କହିଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
BJP

BJP

ଓଡ଼ିଶାରେ ବିଜେପି ୨୧ଟି ଲୋକସଭା ଆସନରୁ ୧୫ଟିରେ ବିଜୟୀ ହେବ। ସେହିପରି ୧୪୭ଟି ବିଧାନସଭା ଆସନରୁ ୭୫ଟିରେ ଜିତିବ। ଆଜି ପୁଣି ଓଡ଼ିଶା ଗସ୍ତରେ ଆସି ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

Advertisment

ରାଉରକେଲାର ନିର୍ବାଚନୀ ସଭାରେ ଯୋଗ ଦେଇ ଅମିତ ଶାହ କହିଛନ୍ତି, ଦେଶରେ ଅନୁଷ୍ଠିତ ହୋଇସାରିଥିବା ୪ଟି ପର୍ଯ୍ୟାୟ ନିର୍ବାଚନରେ ମୋଦିଜୀ ୨୭୦ ସିଟ୍‌ ଟପିଗଲେଣି। ଏଥର ମୋଦିଜୀ ୪ଶହ ପାର୍‌ କରିବେ ବୋଲି ସ୍ପଷ୍ଟ ଜଣାପଡ଼ିଲାଣି। କେନ୍ଦ୍ର ସହ ଓଡ଼ିଶାରେ ବି ବିଜେପି ସରକାର ଗଠନ ହେବ। ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବ ବିଜେପି। ସେହିପରି ୭୫ରୁ ଅଧିକ ବିଧାନସଭା ଆସନ ଜିତିବ। ଓଡ଼ିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଂଜିନ ଗଡ଼ିବ। ଓଡ଼ିଶାକୁ ନକ୍ସଲବାଦରୁ ମୁକ୍ତି କରିବା ପାଇଁ କାମ କରିଛନ୍ତି ମୋଦି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଗୌରବକୁ ପୁନଃ ପ୍ରତିଷ୍ଠା କରିବ ଏହି ନିର୍ବାଚନ।

ସେ କହିଛନ୍ତି, କଂଗ୍ରେସ ଏଯାଏ କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରି ନଥିଲା। ହେଲେ ବିଜେପି ଓଡ଼ିଶାର ଜଣେ ଆଦିବାସୀ ଝିଅଙ୍କୁ ରାଷ୍ଟ୍ରପତି କରିଛି। ଓଡ଼ିଶାର ଶାସନ ଓଡ଼ିଆରେ ନା ତାମିଲରେ ଚାଲିବ, ତା’ର ଜବାବ ଦେବାକୁ ସେ ବିଜେଡିକୁ ପ୍ରଶ୍ନ କରିଛନ୍ତି। ପ୍ରଭୁ ଜଗନ୍ନାଥଙ୍କର ସବୁ ଦ୍ୱାର ଖୋଲା ଯାଉନାହିଁ କାହିଁକି? ପରିକ୍ରମା ନାଁରେ ଏହାକୁ ପର୍ଯ୍ୟଟନ କ୍ଷେତ୍ର କରାଯାଉଛି। ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନିତ କରାଯାଉଛି। ରତ୍ନଭଣ୍ଡାର ଅସଲି ଚାବି କୁଆଡ଼େ ଗଲା ନବୀନ ବାବୁ କୁହନ୍ତୁ। ତଦନ୍ତ କମିଶନ ରିପୋର୍ଟ କାହିଁକି ଚପା ଯାଇଛି। ବିଜେପି ସରକାର ଆସିଲେ ମାସକରେ ରିପୋର୍ଟ ସାର୍ବଜନୀନ ହେବ ବୋଲି ଶାହା କହିଛନ୍ତି। 

Advertisment

ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି। ବିଜେପି ସରକାର ଆସିଲେ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ ବୋଲି ଶାହ କହିଛନ୍ତି। ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଲାଗୁ ହେବ। ମୋଦିଜୀ ପ୍ରତି ବ୍ୟକ୍ତିଙ୍କୁ ୫ କେଜି ଚାଉଳ ଦେଉଛନ୍ତି। ନବୀନ ବାବୁ ଉକ୍ତ ଚାଉଳକୁ ନିଜ ବ୍ୟାଗ୍‌ରେ ଭର୍ତ୍ତି କରି ଲୋକଙ୍କୁ ଦେଉଛନ୍ତି। ଲୋକ ବ୍ୟାଗ୍‌ ଖାଇବେନି, ହିମ୍ମତ ଅଛି ତ ଆଉ ୨ କେଜି ଚାଉଳ ଦିଅ ବୋଲି ଶାହ କହିଛନ୍ତି। ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି। ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ହଡ଼ପ କରାଯାଉଛି। ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି। ସେଥିପାଇଁ ଓଡ଼ିଶାର ଉନ୍ନତି ପାଇଁ ଡବଲ ଇଂଜିନ ସରକାର ଦରକାର।

Bjp State Bjp Odisha Politics