Advertisment

କାଲି ଓଡ଼ିଶାରେ ଭୋଟ୍, କେମିତି ରହିବ ପାଗ

ଆସନ୍ତାକାଲି ୪ଟି ସଂସଦୀୟ କ୍ଷେତ୍ରରେ ୬୨,୮୭,୨୨୨ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।

author-image
Jitendra Garnayak
Polling Employee

Polling Employee

ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ଏବଂ ଏହି ସବୁ ଲୋକସଭା ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ତେବେ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଥିବା ଯୋଗୁ ଆସନ୍ତାକାଲି ଏହି ସବୁ ସ୍ଥାନଗୁଡ଼ିକରେ ପାଗ କେମିତି ରହିବ, ତାକୁ ନେଇ ଚର୍ଚ୍ଚା ହେଉଛି। ଖୁସିର ଖବର ଏହା ଯେ ଆସନ୍ତାକାଲି ଏହି ସବୁ ସ୍ଥାନରେ ପାଗ ଅନୁକୂଳ ରହିପାରେ। ପାଣିପାଗ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ଜୋର ବର୍ଷା ହେବାର ସମ୍ଭାବନା ନାହିଁ। କିଛି ସ୍ଥାନରେ ହାଲୁକା ବା ମଧ୍ୟମ ଧରଣର ବର୍ଷା ହୋଇପାରେ। ଲଗାତାର ବର୍ଷା ହେବ ନାହିଁ ବା ଦିନ ତମାମ ଲାଗି ରହିବ ନାହିଁ। ଯଦି ବର୍ଷା ହେବ, ତା’ହେଲେ ଘଣ୍ଟେ କି ଦୁଇ ଘଣ୍ଟା ମଧ୍ୟରେ ପୂରା କମିଯିବ। ସେହିପରି ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ପାଖାପାଖି ରହିବ। ତେଣୁ ମୋଟାମୋଟି ଭାବେ ଆସନ୍ତାକାଲି ମତଦାନ ବେଳେ ପାଗ ଅନୁକୂଳ ରହିବ ବୋଲି କୁହାଯାଇ ପାରିବ। ତେବେ ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଶା, ଯେମିତିକି- ବାଲେଶ୍ୱର ଓ ଭଦ୍ରକର କିଛି ସ୍ଥାନରେ ଜୋର ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ୪ଟି ସଂସଦୀୟ କ୍ଷେତ୍ରରେ ୬୨,୮୭,୨୨୨ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୩୦,୯୭,୫୨୭ ଜଣ ପୁରୁଷ ଓ ୩୧,୮୯,୦୬୦ ଜଣ ମହିଳା ଭୋଟର ଥିବା ବେଳେ ୬୩୫ ଜଣ ତୃତୀୟ ଲିଙ୍ଗ ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ୭୩୦୩ଟି ମତଦାନ କେନ୍ଦ୍ର ମଧ୍ୟରୁ ୭୪୮ଟି ସହରାଞ୍ଚଳରେ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି। ଏହି ପର୍ଯ୍ୟାୟରେ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୫୩ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Advertisment

୩୭ ଜଣ ଲୋକସଭା ପ୍ରାର୍ଥୀ ଓ ୨୪୩ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ଇଭିଏମ୍‌ରେ ସିଲ୍ ହୋଇଯିବ। ୩୭ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ୭ ଜଣ ମହିଳା ଥିବା ବେଳେ ୨୪୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ୨୯ ଜଣ ମହିଳା ଅଛନ୍ତି।

2024 General Election Loka Sabha Election 2024 Odisha Assembly Election 2024