Advertisment

ସଂସଦରେ ବିଜେପି ସାଂସଦଙ୍କ ଆପତ୍ତିଜନକ ଶବ୍ଦ: ସତର୍କ କରାଇଲେ ବାଚସ୍ପତି, ଦୁଃଖପ୍ରକାଶ କଲେ ରାଜନାଥ

କଂଗ୍ରେସ ବ୍ୟତୀତ ଆପ, ଆରଜେଡି ଓ ଏନସିପ ପ୍ରମୁଖ ମଧ୍ୟ ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

author-image
Hemant Lenka
BJP

BJP

ଗଣତନ୍ତ୍ରର ମନ୍ଦିର ଲୋକସଭାରେ ସବୁ ସୀମା ଟପି ଯାଇଛନ୍ତି ବିଜେପିର ଜଣେ ସାଂସଦ। ସେ ଲୋକସଭା ଭିତରେ ସାଂପ୍ରଦାୟିକ ଓ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ଏଥିସହ ସେ ବିଏସ୍‌ପିର ଜଣେ ମୁସଲିମ ସାଂସଦଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦେଇଛନ୍ତି।

Advertisment

ଏହାକୁ ନେଇ ବିବାଦ ତେଜିବାରେ ଲାଗିଥିବା ବେଳେ ଲୋକସଭା ବାଚସ୍ପତି ଓମ ବିର୍ଲା ବିଜେପି ସାଂସଦ ରମେଶ ବିଧୁରୀଙ୍କୁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ତାଙ୍କର ଆପତ୍ତିଜନକ ବୟାନକୁ ସଂସଦର ରେକର୍ଡକୁ ମଧ୍ୟ ବାଦ ଦିଆଯାଇଛି।

ଲୋକସଭା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଜେପି ସାଂସଦ ରମେଶ ବିଧୁରୀଙ୍କ ଆପତ୍ତିଜନକ ଟିପ୍ପଣୀକୁ ବାଚସ୍ପତି ଗୁରୁତର ସହ ନେଇଛନ୍ତି। ସେ ବିଏସ୍‌ପିର ମୁସଲିମ ସାଂସଦ ଡାନିଶ ଅଲୀଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିଲେ।

Advertisment

ଚନ୍ଦ୍ରଯାନ -୩ର ସଫଳତା ସମ୍ପର୍କରେ ଗୁରୁବାର ସଂସଦରେ ଆଲୋଚନା ଚାଲିଥିଲା। ଏହି ସମୟରେ ସେ ନିଜର ଭାଷଣ ସମୟରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏଥିପାଇଁ ବାଚସ୍ପତି ସାଂସଦ ରମେଶଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଯଦି ଆଗକୁ ସେ ଏପରି ଶବ୍ଦ ବା ଆଚରଣ ପ୍ରଦର୍ଶନ କରିବେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାମ୍ନାକୁ ଆସିଥିବା ଭିଡିଓରେ ସାଂସଦ ବିଧୁରୀ ବାରମ୍ବାର ସାଂସଦ ଅଲୀଙ୍କୁ ଖରାପ ବ୍ୟବହାର କରିବା ସହ ସାଂପ୍ରଦାୟିକ ଶବ୍ଦର ପ୍ରୟୋଗ କରୁଛନ୍ତି। ଘଟଣା ପରେ ଡାନିଶ ଅଲୀ ବାଚସ୍ପତିଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ସେ କହିଥିଲେ ଯେ “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସଂସଦର ନୂଆ ବିଲଡିଂରେ ଏସବୁ ହେଉଛି। ମହାନ ଦେଶରେ ଜଣେ ସଂଖ୍ୟାଲଘୁ ସଦସ୍ୟ ଭାବେ ମୋ ସହ ଏପରି ହେବା ଅତ୍ୟନ୍ତ ଦୁଃଖଦାୟକ।’’

ଘଟଣାକୁ ନେଇ ବିଜେପି ସାଂସଦ ବିଧୁରୀଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିବାଦ ବଢ଼ୁ ଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସଦସ୍ୟ ଜଣଙ୍କ ଦେଇଥିବା ବୟାନ ଯୋଗୁ ଯଦି ବିରୋଧୀ ଆଘାତ ପାଇଛନ୍ତି, ତା’ହେଲେ ମୁଁ ଦୁଃଖ ପ୍ରକାଶ କରୁଛି ବୋଲି ରାଜନାଥ କହିଛନ୍ତି।

ତେବେ ଏପରି କ୍ଷମା ମାଗିବା ଯଥେଷ୍ଟ ନୁହେଁ, ସାଂସଦ ବିଧୁରୀଙ୍କୁ ନିଲମ୍ବିତ କିମ୍ବା ଗିରଫ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଏହା ଅତ୍ୟନ୍ତ ଲଜ୍ଜାଜନକ। ରାଜନାଥ ସିଂହଙ୍କ ଏପରି କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ। ଏହା ସଂସଦ ପ୍ରତି ଅପମାନ। ଏହା ନିଲମ୍ବନ କରିବା ଭଳି ମାମଲା ଓ ବିଧୁରୀଙ୍କ ବୟାନ ପ୍ରତଟି ଭାରତୀୟଙ୍କ ପ୍ରତି ଅପମାନ। ତେଣୁ ବିଜେପି ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

କଂଗ୍ରେସର କହିବା କଥା ଯେ ଲୋକସଭାର ଗତ ଅଧିବେଶନ ବେଳେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ତଥାକଥିତ ମନ୍ତ୍ରୀଙ୍କୁ ଅପମାନିତ କରିବା ଅଭିଯୋଗରେ ନିଲମ୍ବନ କରାଯାଇଥିଲା। କିନ୍ତୁ ବିଜେପି ସାଂସଦ ଅତ୍ୟନ୍ତ ଅସଭ୍ୟ ଶବ୍ଦ ପ୍ରୟୋଗ କରିଥିଲେ ମଧ୍ୟ ତାଙ୍କ ବିରୋଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କଂଗ୍ରେସ ବ୍ୟତୀତ ଆପ, ଆରଜେଡି ଓ ଏନସିପ ପ୍ରମୁଖ ମଧ୍ୟ ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Bjp Congress Parliament Opposition New Parliament Building