/odisha-reporter/media/post_attachments/uploadimage/library/16_9/16_9_0/IMAGE_1682582982.jpg)
Sura Routray
ବହିଷ୍କୃତ କଂଗ୍ରେସ ନେତା ସୁର ରାଉତରାୟ ତାଙ୍କ ସାନପୁଅ ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବେ ବୋଲି ଆଜି ସ୍ପଷ୍ଟ କରିଛନ୍ତି । କଂଗ୍ରେସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ସେ ଉତକ୍ଷିପ୍ତ ହୋଇ ଗାନ୍ଧି ପରିବାର ସଦସ୍ୟଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି । କଂଗ୍ରେସ ଭବନକୁ ମନ୍ଦିର ଓ ନିଜକୁ ସଚ୍ଚା କଂଗ୍ରେସ କର୍ମୀ ବୋଲି କହୁଥିବା ସୁର ଏହି କାର୍ଯ୍ୟାନୁଷ୍ଠାନ ପରଠୁ ଗଣମାଧ୍ୟମରେ ନାନାଦି ଢଙ୍ଗରେ ପ୍ରତିକ୍ରିୟାଶୀଳ ହେବାରେ ଲାଗିଛନ୍ତି। ଏପରିକି ସୁରଙ୍କ ପୁଅ ମନ୍ମଥ ବି ତାଙ୍କ ବାପାଙ୍କ ପାଇଁ କଂଗ୍ରେସ କିଛି ନୁହେଁ, ଏମିତି କେତେ ଦଳ ଆସିବେ,କେତେ ଯିବ ବୋଲି କହିବାକୁ ପଛାଇନାହାନ୍ତି । ପିତା-ପୁତ୍ରଙ୍କ ଏଭଳି ପ୍ରତିକ୍ରିୟା ହିଁ ପରୋକ୍ଷରେ ସେମାନଙ୍କର ଅସହାୟତାକୁ ପଦାରେ ପକାଇଥିବାବେଳେ ବିଜେଡିର ଭୁବନେଶ୍ୱର ଲୋକସଭା ସିଟ୍ ଦଖଲ ପାଇଁ ରଣନୀତି ଏବେ ଫେଲ୍ ମାରିବା ଏକରକମ ସ୍ପଷ୍ଟ ହୋଇଯାଇଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସରୁ ବହିଷ୍କୃତ ସୁର ରାଉତରାୟ କହିଛନ୍ତି ଯେ, କଂଗ୍ରେସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ପୁଅକୁ ଜିତାଇଦେଲା । ଏବେ ପୁଅ ପାଇଁ ପ୍ରଚାର କରିବି ଓ ପୁଅ ଜିତିସାରିବା ପରେ ସେମାନଙ୍କ(କଂଗ୍ରେସ) କଥା ବୁଝିବି । ଅବଶ୍ୟ ସୁର ଏହି ବୟାନ ସହ ଆଜି ଦିନତମାମ ଭିନ୍ନ ଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ନାନାଦି ପ୍ରକାରର ପ୍ରତିକ୍ରିୟା ଦେଇ ନିଜ ଭିତର କ୍ଷୋଭ ଓ ଆକ୍ରୋଶକୁ ପଦାରେ ପକାଇଛନ୍ତି । ସେହିପରି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ବି ତାଙ୍କ ବାପାଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସକୁ ଅତ୍ୟନ୍ତ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସୁର ରାଉତରାୟ ଗୋଟିଏ ଅନୁଷ୍ଠାନ । କଂଗ୍ରେସ ନେତୃତ୍ୱଙ୍କ ପାଇଁ ତାଙ୍କ ବାପା ସେ ଦଳରେ ନଥିଲେ ବରଂ ହରେକୃଷ୍ଣ ମହତାବ ଓ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଯୋଗୁ କଂଗ୍ରେସରେ ରହିଥିଲେ । କିଛି ଫରକ ପଡ଼ିବ ନାହିଁ । ଏମିତି କେତେ ଦଳ ଆସିବ ଓ ଯିବ ବୋଲି ମନ୍ମଥ କହିଛନ୍ତି ।
ଅନ୍ୟପକ୍ଷରେ ସୁରଙ୍କୁ କଂଗ୍ରେସ ବହିଷ୍କାର କରିସାରିଥିବାରୁ ସେ ଏଣିକି ତାଙ୍କ ପୁଅ ପାଇଁ ଖୋଲାଖୋଲି ପ୍ରଚାର କରିବାରେ ସକ୍ଷମ ହେବେ । ମାତ୍ର ସୁରଙ୍କ ପ୍ରଚାର ସତରେ କ’ଣ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ପାଇଁ ସହାୟକ ହେବ, ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ।
ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ସୁର ରାଉତରାୟ ଯଦିଓ ଜଣେ ବରିଷ୍ଠ ନେତା କିନ୍ତୁ ଗଣମାଧ୍ୟମ ଯେଉଁ ଢଙ୍ଗରେ ତାଙ୍କର ଖବର ଓ ପ୍ରତିକ୍ରିୟା ନିୟମିତ ପ୍ରସାର କରୁଛି ସେଥିରୁ ତାଙ୍କର ବ୍ୟକ୍ତିତ୍ୱ ସାଧାରଣରେ ପ୍ରତିଫଳିତ ହେଉଛି । ତେଣୁ ସୁରଙ୍କୁ ଦୃଷ୍ଟିରେ ରଖି ବିଜେଡି ଯେଉଁ ଭୋଟ ହାତେଇବାକୁ ପ୍ରୟାସ କରିଥିଲା ତାହା ସହଜ ହେବନି । ପ୍ରଥମତଃ ସୁରଙ୍କ ସହ କଂଗ୍ରେସ ଭୋଟ୍ ଆସିବ ନାହିଁ । ଦୀର୍ଘ ୨୫ବର୍ଷ ଧରି କଂଗ୍ରେସ ରାଜ୍ୟରେ କ୍ଷମତାରେ ନଥିଲେ ମଧ୍ୟ ଦଳ ନିଜର ଭୋଟକୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସୁରକ୍ଷିତ କରି ରଖିପାରିଛି।
ଉଲ୍ଲେଖଯୋଗ୍ୟ, ଜଟଣୀକୁ ନିଜର ଗଡ଼ ବୋଲି ଦାବି କରୁଥିବା ସୁର ୨୦୦୪ ସାଧାରଣ ନିର୍ବାଚନ ପରଠୁୁ ବାରମ୍ବାର ପରାଜିତ ହେଉଥିଲେ। ୨୦୦୪ ସାଧାରଣ ନିର୍ବାଚନରେ ତତକାଳୀନ ବିଜେଡି ନେତା ଶରତ ପାଇକରାୟଙ୍କଠୁ ପରାଜିତ ହୋଇଥିଲେ । ୨୦୦୯ ମସିହାରେ ବିଜେଡିର ବିଭୂତି ବଳବନ୍ତରାୟଙ୍କଠୁ ପ୍ରାୟ ୧୫ହଜାର ଭୋଟ ଏବଂ ୨୦୧୪ ନିର୍ବାଚନରେ ବିଜେଡିର ଭାଗିରଥୀ ବଡ଼ଜେନାଙ୍କଠୁ ପ୍ରାୟ ୫୭୪୭ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଜଟଣୀ ବିଜେଡିରେ ଥିବା ଗୋଷ୍ଠୀକନ୍ଦଳ ଓ ବିଭୂତିଙ୍କ ପ୍ରତି ଆକ୍ରୋଶର ଫାଇଦା ସୁରଙ୍କୁ ମିଳିଥିଲା । ଆଉ ସୁର ବି ଇମୋସନାଲ କାର୍ଡ ଖେଳି ତାଙ୍କ ଜୀବନର ଶେଷ ଲଢ଼େଇ ବୋଲି କହି ଭୋଟ୍ ମାଗି ଜିତିିଥିଲେ।
ତେଣୁ ଏସବୁ ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ସୁରଙ୍କ ପ୍ରଚାରର ବିଶେଷ ଫାଇଦା ମନ୍ମଥଙ୍କୁ ମିଳିବ ନାହିଁ । ବରଂ ସୁରଙ୍କ ଅନିୟନ୍ତ୍ରିତ ମତ-ମନ୍ତବ୍ୟ ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କ ଭୋଟ ହ୍ରାସର କାରଣ ପାଲଟିବ । ମନ୍ମଥଙ୍କ ସପକ୍ଷରେ ସୁରଙ୍କ ପ୍ରଚାର ବିଜେଡି ପାଇଁ ବୁମେରାଂ ଭଳି ହେବ । କଂଗ୍ରେସରୁ ଆମଦାନୀ ନେତାଙ୍କୁ ଟିକେଟ୍ ଦିଆଯାଇଥିବାରୁ ତୃଣମୂଳସ୍ତରରେ ବିଜେଡି କର୍ମୀଙ୍କ ମନରେ ଥିବା କ୍ଷୋଭ ମନ୍ମଥଙ୍କ ସପକ୍ଷରେ ଯିବା ପରିବର୍ତ୍ତେ ଅଧିକ ବିପକ୍ଷରେ ଯିବାର ଆଶଙ୍କା ରହିଛି । ଯାହାର ସିଧାସଳଖ ଫାଇଦା ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
