Advertisment

ରାଜ୍ୟରେ କେତେ ଶିକ୍ଷିତ ବେକାର ପାଉନାହାନ୍ତି ଚାକିରି, କେତେ ମଲେଣି ଦାଦନ ଶ୍ରମିକ ?; ତଥ୍ୟ ରଖିଲା ବିଜେପି

ରାଜ୍ୟରେ କାମ ଖୋଜୁଛନ୍ତି ୮ ଲକ୍ଷ ୯୮ ହଜାର ୭୧୭ ଜଣ ବେକାର ଯୁବକଯୁବତୀ ଅଛନ୍ତି।

ଅଦ୍ୟତନ ହୋଇଛି
undefined

lekhashree samantaray

Advertisment

ନିର୍ବାଚନକୁ ତତ୍ତ୍ୱାବଧାନ କରୁଥିବା ଏଡିଆର ତାହାର ରିପୋର୍ଟରେ ବିଜେଡି ଦେଶର ୩୬ ଆଞ୍ଚଳିକ ରାଜନୈତିକ ଦଳ ଭିତରୁ ଧନୀ ବୋଲି ପ୍ରକାଶ କରିଛି। ସେପଟେ ସିଏଜି ଜାରି କରିଥିବା ରିପୋର୍ଟ ମୁତାବକ ଓଡ଼ିଶାରେ ଉତ୍ପାଦିନ ଖଣିଜ ପଦାର୍ଥରୁ ୫୦ ହଜାର କୋଟି ଟଙ୍କାର ରୟାଲିଟି ମିଳୁଛି ବୋଲି ପ୍ରକାଶ କରିଛନ୍ତି। ହେଲେ ଅନ୍ୟପଟେ ଦାଦନ ଶ୍ରମିକ ମରି ଚାଲିଛି। ଉଚ୍ଚଶିକ୍ଷିତ ଯୁବକଯୁବତୀ ଚାକିରି ପାଉନାହାନ୍ତି। ଅର୍ଥାତ୍ ଓଡ଼ିଶା ଧନୀ, ବିଜେଡି ଆହୁରି ଧନୀ; କିନ୍ତୁ ଓଡ଼ିଆ ଦାଦନ ଖଟୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ଖାଲି ଅଭିଯୋଗ କରିନାହାନ୍ତି ବରଂ ବିଧିବଦ୍ଧ ତଥ୍ୟ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଓଡ଼ିଶାରେ ୩ ମାସରେ ୧୦ରୁ ଅଧିକ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଲାଣି। ଓଡ଼ିଆ ପୁଅ ପେଟ ପୋଷିକାକୁ ନିଜ ରାଜ୍ୟରେ କାମ ନ ପାଇ ବାହାର ରାଜ୍ୟକୁ ଯାଉଛି ଓ ଶବ ହୋଇ ଫେରୁଛି। ହେଲେ ସମସ୍ୟାର ସମାଧାନ ନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଯାଇ ଇନ୍‌ଷ୍ଟଗ୍ରାମ ଓ ରିଲରେ ଭିଡିଓ କରୁଛନ୍ତି।

ପିଟିସି, ବିବିସି ଭଳି ଚ୍ୟାନେଲ୍‌ରେ ଏଭଳି ସମ୍ବେଦନଶୀଳ ଖବର ବାଜିଲା। ଆନ୍ଧ୍ରରୁ ପଟାଙ୍ଗୀ ପର୍ଯ୍ୟନ୍ତ ଚାଲିଚାଲି ଜଣେ ଦାଦନ ଶ୍ରମିକ ତାଙ୍କ ମୃତ ସ୍ତ୍ରୀର ଶବ କାନ୍ଧେଇ ଆସି ଘରେ ପହଞ୍ଚିବା ଓ ୧୦ ଦିନ ତଳେ ବେଙ୍ଗାଲୁରୁ ଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ୧ ହଜାର କିଲୋମିଟରରୁ ଅଧିକ ରାସ୍ତା ୩ ଦାଦନ ଶ୍ରମିକ ଘରେ ପହଞ୍ଚିବା ଉଦ୍‌ବେଗକୁ ବଢ଼ାଇଛି। ବିଜେଡି ଏହି ଦାଦନ ଶ୍ରମିକଙ୍କୁ ଟଙ୍କା ଦେଇ ପାଟି ବନ୍ଦ ରଖିବାକୁ କହୁଛନ୍ତି। ଯେଉଁମାନେ ଶାସନରେ ଅଛନ୍ତି ଦେଢ଼ ମିଟର ଚାଲି ପାରୁନାହାନ୍ତି, ସେମାନେ ଆଶା କରୁଛନ୍ତି ଦାଦନ ଶହ ଶହ କିଲୋମିଟର ଚାଲୁ। ଏହା କେତେଦୂର ଠିକ୍ ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ।

Advertisment

ଏଭଳି ସମସ୍ୟାର ସମାଧାନ ନ କରି ବିଜେଡି ସରକାର ପୁରସ୍କାର ପାଇବାର ଏକ ବିଧିବଦ୍ଧ ବ୍ୟବସ୍ଥା କରୁଛି। ହିଞ୍ଜିଳି ହେଉଛି ସର୍ବଶ୍ରେଷ୍ଠ ବ୍ଲକ, ଗଞ୍ଜାମ ସର୍ବଶ୍ରଷ୍ଠ ଜିଲ୍ଲା ପରିଷଦ ବୋଲି ବିଜେଡି ପ୍ରଚାରପ୍ରସାର କରିବାରେ ଲାଗିଛି। ଏଠାରେ ସମସ୍ତଙ୍କର ପାଇଖନା ଅଛି କି ନାହିଁ, ସମସ୍ତଙ୍କ ପକ୍କାଘର ଅଛି କି ନାହିଁ, ସବୁ ସ୍କୁଲ ଭଲ ସ୍କୁଲ କି ନୁହେଁ.. ଏଭଳି ତଥ୍ୟ ବିଭିନ୍ନ ସଂସ୍ଥାକୁ ଦେଇ ପୁରସ୍କାର ପାଇବାର ବ୍ୟବସ୍ଥା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ଗଞ୍ଜାମ ଜିଲ୍ଲାରେ, ଶ୍ରମ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ମଧ୍ୟ ଏହି ଜିଲ୍ଲା; ଯଦି ଓଡ଼ିଶାରୁ ସର୍ବାଧିକ ଶ୍ରମିକ କେଉଁଠୁ ଦାଦନ ଖଟିବାକୁ ଯାଉଛନ୍ତି ତାହା ମଧ୍ୟ ଗଞ୍ଜାମ। ଏବେ ସ୍ଥିତି ଏମିତି ହୋଇଛି ଯେ, ରାଜ୍ୟ ସବୁ ଜିଲ୍ଲାରୁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଗଞ୍ଜାମ ଜିଲ୍ଲାରୁ ୫ ଲକ୍ଷ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ସେଥିରୁ ୭୫ ଭାଗ ଶ୍ରମିକ ସୁରତରେ ଥିବା ସୁତାକଳରେ କାମ କରୁଛନ୍ତି।

ଦାଦନ ଶ୍ରମିକ ଭାବେ କାମ କରିବା ବେଳେ ଗଞ୍ଜାମର ସାନଖେମୁଣ୍ଡି ବ୍ଲକରୁ ୩ ମାସ ଭିତରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ପାତ୍ରପୁର, ଛତ୍ରପୁର, ଜଗନ୍ନାଥପ୍ରସାଦ ବ୍ଲକରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ଜାନୁଆରୀରେ ଛତ୍ରପୁର ବ୍ଲକର ସୁନ୍ଦରପୁର ପଞ୍ଚାୟତ ପାଇତାରି ଗାଁରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ଦୁବାଇରେ ଦାଦନ ଖଟୁଥିଲେ। ପାତ୍ରପୁର ବ୍ଲକ ଗୁରାତାଲ ପଞ୍ଚାୟତ ଗୁଡ଼ିପଦର ଗାଁର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ କୋୟେମ୍ବାଟୁର ଦାନ ଖଟିବାକୁ ଯାଇଥିଲେ। ଜଗନ୍ନାଥପ୍ରସାଦ କଇଁଥପାଲିର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ତାମିଲନାଡୁକୁ ଦାନ ଖଟିବାକୁ ଯାଇଥିଲେ। ପାତ୍ରପୁର ବ୍ଲକ ଜରଡ଼ା ଥାନାର ଝଗଡ଼ାପାଲି ଗାଁର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହାଇଦ୍ରାବାଦ୍‌ରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।

ଦାଦନ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ସରକାର ଦୃଷ୍ଟି ଦେଉନାହାନ୍ତି। ବାହାର ରାଜ୍ୟରେ କାମ କରୁଥିବା ଅଣକୁଶଳୀ ଶ୍ରମିକଙ୍କ ବିଷୟରେ ତଥ୍ୟ ରଖିବା କଥା। ସେମାନଙ୍କୁ କୁଶଳୀ ଶ୍ରମିକ ହେବା ନିମନ୍ତେ ତାଲିମ ଦେଇ ରାଜ୍ୟରେ ନିଯୁକ୍ତି ବ୍ୟବସ୍ଥା କରିବା କଥା। ହେଲେ ଏହା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି। କରୋନା ଲକ୍ ଡାଉନ୍‌ ସମୟରେ କିପରି ଦାଦନ ଶ୍ରମିକମାନେ ହଇରାଣ ହେଲେ ଏହା ସମସ୍ତେ ଦେଖିଛନ୍ତି। ଯଦି ବାହାର ରାଜ୍ୟରେ କାମ କରି ଶ୍ରମିକମାନେ ସେଠାରେ ଟେକ୍ସଟାଇଲ୍ ଶିଳ୍ପର ଉନ୍ନତି କରିପାରୁଛନ୍ତି, ତେବେ ସେମାନଙ୍କୁ ଓଡ଼ିଶାରେ ନିଯୁକ୍ତି ଦେଇ ଏଠାରେ ଟେକ୍ସଟାଇଲ୍ ଶିଳ୍ପର ବିକାଶ ବ୍ୟବସ୍ଥା କରାଯାଉନାହିଁ କାହିଁକି। ରାଜ୍ୟ ସରକାର ଚୁପ୍‌ କାହିଁକି।

ରାଜ୍ୟ ଶ୍ରମ ବିଭାଗକୁ ଯେଉଁ ପାଣ୍ଠି ମଞ୍ଜୁରୀ ହେଉଛି, ତାହାର ଏକ ବଡ଼ ଅଂଶ ଦାଦନ ଶ୍ରମିକଙ୍କୁ ଚିହ୍ନଟ କରି ପଞ୍ଜୀକରଣ ନିମନ୍ତେ ବ୍ୟବସ୍ଥା କରିବା କଥା। ମାତ୍ର ଜାଣିଶୁଣି ଓଡ଼ିଶା ସରକାର ଏହି ବିଧିବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁନାହାନ୍ତି। ଯେପରି ଅପରାଧ ସଂଖ୍ୟା କମ୍ ଦେଖାଇବାକୁ ଥାନାରେ ସବୁ ଏତଲାକୁ ରୁଜୁ କରାଯାଉନି, ଠିକ୍ ସେହିପରି ରାଜ୍ୟ ସରକାରଙ୍କ ଶ୍ରମିକମାରଣ ନୀତି ଧରାପଡ଼ିଯିବା ଭୟରେ ଦାଦନ ଶ୍ରମିକଙ୍କ ପଞ୍ଜିକରଣ କରାଯାଉନି। ଶ୍ରମିକଙ୍କ ସୁରକ୍ଷାକୁ କାହିଁକି ନଜର ଅନ୍ଦାଜ କରାଯାଉଛି ତାହାର ଉତ୍ତର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ ଓ ଶ୍ରମ ବିଭାଗ ଉତ୍ତର ରଖୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି।

ସେହିପରି ଲେଖାଶ୍ରୀ କହିଛନ୍ତି, ଗତ ବିଧାନସଭା ଚାଲିଥିବା ବେଳେ ଦକ୍ଷତା ବିକାଶ ଓ କାରିଗର ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଏକ ଉତ୍ତର ରଖିଥିଲେ। ଯାହା ମୁତାବକ, ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ ଜଣ ବେକାର ଯୁବକଯୁବତୀ ଅଛନ୍ତି। ଗତ ଡିସେମ୍ବର ସୁଦ୍ଧା ହୋଇଥିବା ପଞ୍ଜୀକରଣରୁ ଏହା ଜଣାପଡ଼ିଛି। ଦିଆଯାଇଥିବା ତଥ୍ୟ ମଧ୍ୟରୁ ସ୍ନାତକଧାରୀ ୧ ଲକ୍ଷ ୯୬ ହଜାର ଜଣ, ସ୍ନାତ୍ତୋକତର ୧୫ ହଜାର ୩୩୫ ଜଣ, ତାଲିମ ପ୍ରାପ୍ତ ୭୨ ହଜାର ୫୧୬ ଜଣ, ଡିପ୍ଲୋମାଧାରୀ ୩୧ ହଜାର ୬୨୮ ଜଣ, ଆଇଟିଆଇ ତାଲିମପ୍ରାପ୍ତ ୩୨ ହଜାର ୨୧୩ ଜଣ, ଦଶମ ଫେଲ ୧୬ ହଜାର ୭୦୦ ଜଣ, ଦଶମ ପାସ୍‌ କରିଥିବା ୧ ଲକ୍ଷ ୭୨ ହଜାର ୫୩୪ ଜଣ, ଇଣ୍ଟର ମିଡିଏଟ୍ ପାସ୍ କରିଥିବା ୩ ଲକ୍ଷ ୧୩ ହଜାର ୫୧ ଜଣ, ବିଭିନ୍ନ ଛୋଟ ତାଲିମଧାରୀ ୪୭ ହଜାର ୭୪୦ଜଣ, ଇଂଜିନିୟରିଂ ଗ୍ରାଜୁଏଟ୍ ୧୭ ହଜାର ୫୩୧ ଜଣ, ମେଡିକାଲ ପାସ୍‌ଧାରୀ ୮୩୦ ଜଣ ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ଏମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ସରକାରଙ୍କ କୌଣସି ଯୋଜନା ନାହିଁ।

ହେଲେ ଏହି ବାସ୍ତବିକ କଥାରୁ ଲୋକଙ୍କ ଦୃଷ୍ଟି ହଟାଇଥିବା ପାଇଁ କେତେବେଳେ ମେକ୍‌ଇନ୍‌ ଓଡ଼ିଶା ତ, କେତେବେଳେ ଇନ୍‌ଭେଷ୍ଟ ଓଡ଼ିଶା, ପୁଣି କେତେବେଳେ ରୋଡ୍‌ ଶୋ’ ଓ ଜାପାନ ବୁଲିବା କଥା କହୁଛି ବିଜେଡି। ଏହାର କାରଣ ରାଜ୍ୟରେ ରହିଥିବା ବିପୁଳ ଖଣିଖାଦାନ, ବିଶାଳ ଜଙ୍ଗଲ ଓ ସମୁଦ୍ରକୂଳ ସହିତ ବୃହତ ଲୋକଶକ୍ତିକୁ ଉପଯୋଗ କରିବାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି। ଗ୍ରାମାଞ୍ଚଳରେ ରହିଥିବା ବସ୍ତ୍ର, କୃଷି, ପାରମ୍ପରିକ ଶିଳ୍ପର ବିକାଶକୁ ଦୃଷ୍ଟି ଦିଆଯାଉଦନି। ଫଳରେ ହସ୍ତତନ୍ତ ବନ୍ଦ। ଗାଁରେ ରହିଥିବା ଲୁହା ତିଆରି ଶାଳ ବନ୍ଦ ହୋଇଗଲାଣି।

ହେଲେ ନାଁ ନେବାକୁ ବିରାଟ ବଜେଟ୍‌ ବ୍ୟୟବରାଦ ହୋଇଥିବା ଉଲ୍ଲେଖ କରାଯାଉଛି। ଖଣିକୁ ଖୋଳି ବିକ୍ରି କରିଦିଆଯାଉଛି, ମାତ୍ର ଏହାର ଭ୍ୟାଲୁ ଆଡିସନ କରାଯାଉନାହିଁ। ଓଡ଼ିଶାର ଲୁହାପଥର, କୋଇଲା, ମାଙ୍ଗାନିଜ୍, ବକ୍ସସାଇଟ୍ ବିପୁଳ ପରିମାଣରେ ବିକ୍ରି କରାଯାଉଛି, ମାତ୍ରର ଏହାକୁ ବ୍ୟବହାର କରି ଜିନିଷ ପ୍ରସ୍ତୁତି ନିମନ୍ତେ ଶିଳ୍ପ କରାଯାଉନାହିଁ। ୨୩ ବର୍ଷ ହେବ ଜଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ସେ ଏବାବଦରେ ଫେଲ ହୋଇଛନ୍ତି।

କେବଳ ନିର୍ବାଚନ ଆସିଲେ ଶିଳ୍ପପତିମାନଙ୍କ ପାଖକୁ ଦୌଡ଼ି ଯାଉଛନ୍ତି। ଓଡ଼ିଶାର ବେକାର ଯୁବକଯୁବତୀ ନିଯୁକ୍ତି ପାଇପାରିଲେ ଗରିବ ସମସ୍ୟା ସମାଧାନ ହୋଇପାରିଥାନ୍ତା। ହେଲେ ଓଲଟା ଟଙ୍କିକିଆ ଚାଉଳ ହିତାଧିକାରୀଙ୍କ ସଂଖ୍ୟା ବଢ଼ୁଛି। ସରକାର ଏ ବାବଦରେ ନାଁ ନେବାକୁ ଚେଷ୍ଟା କରୁଛି। ଓଡ଼ିଶା ଧନୀ, ବିଜେଡି ଧନୀ ହେଉଛି, ହେଲେ ଓଡ଼ିଆ ଗରିବ ହୋଇଚାଲିଛି ଓ ଦାଦନଙ୍କ ସଂଖ୍ୟା ବଢ଼ିଚାଲିଛି। ଓଡ଼ିଆ ଶିକ୍ଷିତ ବେକାର ଓ ଦାଦନ ଶ୍ରମିକଙ୍କ ଉପରେ ମାନସିକ ଚାପ ବଢ଼ିବଢ଼ି ଚାଲିଛି। ରାଜ୍ୟ ସରକାରଙ୍କ ପୁରୁଷାର୍ଥର ବିଫଳତା ଏହାର କାରଣ ହୋଇଛି।

ଉତ୍ତରାଧୀକାରୀ ସୂତ୍ରରୁ ମୁଖ୍ୟମନ୍ତ୍ରୀ ଗାଦି ପାଇଥିବାରୁ ସେ ଏହା ବୁଝିପାରିବେ ନାହିଁ। ତେଣୁ ଏହି ବେକାର ଯୁବକଯୁବତୀ ଓ ଦାଦନ ଶ୍ରମିକଙ୍କୁ ନ୍ୟାୟ ଦିଆଯାଉ ବୋଲି ସେ ଦାବି ରଖିଛନ୍ତି। ସେହିପରି କେଉଁ ରାଜ୍ୟରେ କେତେ ଓଡ଼ିଆ ଦାଦନ ଖଟୁଛନ୍ତି ସେ ନେଇ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ସେ ଦାବି ରଖିଛନ୍ତି।

Migrant Labour Death Bjp Bjd Politics Migrant Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe