BJP
ବିଜେଡିର ୨୪ବର୍ଷର ସରକାରକୁ ଶକ୍ତ ଝଟକା ଦେଇ ବିଜେପି ଅପ୍ରତ୍ୟାଶିତ ଢଙ୍ଗରେ ରାଜ୍ୟରେ ନିଜସ୍ୱ ଦମରେ ପ୍ରଥମଥର ପାଇଁ ସରକାର ଗଠନ କରିଛି । ୨୦୨୪ ଜୁନ୍ ୧୨ରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠନ କରି ବିଜେପି ସମସ୍ତଙ୍କୁ ଚକିତ କରିଥିଲା । ଇତିମଧ୍ୟରେ ମୋହନ ସରକାର ନିଜର ପ୍ରଥମବର୍ଷ ପୂର୍ତ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ନିଷ୍ପତ୍ତି ହୋଇଛି। ଏହା ସରକାରୀ ବିଭାଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ସଫଳତାର ଦସ୍ତାବିଜକୁ ଆକ୍ସନପ୍ଲାନ ଆକାରରେ ସଂକଳନ କରିବେ।
ବିଭାଗଗୁଡ଼ିକ ମଧ୍ୟ ନିଜନିଜସ୍ତରରେ ଏହି ବର୍ଷପୂର୍ତ୍ତି ପାଇଁ ଆକ୍ସନପ୍ଲାନ ପ୍ରସ୍ତୁତ କରିବେ । ଏପଟେ ବିଜେପି ନିଜର ସରକାରର ଏକବର୍ଷର କାର୍ଯ୍ୟକୁ ଐତିହାସିକ ଓ ଯୁଗାନ୍ତକାରୀ ବୋଲି କହିଥିବାବେଳେ ମୁଖ୍ୟବିରୋଧୀ ବିଜେଡି ଏହାକୁ ‘ରଙ୍ଗବୋଳା ଓ ବିଫଳ ସରକାର’ କହିଛି । କଂଗ୍ରେସ ମଧ୍ୟ ବିଜେପି ସରକାର ନିଜର କାର୍ଯ୍ୟକୁ ନେଇ ଏକ ଶ୍ୱେତପତ୍ର ଆଣନ୍ତୁ ବୋଲି ଦାବି କରିଛି । ତେବେ ଏହି ପ୍ରଥମ ବର୍ଷରେ ମୋହନ ସରକାର କେତେ ସଫଳ ହୋଇଛନ୍ତି ଓ ସରକାରଙ୍କ ଆଗରେ କ’ଣ ସବୁ ଚ୍ୟାଲେଞ୍ଜ ରହିଛି ତାକୁ ନେଇ ‘ଓଡ଼ିଶା ରିପୋର୍ଟର’ର ଏକ ସ୍ୱତନ୍ତ୍ର ରିପୋର୍ଟ...
ଯୋଜନାର ନାଁ ପରିବର୍ତ୍ତନ ଓ ନୂଆ ଯୋଜନା କାର୍ଯ୍ୟାନ୍ୱୟନ
ବିଜେଡି ସରକାରରେ ବିଜୁ ପଟ୍ଟନାୟକ ଓ ନବୀନଙ୍କ ନାଁରେ କାର୍ଯ୍ୟକାରୀ ହେଉଥିବା ୨୧ଟି ‘ଯୋଜନା ଓ କାର୍ଯ୍ୟକ୍ରମର’ ନାଁକୁ ମୋହନ ମାଝୀ ସରକାର ପରିବର୍ତ୍ତନ କରିଛନ୍ତି । ଆଉ ବର୍ଷକ ମଧ୍ୟରେ ୨ଟି ପୂର୍ଣ୍ଣାଙ୍ଗ ବଜେଟ (୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷର)କୁ ବିଧାନସଭାରେ ଉପସ୍ଥାପିତ କରିବାରେ ସକ୍ଷମ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷରେ ୧୬ଟି ନୂଆ ଯୋଜନା ଏବଂ ୨୦୨୪-୨୫ ବଜେଟରେ ୧୯ଟି ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ହାତଖର୍ଚ୍ଚ ପ୍ରଦାନ ଓ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୮୦୦ଟଙ୍କା ପ୍ରଦାନ ମଧ୍ୟ କରିଛନ୍ତି । ଯଦିଓ ୨ବର୍ଷରେ ୫୦ହଜାର ଟଙ୍କା ପ୍ରତ୍ୟେକ ମହିଳାଙ୍କୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏହି ଟଙ୍କା ୫ବର୍ଷରେ ଦେବାକୁ ଗାଇଡଲାଇନ୍ ଜାରି କରିଛନ୍ତି ।
ଏପର୍ଯ୍ୟନ୍ତ ପ୍ରାୟ ୧କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି । ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବୋନସ(ମୋଟ ୩୧୦୦ଟଙ୍କା) ପ୍ରଦାନ କରିବାର ପ୍ରତିଶ୍ରୁତିକୁ ସରକାର ପାଳନ କରିସାରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ଅନ୍ତୋଦୟ ଗୃହ ଯୋଜନା, ସମୃଦ୍ଧ ସହର ଭଳି ନୂଆ ଯୋଜନା ନିମନ୍ତେ ବଜେଟରେ ଅର୍ଥ ବରାଦ କରି ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ ନିମନ୍ତେ ମୂଳଦୁଆ ପକାଇବାରେ ମୋହନ ସରକାର ସକ୍ଷମ ହୋଇଛନ୍ତି ।
ଅଭିଜ୍ଞତାର ଅଭାବ ଥାଇ ମଧ୍ୟ ସଫଳତା
ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାରରେ ସାମିଲ ୨ଜଣ ଉପମୁଖ୍ୟମନ୍ତ୍ରୀ, ୮ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)ଙ୍କ ମଧ୍ୟରୁ କେବଳ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ଜଣେ ବି ମନ୍ତ୍ରୀ(ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ)ଙ୍କର ପୂର୍ବରୁ ସରକାର ପରିଚାଳନା(ମନ୍ତ୍ରିମଣ୍ଡଳର ସଦସ୍ୟତା) ହେବାର ଅଭିଜ୍ଞତା ନାହିଁ । ଏପରିକି ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ କେବଳ ରବି ନାରାୟଣ ନାଏକ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ଗଣେଶରାମ ସିଂ ଖୁଂଟିଆ ଓ ସୂର୍ଯ୍ୟବଂଶୀ ସୂରଜଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ମନ୍ତ୍ରୀ ପ୍ରଥମଥରର ବିଧାୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଦିଓ ୨୦୦୦ ମସିହାରୁ ୪ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି କିନ୍ତୁ ତାଙ୍କର ପ୍ରଶାସନିକ ଅଭିଜ୍ଞତା କେବଳ ବିଧାୟକ ଓ ବିଧାନସଭାରେ ସଚେତକ ମଧ୍ୟରେ ସୀମିତ ଥିଲା ।
ତେବେ ଅଭିଜ୍ଞତା ନଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ବେଶ୍ ଦକ୍ଷତା ଓ ସଫଳତାର ସହ କାର୍ଯ୍ୟ କରି ଚାଲିଛି । ଏହି ୧୧ମାସ ମଧ୍ୟରେ ମୋହନ ସରକାରଙ୍କୁ ନିଜସ୍ୱ ନିଷ୍ପତ୍ତି ନେବାରେ ସେଭଳି କୌଣସି ଆଖିଦୃଶିଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିବା ଭଳି ପ୍ରତୀତ ହୋଇନି । ପ୍ରବାସୀ ଭାରତୀୟ ଦିବସ ସମାରୋହ, ପୁଲିସ ଡିଜି ସମ୍ମିଳନୀ, ପୁରୀରେ ନୌସେନା ଦିବସ ପାଳନ ଓ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଭଳି ପ୍ରମୁଖ ଜାତୀୟସ୍ତର କାର୍ଯ୍ୟକ୍ରମର ସଫଳ ଆୟୋଜନ କରି ମୋହନ ମାଝୀ ସରକାର ନିଜର ଦକ୍ଷତା ପ୍ରତିପାଦନ କରାଇ ପାରିଛନ୍ତି । ତେବେ ‘ସରକାରର ଏକ ପ୍ରଭାବଶାଳୀ ଛବି’ ପ୍ରସ୍ତୁତ କରିବା ଏବେବି ମୋହନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି ।
ସରକାରଙ୍କ ପାଇଁ ଚ୍ୟାଲେଞ୍ଜ
୨୪ବର୍ଷର ବିଜେଡି ସରକାରକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟବାସୀ ବିଜେପିକୁ ସରକାର ଗଢ଼ିବାର ସୁଯୋଗ ଦେଇଛନ୍ତି । ନୂଆ ସରକାର ଓ ଅଭିଜ୍ଞତାର ଅଭାବକୁ ଅନୁଭବ କରି ସଂଗଠନ-ପ୍ରଶାସନ-ଜନତା-ବିକାଶ ଓ ଜନକଲ୍ୟାଣ କାର୍ଯ୍ୟ ମଧ୍ୟରେ ତାଳମେଳ ରଖିବା ପାଇଁ ରାଜ୍ୟବାସୀ ମୋହନ ସରକାରଙ୍କୁ ପ୍ରାୟ ୧୧ମାସ ସମୟ ଦେଇସାରିଲେଣି । ଏବେ ସରକାରଙ୍କଠୁ ସବୁ କାର୍ଯ୍ୟରେ ଲୋକେ ‘ଫରଫେକ୍ସନ୍’ ଖୋଜିବା ସ୍ୱାଭାବିକ । ନବୀନ ସରକାର ତୁଳନାରେ ମୋହନ ସରକାର କେତେ ଇଫେକ୍ଟିଭ ହେଉଛନ୍ତି ତା’ର ତୁଳନାତ୍ମକ ଚିତ୍ର ସାଧାରଣ ଲୋକେ ଉପସ୍ଥାପନ କରିବାକୁ ପଛାଉନାହାନ୍ତି ।
ଗାଁ ଗହଳିରେ ବିକାଶ ଓ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ, ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ରାଜ୍ୟରେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନର ପର୍ଯ୍ୟାପ୍ତ ସମ୍ଭାବନାକୁ ଫଳପ୍ରଦ କରିବା, ନିଜସ୍ୱ ଯୋଜନାଗୁଡ଼ିକ ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଂଚିବା, ବିଶେଷକରି ଗରିବ ଲୋକଙ୍କୁ ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ, ମାସିକ ଭତ୍ତା ବାର୍ଦ୍ଧକ୍ୟ ଓ ବିଧବାଙ୍କୁ ୩୫୦୦ଟଙ୍କା ପ୍ରଦାନ, ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ସାମିଲ, ପିଏମଆବାସ-ଅନ୍ତୋଦୟ ଗୃହ ଯୋଜନାରେ ସବୁ ଗରିବ ହିତାଧିକାରୀଙ୍କୁ ଘର ଓ ମାଗଣା ବିଜୁଳି ଭଳି ଯୋଜନାର ସଠିକ ରୂପାୟନ ଓ ସଫଳତା ନିଶ୍ଚିତ ଭାବେ ମୋହନ ସରକାର ପାଇଁ ଚ୍ୟାଲେଞ୍ଜ ପାଲଟିବ । ଏସମସ୍ତ ଯୋଜନା ସାଧାରଣ ଲୋକଙ୍କ ସହ ସିଧାସଳଖ ଜଡ଼ିତ ରହିଛି । ସେହିପରି ଆଇନଶୃଙ୍ଖଳା ପରିସ୍ଥିତି ଓ ପ୍ରଶାସନ ଉପରେ ନିୟନ୍ତ୍ରଣ, ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ମଧ୍ୟ ଆଗାମୀ ଦିନରେ ସରକାରଙ୍କ ନିମନ୍ତେ ଚ୍ୟାଲେଞ୍ଜ ହେବ ।
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ ବିଜେପି ସରକାରକୁ ୩୦୦ଦିନ ପୁରିଲାଣି । ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ କ’ଣ ପ୍ରତିଶ୍ରୁତି ଦେଇଥିଲା ଓ କ’ଣ ପୂରଣ କରିଛି ସେନେଇ ଏକ ଶ୍ୱେତପତ୍ର ଜାରି କରୁ । ସୁଭଦ୍ରା ଯୋଜନାରେ ଏକକାଳୀନ ୫୦ହଜାର ଟଙ୍କା ଦେବାକୁ କହି ଦିନକୁ ୨୭ଟଙ୍କା ଦେଲେ । ଚାଷୀଙ୍କୁ ମଧ୍ୟ ଅବହେଳା କରୁଛନ୍ତି । ଗୋଟିଏ ମାସରେ ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ଫେରାଇବେ ବୋଲି କହିଥିଲେ । କିନ୍ତୁ ତାହା ମଧ୍ୟ ହୋଇନି । ୫ବର୍ଷର ଇସ୍ତାହାର ମଧ୍ୟରୁ ଗୋଟିଏ ବର୍ଷରେ ସରକାର କେତେ ପୂରଣ କଲେ ଓ ଆଗାମୀ ୪ବର୍ଷ ଭିତରେ କ’ଣ କରିବେ ତାହା ସ୍ପଷ୍ଟ କରନ୍ତୁ । ବଡ଼ବଡ଼ ହୋଟେଲରେ ମୁଖ୍ୟମନ୍ତ୍ରୀ ରହିଲେ ରାଜ୍ୟର ବିକାଶ ହୁଏନି । ମୁଖ୍ୟମନ୍ତ୍ରୀ କ’ଣ ପିନ୍ଧିବେ,ରହିବେ କେଉଁଠି ଓ ଖାଇବେ କ’ଣ ତାହା ପାଇଁ ସ୍ୱତନ୍ତ୍ର ଟିମ୍ ଅଛି କିନ୍ତୁ ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟକ୍ରମ ଦେଖିବାକୁ କେହି ନାହିଁ ବୋଲି କହି ଶ୍ରୀ ଦାସ କଟାକ୍ଷ କରିଛନ୍ତି।”
ସଫଳତା ଓ ସରକାରଙ୍କ ଲୋକପ୍ରିୟତା
ଦୀର୍ଘବର୍ଷ ପରେ ରାଜ୍ୟକୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ମିଳିଥିôବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାଦାସିଧା ବ୍ୟକ୍ତିତ୍ୱ ଓ ସିଧାସଳଖ ଲୋକଙ୍କୁ ଭେଟି କଥାବାର୍ତ୍ତା କରିବା ତାଙ୍କୁ ସାଧାରଣରେ ଜନପ୍ରିୟ କରାଇବାରେ ଲାଗିଛି । ସମ୍ବଲପୁରରେ ଜନଶୁଣାଣି ଓ ଭୁବନେଶ୍ୱରରେ ନିୟମିତ ଜନଶୁଣାଣି କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିବା କୁହାଯାଉଛି । ସେହିପରି ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରକୁ ୪୦ବର୍ଷ ପରେ ଖୋଲିବା ଓ ଏହାର ମରାମତି କାର୍ଯ୍ୟ ମଧ୍ୟ ଜାରି ରହିଛି । ଦୀର୍ଘଦିନ ଧରି ବନ୍ଦ ରହିଥିବା ୪ଦ୍ୱାରକୁ ଖୋଲିବାରେ ସରକାର ସଫଳ ହୋଇଛନ୍ତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମାଧ୍ୟମରେ ୧୬.୭୩ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସଂଗ୍ରହ ପ୍ରସ୍ତାବ ମାଧ୍ୟମରେ ରାଜ୍ୟରେ ବିକାଶକୁ ତ୍ୱରାନ୍ୱିତ କରିବା, ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇ ୫୮ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଶ୍ରମିକଙ୍କ ମଜୁରୀ ବୃଦ୍ଧି ଆଦି ନିଷ୍ପତ୍ତି ସରକାରଙ୍କୁ ସଫଳ କରାଇଛି । ତେବେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଗୋଟିଏ ବି ଦୁର୍ନୀତି ଅଭିଯୋଗ ଆସି ନାହିଁ, ଯାହା ସରକାରଙ୍କୁ ଲୋକଙ୍କ ପାଖରେ ଆସ୍ଥାଭାଜନ କରାଇପାରିଛି ।
ବିଜେଡି ସରକାରକୁ କ୍ଲିନଚିଟ୍
ବିଜେଡି ସରକାର ବିରୁଦ୍ଧରେ ପୁଳାପୁଳା ଦୁର୍ନୀତି ଓ ଅନିୟମିତତା ସହ ବହୁ ସଙ୍ଗୀନ ଅଭିଯୋଗ ଆଣି ରାଜରାସ୍ତାରେ ବିକ୍ଷୋଭ କରିଥିବା ବିଜେପି ଏବେ ରାଜ୍ୟରେ କ୍ଷମତାକୁ ଆସିବା ପରେ ନିଜର ଆଭିମୁଖ୍ୟରେ ୟୁ-ଟର୍ଣ୍ଣ ନେଇଛି । ‘୨୪ବର୍ଷର ବିଜେଡି ଶାସନ’କୁ ପରୋକ୍ଷରେ କ୍ଲିନଚିଟ୍ ଦେଇଥିବା କୁହାଯାଉଛି । ବିଗତ ସାଢ଼େ ୧୦ମାସ ମଧ୍ୟରେ ବିଜେପି ସରକାର ଗୋଟିଏ ବି ଅନିୟମିତତା କିମ୍ବା ଦୁର୍ନୀତି(ପୂର୍ବ ସରକାର ବିରୁଦ୍ଧରେ) ସାମ୍ନାକୁ ଆଣିବାରେ ସକ୍ଷମ ହୋଇପାରିନି । ଓଲଟା ବିଜେଡିର ଏଜେଂଟ ହୋଇ ଯେଉଁ କିଛି ଅଫିସର କାର୍ଯ୍ୟ କରୁଥିଲେ ସେମାନଙ୍କୁ ସୁହାଇବା ଭଳି କେନ୍ଦ୍ରକୁ ପଠାଇବାର ମାର୍ଗ ପ୍ରଶସ୍ତ କରିଛି । ବିଜେଡି ସରକାରରେ ପାୱାରଫୁଲ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ, ଆଶୀଷ ସିଂ, ରବିକାନ୍ତ, ମିତ୍ରଭାନୁ ମହାପାତ୍ରଙ୍କ ସମେତ ଭିଭି ଯାଦବଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ସେମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ଉପରେ ମଧ୍ୟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।
ତେବେ ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି ଯେ “ ରାଜ୍ୟରେ ମୋହନ ମାଝୀଙ୍କ ସରକାରର ରିମୋଟ କଂଟ୍ରୋଲ କେଉଁଠି ଅଛି ଆଗେ ବିଜେପି ସ୍ପଷ୍ଟ କରୁ । ଏ ସରକାର କେବଳ ରଙ୍ଗବୋଳା ଓ କଥାକୁହା ସରକାର । ନିର୍ବାଚନୀ ପ୍ରତିଶ୍ରୁତି ଦେଇ କେଉଁ ଗୋଟିଏ ଠିକ୍ ଭାବେ ପାଳନ କରିଛି କୁହନ୍ତୁ? ସୁଭଦ୍ରା ଯୋଜନାରେ କହିଥିଲେ କ’ଣ, କଲେ କ’ଣ? ଧାନମଣ୍ଡିରେ ସବୁଚାଷୀ ଧାନ ବିକିପାରିଲେନି । ୬୦ବର୍ଷରୁ ଅଧିକ ବୟସର ଗରିବ ଲୋକଙ୍କୁ ୩୫୦୦ଟଙ୍କା ଭତ୍ତା ବି ମିଳିଲାନି । ଓଡ଼ିଆ ଅସ୍ମିତା କଥା କହିଲେ କିନ୍ତୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରି ପଳାଇଲା ଏ ସରକାର ଚୁପ୍ ରହିଲେ । ଏକବିଂଶ ଶତାବ୍ଦୀରେ ଆମ୍ବଟାକୁଆ ଖାଇ ଲୋକେ ପ୍ରାଣ ହରାଇବାଠୁ ବଳି ଲୋକଲଜ୍ଜା କ’ଣ ଅଛି । ମହାପ୍ରଭୁଙ୍କ ସହ ବି ଛଳନା କରୁଛନ୍ତି । ବଡ଼ଠାକୁର ବଳଭଦ୍ରଙ୍କ ମୂର୍ତ୍ତି ପଡ଼ିବା ଘଟଣାରେ କ’ଣ କରିଛନ୍ତି କେହି ଜାଣିପାରିଲେ ନାହିଁ । ଗରିବ ଲୋକେ ଏବେ ଚିକିତ୍ସା ନପାଇ ଘରୋଇ ହସ୍ପିଟାଲରୁ ଫେରୁଛନ୍ତି । ଯେତିକି ଟଙ୍କା ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ରଖାଯାଇଛି ତାହା ଦିନକରେ ସରିଯାଉଛି । ଏହାଠୁ ଆଉ ଦୁଃଖର କଥା କ’ଣ ହୋଇପାରେ।
ଯଦି ବିଜେଡି ସରକାରରେ କିଛି ଦୁର୍ନୀତି ଓ ଅନିୟମିତତା ହୋଇଛି ବୋଲି କହୁଛନ୍ତି, ତା’ହେଲେ ସେମାନଙ୍କର ତ ସରକାର ଅଛି, ଆକ୍ସନ ନେବାକୁ କିଏ ମନା କରିଛି? ଏବେ ରାଜ୍ୟବାସୀ ଜାଣିସାରିଲେଣି ଯେ, ଏମାନେ ମିଛ କହି ବିଭ୍ରାନ୍ତି କରି ସରକାରକୁ ଆସିଛନ୍ତି । ବର୍ଷେ ଭିତରେ ବିଜେଡି ସରକାରର ୨୪ବର୍ଷର ଶାସନର କିଛି ତ୍ରୁଟି ଏମାନେ ପାଇଲେ ନାହିଁ । ଆଗକୁ ଯାହା ଏମାନେ କହିବେ ରାଜ୍ୟବାସୀ ତାକୁ ଗ୍ରହଣ କରିଲେ ହେଲା? ବିଜେପି ଭାଷାରେ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ରାଜଧାନୀରୁ ୨୫୦କିମି ଯାଇ ଜନଶୁଣାଣି କରିପାରୁଛନ୍ତି କିନ୍ତୁ ୨୫କିମି ଦୂର ଡେଲାଙ୍ଗରେ ପୁଲିସ ୫ଦିନ ପରେ ବି ପହଂଚିପାରୁନି । ମହିଳା ନିର୍ଯାତନା ଚରମସୀମାରେ ପହଂଚିଛି । ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଲାଣି । ପ୍ରଧାନମନ୍ତ୍ରୀ ରାଜଧାନୀରେ ଥିବାବେଳେ ରାଜରାସ୍ତାରେ ମୁଣ୍ଡଗଣ୍ଡି ଅଲଗା ହୋଇଯାଉଛି । ଲୋକପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ହେଉଛି । ଏସବୁ ନିୟନ୍ତ୍ରଣ ବି କରିବା ସରକାର ପକ୍ଷରେ ସମ୍ଭବପର ହୋଇପାରୁନି । ଏବେ ରାଜ୍ୟବାସୀଙ୍କୁ କେବଳ ମହାପ୍ରଭୁ ଜଗନ୍ନାଥ ଭରସା” ବୋଲି ସେ କହିଛନ୍ତି ।
ସରକାର ଓ ବିବାଦ
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ବିଗତ ସାଢ଼େ ୧୦ମାସ ମଧ୍ୟରେ ବିଭିନ୍ନ ପ୍ରକାରର ଘଟଣା ପାଇଁ ବିବାଦୀୟ ହୋଇପଡ଼ିଛନ୍ତି । ପୁରୀରେ ରଥଯାତ୍ରାବେଳେ ରଥରୁ ମହାପ୍ରଭୁ ବଳଭଦ୍ରଙ୍କ ମୂର୍ତ୍ତି ପଡ଼ିଯିବା, ଭଦ୍ରକ ଓ ବାଲେଶ୍ୱରରେ ସାମ୍ପ୍ରଦାୟିକ ଦଙ୍ଗା, ଚିକିଟିରେ ମଦମୃତ୍ୟୁ, ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର, ସଚିବାଳୟର ଜଣେ ଅଧିକାରୀଙ୍କୁ ତତକାଳୀନ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା, ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ୩ଜଣ ପ୍ରାଣ ହରାଇବା ଓ କଟକ-ବାରବାଟୀ ଷ୍ଟାଡ଼ିୟମରେ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚବେଳେ ବିଦ୍ୟୁତ ବିଭ୍ରାଟ ଯୋଗୁ ଅଧଘଣ୍ଟାରୁ ଅଧିକ ସମୟ ମ୍ୟାଚ୍ ପ୍ରଭାବିତ ହେବା ଓ କିଟ ବିଶ୍ୱବିଦ୍ୟାଳୟରେ ୨ ଜଣ ନେପାଳୀ ଛାତ୍ରୀ ଅଢ଼େଇ ମାସ ଭିତରେ ଆତ୍ମହତ୍ୟା କରିବା ଆଦି ଘଟଣା ସରକାରଙ୍କୁ ବିବାଦୀୟ କରାଇଛି ।
ତେବେ ଏସବୁ ଘଟଣାର ତଦନ୍ତ ପାଇଁ ସରକାର ବିଭିନ୍ନ କମିଟି ଗଠନ କରିଥିଲେ ମଧ୍ୟ ତା’ର ନିର୍ଯ୍ୟାସ ଏପର୍ଯ୍ୟନ୍ତ ସାର୍ବଜନୀନ କରିବାରେ ସରକାର ସକ୍ଷମ ହୋଇନାହାନ୍ତି । କେବଳ ସେତିକି ନୁହେଁ ଚିଟଫଣ୍ଡ ଦୁର୍ନୀତିରେ ପ୍ରଭାବିତ ଲୋକମାନଙ୍କୁ ଟଙ୍କା ଫେରସ୍ତ ଦେବା ପାଇଁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଏବେବି କଥା ମଧ୍ୟରେ ସୀମିତ ରହିଯାଇଛି । ରାଜ୍ୟରୁ ଦାଦନ ଶ୍ରମିକ ସମସ୍ୟାରେ ଅଙ୍କୁଶ ଲଗାଇବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ କରି ସରକାର ଚୁପ୍ ବସି ଯାଇଛନ୍ତି । ଏସବୁ ପ୍ରସଙ୍ଗରେ ମୋହନ ସରକାର ବ୍ୟାକଫୁଟରେ ଅଛନ୍ତି । ଏସବୁ ବ୍ୟତୀତ ଗ୍ରାମାଂଚଳଠୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ସବୁଠୁ ବିକାଶମୂଳକ କାର୍ଯ୍ୟ ଧୀମା ହୋଇଯାଇଥିବା ଏବଂ ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ସଠିକ୍ ସୁଫଳ ଗରିବ ହିତାଧିକାରୀଙ୍କୁ ମିଳୁନଥିବା ଅଭିଯୋଗ ମଧ୍ୟ ମୋହନ ସରକାର ବିରୁଦ୍ଧରେ ଆସିଛି।
ତେବେ ଏ ସମ୍ପର୍କରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ “ ୟେ ସରକାର ହେଉଛନ୍ତି ଲୋକଙ୍କ ସରକାର । ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିବା ସରକାର । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଲୋକଙ୍କ ପାଖକୁ ଯାଉଛନ୍ତି, ଯାହାକି ଓଡ଼ିଶା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଶୁଭସଙ୍କେତ । ସରକାରଙ୍କ ବିରୁଦ୍ଧରେ ବିରୋଧୀ ଦଳମାନେ ଟୀକାଟିପ୍ପଣୀ-ଅଭିଯୋଗ କରିବେ,ସେସବୁ ଚାଲିବ । ଆଉ ସରକାରରେ ବିବାଦ ଓ ଅଘଟଣ ବି ହେବ ତା’ର ସମାଧାନ ବାଟ ବି ସରକାର ବାହାର କରନ୍ତି । ତେବେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ବିଜେପି ସରକାର ଏହି ଅବଧି ମଧ୍ୟରେ ଅନେକ ଯୁଗାନ୍ତକାରୀ ଓ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବୋନସ, ମହିଳାଙ୍କୁ ସୁଭ୍ରଦା ଯୋଜନା ଟଙ୍କା, ପ୍ରତ୍ୟେକ ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ଅର୍ଥବରାଦ, ୮୦ବର୍ଷରୁ ଅଧିକ ବୟସର ଗରିବ ଲୋକଙ୍କୁ ୩୫୦୦ଟଙ୍କା ମାସିକ ଭତ୍ତା ଦେଉଛନ୍ତି ।
ଆଗାମୀ ଦିନରେ ୬୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ଭତ୍ତା ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି । ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ନେଇ ଯେଉଁ ଅଭିଯୋଗ ହେଉଛି ତାହା ଭିତ୍ତିହୀନ । କେହିବି ଜଣେ ରୋଗୀ ଚିକିତ୍ସା ନହୋଇ ଫେରିଥିବାର ନଜିର ନାହିଁ । ୯୦ ପ୍ରତିଶତ ଘରୋଇ ହସ୍ପିଟାଲ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ଓ ୧୦ ପ୍ରତିଶତ ହସ୍ପିଟାଲ ଏଭଳି ବିଭ୍ରାନ୍ତ କରୁଛନ୍ତି । ପୂର୍ବ ବିଜେଡି ସରକାରର ବିଏସକେୱାଇ ଯୋଜନାରେ ଅଯଥା ଘରୋଇ ହସ୍ପିଟାଲଗୁଡ଼ିକୁ ଅତ୍ୟଧିକ ଚିକିତ୍ସା ଖର୍ଚ୍ଚ ଦିଆଯାଉଥିଲା । ଯାହାକୁ ଏ ସରକାର ବନ୍ଦ କରିଦେଇଛନ୍ତି । ସେହିପରି ଚିଟଫଣ୍ଡ ଟଙ୍କା ଫେରସ୍ତ କଥା କହୁଥିବା କଂଗ୍ରେସ ଓ ବିଜେଡି ଏବେ ସଇତାନର ବେଦପାଠ କରୁଛନ୍ତି । ସେମାନଙ୍କ ସମୟରେ ଏହି ଦୁର୍ନୀତି ହୋଇଥିଲା । ମାତ୍ର ଏବେ ପ୍ରଭାବିତ ଲୋକଙ୍କୁ ତାଙ୍କ ଟଙ୍କା ଫେରସ୍ତ କରିବା ନିମନ୍ତେ ରାଜ୍ୟ ସରକାର ରହିଥିବା ଆଇନଗତ ପ୍ରତିବନ୍ଧକକୁ ଦୂର କରୁଛନ୍ତି । ବିଜେପି ନିଶ୍ଚିତ ତା’ର ପ୍ରତିଶ୍ରୁତି ପାଳନ କରିବ । ବିଜେଡି ସରକାର ଅମଳରେ ହୋଇଥିବା ଦୁର୍ନୀତି ଓ ଅନିୟମିତତା ଉପରେ ସରକାର ଉପଯୁକ୍ତ ପଦକ୍ଷେପ ସଠିକ୍ ସମୟରେ ନେବେ ବୋଲି ସେ କହିଛନ୍ତି ।”
ବର୍ଷପୂର୍ତ୍ତ ପାଇଁ ସରକାରଙ୍କ କମିଟି
ମୋହନ ମାଝୀ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି । ସମସ୍ତ ସରକାରୀ ବିଭାଗଗୁଡ଼ିକର ପ୍ରଥମ ବର୍ଷର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ସଫଳତାକୁ ଦସ୍ତାବିଜ କରିବା ପାଇଁ ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବ । ଏହି କମିଟି ବିଭାଗୀୟ ସଫଳତାକୁ ସଂକଳନ କରି ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବ । ସେହିପରି ବଜେଟରେ ଘୋଷଣା ହୋଇଥିବା ନୂଆ ଯୋଜନାଗୁଡ଼ିକର ଏକ ତାଲିକା ଅର୍ଥ ବିଭାଗ ପ୍ରସ୍ତୁତ କରି ସମ୍ପୃକ୍ତ ବିଭାଗଗୁଡ଼ିକ ପଠାଇବେ ଯାହାକୁ ଆଗାମୀ ୬ମାସ ମଧ୍ୟରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କସ୍ତରରେ ବିଭାଗଗୁଡ଼ିକ ଅନୁମୋଦନ କରାଇବେ । ଏସବୁ ବ୍ୟତୀତ ପ୍ରଶାସନିକସ୍ତରରେ ଏହି କମିଟି ଗଠନ ସହ ମନ୍ତ୍ରୀ ଏବଂ ବିଭାଗଗୁଡ଼ିକର କାର୍ଯ୍ୟର ମୂଲ୍ୟାୟନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରିବ ବୋଲି ଜଣାପଡ଼ିଛି । ବିଭାଗଗୁଡ଼ିକୁ ମଧ୍ୟ ନିଜ ନିଜସ୍ତରରେ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିକ୍ରମରେ ଶୁକ୍ରବାର ଗୃହନିର୍ମାଣ ନଗର ଉନ୍ନୟନ ଓ ବାଣିଜ୍ୟ-ପରିବହନ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବର ରୂପରେଖ ଚୂଡ଼ାନ୍ତ ହୋଇଥିଲା । ସମସ୍ତ ୧୧୫ଟି ସହରାଂଚଳ, ଆରଟିଓ ଓ ବନ୍ଦର କ୍ଷେତ୍ରରେ ଜନସମ୍ପର୍କ କାର୍ଯ୍ୟକ୍ରମ ସହ ବିଭାଗର ସଫଳତାର ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ଅଡିଓ ଭିଜୁଆଲ ପ୍ରଦର୍ଶନୀ, ପ୍ରମୁଖ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ, ନାଗରିକ ଭାଗିଦାରିତା,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଆଦି ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ବିଭାଗୀୟ ଆକ୍ସନପ୍ଲାନ ପ୍ରସ୍ତୁତ କରି ସାଧାରଣ ଲୋକଙ୍କ ସର୍ବାଧିକ ସହଭାଗିତା ନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ବର୍ଷ ପୂର୍ତ୍ତି ଉତ୍ସବ ଯେଭଳି ନାଗରିକକେନ୍ଦ୍ରିକ ଓ ଗଣତାନ୍ତ୍ରିକ ଶାସନର ଚେତନାର ପ୍ରତିଫଳନ ହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ନିଜ ନିଜସ୍ତରରେ ଏଭଳି କାର୍ଯ୍ୟକ୍ରମ ନିମନ୍ତେ ଆକ୍ସନ ପ୍ଲାନ ଚଳିତମାସ ୧୫ତାରିଖ ସୁଦ୍ଧା ଶେଷ କରିବେ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1746194325.jpg)