- -କେନ୍ଦ୍ରୀୟ ପିଏସୟୁକୁ ବିଷ୍ଣୁପଦ ସେଠୀଙ୍କ କାମ ଦେବା ନେଇ ଚର୍ଚ୍ଚା
- -250 କୋଟିରୁ ଅଧିକ ମୂଲ୍ୟର କାମ ପାଇଁ ଦରକାର କ୍ୟାବିନେଟ ମଂଜୁରୀ
- -ଆଶ୍ରମ ସ୍କୁଲ ରୂପାନ୍ତର ପାଇଁ ଦିଆଯାଇଛି 300 କୋଟିରୁ ଅଧିକ କାମ!
ଭୁବନେଶ୍ୱରରେ ଏକ ତାରକା ହୋଟେଲ ସାମନାରେ ଲାଞ୍ଚ ପାଇଁ ନିଆଯାଉଥିବା ୧୦ ଲକ୍ଷ ଟଙ୍କା ଧରା ପଡ଼ିବା ପରେ ଏବେ ସିବିଆଇ ରାଡରରେ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ। ଅକ୍ଟୋବର ୧୯ ତାରିଖରେ ସେ ବ୍ରିଜ ଆଣ୍ଡ୍ ରୁଫ୍ ସମେତ ଏନବିସିସି, ୱାପକସ୍ ଓ ସିଇଏଲ୍ ଭଳି କେନ୍ଦ୍ରୀୟ PSU ବା ସରକାରୀ କମ୍ପାନୀଗୁଡ଼ିକୁ ବାଣ୍ଟି ଦେଇଛନ୍ତି ଶହ ଶହ କୋଟିର କାମ।
ଉପରୋକ୍ତ ପିଏସୟୁ ଗୁଡ଼ିକୁ ସେହି ସମୟର ଅନୁସୂଚିତ ଜନଜାତି ଓ ଜାତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି କରିଛନ୍ତି- ଆଶ୍ରମ ସ୍କୁଲଗୁଡ଼ିକର ରୂପାନ୍ତର ବା ଉନ୍ନତିକରଣ ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଓ ହାଇସ୍କୁଲଗୁଡ଼ିକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ରୂପାନ୍ତର କରିବା ପାଇଁ ୨୨ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି। ଆପଣ ବିଲଡିଂର ପ୍ଲାନ୍, ଏଷ୍ଟିମେଟ ଓ ଡିଜାଇନ୍ ତିଆରି କରି ବିଭାଗ ସହ କଥା ହୁଅନ୍ତୁ।
ଏଥିରୁ ସ୍ପଷ୍ଟ ଯେ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ବିନା ଟେଣ୍ଡରରେ ସରକାରୀ ପିଏସୟୁଗୁଡ଼ିକୁ ଏହି କାମ ଦେଇଛି। ଯାହାକୁ ସେମାନେ ପ୍ରାୟତଃ ଟେଣ୍ଡର ଜରିଆରେ ଏ-ବି କ୍ଲାସ ଠିକାଦାରଙ୍କୁ ଦେବେ। ଓପିଡବ୍ଲ୍ୟୁଡି କୋଡ ବା ଓଡ଼ିଶା ପବ୍ଲିକ୍ ୱାର୍କସ ଡିପାର୍ଟମେଣ୍ଟ କୋଡ୍ ଅନୁଯାୟୀ, ୫ ଲକ୍ଷ ଟଙ୍କାରୁ ଅଧିକ କାମ ହେଲେ ସାଧାରଣତଃ ଟେଣ୍ଡର ହୋଇଥାଏ।
୨୦୨୧ରେ ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସ୍ମାରକକୁ ଦେଖିଲେ, ଜଣେ ବିଭାଗୀୟ ସଚିବଙ୍କ ପାଖରେ କେବଳ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନ କରିବାର କ୍ଷମତା ଥିବା ବେଳେ ୨୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଅନୁମୋଦନ ନେବା ପାଇଁ କ୍ୟାବିନେଟ ମଂଜୁରୀ ନେବାକୁ ପଡ଼ିବ।
ପୂର୍ତ୍ତ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ସଚିବ ଇଂ. ପୀତବାସ ପଣ୍ଡା କୁହନ୍ତି- ପିଏସୟୁକୁ ସରକାର କାମ ଦେଇପାରିବେ। ମାତ୍ର ତାକୁ ପ୍ଲାନ, ଡିଜାଇନ, ଏଷ୍ଟିମେଟ ଦେବା ଦ୍ୱାରା ଖର୍ଚ୍ଚ କାଟ ହୋଇପାରିବ ନାହିଁ। ପିଏସୟୁ ଛୋଟ କାମକୁ ଟେଣ୍ଡର କରିବ କି ନାହିଁ ତା’ ଉପରେ ନିର୍ଭର କରେ।
ଅନେକ ସମୟରେ ସରକାରୀ ନିର୍ମାଣ କମ୍ପାନୀଗୁଡ଼ିକ ବି ଘରୋଇ କମ୍ପାନୀ ସହ ଟେଣ୍ଡରରେ ପ୍ରତିଦ୍ବଦ୍ବିତା କରିଥାନ୍ତି। କେତେକ କ୍ଷେତ୍ରରେ ସରକାରୀ କମ୍ପାନୀଗୁଡ଼ିକୁ ଅଧିକ କାମ ଦେବା ପାଇଁ ବିଭାଗ ଚୁକ୍ତି ବି କରିଥାନ୍ତି। ଓଡ଼ିଶାରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍ ବା ଓବିସିସିକୁ ୧୫୦୦ କୋଟି ଟଙ୍କାର କାମ ଦେବା ପାଇଁ ପୂର୍ତ୍ତ ବିଭାଗ ଏମଓୟୁ କରିଥିଲା।
ସେହିଭଳି ରାଜ୍ୟରେ ଓଡ଼ିଶା ରାଜ୍ୟ ପୋଲିସ୍ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ବା ଓପିଏଚସି, ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍ ବା ଓସିସିଏଲ୍ ଭଳି ସରକାରୀ ନିଗମ ବା କମ୍ପାନୀଗୁଡ଼ିକ ଭିତ୍ତିଭୂମି କାମ କରିଥାନ୍ତି। ସରକାରୀ ପିଏସୟୁଗୁଡ଼ିକ କାମଗୁଡ଼ିକୁ ସବଲେଟ କରୁଥିବାବେଳେ ଅନେକ ସମୟରେ ଠିକ୍ ସମୟରେ କାମ କରିନପାରିବା ନେଇ ସ୍ଥାନୀୟ ସ୍ତରରେ ବ୍ଲାକଲିଷ୍ଟ ହେବା ବା ସେମାନଙ୍କ ନାଁରେ ଏଫଆଇଆର ରୁଜୁ ହେବା ଦେଖାଯାଉଛି।
୨୦୧୪ରେ ଚନ୍ଦ୍ରଶେଖରପୁରରେ ମଣ୍ଡପ ବସ୍ତିରେ ୪୦୦ ବସ୍ତି ଲୋକଙ୍କ ଥଇଥାନ୍ ପାଇଁ ୨୧ କୋଟି ଟଙ୍କାର ବିଲଡିଂ ନିର୍ମାଣ କାମ ନେଇଥିଲା କେନ୍ଦ୍ରୀୟ ପିଏସୟୁ ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀ ଲିମିଟେଡ। ଧାର୍ଯ୍ୟ ସମୟର ୭ ବର୍ଷ ପରେ ବି କାମ ନ ସରିବାରୁ ଗତ ବର୍ଷ ଡିସେମ୍ବର ମାସରେ ବ୍ରିଜ ଆଣ୍ଡ ରୁଫ୍ ନାଁରେ ଏଫ୍ଆଇଆର କରିଥିଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମସି।
ସେହିଭଳି ସୁନ୍ଦରଗଡ଼ରେ ୩୦ କୋଟି ଟଙ୍କାର ପୋଖରୀ ପୁନରୁଦ୍ଧାର କାମ ନେଇଥିଲା ୱାପକସ୍। ଏହି କାମକୁ ସବଲେଟରେ ଦିଲ୍ଲୀର ଏକ ଫାର୍ମକୁ ଦେଇଥିଲା। ୪ ବର୍ଷ ପରେ କାମ ନ ସରିବାରୁ ସୁନ୍ଦରଗଡ଼ ଡିଏମଏଫ୍ ବା ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ୱାପକସକୁ କଳାତାଲିକାଭୁକ୍ତ କରିଥିଲା।
ଓପିଡବ୍ଲ୍ୟୁଡି କୋଡ ଅନୁଯାୟୀ, ରାଜ୍ୟ ସ୍ତରରେ ତିଆରି କରାଯାଉଥିବା ବ୍ଲାକ ଲିଷ୍ଟ ତାଲିକା ଅଲଗା ତିଆରି କରାଯାଇଥାଏ। କୌଣସି ଠିକାଦାର ସଂସ୍ଥା ବାରମ୍ବାର ତାଗିଦ ପରେ ବି ଠିକ୍ ସମୟରେ କାମ ନ ସାରିଲେ, ବା ନିମ୍ନ ମାନର କାମ କଲେ ସଂପୃକ୍ତ ବିଭାଗର ଚିଫ୍ ଇନଞ୍ଜିନିୟରଙ୍କ ସ୍ତରରେ ଏକ କମିଟି ସଂପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ପାଇଁ ସରକାରଙ୍କୁ ସୁପାରିଶ କରିଥାନ୍ତି। ଠିକା ସଂସ୍ଥା କେତେକ କ୍ଷେତ୍ରରେ ଭଲ କାମ କରିଥାନ୍ତି। ମାତ୍ର କେତେକ କ୍ଷେତ୍ରରେ ଖରାପ ରେକର୍ଡ ରଖୁଥିବା ସଂସ୍ଥା ବା ଠିକାଦାରଙ୍କୁ ସରକାର କାହିଁକି କାମ ଦେବା ପାଇଁ ବାଛୁଛନ୍ତି ତାହା ବୁଝିହେଉନାହିଁ।
(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର)