ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସରକାରୀ ଖର୍ଚ୍ଚରେ ବିମାନରେ ବୁଲିବାର ହିସାବ ଦେଇଛି ବିଜେପି । ଏପରିକି ବିବାହ ଭୋଜି ଓ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବି ସରକାରୀ ଖର୍ଚ୍ଚରେ ବିମାନରେ ବୁଲିବାକୁ ପାଣ୍ଡିଆନ ପଛାଇ ନାହାନ୍ତି । ଚଳିତବର୍ଷ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ମୋଟ ୭୫ଥର ସରକାରୀ ଖର୍ଚ୍ଚରେ ବିମାନ ଉଡ଼ାଣ ହୋଇଥିବାର ବିଜେପି ହିସାବ ଦେବା ସହ ଜଣେ ସଚିବ ପାହ୍ୟାର ଅଧିକାରୀଙ୍କୁ କିଏ ଏତେ ପରିମାଣର ହେଲିକପ୍ଟର ବ୍ୟବହାର ପାଇଁ ଅନୁମତି ଦେଲେ ଓ ସରକାରୀ ଅର୍ଥର ଅପବ୍ୟୟ କାହିଁକି କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି। ସଚିବ ଏଭଳି ସରକାରୀ ଅର୍ଥ ଅପବ୍ୟୟ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ନିକଟରେ ବିଜେପି ଦାବି କରିଛି ।
ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶ୍ରୀ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମରେ, ବାହାଘର ଭୋଜି ଖାଇବାକୁ ଯିବା ଭଳି କାର୍ଯ୍ୟରେ ସରକାରୀ ହେଲିକ୍ୟାପ୍ଟରକୁ ବ୍ୟବହାର କରିଛନ୍ତି । ଏୟାରପୋର୍ଟ ଅଥରିଟ ଅଫ୍ ଇଣ୍ଡିଆଙ୍କଠୁ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟନୁସାରେ ମୁଖ୍ୟମନ୍ତ୍ରୀଙ୍କର ସଚିବ ଶ୍ରୀ ପାଣ୍ଡିଆନ ୨୦୨୩ ମେ’୧୪ତାରିଖରେ ଭୁବନେଶ୍ୱରରୁ ଏକ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇଥିଲେ । ସେଦିନ ପାଲଲହଡ଼ା ବିଧାୟକଙ୍କର ବାହାଘର ଭୋଜି ଖାଇବା ପାଇଁ ନିଜେ ପାଣ୍ଡିଆନ ବାବୁ ସରକାରୀ ଖର୍ଚ୍ଚରେ ହେଲିକ୍ୟାପ୍ଟର ନେଇ ଯାଇଥିଲେ । ସେହିଭଳି ସମାନ ଢଙ୍ଗରେ ୨୦୨୩ ଜୁନ୍ ୨୮ତାରିଖ ଦିନ ଆଉ ଜଣେ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଧ୍ୟ ସେ ସରକାରୀ ହେଲିକ୍ୟାପ୍ଟରର ବ୍ୟବହାର କରିଛନ୍ତିି । ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ ଯଦି ସରକାରୀ ଅର୍ଥକୁ ଅପବ୍ୟୟ କରି ହେଲିକ୍ୟାପ୍ଟରର ବ୍ୟବହାର କରିବେ ତାହେଲେ ଏହାକୁ ଯେତେ ନିନ୍ଦା, ସମାଲୋଚନା କଲେ ବି କମ୍ ପଡିବ । ଏହା ସିଧାସଳଖ ଭାବେ ସରକାରୀ ଅର୍ଥର ଅପବ୍ୟୟ । ୨୦୨୩ ଜାନୁୟାରୀରୁ ଜୁନ ମାସ ଭିତରେ ମୋଟ ୭୫ ଥର ସରକାରୀ ଅର୍ଥରେ ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ, ହେଲିକ୍ୟାପ୍ଟର, ବିଜନେସ ଜେଟ ଉଡିଛି । ସେଥିରେ ଅନେକ ବାର ବି୨୦୦, ଡାସଲ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଫାଲକନ୍ ୨୦୦୦, ପ୍ରିମିୟର ଆଇଏ ଏଆର କ୍ରାଫ୍ଟ ଉଡିଛି ଯାହା ହେଉଛି ବିଜନେସ କ୍ଲାସର । ଏହାକୁ କିଏ ସବୁ ବ୍ୟବହାର କରିଛନ୍ତି ? କେଉଁ ସରକାରୀ ଅଧିକାରୀଙ୍କ ପରିବାର ଲୋକେ, କେଉଁ ଅଣ ଓଡ଼ିଆ ବ୍ୟବସାୟୀମାନେ ଯାଇଛନ୍ତି ଏହାର ତଦନ୍ତ ହେବା ଦରକାର । ଯେଉଁଭଳି ଭାବରେ ଏବେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ସାରା ରାଜ୍ୟରେ ସଚିବଙ୍କ କାର୍ଯ୍ୟକ୍ରମ ଚାଲିଛି ଏହା ଯଦି ଏଭଳି ଚାଲୁରହେ ବୋଧହୁଏ ନିର୍ବାଚନ ଆସିବା ବେଳକୁ ରାଜ୍ୟ ରାଜକୋଷରୁ ଏ ବାବଦରେ ପ୍ରାୟ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବ ବୋଲି ବିଜେପି ଆଶଙ୍କା କରୁଛି ।
ଶ୍ରୀ ବିଶ୍ୱାଳ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ପାଣ୍ଡିଆନଙ୍କ ସମସ୍ତ କାର୍ଯ୍ୟକ୍ରମରେ ପ୍ରତିବାଦ ହେଉଛି । କେବଳ ସେତିକି ନୁହେଁ ତାଙ୍କୁ ପ୍ରଶ୍ନ ପଚାରିଲେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଗୋପାଳପୁର ବିଧାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ କରାଗଲା । ଯାଜପୁରରେ ହାତରେ ଠେଙ୍ଗା ଓ ୫ଟି ଟି-ସାର୍ଟ ପିନ୍ଧି ବିଜେଡିର ଗୁଣ୍ଡାମାନେ ଅରାଜକତା କଲେ । ତିନୋଟି ଯାକ ଘଟଣା ମଧ୍ୟରୁ କୌଣସି ଗୋଟିଏ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ସମ୍ବିଧାନର ମୁଖବନ୍ଧରେ ଅହିଂସା ଲେଖିବା ପାଇଁ ମନ ବଳେଇଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏକଥା ଜାଣିଛନ୍ତି ନା ନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ବିଜେଡିର ମୁଖପାତ୍ର ଓ ବିଧାୟକମାନେ ବାରମ୍ବାର କହି ଆସୁଛନ୍ତି ଯେ ପାଣ୍ଡିଆନ ରାଜ୍ୟବାସୀଙ୍କ ପାଇଁ ସେବା କରୁଛନ୍ତି । ତା’ହେଲେ ୨୦୨୩ ମେ’ ୧୪ ଓ ଜୁନ୍ ୨୮ ତାରିଖରେ ପାଣ୍ଡିଆନ ସରକାରୀ ଖର୍ଚ୍ଚରେ ବିମାନରେ କୁଆଡ଼େ ଯାଇଥିଲେ ଓ କାହାର ସେବା କରିଥିଲେ ତା’ର ଉତ୍ତର ରଖିବେ କି ବୋଲି ଶ୍ରୀ ବିଶ୍ୱାଳ କଟାକ୍ଷ କରିଛନ୍ତି । ଜଣେ ସଚିବ ପାହ୍ୟା ଅଫିସର ସରକାରୀ ଖର୍ଚ୍ଚରେ ହେଲିକପ୍ଟରରେ ଯାଇ ବାହାଘର ଭୋଜିରେ ଯୋଗ ଦେବା ଠିକ ନା ଭୁଲ୍ ତାହା ବିଜେଡି ସ୍ପଷ୍ଟ କରୁ ।
ସେହିପରି ବିଜେଡି ଏବେ ଏକ ଇଭେଂଟ ମ୍ୟାନେଜମେଂଟ କମ୍ପାନୀରେ ପରିଣତ ହୋଇଛି । ସେମାନଙ୍କର ବିଧାୟକମାନେ ଟେଂଟ ହାଉସ ସୁପରଭାଇଜର, ମନ୍ତ୍ରୀମାନେ ଡେକୋରେସନ ସୁପରଭାଇଜର, ଜିଲ୍ଲା ସଭାପତିମାନେ ଫୁଡ୍ ଏବଂ କ୍ୟାଟରିଂ ସୁପରଭାଇଜର ସାଜିଛନ୍ତି । ୨୦୧୯ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୯ ସେପ୍ଟେମ୍ବର ୧୩ରେ ରାଜ୍ୟର ନବନିର୍ବାଚିତ ବିଧାୟକମାନଙ୍କୁ ସମ୍ବୋଧିତ କରି ତିନୋଟି କଥା କହିଥିଲେ । ଗୋଟିଏ ହେଲା - ‘ଗଣତନ୍ତ୍ରରେ ଗ୍ରହଣ ନଲାଗୁ, ସରଳ ହୁଅ ଓ ଲୋକଙ୍କ ସହିତ ଯୋଡ଼ିହୁଅ\' । କିନ୍ତୁ ତାଙ୍କ ସଚିବଙ୍କ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ଯେ, ନିଜେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଗଣତନ୍ତ୍ରରେ ଗ୍ରହଣ ଲଗାଇ ଦେଲେ, ଲୋକଙ୍କ ସହିତ ଯୋଡ଼ିହେବା ପାଇଁ ସଚିବଙ୍କୁ ପଠାଇଲେ । ବାହାଘର ଭୋଜି ଖାଇବାରେ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର ହେବା କି ପ୍ରକାର ସରଳ ବ୍ୟବହାର ତାହା ମୁଖ୍ୟମନ୍ତ୍ରୀ ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି ।