ବିଜେଡି ପାଇଁ ବଢ଼ିଲା ଖଲ୍ଲିକୋଟ ଅଡୁଆ। ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜେଡି ଟିକେଟ ଦେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ଶତାଧିକ ସମର୍ଥକ।
ସେମାନେ ବିଜେଡିକୁ ବିରୋଧ କରି ଆଜି ବିଜେପିରେ ସାମିଲ ହୋଇଛନ୍ତି। ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ୩ଶହରୁ ଅଧିକ ବିଜେଡି ନେତା ଓ କର୍ମୀ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି।
ବିଜେପି ରାଜ୍ୟ କାର୍ଯ୍ୟଳୟରେ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି। ଖଲ୍ଲିକୋଟ ଓ ଚିକିଟିର ଏକାଧିକ ସରପଞ୍ଚ, ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି।
ସେହିପରି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ଶତାଧିକ କର୍ମୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଗଞ୍ଜାମ ବାର କାଉନସିଲର ଏକାଧିକ ଆଇନଜୀବୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ବିକଶିତ ଓଡ଼ିଶା ବିକଶିତ ଭାରତ ଗଠନ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ @SamalManmohan7, ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ @vijaypalbjp, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ @SamirMohantyBJP ଏବଂ ପ୍ରମୁଖକ ନେତୃବୃନ୍ଦଙ୍କ ଉପସ୍ଥିତିରେ ପିସିସି ମୁଖପାତ୍ର ପୀତବାସ ପଣ୍ଡା, ଗଞ୍ଜାମ ବାର ଆସୋସିଏସନ ସମ୍ପାଦକ… pic.twitter.com/U1ns1UbxmP
— BJP Odisha (@BJP4Odisha) April 10, 2024
ଦିନ ଥିଲା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ବିନା ଖଲ୍ଲିକୋଟ ବିଜେଡିରେ ପତ୍ର ବି ହଲୁ ନଥିବା କୁହାଯାଉଥିଲା। ତାଙ୍କ ଅବର୍ତ୍ତମାନରେ ବିଜେଡି ତାଙ୍କ ଶେଷ ଦାୟଦ ସାକେତ ରାମା ରାଓଙ୍କୁ ପ୍ରାର୍ଥୀ କରୁ ବୋଲି ଦାବି କରି ଆସୁଥିଲେ ତାଙ୍କ ସମର୍ଥକ। ହେଲେ ବିଜେଡି ସେଠାରୁ ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିଦ୍ରୋହ ଚରମ ସ୍ଥିତିରେ ପହଞ୍ଚିଥିଲା। ଏବେ ଏଥିଯୋଗୁ ରାଜ ପରିବାରର ସମର୍ଥକମାନେ ବିଜେପିରେ ସାମିଲ ହୋଇଛନ୍ତି।
ତେବେ ଖଲ୍ଲିକୋଟ ବିଜେଡି ନଗର ସଭାପତି ନିରଞ୍ଜନ ପାତ୍ର କହିଛନ୍ତି ଯେ ଦଳ ଉପରେ ଏହାର ବି କିଛି ପ୍ରଭାବ ପଡ଼ିବ ନାହିଁ।