Advertisment

କୁଟ୍ଟେ ସିଣ୍ଡ୍ରୋମରେ ଗୃହ ସଚିବ ଓ ପୁଲିସ ଡିଜି, ତଥ୍ୟ ଲୁଚାଇବାକୁ କସରତ୍‌

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଗତ ମେ’ ୨୯ତାରିଖରେ ନିଲମ୍ବନ ଓ ଜୁଲାଇ ୧୫ତାରିଖରେ ନିଲମ୍ବନ ପ୍ରତ୍ୟାହାର ପାଇଁ ପୃଥକ୍ ପୃଥକ୍ ବିଜ୍ଞପ୍ତି ଜାରି କରିଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
DS Kuttey

DS Kuttey

ବିଜେଡି ସରକାରରେ ପାୱାରଫୁଲ ଆଇପିଏସ୍ ଡିଏସ୍ କୁଟ୍ଟେ ସିଣ୍ଡ୍ରୋମ ରାଜ୍ୟ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ଘାରିଛି ବୋଲି ପାୱାର କରିଡରରେ ଚର୍ଚ୍ଚା। ବିଜେଡି ସରକାରରେ ନିଜକୁ ସୁପର ମିନିଷ୍ଟର ମଣି ରାଜ୍ୟ ପୁଲିସ ଫୋର୍ସ ଓ ଆଇପିଏସ୍ କ୍ୟାଡ଼ର ପରିଚାଳନାକୁ ବିପର୍ଯ୍ୟସ୍ତ କରିଦେଇଥିବାର ଅଭିଯୋଗ କୁଟ୍ଟେଙ୍କ ବିରୁଦ୍ଧରେ ରହିଥିଲେ ମଧ୍ୟ ଏବେ ତାଙ୍କୁ ସୁରକ୍ଷା ଦେବା ପାଇଁ ଖୋଦ୍ ଗୃହ ବିଭାଗ ଓ ପୁଲିସ ମୁଖ୍ୟାଳୟ କସରତ କରୁଥିବା ଜଣାପଡ଼ିଛି। ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟର ମୋହନ ମାଝୀଙ୍କ ସରକାର ଆକ୍ସନ ମୋଡକୁ ଆସି ଗତକାଲି କୁଟ୍ଟେଙ୍କ ନିଲମ୍ବନ ହଟାଇବା ସହ ତତ୍କାଳ ପ୍ରଭାବରୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଛନ୍ତି। ମାତ୍ର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜୁନ୍ ୬ରୁ ଜୁଲାଇ ୧୪ତାରିଖ ପର୍ଯ୍ୟନ୍ତ କୁଟ୍ଟେଙ୍କ ଉପରୁ ନିଲମ୍ବନ କାହିଁକି ପ୍ରତ୍ୟାହାର ହେଉନଥିଲା ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ଗୃହ ବିଭାଗ ସ୍ଥାଣୁ କରି ପକାଇ ରଖିଥିବା ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ସୂଚନା ଅନୁସାରେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଗତ ମେ’ ୨୯ତାରିଖରେ ନିଲମ୍ବନ ଓ ଜୁଲାଇ ୧୫ତାରିଖରେ ନିଲମ୍ବନ ପ୍ରତ୍ୟାହାର ପାଇଁ ପୃଥକ୍ ପୃଥକ୍ ବିଜ୍ଞପ୍ତି ଜାରି କରିଛନ୍ତି। ମାତ୍ର ଏନେଇ କୌଣସି ତଥ୍ୟ ଗୃହ ବିଭାଗ କିମ୍ବା ପୁଲିସ ମୁଖ୍ୟାଳୟ ନିଜର ୱେବସାଇଟରେ ସାର୍ବଜନୀନ କରାଯାଇନାହିଁ। ଯଦିଓ ଆବାସିକ କମିଶନର ପଦରୁ ଆଇପିଏସ୍ ରବିକାନ୍ତଙ୍କୁ ଗତକାଲି ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯିବା ଏବଂ ୫ଦିନ ପୂର୍ବରୁ ଆଶୀଷ ସିଂଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଓଏସଡି ଭାବେ ଅବସ୍ଥାପିତ କରାଯିବାର ବିଜ୍ଞପ୍ତିକୁ ଗୃହ ବିଭାଗ ନିଜର ୱେବସାଇଟରେ ଦର୍ଶାଇଛି। ତେବେ ଆଶ୍ଚର୍ଯ୍ୟର କଥା, ଗୃହ ବିଭାଗ ନିଜର ୱେବସାଇଟରେ ଅନ୍ୟ ସମସ୍ତ ଆଇପିଏସ୍ ଅଫିସରଙ୍କ ବଦଳି,ନିଯୁକ୍ତି ଓ ନିଲମ୍ବନ ତଥ୍ୟକୁ ସାର୍ବଜନୀନ କରିଥିଲେ ମଧ୍ୟ କୁଟ୍ଟେଙ୍କ ସଂକ୍ରାନ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଲୁଚାଇ ଦେଇଛି।

ତଥ୍ୟ ଅନୁସାରେ, ବିଜେଡି ପାଇଁ କାର୍ଯ୍ୟ କରିବା ଅଭିଯୋଗରେ ଗତ ମେ’ ୨୮ତାରିଖରେ କୁଟ୍ଟେଙ୍କୁ ତତ୍କାଳ ପ୍ରଭାବରୁ ଚାକିରିରୁ ନିଲମ୍ବନ କରିଥିଲେ ନିର୍ବାଚନ କମିଶନ। ଏହାସହିତ ଆଇନ ଅନୁସାରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଆଧାରରେ ‘ଗୃହ ବିଭାଗ ଗତ ମେ’ ୨୯ତାରିଖରେ ନିର୍ଦ୍ଦେଶନାମା-୧୮୯୫୨/ଆଇପିଏସ’ରେ କୁଟ୍ଟେଙ୍କୁ ନିଲମ୍ବନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଥିଲା, ଆଉ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଫାଇଲ୍ ଖୋଲିଥିଲା।

Advertisment

କିନ୍ତୁ କୁଟ୍ଟେଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିବା ନେଇ କୌଣସି ତଥ୍ୟ ଗୃହ ବିଭାଗର ୱେବସାଇଟରେ ନାହିଁ କିମ୍ବା ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ହେଉଥିବା ମୁଭମେଂଟ ଅର୍ଡରରେ ଆଜିସୁଦ୍ଧା ଦର୍ଶାଯାଇ ନାହିଁ। ଯଦିଓ ଆଇପିଏସ୍ ଅଫିସରଙ୍କ ବଦଳି ପରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ମୁଭମେଂଟ ଅର୍ଡର ପ୍ରକାଶ ପାଇଥାଏ।

କେବଳ ସେତିକି ନୁହେଁ, ନିଜର ନିଲମ୍ବନ ଅବଧିରେ କୁଟ୍ଟେଙ୍କ ଚାକିରି ସ୍ଥାନ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ସେ ସେଠାରେ ୨-୩ଦିନ ରହି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ପଳାଇ ଆସିଥିଲେ। କିନ୍ତୁ ନିର୍ବାଚନ କମିଶନଙ୍କ ଛାଟ ବାଜିଥିବା ଜଣେ ଦାଗୀ ଅଫିସରଙ୍କ ଛୁଟି ମଞ୍ଜୁରୀ ପୂର୍ବରୁ ଆବାସିକ କମିଶନର ରବିକାନ୍ତ ରାଜ୍ୟ ସରକାରଙ୍କ ଅନୁମତି ନେଇଥିବାର କୌଣସି ତଥ୍ୟ ମଧ୍ୟ ଗୃହ ବିଭାଗ କିମ୍ବା ପୁଲିସ ମୁଖ୍ୟାଳୟରେ ନଥିବା ଜଣାପଡ଼ିଛି।

ତା’ଛଡ଼ା ସମଗ୍ର ଦେଶରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର ହେବାପରେ ଜୁନ୍ ୬ତାରିଖରେ କୁଟ୍ଟେଙ୍କ ନିଲମ୍ବନକୁ ସର୍ତ୍ତମୂଳକ ପ୍ରତ୍ୟାହାର(ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ) ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ଆଉ କୁଟ୍ଟେଙ୍କୁ ପରବର୍ତ୍ତୀ ନିଯୁକ୍ତି ପାଇଁ ମୁଖ୍ୟ ସଚିବଙ୍କ ପାଖରେ ହାଜର ହେବାକୁ ପରାମର୍ଶ ଦେଇଥିଲେ।

ମାତ୍ର ଜୁନ୍ ୬ରୁ ଜୁଲାଇ ୧୪ତାରିଖ ମଧ୍ୟରେ କୁଟ୍ଟେଙ୍କ ନିଲମ୍ବନକୁ ପ୍ରତ୍ୟାହାର ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ କାହିଁକି ଗୃହ ସଚିବ ଓ ପୁଲିସ ଡିଜି ଆନ୍ତରିକତା ଦେଖାଇଲେ ନାହିଁ ? ଏହି ଅବଧି ମଧ୍ୟରେ କୁଟ୍ଟେ ନୂଆଦିଲ୍ଲୀରେ ନରହି ଓଡ଼ିଶାରେ କ’ଣ କରୁଥିଲେ ଓ ତାଙ୍କୁ ଆବାସିକ କମିଶନର କାର୍ଯ୍ୟାଳୟ କାହିଁକି ରିଲିଭ୍ କରୁନଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହାସହିତ କୁଟ୍ଟେଙ୍କୁ ନେଇ ଗୃହ ସଚିବ ଦେଓରଞ୍ଜନ ସିଂ ଓ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ କାହିଁକି ନିରବଦ୍ରଷ୍ଟା ସାଜିଥିଲେ ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଜୁଲାଇ ୧୨ତାରିଖରେ ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶିତ ହେବାପର୍ଯ୍ୟନ୍ତ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ବୋଲି ପୁଲିସ ମୁଖ୍ୟାଳୟ ୱେବସାଇଟରେ ଦର୍ଶାଯାଇଥିଲା । କିନ୍ତୁ ଗତକାଲି ତାକୁ ପରିବର୍ତ୍ତନ କରି କୁଟ୍ଟେ ‘ଅତିରିକ୍ତ ପୁଲିସ ଡିଜି’ ବୋଲି ଉଲ୍ଲେଖ କରାଯାଇଛି । ଯଦିଓ ସେ ଗୃହ ବିଭାଗର ଓଏସଡି ବୋଲି ଗତକାଲିଠୁ ନିର୍ଦ୍ଦେଶନାମା ପ୍ରକାଶ ପାଇସାରିଛି।

ଚର୍ଚ୍ଚା ହେଉଛି, ରାଜ୍ୟରେ ନବୀନ ସରକାର କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ କୁଟ୍ଟେଙ୍କ ପ୍ରତି ଗୃହ ସଚିବ ଓ ପୁଲିସ ଡିଜିଙ୍କ ଅହେତୁକ ଅନୁକମ୍ପା ଯୋଗୁ ତାଙ୍କ ସଂକ୍ରାନ୍ତ ତଥ୍ୟ ପବ୍ଲିକ ଡୋମେନରେ ଆସିପାରୁନି କିମ୍ବା ଶୃଙ୍ଖଳାଗତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁନି।

Ips IPS DS Kuttey