Advertisment

ସମ୍ବିଧାନରେ କେମିତି ସ୍ଥାନ ପାଇଥିଲା 'ଭାରତ' ନାଁ, ତଥାପି ରହିଲା 'ଇଣ୍ଡିଆ'

ସମ୍ବିଧାନ ଚିଠା କମିଟିର ଅଧ୍ୟକ୍ଷ ବି.ଆର୍. ଆମ୍ବେଦକର ସେତେବେଳେ ସମ୍ବିଧାନର ପ୍ରଥମ ଚିଠାରେ 'ଭାରତ' ନାମ ଉଲ୍ଲେଖ କରି ନଥିଲେ। ପରେ କେମିତି ଭାରତ ନାମ ଆସିଲା, ଜାଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଜି-୨୦ ପାଇଁ ନିମନ୍ତ୍ରଣ ପତ୍ରରେ ପାରମ୍ପାରିକ ଲେଖା 'ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ'କୁ ପରିବର୍ତ୍ତିତ କରାଯାଇ 'ପ୍ରେସିଡେଣ୍ଟ ଅଫ୍ ଭାରତ' ଲେଖାଯିବା, ଏହାକୁ ବିରୋଧୀ ମେଣ୍ଟଙ୍କ ନାମ 'ଇଣ୍ଡିଆ' ସହ ତୁଳନା କରିବା ଆଦି ଚର୍ଚ୍ଚା ମଧ୍ୟରେ ଦେଶର ନାଁ ଭାରତକୁ ନେଇ ହେଉଛି ନାନା ଆଲୋଚନା। ଇଣ୍ଡିଆ କେଉଁ ଶବ୍ଦ, ଭାରତ କେଉଁ ଶବ୍ଦ, ଏ ଶବ୍ଦର ଉତ୍ପତ୍ତି କିପରି ଏବଂ କେଉଁ ନାମ ଦେଶ ପାଇଁ ଉପଯୁକ୍ତ ତା'ର ଆଲୋଚନା ଚା' ଖଟିରୁ ଚାଟଶାଳୀ ପର୍ଯ୍ୟନ୍ତ ହେଉଛି। ତେବେ ସମ୍ବିଧାନରେ ଭାରତ କିପରି ସ୍ଥାନ ପାଇଲା, ଭାରତକୁ ସମ୍ବିଧାନରେ ଉଲ୍ଲେଖ କରିବାକୁ କଣ କରାଯାଇଥିଲା, ପଢନ୍ତୁ ଏହି ଆଲେଖ୍ୟରେ...

Advertisment

ନଭେମ୍ବର ୪, ୧୯୪୮, ସମ୍ବିଧାନ ପ୍ରଣୟନ କରୁଥାନ୍ତି ବି.ଆର୍. ଆମ୍ବେଦକର। ଡ୍ରାଫ୍ଟ କମିଟିର ଅଧ୍ୟକ୍ଷ ବି.ଆର୍. ଆମ୍ବେଦକର ସେତେବେଳେ ସମ୍ବିଧାନର ପ୍ରଥମ ଚିଠାରେ 'ଭାରତ' ନାମ ଉଲ୍ଲେଖ କରି ନଥିଲେ। ପ୍ରାୟ ଗୋଟିଏ ବର୍ଷ ପରେ, ଯେତେବେଳେ ସମ୍ବିଧାନ ପ୍ରଣୟନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ସେତେବେଳେ ସେପ୍ଟେମ୍ବର ୧୮, ୧୯୪୯ରେ ଆମ୍ବେଦକର ଏହି ସଂଶୋଧନ କରି ଧାରା ୧ର ଚିଠାରେ ଭାରତର ନାମ ଉଲ୍ଲେଖ କଲେ। ଯେଉଁଥିରେ ଦେଶର ନାମ ଉଲ୍ଲେଖ ଅଛି, ‘ଇଣ୍ଡିଆ, ଯାହା ଭାରତ, ଏକ ୟୁନିଅନ ଷ୍ଟେଟ୍ସ ହେବ।’

ସେତେବେଳେ ସମ୍ବିଧାନ ସଭା ବା କନ୍‌ଷ୍ଟିଚୁଏଣ୍ଟ ଆସେମ୍ବ୍ଲି ସଦସ୍ୟ ହରି ବିଷ୍ଣୁ କମାଥ ଏହାକୁ କେବଳ ଏକ ସାମ୍ବିଧାନିକ ସ୍ଲିପ୍ ବୋଲି କହିଥିଲେ। ତେଣୁ ଏହାକୁ ବଦଳାଇ ସେ ଦୁଇଟି ବିକଳ୍ପ ପରାମର୍ଶ ଦେଇଥିଲେ। ସେ କହିଥିଲେ ‘ଭାରତ, କିମ୍ବା ଇଂରାଜୀ ଭାଷାରେ ଇଣ୍ଡିଆ ଏକ ୟୁନିଅନ୍ ଅଫ୍ ଷ୍ଟେଟ୍ସ’ କିମ୍ବା ‘ହିନ୍ଦ, ବା, ଇଂରାଜୀ ଭାଷାରେ ଇଣ୍ଡିଆ ଏକ ୟୁନିଅନ୍ ଅଫ୍ ଷ୍ଟେଟ୍ସ ହେବ।’ କମାଥ ଏହି ସମୟରେ ଆୟର୍ଲାଣ୍ଡକୁ ଉଦାହରଣ ଦେଇ କହିଥିଲେ, ‘ରାଷ୍ଟ୍ରର ନାମ ହେଉଛି ଆଇର୍, କିମ୍ବା ଇଂରାଜୀ ଭାଷାରେ ଆୟର୍ଲାଣ୍ଡ।’ ଯେପରି ଲେଖାଯାଉଛି ଠିକ୍ ସେହିପରି।

Advertisment

ସେ ଦର୍ଶାଇବାକୁ ଚାହୁଁଥିଲେ କି, ‘ଇଂରାଜୀ ଭାଷାରେ, ଇଣ୍ଡିଆ’ କାରଣ ଅନ୍ୟ ଅନେକ ଦେଶରେ ଇଣ୍ଡିଆକୁ 'ହିନ୍ଦୁସ୍ତାନ' ନାମରେ ଜାଣୁଥିଲେ। ‘ଧର୍ମ ଯାହା ହେଉନା କାହିଁକି ଇଣ୍ଡିଆରେ ରହୁଥିବା ଅଧିବାସୀଙ୍କୁ ହିନ୍ଦୁ ବୋଲି ହିଁ କୁହାଯାଏ’ ତେଣୁ ସେ କହିଲେ, ‘ଭାରତ, କିମ୍ବା ଇଂରାଜୀ ଭାଷାରେ ଇଣ୍ଡିଆ, ଏକ ୟୁନିୟନ ଷେଟ୍ସ ହେବ। ଦୁଇଟିରୁ ଗୋଟିଏ ବାଛନ୍ତୁ।’

ଏହାକୁ ନେଇ ଏକ ତୀବ୍ର ବିତର୍କ ଲାଗି ରହିଲା। ପରେ ବିଧାନସଭା ସଦସ୍ୟ ସେଠ୍ ଗୋବିନ୍ଦ ଦାସ, କମଳାପାଠୀ ତ୍ରିପାଠୀ, କଲ୍ଲୁର ସୁବା ରାଓ, ରାମ ସାହି ଏବଂ ହର ଗୋବିନ୍ଦ ପନ୍ତ ଭାରତ ରଖିବାକୁ ଉତ୍ସାହର ସହ ଯୁକ୍ତି କରିଥିଲେ। ସେଠ୍ ଗୋବିନ୍ଦ ଦାସ କହିଲେ ଯେ, ଇଣ୍ଡିଆ ଏକ ପ୍ରାଚୀନ ଶବ୍ଦ ନୁହେଁ ଏବଂ ଏହା ବେଦରେ ଉଲ୍ଲେଖ ନାହିଁ। ଗ୍ରୀକମାନେ ଭାରତ ଆସିବା ପରେ ଏହା ବ୍ୟବହୃତ ହୋଇଥିଲା। କିନ୍ତୁ ଭାରତ ବେଦ, ଉପନିଷଦ, ବ୍ରାହ୍ମଣ, ମହାଭାରତ ଏବଂ ପୁରାଣ ତଥା ଚାଇନାର ପରିବ୍ରାଜକ ହୁଏନ୍‌ ସାଙ୍ଗଙ୍କ ଲେଖାରେ ଉଲ୍ଲେଖ ରହିଛି। ଦାସ ପରାମର୍ଶ ଦେଇ କହିଲେ, ‘ଇଣ୍ଡିଆ ଭାବେ ଜଣାଶୁଣା ଭାରତକୁ ବିଦେଶର ମଧ୍ୟ ଜାଣନ୍ତି।’

ସେ କହିଥିଲ, ଏହି ନାମକୁ ପଛୁଆ ଭାବେ ଦେଖାଯାଉ ନାହିଁ ବରଂ ଭାରତର ଇତିହାସ ଏବଂ ସଂସ୍କୃତି ସହିତ ମେଳ ଖାଉଛି। ଯଦି ଆମେ ବର୍ତ୍ତମାନ ଏହି ପ୍ରସଙ୍ଗରେ ସଠିକ୍ ନିଷ୍ପତ୍ତିରେ ପହଞ୍ଚିବା ନାହିଁ ତେବେ ଭବିଷ୍ୟତରେ ଏହି ଦେଶର ଲୋକମାନେ ନିଜ ସରକାରର ମହତ୍ତ୍ୱକୁ ବୁଝିପାରିବେ ନାହିଁ। 

ସେହିପରି କଲୁର ସୁବା ରାଓ କହିଥିଲେ, ଇଣ୍ଡିଆ ନାମ ସିନ୍ଧୁ ବା ଇଣ୍ଡସରୁ ଆସିଛି ଏବଂ ହିନ୍ଦୁସ୍ତାନ ନାମ ପାକିସ୍ତାନକୁ ଅଧିକ ଯଥାର୍ଥତା ପ୍ରଦାନ ଲାଗୁଥିଲା, ଯେହେତୁ ସେଠାରେ ଇଣ୍ଡସ(ସିନ୍ଧୁ) ନଦୀ ଥିଲା। ଇଣ୍ଡିଆକୁ ଭାରତ ବୋଲି କହିବା ସହ ସେଠ୍ ଗୋବିନ୍ଦ ଦାସ ଏବଂ ଅନ୍ୟ ହିନ୍ଦୀ ବକ୍ତାମାନେ ଶିକ୍ଷାର ଦେବୀ ପାଇଁ ହିନ୍ଦୀ ଭାଷାର ନାମ ‘ଭାରତୀ’କୁ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଥିଲେ।

କମଳାପତି ତ୍ରିପାଠୀ ମଧ୍ୟ ଋଗ ବେଦ, ଉପନିଷଦ, କୃଷ୍ଣଙ୍କ ବାଣୀ, ବୁଦ୍ଧଙ୍କ ଶିକ୍ଷା, ଶଙ୍କରାଚାର୍ଯ୍ୟ କିମ୍ବା ରାମଙ୍କ ଧନୁ ଆଦିରେ ଭାରତ ଶବ୍ଦ ଥିବା କହିଥିଲେ। ଏସବୁ ଶୁଣିବା ପରେ ଆମ୍ବେଦକର ପଚାରିଥିଲେ, ‘ଏସବୁ ଆବଶ୍ୟକ କି ସାର୍... ବହୁତ କାମ କରିବାକୁ ଅଛି।’ ଆମ୍ବେଦକର ତରବରିଆ ଭାବେ ଏପରି କହିବା ବେଳେ ସମ୍ବିଧାନ ସଭାର ସଭାପତି ରାଜେନ୍ଦ୍ର ପ୍ରସାଦ ହରଗୋବିନ୍ଦ ପନ୍ତଙ୍କ 'ଭାରତ ବର୍ଷ' ଉପସ୍ଥାପନ କରିଥିଲେ। ପନ୍ତ ଏହି କହିଥିଲେ, ଏହି ଶବ୍ଦକୁ ଆମେ ଧାର୍ମିକ କାର୍ଯ୍ୟ କରିବା ସମୟରେ ସଂକଳ୍ପ ନେବା ବେଳେ କହିଥାନ୍ତି।

ସ୍ନାନ କରିବା ସମୟରେ ମଧ୍ୟ ଆମେ ସଂସ୍କୃତ ଭାଷାରେ କହିଥାଉ, "ଜମ୍ବୁ ଦ୍ୱୀପେ, ଭାରତ ବର୍ଷେ, ଭାରତ ଖଣ୍ଡେ, ଆର୍ଯ୍ୟାବର୍ତ୍ତ୍ୟେ ଇତ୍ୟାଦି…ଏହାର ଅର୍ଥ ହେଉଛି ଯେ ମୁଁ ଭରତ ଖଣ୍ଡର ଆର୍ଯ୍ୟାବର୍ତ୍ତ ଇତ୍ୟାଦି। ପନ୍ତ କହିଥିଲେ, ଦୁଶ୍ୟନ୍ତ ଏବଂ ଶକୁନ୍ତଳାଙ୍କ ପୁତ୍ରଙ୍କ ନାମ ଅନୁସାରେ ଭାରତ ରହିଛି। ସେତେବେଳେ ଭାରତର ଧନ ସମ୍ପତ୍ତି ଲୋଭରେ ବିଦେଶୀମାନେ ଆସି ଶାସନ କରିଥିଲେ ଏବଂ ବିଦେଶୀମାନେ ଭାରତକୁ ଇଣ୍ଡିଆ ନାମକରଣ କରିଥିଲେ ବୋଲି ପନ୍ତ ନିଜର ମତ ରଖିଥିଲେ। ତଥାପି ସମ୍ବିଧାନ ସଭାରେ କମାଥଙ୍କ ସପକ୍ଷରେ ୩୮ ଏବଂ ବିପକ୍ଷରେ ୫୧ ଭୋଟ୍ ପଡ଼ିଥିଲା। ଫଳରେ କମାଥଙ୍କ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ମୂଳ ଶବ୍ଦ ଇଣ୍ଡିଆ ଦ୍ୟାଟ୍‌ ଇଜ୍‌ ଭାରତ ରହିଥିଲା।

India Bharat Constitution B R Ambedkar President Of Bharat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe